ଚଳିତବର୍ଷ ଘୂର୍ଣ୍ଣିବାତ୍ୟା, ଝଡ଼, ବନ୍ୟା ଓ ଅନ୍ୟାନ୍ୟ ଜଳବାୟୁ ପରିବର୍ତ୍ତନ ଜନିତ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ପ୍ରାୟ ସାଢ଼େ ଚଉଦ ହଜାର କୋଟି ଡଲାର ମୂଲ୍ୟର ବୀମାକୃତ କ୍ଷତି ହୋଇପାରେ ବୋଲି ଅନ୍ତର୍ଜାତୀୟ ବୀମା କମ୍ପାନି ‘ସ୍ବିସ୍ ରେ’ ଦ୍ବାରା ଆକଳନ କରାଯାଇଛି। ଗତ ମଙ୍ଗଳବାର ପ୍ରକାଶିତ ଏ ସଂକ୍ରାନ୍ତ ରିପୋର୍ଟରେ ଏହି କ୍ଷତି ୨୦୨୪ ତୁଳନାରେ ପ୍ରାୟ ୬ ପ୍ରତିଶତ ଅଧିକ ହେବ ଏବଂ ୨୦୨୫ ସବୁଠାରୁ ମହଙ୍ଗା ବର୍ଷ ସାବ୍ୟସ୍ତ ହେବ ବୋଲି କୁହାଯାଉଛି। ଉଲ୍ଲେଖଯୋଗ୍ୟ, ଗତବର୍ଷ ପ୍ରାକୃତିକ ବିପର୍ଯ୍ୟୟରୁ ବୀମାକୃତ ହୋଇଥିବା କ୍ଷତିର ପରିମାଣ ୧୩,୭୦୦ କୋଟି ଡଲାର ହୋଇଥିଲା ବୋଲି ଆକଳନ କରାଯାଇଛି, ଯାହା ଦୀର୍ଘକାଳୀନ ହାରାହାରି କ୍ଷତିଠାରୁ ମଧ୍ୟ ଯଥେଷ୍ଟ ଅଧିକ।
‘ସ୍ବିସ୍ ରେ’ର ଏହି ରିପୋର୍ଟରେ ଚଳିତବର୍ଷ ଆରମ୍ଭରେ ଲସ୍ଏଞ୍ଜେଲସ୍ରେ ସଂଘଟିତ ବନାଗ୍ନିକୁ ଆକଳନ କରାଯାଇଥିବା କ୍ଷତିରେ ଏକ ପ୍ରମୁଖ ଅବଦାନକାରୀ ଭାବେ ଦର୍ଶାଯାଇଛି। କାରଣ ଏହି ବନାଗ୍ନି ଦ୍ବାରା ଆନୁମାନିକ ୪,୦୦୦ କୋଟି ଡଲାର ମୂଲ୍ୟର ବୀମାକୃତ କ୍ଷତି ହୋଇଥିବା ଆକଳନ କରାଯାଇଛି। ଏଠାରେ ପ୍ରଣିଧାନଯୋଗ୍ୟ, ଅର୍ଥନୈତିକ ଓ ଜନସଂଖ୍ୟା ବୃଦ୍ଧି ସହିତ ସହରାଞ୍ଚଳ ବିସ୍ତାର ସହ ଜଡ଼ିତ ଅନ୍ତର୍ନିହିତ ବିପଦ ମଧ୍ୟ ନିରନ୍ତର ବୃଦ୍ଧି ପାଉଛି। ଏଥିରେ ପ୍ରାକୃତିକ ବିପର୍ଯ୍ୟୟର ଆଶଙ୍କା ଥିବା ଅଞ୍ଚଳଗୁଡ଼ିକ ମଧ୍ୟ ଅନ୍ତର୍ଭୁକ୍ତ। ଏଥି ସହିତ ଜଳବାୟୁ ପରିବର୍ତ୍ତନର ପ୍ରଭାବ ମଧ୍ୟ କିଛି ପାଣିପାଗ ବିପଦ ଓ ଆଞ୍ଚଳିକ କ୍ଷତି ବୃଦ୍ଧି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି ବୋଲି ଉକ୍ତ ରିପୋର୍ଟରେ କୁହାଯାଇଛି।
Follow Us