ପରିବେଶ ଉଜାଡ଼ୁଥିବା ବିକାଶକୁ ପ୍ରତ୍ୟାଖ୍ୟାନ କରିବା: ରାଜେନ

ଭାରତରେ ନଦୀକୁ ମା’ କୁହାଯାଏ। ହେଲେ କାରଖାନା ଓ ଅନ୍ୟ ବର୍ଜ୍ୟରେ ନଦୀ ଏତେ ପ୍ରଦୂଷିତ ହେଲାଣି ଯେ ପାଣି ଛୁଇଁବାକୁ ଡର ଲାଗୁଛି। ଅନ୍ୟଦେଶରେ ନଦୀ ସବୁ ଏତେ ସଫାସୁତୁରା ଯେ ନିଜେ ନ ଦେଖିଲେ ବିଶ୍ବାସ କରି ହେବନି।

dggjgjgjgjgj

ସୁନ୍ଦରଗଡ଼/ରାଜଗାଙ୍ଗପୁର: ଭାରତରେ ନଦୀକୁ ମା’ କୁହାଯାଏ। ହେଲେ କାରଖାନା ଓ ଅନ୍ୟ ବର୍ଜ୍ୟରେ ନଦୀ ଏତେ ପ୍ରଦୂଷିତ ହେଲାଣି ଯେ ପାଣି ଛୁଇଁବାକୁ ଡର ଲାଗୁଛି। ଅନ୍ୟଦେଶରେ ନଦୀ ସବୁ ଏତେ ସଫାସୁତୁରା ଯେ ନିଜେ ନ ଦେଖିଲେ ବିଶ୍ବାସ କରି ହେବନି। ଏକଦା ରାଜଗାଙ୍ଗପୁରର ଜୀବନରେଖା ସାଜିଥିବା ଲିପଲୋଇ ନଦୀ ଏବେ ଆବଜର୍ନାରେ ଭରିଗଲାଣି। ପୂରା ଜିଲ୍ଲାରେ ଜଳସଂକଟ ଉଦ୍‌ବେଗଜନକସ୍ଥିତିକୁ ଚାଲିଗଲାଣି। ଭୂତଳ ଜଳସ୍ତର କମୁଛି। ବର୍ଷା ବି ଠିକ୍‌ ସମୟରେ ହେଉନାହିଁ। ଏବେ ଆଉ ନଈବଢ଼ି ହେଉନି। ଆଗେ ସାରାରାତି ବେଙ୍ଗ ବୋବାଉଥିଲେ, ଏବେ ବେଙ୍ଗ ଦେଖିବାକୁ ମିଳୁନାହିଁ। ସାଧବବୋହୂ ବି ଆଉ ନାହିଁ। ଛଅ ଋତୁରୁ ତିନି ଋତୁ ଗାଏବ ହୋଇଗଲେଣି। ବର୍ଷସାରା ତାତି ଅନୁଭୂତ ରହୁଛି। ରାଉରକେଲାରେ ତାପାମାତ୍ରା ୩ ଡିଗ୍ରି ବଢ଼ିଗଲାଣି। ବିକାଶ ପାଇଁ ବ୍ୟାପକ ଗଛକଟା, ଜଙ୍ଗଲନଷ୍ଟ ଏହାର ମୁଖ୍ୟ କାରଣ ବୋଲି ‘ସମ୍ବା‌ଦ’ ଗ୍ରୁପ୍‌ ପକ୍ଷରୁ ରାଜଗାଙ୍ଗପୁର ନିର୍ବାଚନମଣ୍ଡଳୀରେ ଆୟୋଜିତ ପରିବେଶ ପଞ୍ଚାୟତରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଧାୟକ ଡା. ସିଏସ୍‌ ରାଜେନ ଏକ୍କା ଏହା କହିଛନ୍ତି।

ବିଧାୟକ କହିଥିଲେ ଅମ୍ଳଜାନ ନ ମିଳିଲେ କ’ଣ ହେବ, ଆମେ ମହାମାରୀ କରୋନା ସମୟରେ ଦେଖିସାରିଛେ। ହକି ବିଶ୍ବକପ୍ ସମୟରେ କାରଖାନାଗୁଡ଼ିକୁ ବନ୍ଦ ରଖାଯାଇଥିଲା। ପ୍ରଦୂଷଣର ପ୍ରଭାବ ବିଦେଶୀ ଖେଳାଳି, କୋଚ୍‌, ଅନ୍ତର୍ଜାତୀୟ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ‌ଯେମିତି ନପଡ଼େ, ସେଥିପାଇଁ ଏ ପଦ‌କ୍ଷେପ ନେଇଥିଲେ ସରକାର। କିନ୍ତୁ ବିଶ୍ବକପ୍‌ ଶେଷ ହେବା ପରେ ସେହି କାରଖାନାଗୁଡ଼ିକୁ ଚଳାଇବା ପାଇଁ ପୁଣି ଅନୁମତି ମିଳିଛି। ଏଥିରୁ ଜଣାପଡ଼ୁଛି, ସ୍ଥାନୀୟ ଲୋକଙ୍କ ପ୍ରତି ସରକାର କେତେ ସମ୍ବେଦନଶୀଳ। ପ୍ରଦୂଷଣର ବିଷବଳୟରେ ଅଣନିଶ୍ବାସୀ ହୋଇପଡ଼ୁଛି ରାଜଗାଙ୍ଗପୁର। ଆମେ ବିକାଶ ବିରୋଧୀ ନୋହୁଁ, କିନ୍ତୁ ବିକାଶ ପାଇଁ ବିନାଶକୁ କଦାପି ଗ୍ରହଣ କରାଯିବ ନାହିଁ। ବିକାଶ, ପରିବେଶ ସୁରକ୍ଷା ଓ ଆଦିବାସୀଙ୍କ ନ୍ୟାୟ ପାଇଁ ଲଢ଼େଇ ହେବ। ବୁଧବାର ସନ୍ଧ୍ୟାରେ ରାଜଗାଙ୍ଗପୁର ପୌରାଞ୍ଚଳ ବାଣ୍ଠୁପଡ଼ାସ୍ଥ ସୁମିତ୍ରା ମ୍ୟାରେଜ୍‌ ହଲ୍‌ରେ ଆୟୋଜିତ ପରିବେଶ ପଞ୍ଚାୟତରେ ବିଧାୟକ ଡା. ସିଏସ୍‌ ରାଜେନ ଏକ୍କା ଏଭଳି ମତ ରଖିଛନ୍ତି। ଏହି ଅବସରରେ ଘର ଓ ସହର ସଫେଇରୁ ପୁନଶ୍ଚ ପୃଥିବୀ ଅଭିଯାନର ଶୁଭାରମ୍ଭ ହେଉ ବୋଲି ସେ ରାଜଗାଙ୍ଗପୁରବାସୀଙ୍କୁ ନିବେଦନ କରିଛନ୍ତି। 

ସଭାରେ ସାହିତ୍ୟିକା ଡ. ସରୋଜିନୀ ସାହୁ, ରାଜଗାଙ୍ଗପୁର ବନାଞ୍ଚଳ ଅଧିକାରୀ ଗୁରୁଚରଣ ମଣ୍ଡଳ, ‘ସମ୍ବାଦ ସାହିତ୍ୟଘର’ ଉପସଭାପତି ଅନନ୍ତ କୁମା‌ର ସେନାପତି,  ଉପଖଣ୍ଡ ପୁଲିସ ଅଧିକାରୀ ଅଭି‌ଷେକ ପାଣିଗ୍ରାହୀ, ସାମାଜିକ କର୍ମୀ ସୁଧାଂଶୁ ରଂଜନ ସାହୁ ପ୍ରମୁଖ ରାଜଗାଙ୍ଗପୁର ସମେତ ଜିଲ୍ଲାର ଜଳବାୟୁ ଓ ପରିବେଶର ଦୁଃସ୍ଥିତିକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ଏହାର ନିରାକରଣ ପାଇଁ ସମ୍ମିଳିତ ଉଦ୍ୟମ ଉପରେ ସେମାନେ ଗୁରୁତ୍ବା‌ରୋପ କରିଥିଲେ। ସଭାକୁ ରାଜଗାଙ୍ଗପୁର ‘ସମ୍ବାଦ ସାହିତ୍ୟଘର’ ସହସମ୍ପାଦିକା ସୁଜାତା ଦାଶ ସଞ୍ଚାଳନ କରିଥିବାବେଳେ ସଭ୍ୟା ଶ୍ରୀୟା ମହାନ୍ତି ଧନ୍ୟବାଦ ଦେଇଥିଲେ।  ଅନ୍ୟମାନଙ୍କ ମଧ୍ୟରେ ଦେବରଂଜନ ବିନୋଦ, ପବନ ଗାଡ଼ୋଡିଆ, ସୁରେଶ ବାରିକ, ସନ୍ତୋଷ ସ୍ବାଇଁ, ପ୍ରଫୁଲ୍ଲ ଉପାଧ୍ୟାୟ, ବସନ୍ତ ବିପ୍ର, ଅରୁଣ ସାମଲଙ୍କ ସମେତ ରାଜଗାଙ୍ଗପୁରର ବହୁ ସଚେତନ ନାଗରିକ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe