ସଂକଟରେ ବୃହତ୍ତମ ସ୍ଥଳଚର ପ୍ରାଣୀ

ସ୍ଥଳଭାଗର ବୃହତ୍ତମ ପ୍ରାଣୀର ମାନ୍ୟତା ବହନ କରୁଥିବା ଆଫ୍ରିକୀୟ ହାତୀ ପ୍ରଜାତି ଏବେ ବିପଦରେ। ଆଫ୍ରିକା ମହାଦେଶର ବିଭିନ୍ନ ସ୍ଥାନରେ ଚଳପ୍ରଚଳ କରୁଥିବା ତୀକ୍ଷ୍‌ଣ ବୁଦ୍ଧିଯୁକ୍ତ ତଥା ଉଚ୍ଚମାନର...

Punascha Pruthibi

ସ୍ଥଳଭାଗର ବୃହତ୍ତମ ପ୍ରାଣୀର ମାନ୍ୟତା ବହନ କରୁଥିବା ଆଫ୍ରିକୀୟ ହାତୀ ପ୍ରଜାତି ଏବେ ବିପଦରେ। ଆଫ୍ରିକା ମହାଦେଶର ବିଭିନ୍ନ ସ୍ଥାନରେ ଚଳପ୍ରଚଳ କରୁଥିବା ତୀକ୍ଷ୍‌ଣ ବୁଦ୍ଧିଯୁକ୍ତ ତଥା ଉଚ୍ଚମାନର ସାମାଜିକ ସଂହତିପ୍ରିୟ ଏହି ସ୍ତନ୍ୟପାୟୀ ପ୍ରାଣୀର ଉପସ୍ଥିତି ବିଗତ ଅର୍ଦ୍ଧଶତାବ୍ଦୀ ଭିତରେ ଚିନ୍ତାଜନକ ଭାବେ ହ୍ରାସ ହେବାରେ ଲାଗିଛି। ଏକ ସଦ୍ୟ ଅନୁଧ୍ୟାନ ଅନୁଯାୟୀ ୧୯୬୪ ମସିହାରୁ ୨୦୧୬ ମସିହା ଭିତରେ ୩୭ଟି ଆଫ୍ରିକୀୟ ଦେଶର ୪୭୫ ସ୍ଥାନରେ ବସବାସ କରୁଥିବା ସାଭାନ୍ନା ପ୍ରଜାତି ସଂଖ୍ୟା ୭୦ ପ୍ରତିଶତ ଓ ବଣୁଆ ପ୍ରଜାତି ସଂଖ୍ୟା ୯୦ ପ୍ରତିଶତ ହ୍ରାସ ପାଇଛି। ମୋଟାମୋଟି ଭାବେ ପରିସଂଖ୍ୟାନ ଉପଲବ୍‌ଧ ୫୨ ବର୍ଷ ଭିତରେ ଆଫ୍ରିକୀୟ ହାତୀ ସଂଖ୍ୟା ୭୭ ପ୍ରତିଶତ କମିଆସିଛି। ୨୦୧୬ ସୁଦ୍ଧା ସାଭାନ୍ନା ପ୍ରଜାତିର ୪,୧୫,୦୦୦ ଓ ବଣୁଆ ପ୍ରଜାତିର ୫,୪୦,୦୦୦ ହାତୀ ଥିଲେ। ତେବେ ଅନେକ ସ୍ଥାନରେ ହସ୍ତୀ ସଂଖ୍ୟା ବଢ଼ିବାର ସମ୍ଭାବନା ନାହିଁ ଏବଂ କିଛି ସ୍ଥାନରେ ସେମାନଙ୍କ ସାନ୍ଦ୍ରତା ଦିନକୁ ଦିନ ଆହୁରି ପତଳା ହେବାରେ ଲାଗିଛି।

ବିଶେଷ କରି ଏସୀୟ ଦେଶମାନଙ୍କରେ ହାତୀଦାନ୍ତର ଚାହିଦା ପୂରଣ ଲାଗି ହାତୀଦାନ୍ତ ଶିକାର ଯୋଗୁଁ ଏଭଳି ସ୍ଥିତି ଉପୁଜିଛି ବୋଲି ଜଣାପଡ଼ିଛି। କୃଷିକ୍ଷେତ୍ରର ସମ୍ପ୍ରସାରଣ ପାଇଁ ହାତୀମାନଙ୍କ ବାସସ୍ଥାନ ନଷ୍ଟ ମଧ୍ୟ ଏହାର ଅନ୍ୟତମ କାରଣ। ସେହିପରି ମାଲି, ଚାଦ୍‌ ଓ ନାଇଜେରିଆ ପରି ଆଫ୍ରିକୀୟ ଦେଶରେ ସୀମିତ ହସ୍ତୀସୁରକ୍ଷା ପ୍ରାବଧାନ ଯୋଗୁଁ ଆଫ୍ରିକୀୟ ହାତୀମାନଙ୍କ ପ୍ରତି ବିପଦ ବଢ଼ିବାରେ ଲାଗିଛି। ଅପରପକ୍ଷେ, ବୋତ୍‌ସ୍ବାନା, ଜିମ୍ବାୱେ ଓ ନାମ୍ବିଆ ଆଦି ଦକ୍ଷିଣ ଆଫ୍ରିକୀୟ ଦେଶମାନଙ୍କରେ ହାତୀଙ୍କ ସଂଖ୍ୟାରେ ୪୨ ପ୍ରତିଶତ ବୃଦ୍ଧି ଆଶ୍ବସ୍ତି ଆଣିଛି। ଏଣେ ଆଫ୍ରିକୀୟ ହାତୀଠାରୁ ଆକାରରେ ଅପେକ୍ଷାକୃତ ସାନ ଏସୀୟ ହାତୀଗୁଡ଼ିକ ମଧ୍ୟ ଅନୁରୂପ କାରଣଗୁଡ଼ିକ ପାଇଁ ସଂକଟର ସମ୍ମୁଖୀନ ହେବାରେ ଲାଗିଛନ୍ତି। ମୋଟାମୋଟି ଭାବେ ସ୍ଥଳଭାଗରେ ଏହି ବୃହଦକାୟ ଜୀବଗୁଡ଼ିକର ସଂଖ୍ୟା ହ୍ରାସ ପର୍ଯ୍ୟାବରଣ ଉପରେ ଉଲ୍ଲେଖନୀୟ କୁପ୍ରଭାବ ପକାଇବ ବୋଲି ପରିବେଶବିତ୍‌ମାନେ ସତର୍କ କରାଇ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe