ଛୋଟ ଛୋଟ ପରିବର୍ତ୍ତନ ଦ୍ବାରା ପରିବେଶ ସୁରକ୍ଷା: ସମୟର ଆହ୍ବାନ

ଅଙ୍ଗାରକାମ୍ଳ ନିର୍ଗମନ ଦ୍ବାରା ପ୍ରେରିତ ତାପମାତ୍ରା ବୃଦ୍ଧି ଜନିତ ଜଳବାୟୁ ପରିବର୍ତ୍ତନ ସ୍ଥିତିକୁ କୌଣସିମତେ ଧିମେଇ ଆଣିବା ହେଉଛି ସମୟର ଆହ୍ବାନ।  ସେଥିପାଇଁ ଅଙ୍ଗାରକାମ୍ଳ ନିର୍ଗମନରେ ହ୍ରାସ ନିମନ୍ତେ କିଛି ବ୍ୟକ୍ତିଗତ ଉଦ୍ୟମ ସହାୟକ ହୋଇପାରିବ।

00

ଅଙ୍ଗାରକାମ୍ଳ ନିର୍ଗମନ ଦ୍ବାରା ପ୍ରେରିତ ତାପମାତ୍ରା ବୃଦ୍ଧି ଜନିତ ଜଳବାୟୁ ପରିବର୍ତ୍ତନ ସ୍ଥିତିକୁ କୌଣସିମତେ ଧିମେଇ ଆଣିବା ହେଉଛି ସମୟର ଆହ୍ବାନ।  ସେଥିପାଇଁ ଅଙ୍ଗାରକାମ୍ଳ ନିର୍ଗମନରେ ହ୍ରାସ ନିମନ୍ତେ କିଛି ବ୍ୟକ୍ତିଗତ ଉଦ୍ୟମ ସହାୟକ ହୋଇପାରିବ। ବିଗତ ୨୦୨୪ରେ ପ୍ରଥମଥର ପାଇଁ ପ୍ରାକ୍‌ ଶିଳ୍ପଯୁଗ ତାପମାତ୍ରା ବୃଦ୍ଧିର ୧.୫ ଡିଗ୍ରି ସେଲସିଅସ୍ ପରି ଚରମ ସୀମାରେଖା ବର୍ଷ ତମାମ ଉଲ୍ଲଂଘନ ହୋଇଛି। ସୁତରାଂ ବିଶ୍ବସ୍ତରୀୟ ଅଙ୍ଗାରକାମ୍ଳ ନିର୍ଗମନକୁ ଦ୍ରୁତ ବେଗରେ କମାଇବା ଜରୁରି ହୋଇପଡ଼ିଛି। ଅକ୍ଷୟ ଶକ୍ତିର ବୃଦ୍ଧିଠାରୁ ଆରମ୍ଭ କରି ତୈଳ, ଗ୍ୟାସ ଓ କୋଇଲା ଉତ୍ପାଦନ ବନ୍ଦ ଯାଏ ଜଳବାୟୁ ପରିବର୍ତ୍ତନ ରୋକିବା ପାଇଁ ଆବଶ୍ୟକ ହେଉଥିବା ଅନେକ ପଦକ୍ଷେପ ବ୍ୟକ୍ତିଗତ ସ୍ତରରେ ଯଦିଓ ଅସମ୍ଭବ ମନେହୁଏ, ତେବେ କିଛି ବ୍ୟକ୍ତିଗତ କାର୍ଯ୍ୟ ଏ ଦିଗରେ ସକାରାତ୍ମକ ପ୍ରଭାବ ପକାଇବ। 

