ନିଆଳି: ସାରା ବିଶ୍ବରେ ଏବେ ପରିବେଶ ବିଗିଡ଼ି ଯାଇଛି। ଏହାର ଜ୍ବଳନ୍ତ ଉଦାହରଣ ନିଜ ଗାଁର କୂଅ, ପୋଖରୀରୁ ଦେଖିବାକୁ ମିଳୁଛି। କୂଅ ଏବେ ଶୁଖିଲା ପଡ଼ିଛି। ପୂର୍ବରୁ ଯେଉଁ ସ୍ତରରେ ପାଣି ଥିଲା ଏବେ ଆଉ ନାହିଁ। କେବଳ ଏହି ଗାଁ ନୁହେଁ, ପ୍ରତ୍ୟେକ ପଞ୍ଚାୟତର କୂଅ, ପୋଖରୀ ଅବସ୍ଥା ପ୍ରାୟ ସମାନ। ଏଥିପାଇଁ ବ୍ୟାପକ ବୃକ୍ଷରୋପଣ କରାଯିବା ଆବଶ୍ୟକ ବୋଲି ନିଆଳି ବିଧାୟକ ଛବି ମଲ୍ଲିକ କହିଛନ୍ତି।
‘ସମ୍ବାଦ’ ପକ୍ଷରୁ ନିଆଳି ନିର୍ବାଚନମଣ୍ଡଳୀର କପାସି ପଞ୍ଚାୟତ ଅରକଟା ଗ୍ରାମ କୁତାମଚଣ୍ଡୀ ମନ୍ଦିର ପରିସରରେ ଆୟୋଜିତ ‘ପରିବେଶ ପଞ୍ଚାୟତ’ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ‘ସମ୍ବାଦ’ କଟକ ଜିଲ୍ଲା ପ୍ରତିନିଧି ଦୀପ୍ତିରଂଜନ ସାମଲଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଶ୍ରୀ ମଲ୍ଲିକ କହିଛନ୍ତି, ଗଛ ସଂଖ୍ୟା କମିବାରୁ ଭୂତଳ ଜଳସ୍ତର କମିଯାଉଛି। ତେଣୁ ଜଳସ୍ତର ବଢ଼ାଇବା ପାଇଁ ସବୁଆଡ଼େ ପ୍ରୟାସ କରାଯାଉଛି। ଏବେ ଚାରିଆଡ଼େ ପେଭର୍ ବ୍ଲକ୍ ପକାଯିବା ମଧ୍ୟ ଏହାର ଏକ ବଡ଼ କାରଣ। ତଥାପି ଗଛଟିଏ ଲଗାଇବାକୁ ପ୍ରତ୍ୟେକ ସ୍ତରରେ ଉଦ୍ୟମ ଲୋଡ଼ା। କେବଳ ଗଛ ଲଗାଇଲେ ହେବନି, ତାହାର ସୁରକ୍ଷା ମଧ୍ୟ କରାଯିବା ଉଚିତ। କାରଣ ଗଛର ବି ଜୀବନ ଅଛି। ଗଛ ନଥିଲେ ସୃଷ୍ଟି ଅସମ୍ଭବ। ଯଦି ପ୍ରକୃତିର ବରଦାନକୁ ନଷ୍ଟ କରିଦେବା ତା’ହେଲେ ଦୁନିଆ ନଷ୍ଟ ହୋଇଯିବ। ଏଥିପାଇଁ ସମସ୍ତେ ସଚେତନ ହୋଇ ପ୍ରଥମେ ନିଜ ବାଡ଼ିରେ ଗଛ ଲଗାଇବାକୁ ଆଗେଇ ଆସନ୍ତୁ। ପ୍ରତ୍ୟେକ ପଞ୍ଚାୟତରେ ଏପରି ପ୍ରୟାସ ଆରମ୍ଭ ହେଉ ଓ ସମସ୍ତେ ଏହାର ଯତ୍ନ ନିଅନ୍ତୁ ବୋଲି ବିଧାୟକ କହିଛନ୍ତି।
ଅନ୍ୟପକ୍ଷରେ ଋତୁଚକ୍ରରେ ପରିବର୍ତ୍ତନ ଯୋଗୁଁ ସାରା ବିଶ୍ବ ପ୍ରଭାବିତ ହେଉଥିବା ଏହି ଆଲୋଚନାଚକ୍ରରେ ମତପ୍ରକାଶ ପାଇଛି। ତାଳଗଛ ଯୋଗୁଁ ଘଡ଼ଘଡ଼ିରେ ମୃତ୍ୟୁ ସଂଖ୍ୟା କମ୍ ରହୁଥିଲା। ଏହି ଗଛ ଯୋଗୁଁ ବାଇଚଢ଼େଇଙ୍କ ସଂଖ୍ୟା ଅଧିକ ରହୁଥିଲା। ହେଲେ ବାଇଚଢ଼େଇ ଏବେ କେବଳ ଇତିହାସ ବହିରେ ରହିଯାଇଛି। ପରିବେଶ ଅସନ୍ତୁଳିତ ରହୁଥିବାରୁ ଉତ୍ତାପ ବୃଦ୍ଧି ହେଉଛି। ପାଶ୍ଚାତ୍ୟ ସଂସ୍କୃତି ପ୍ରତି ଆକୃଷ୍ଟ ହେଉଥିବାରୁ କଂକ୍ରିଟ୍ ଜଙ୍ଗଲ ସୃଷ୍ଟି ହେଉଛି। ଫଳରେ ଆମେ ବିକାଶ କରିବାକୁ ଯାଇ ବିନାଶ ଆଡ଼କୁ ମୁହାଁଉଥିବା ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି। ଏହି ଅବସରରେ କୁତାମଚଣ୍ଡୀ ମନ୍ଦିର ପରିସରରେ ବିଧାୟକ ବୃକ୍ଷରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ‘ସମ୍ବାଦ’ କଣ୍ଟାପଡ଼ା ବ୍ଲକ୍ ପ୍ରତିନିଧି ଦୁଃଶାସନ ସାହୁ ସଭା ପରିଚାଳନା କରିଥିଲା ବେଳେ ‘ସମ୍ବାଦ’ ନିଆଳି ପ୍ରତିନିଧି ମନୋରଂଜନ ଶତପଥୀ ଧନ୍ୟବାଦ ଦେଇଥିଲେ। କନକ ନ୍ୟୁଜ୍ର ସ୍ଥାନୀୟ ପ୍ରତିନିଧି ପ୍ରତାପ ମଲ୍ଲିକ ପରିଚାଳନାରେ ସହଯୋଗ କରିଥିଲେ।
Follow Us