ଏକଦା ତିମିଙ୍କ ସଂଗୀତ ଓ ଡଲ୍ଫିନ୍ଙ୍କ ସୁଷୁରି ଶବ୍ଦରେ ପୂରି ଉଠୁଥିଲା ବିସ୍ତୃତ ସାଗର। ସମ୍ପ୍ରତି ମନୁଷ୍ୟନିର୍ମିତ ମେସିନ୍ରୁ ଅବିରାମ କର୍କଶ ଧ୍ବନି ନିର୍ଗତ ହୋଇ ସେମାନଙ୍କ ସ୍ବର ଲହରୀକୁ ଅଥଳ ଜଳରେ ହଜାଇ ଦେଉଛି। ସାମୁଦ୍ରିକ ପରିସଂସ୍ଥାନ ପ୍ରତି ଭୟାବହ ବିପଦ ହୋଇ ବୃଦ୍ଧି ପାଉଛି ସାଗର ଶବ୍ଦ ପ୍ରଦୂଷଣ।ବିଶେଷଜ୍ଞମାନେ କହନ୍ତି- ସାଗର ଶବ୍ଦ ପ୍ରଦୂଷଣର ମୁଖ୍ୟ କାରଣ ବାଣିଜ୍ୟିକ ଜାହାଜ। ଏବେ ବିଭିନ୍ନ ସାଗରରେ ୨୫୦,୦୦୦ରୁ ଅଧିକ ସଂଖ୍ୟକ ଜାହାଜ ଆତଯାତ କରୁଛନ୍ତି। ସେମାନଙ୍କ ଇଞ୍ଜିନ୍ ଓ ପଙ୍ଖାରୁ ନିରନ୍ତର କର୍କଶ ଶବ୍ଦ ଅଥଳ ଜଳରାଶି ମଧ୍ୟକୁ ଗତିକରୁଛି। ସାଗର ଭିତରେ ତୈଳ ଓ ପ୍ରାକୃତିକ ବାଷ୍ପ ସନ୍ଧାନ କରୁଥିବା ସାଇଜ୍ମିକ୍ ଏୟାର୍ ଗନ୍ କ୍ଷଣକୁ କ୍ଷଣ ଶକ୍ତିଶାଳୀ ବିସ୍ଫୋରଣ ଘଟାଉଛି। ସେନା ନିମନ୍ତେ ପ୍ରଯୁଜ୍ୟ ନେଭଲ୍ ସୋନାର୍, ବନ୍ଦର ଓ ପବନକଳ ନିମନ୍ତେ ସ୍ତମ୍ଭ ଉଠାଇବା ଲାଗି ସମୁଦ୍ରରେ କରାଯାଉଥିବା ଖୋଦନ ଏବଂ ମାଛଧରା ଜାହାଜରୁ ନିର୍ଗତ ଶବ୍ଦ ମଧ୍ୟ ସାଗର ଧ୍ବନି ପ୍ରଦୂଷିତ କରୁଛି।
ବୈଶ୍ବିକ ବାଣିଜ୍ୟ ବୃଦ୍ଧି ହେତୁ ସମୁଦ୍ରରେ ଆହୁରି ବୃହଦ୍କାୟ ଓ ଦ୍ରୁତଗାମୀ ଜାହାଜ ସବୁ ଚଳାଚଳ କରୁଛନ୍ତି। ତେଣୁକରି, ୧୯୬୦ ଦଶକରୁ କେତେକ ଅଞ୍ଚଳରେ ସାମୁଦ୍ରିକ ଶବ୍ଦ ପ୍ରଦୂଷଣ ପ୍ରତି ଦଶନ୍ଧିରେ ଦ୍ବିଗୁଣିତ ହୋଇଆସୁଛି। ଭାରତ ମହାସାଗରରେ ମଧ୍ୟ ଭେଳାଭେଳା ଜାହାଜ ଗମନାଗମନ ଯୋଗୁଁ ସାଗର ଶବ୍ଦ ପ୍ରଦୂଷଣ ସମସ୍ୟା ଉତ୍କଟ ହୋଇଛି। ସାମୁଦ୍ରିକ କାର୍ଯ୍ୟକଳାପ ବୃଦ୍ଧି ହେତୁ ଭାରତର ପଶ୍ଚିମ ଉପକୂଳରେ ମଧ୍ୟ ଶବ୍ଦ ପ୍ରଦୂଷଣ ଖୁବ୍ ବୃଦ୍ଧି ପାଇଛି। ଅଥଳ ଜଳ ମଧ୍ୟସ୍ଥ ଅନ୍ଧକାର ଦୁନିଆରେ ସାମୁଦ୍ରିକ ଜୀବମାନେ ଧ୍ବନି ଉପରେ ନିର୍ଭରକରି ଚଳନ୍ତି। ଶହ ଶହ କିଲୋମିଟର ଦୂରରେ ଥିବା ଅନ୍ୟ ତିମିମାନଙ୍କ ସହିତ ଭାବ ବିନିମୟ କରିବା ଲାଗି ତିମିମାନେ ନିମ୍ନ ସ୍ବରରେ ଗୀତ ଗାନ କରନ୍ତି। ଡଲ୍ଫିନ୍ମାନେ ଇକୋଲୋକେସନ୍ ବା ନିଜେ ଛାଡୁଥିବା ଧ୍ବନିର ପ୍ରତିଧ୍ବନି ଉପରେ ନିର୍ଭରକରି ଶିକାର ସନ୍ଧାନ କରନ୍ତି। ଏବେ ମେସିନ୍ଜାତ ଧ୍ବନି ଯୋଗୁଁ ସାମୁଦ୍ରିକ ପ୍ରାଣୀମାନଙ୍କର ଧ୍ବନି ନିଷ୍ପ୍ରଭ ହୋଇଯାଉଛି। ତେଣୁକରି ସାଥୀ ପାଇବା, ଖାଦ୍ୟ ସନ୍ଧାନ କରିବା ଏବଂ ବିପଦ ଏଡ଼ାଇବା ସାମୁଦ୍ରିକ ଜୀବଙ୍କ ପକ୍ଷେ କଷ୍ଟକର ହୋଇଯାଉଛି।
ତା’ଛଡ଼ା ଶବ୍ଦ ପ୍ରଦୂଷଣ ଯୋଗୁଁ ସାମୁଦ୍ରିକ ଜୀବମାନଙ୍କ ମସ୍ତିଷ୍କ ବି ଭାରାକ୍ରାନ୍ତ ହେଉଛି। ସେମାନେ ସାମୟିକ ଅଥବା ଚିରଦିନ ଲାଗି ଶ୍ରବଣଶକ୍ତି ହରାଉଛନ୍ତି। ସେମାନଙ୍କ ଦେଶାନ୍ତର ଯାତ୍ରା ଓ ଖାଦ୍ୟପ୍ରାପ୍ତିରେ ବ୍ୟାଘାତ ସୃଷ୍ଟିହେଉଛି। ମେସିନ୍ ଧ୍ବନି ଯୋଗୁଁ ଭୀତତ୍ରସ୍ତ ହୋଇ ଜଳରୁ ବାହାରକୁ ଲମ୍ଫ ମାରିବା ଫଳରେ ସେମାନେ ଅସୁସ୍ଥତା ଭୋଗୁଛନ୍ତି ଅଥବା ବେଳାଭୂମିରେ ଫସି ଯାଉଛନ୍ତି। ପ୍ରମୁଖ ଜାହାଜ ଯାତାୟାତ ମାର୍ଗ ହୋଇଥିବାରୁ ଭାରତ ମହାସାଗରରେ ସାମୁଦ୍ରିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ତେଣୁକରି ଭାରତରେ ଥିବା ୭,୫୦୦ କିଲୋମିଟର୍ ସୁପ୍ରଶସ୍ତ ଉପକୂଳ ଅଚିରେ ସାଗର ଶବ୍ଦ ପ୍ରଦୂଷଣ କବଳିତ ହେବାର ଆଶଙ୍କା ବି ରହିଛି। ସାଗର ଶବ୍ଦ ପ୍ରଦୂଷଣ ଚିନ୍ତାଜନକ ହେଲେ ବି ନିରାକରଣ ଉପାୟ ରହିଛି। ଜାହାଜ ବେଗ ହ୍ରାସ କଲେ ଶବ୍ଦ ପ୍ରଦୂଷଣ ବହୁଳାଂଶରେ ହ୍ରାସ ପାଇବ। ନୂତନ ଶୈଳୀରେ ନିର୍ମିତ ପଙ୍ଖା ଏବଂ ଜାହାଜରେ ଦିଆଯାଉଥିବା ଆସ୍ତରଣ ଯୋଗୁଁ ବି ଶବ୍ଦ ପ୍ରଦୂଷଣ ହ୍ରାସ ପାଇପାରିବ। ତୈଳ ଓ ପ୍ରାକୃତିକ ବାଷ୍ପ ସନ୍ଧାନ ଲାଗି ଏୟାର୍ ଗନ୍ ପରିବର୍ତ୍ତେ କମ୍ପନଭିତ୍ତିକ ପଦ୍ଧତି ଅବଲମ୍ବନ କଲେ କମ୍ ଶବ୍ଦ ହେବ। ସ୍ପର୍ଶକାତର ଅଞ୍ଚଳଗୁଡ଼ିକୁ ଚିହ୍ନଟକରି ନିଃଶବ୍ଦ ସାମୁଦ୍ରିକ ଜୋନ୍ କରାଗଲେ ମଧ୍ୟ ସାଗର ଶବ୍ଦ ପ୍ରଦୂଷଣ କିଛି ମାତ୍ରାରେ ହ୍ରାସ ପାଇବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/24/fhfshxvbvbxbv-2026-02-24-00-14-19.jpg)