ଆକଳନ ଅନୁଯାୟୀ ଆମ ଖାଦ୍ୟରେ ମାଂସର ଚାହିଦା ଯୋଗୁଁ ୨୦୩୩ ମସିହା ବେଳକୁ ପୃଥିବୀରେ ୨୦୦ କୋଟି ଗୋସମ୍ପଦ, ୧୦୦ କୋଟି ଘୁଷୁରି, ୩,୨୦୦ କୋଟି କୁକୁଡ଼ା ଓ ପାଖାପାଖି ୩୦୦ କୋଟି ଛେଳି ଓ ମେଣ୍ଢାର ଆବଶ୍ୟକତା ପଡ଼ିବ। ପାଖାପାଖି ୩,୮୦୦ କୋଟି ପ୍ରାଣୀଙ୍କ ଦ୍ବାରା ବିପୁଳ ପରିମାଣର ମିଥେନ୍‌ ଓ ନାଇଟ୍ରସ୍‌ ଅକ୍ସାଇଡ୍‌ ପରି ସବୁଜଗୃହ ବାଷ୍ପ ବାୟୁମଣ୍ଡଳରେ ମିଶିବ, ଯାହା ଅଙ୍ଗାରକାମ୍ଳ ତୁଳନାରେ ଯଥାକ୍ରମେ ୨୮ ଓ ୨୬୫ ଗୁଣ ଅଧିକ ତାପମାତ୍ରା ବଢ଼ାଇବ। ତେଣୁ ଏଥିଜନିତ ବିଶ୍ବ ଉତ୍ତପ୍ତୀକରଣକୁ ରୋକିବା ପାଇଁ ଆମକୁ ଯଥାସାଧ୍ୟ ନିରାମିଷ ଭୋଜନ ଆପଣେଇବା ଉଚିତ ହେବ। ସାଧାରଣତଃ ଆମିଷାଶୀଙ୍କ ତୁଳନାରେ ନିରାମିଷାଶୀମାନେ କମ୍‌ ଜଳ ବ୍ୟବହାର କରିଥା’ନ୍ତି ଯାହା ଜୈବବିବିଧତା ପାଇଁ ଅନୁକୂଳ। 

ସେହିପରି ବିମାନ ଚଳାଚଳ ଯୋଗୁଁ ଅଧିକ ଅଙ୍ଗାର ବାୟୁମଣ୍ଡଳରେ ମିଶୁଛି। ତେଣୁ ବ୍ୟକ୍ତିଗତ ସ୍ତରରେ ବିମାନଯାତ୍ରା କମାଇ ଯଥା ସମ୍ଭବ ଟ୍ରେନ୍‌ ବା ବସ୍‌ରେ ଯାତ୍ରାକଲେ ସେଥିରୁ ପରିବେଶକୁ କିଛି ମାତ୍ରାରେ ଲାଭ ମିଳିବ। ସେହିପରି ପ୍ରଦୂଷଣ ନିର୍ଗମନର ୮ରୁ ୧୦ ପ୍ରତିଶତ ପାଇଁ ଦାୟୀ ହେଉଛି ଫ୍ୟାସନ୍‌ ଶିଳ୍ପ। ତଜ୍ଜନିତ ଅଙ୍ଗାର ନିର୍ଗମନ ହ୍ରାସ ପାଇଁ କମ୍‌ ବସ୍ତ୍ର ବ୍ୟବହାର ଉପରେ ଗୁରୁତ୍ବ ଦେବା ଉପାଦେୟ। ତେଣୁ ପୁରୁଣା ପୋଷାକକୁ ପ୍ରାଧାନ୍ୟ ଦେଇ ଅଳ୍ପ ନୂତନ ବସ୍ତ୍ର କିଣିବା ଠିକ୍‌ ହେବ। ଘରେ ପୋଷାପ୍ରାଣୀ ପାଳିବା ସବୁବେଳେ ପରିବେଶ ଅନୁକୂଳ ନୁହେଁ। କାରଣ ଗୋଟିଏ ପୋଷାଜୀବ ତାହାର ଜୀବନକାଳ ଭିତରେ ହାରାହାରି ୩ ଟନ୍‌ ଅଙ୍ଗାରକାମ୍ଳ ଛାଡ଼ିଥାଏ। ସେମାନଙ୍କୁ ମାଂସ ଭିନ୍ନ ଅନ୍ୟ  ଖାଦ୍ୟରେ ଅଭ୍ୟସ୍ତ କରି ପାରିଲେ  ଏହି  ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରାଯାଇପାରେ। ସେହିପରି ଘରେ ଗ୍ୟାସ୍ ବା କାଠ ପରି ଜାଳେଣି ବଦଳରେ ସୌରଶକ୍ତି ପରି ବିକଳ୍ପ ଉତ୍ସର ବ୍ୟବହାର କଲେ ମଙ୍ଗଳ ହେବ। ଜୀବାଶ୍ମ ଜାଳେଣିରୁ ଉତ୍ପନ୍ନ ରାସାୟନିକ ପଦାର୍ଥରେ ହିଁ ୯୯ ପ୍ରତିଶତ ପ୍ଳାଷ୍ଟିକ୍‌ ପ୍ରସ୍ତୁତ ହୋଇଥାଏ। ତେଣୁ ଏକକ ବ୍ୟବହାରକ୍ଷମ ପ୍ଲାଷ୍ଟିକ୍‌ର ବ୍ୟବହାରକୁ କମାଇ ଦେଇ ମଧ୍ୟ ସେ ଦିଗରେ କିଛି ଲାଭ ମିଳିପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe