ତାଙ୍କ ଘର ଗଞ୍ଜାମର ସେରଗଡ଼। ସେଥିପାଇଁ ମୟୂରମାନଙ୍କ ପ୍ରତି ତାଙ୍କର ଅଗାଧ ଭଲପାଇବା। ନିଜ ଅଞ୍ଚଳର ଗୌରବ ବୃଦ୍ଧି କରୁଥିବା ମୟୂରମାନଙ୍କ ବଂଶକୁ ବଞ୍ଚାଇ ରଖିବା ପାଇଁ ବହୁ ଉଦ୍ୟମ କରିବା ସହ ବିଭିନ୍ନ ପରିବେଶ ଉପଯୋଗୀ କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି ନିରାକାର ବିଶୋୟୀ। ସେ ଜଙ୍ଗଲ ନିକଟରେ ପାତ୍ରରେ ପାଣି ଭରି ମୟୂରମାନଙ୍କ ପାଇଁ ରଖନ୍ତି। ଜଙ୍ଗଲକୁ ସୁରକ୍ଷିତ ରଖିବା ପାଇଁ ଆବଶ୍ୟକ ପଡ଼ିଲେ ବନ ବିଭାଗ ସହ ମିଶି କାମ ବି କରନ୍ତି। 
ପିଲାଟି ଦିନରୁ ପରିବେଶ ପାଇଁ କାମ କରିବା ନିରାକାରଙ୍କ ରୁଚି। ଏହି ରୁଚି ତାଙ୍କୁ ସମାଜ ସେବାରେ ସ୍ନାତକୋତ୍ତର କରିବାକୁ ପ୍ରେରଣା ଦେଲା। କଲେଜରେ ପଢ଼ିବା ସମୟରେ ସେ ଲୋକଙ୍କ ସହ ମିଶି ନିଜ ଅଞ୍ଚଳରେ ବୃକ୍ଷରୋପଣରୁ ନେଇ ବନାଗ୍ନି ନିବାରଣ ଯାଏ ବିଭିନ୍ନ ପ୍ରକାରର ପରିବେଶ ଅନୁକୂଳ କାର୍ଯ୍ୟ କରିବାର ଯାତ୍ରା ଆରମ୍ଭ କଲେ।

Advertisment

Horoscope 2026 February 17 : ଜାଣନ୍ତୁ ଆଜିର ରାଶିଫଳ

ପରବର୍ତ୍ତୀ ସମୟରେ ନିରାକାର ଏଥିଲାଗି ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ମଞ୍ଚରେ ସାମିଲ ହେବାର ସୁଯୋଗ ପାଇଲେ। ସେ ‘ଏନ୍‌ୱାଇକେଏସ୍‌’ର ଜଣେ ଜାତୀୟ ଯୁବ ସ୍ୱେଚ୍ଛାସେବୀ ଭାବେ କାର୍ଯ୍ୟ କରିଥିବା ବେଳେ ‘ୟୁଏନ୍‌ଭି ଇଣ୍ଡିଆ’ର ଜଣେ ଭି-ଫୋର୍ସ ନେତା ଭାବରେ, ‘ୱାଇ-କ୍ଲାପ୍‌’ର ସ୍ବେଚ୍ଛାସେବୀ ଅଛନ୍ତି। ଏହା ବାଦ୍‌ ସେ ‘ୟୁନିସେଫ୍‌’ର ‘ୟୁଥ୍‌ ଫର୍‌ ୱାଟର୍‌ ପ୍ଲସ୍‌’ର ଜଣେ ଯୁବନେତା ପରିଷଦ ସଦସ୍ୟ ଭାବରେ କାର୍ଯ୍ୟ କରିଛନ୍ତି। ସେ ଓଡ଼ିଶା ଯୁବ ସମ୍ମିଳନୀ ଓ ପୁନଶ୍ଚ ପୃଥିବୀ ସମ୍ମିଳନୀ ଭଳି ମଞ୍ଚରେ ମଧ୍ୟ ଯୁବସ୍ୱରର ପ୍ରତିନିଧିତ୍ୱ କରିଛନ୍ତି। ନିରାକାର ହେଉଛନ୍ତି ସ୍ବେଚ୍ଛାସେବୀ ସଂଗଠନ ଟ୍ରି ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ତଥା ସଂପାଦକ। ଏହି ସଂସ୍ଥା ମାଧ୍ୟମରେ ସେ ବୃକ୍ଷରୋପଣରୁ ନେଇ ଜଙ୍ଗଲ ନିଆଁ ନିବାରଣ, ବନ୍ୟପ୍ରାଣୀ ସଂରକ୍ଷଣ ସଚେତନତା, ଜଳ ସଂରକ୍ଷଣ, ପ୍ଲାଷ୍ଟିକ୍ ମୁକ୍ତ ସମାଜ ଗଠନ ଆଦି ଜାରି ରଖିଛନ୍ତି। ତାଙ୍କ ସଂସ୍ଥାର ମୁଖ୍ୟ ସ୍ଲୋଗାନ୍‌ ହେଉଛି ‘ତମାଖୁ ଛାଡ଼ନ୍ତୁ, ବୃକ୍ଷ ଲଗାନ୍ତୁ’। ତମାଖୁ ସେବନ ପରିବେଶକୁ କଳୁଷିତ କରୁଥିବାରୁ ଏହାକୁ ପରିତ୍ୟାଗ କରି ପରିବେଶ ସେବାରେ ନିଜକୁ ସାମିଲ୍‌ କରାଇବାକୁ ନିରାକାର ଆହ୍ବାନ ଦେଇଛନ୍ତି।

Drink: ନିଶାଡ଼ିଙ୍କ ନୂଆ ନିଶା, ପିଉଛନ୍ତି ହୋମିଓପାଥି ନେର୍ଭ ଟନିକ୍‌