୨୦୨୪ ଓ ୨୦୨୫ରେ ଭାରତ ଜଳବାୟୁ ପରିବର୍ତ୍ତନର ନିକୃଷ୍ଟତମ ପ୍ରଭାବର ସମ୍ମୁଖୀନ ହୋଇଛି। ତେଣୁ ଏବେ ନିର୍ଗମନ ହ୍ରାସ କରିବା ସହ ମୁକାବିଲା ପାଇଁ ପ୍ରସ୍ତୁତି, ସ୍ଥିରତା ଓ ଅନୁକୂଳନ ଉପରେ ଧ୍ୟାନ ଦେବା ଜରୁରି ହୋଇପଡ଼ିଛି।
ନଭେମ୍ବର ୧୦ରୁ ବ୍ରାଜିଲର ବେଲେମରେ ଆରମ୍ଭ ହୋଇଥିବା ବିଶ୍ବ ଜଳବାୟୁ ଶିଖର ସମ୍ମିଳନୀ ଆସନ୍ତା ୨୧ ତାରିଖ ଯାଏ ଚାଲିବ। ଭାରତ ଏହା ଉପରେ ବିଶେଷ ଧ୍ୟାନ ଦେଉଛି କାରଣ ଭାରତ ପାଇଁ ଏହି ଆଲୋଚନା କେବଳ ନିର୍ଗମନ ହ୍ରାସର ପ୍ରସଙ୍ଗ ନୁହେଁ, ବରଂ ଜଳବାୟୁ ଅନୁକୂଳନ, ସ୍ଥିରତା ସମେତ ଦ୍ରୁତବର୍ଦ୍ଧିଷ୍ଣୁ ଜଳବାୟୁ-ସମ୍ବେଦନଶୀଳ ଦେଶ ଏହାର ଭବିଷ୍ୟତକୁ କିପରି ସୁରକ୍ଷିତ ରଖିପାରିବ ସେ ବିଷୟ ମଧ୍ୟ ଖୁବ୍ ମହତ୍ତ୍ବପୂର୍ଣ୍ଣ। କହିବା ବାହୁଲ୍ୟ, ୨୦୨୪ ଓ ୨୦୨୫ରେ ଭାରତ ଓ ଦକ୍ଷିଣ ଏସିଆ ସମଗ୍ର ଭାବରେ ଜଳବାୟୁ ପରିବର୍ତ୍ତନର ନିକୃଷ୍ଟତମ ପ୍ରଭାବର ସମ୍ମୁଖୀନ ହୋଇଛି। ୨୦୨୪ ମେ’ରେ ଭାରତ ଏକ ଭୟଙ୍କର ଗ୍ରୀଷ୍ମ ଲହରିର ସମ୍ମୁଖୀନ ହୋଇଥିଲା ଯେଉଁଥିରେ ବିହାର, ଓଡ଼ିଶା, ଝାଡ଼ଖଣ୍ଡ, ରାଜସ୍ଥାନ ଓ ଉତ୍ତରପ୍ରଦେଶ ସମେତ ଅନେକ ରାଜ୍ୟରେ ତାପମାତ୍ରା ୪୫ ଡିଗ୍ରି ସେଲସିଅସ୍ ଟପିଯାଇ ଅତି କମ୍ରେ ୫୪ ଜଣଙ୍କର ମୃତ୍ୟୁ ହୋଇଥିଲା। ରିପୋର୍ଟ ଅନୁଯାୟୀ, ୨୦୨୪ରେ ଦେଶରେ ହାରାହାରି ୧୯.୮ ଗ୍ରୀଷ୍ମଲହରି ଦିବସ ଦେଖାଦେଇଥିଲା, ଯହିଁରୁ ୬.୬ ଦିବସ ମାନବକୃତ ଜଳବାୟୁ ପରିବର୍ତ୍ତନ ଯୋଗୁଁ ହୋଇଥିଲା। ତୀବ୍ର ଉତ୍ତାପ ଯୋଗୁଁ ସ୍ୱାସ୍ଥ୍ୟ ବ୍ୟବସ୍ଥା, ବିଦ୍ୟୁତ୍ ଗ୍ରିଡ୍, ଶ୍ରମ ଉତ୍ପାଦକତା ଓ ଜଳ ଯୋଗାଣ ଉପରେ ଚାପ ବୃଦ୍ଧି ପାଇଛି।
ସେହିପରି ପାରମ୍ପରିକ ଭାବେ ଶୁଷ୍କ ରହୁଥିବା ମରୁଡ଼ିପ୍ରବଣ ଅଞ୍ଚଳଗୁଡ଼ିକରେ ପ୍ରବଳ ବର୍ଷା ହେଉଥିବା ବେଳେ ପୂର୍ବରୁ ମୌସୁମୀ ବର୍ଷା ହେଉଥିବା ଅଞ୍ଚଳଗୁଡ଼ିକରେ ବର୍ଷାଭାବ ଦେଖାଦେଉଛି। ୨୦୨୪ରେ ଦେଶର ମୋଟ ୯୨୯ ଜିଲ୍ଲା ମଧ୍ୟରୁ ୧୭୮ ଜିଲ୍ଲାରେ ବର୍ଷାଭାବ ଦେଖା ଦେଇଥିଲା ଏବଂ ୧୧ଟି ଜିଲ୍ଲାରେ ତାହା ଉତ୍କଟ ଥିଲା। ଏହି ପରିବର୍ତ୍ତିତ ଧାରା ଯୋଗୁଁ କୃଷି, ଭୂତଳ ଜଳ ଓ ଗ୍ରାମୀଣ ଜୀବିକା ଉପରେ ଚାପ ବଢ଼ିବାରେ ଲାଗିଛି। ୨୦୨୫ ମୌସୁମୀ ଋତୁରେ ହିମାଳୟ ସଂଲଗ୍ନ ରାଜ୍ୟଗୁଡ଼ିକରେ ୪୫ଟି ବାଦଲଫଟା ବର୍ଷା, ୯୧ଟି ବନ୍ୟା ଓ ୧୦୫ଟି ବଡ଼ ଭୂସ୍ଖଳନ ଘଟିଛି ଏବଂ ୬୬୦ରୁ ଅଧିକ ରାସ୍ତା ଅବରୋଧ ହୋଇଛି। ଏହି ଘଟଣାଗୁଡ଼ିକ ଭିତ୍ତିଭୂମି, ପରିବହନ ଓ ବିପର୍ଯ୍ୟୟ-ପ୍ରତିକ୍ରିୟା ବ୍ୟବସ୍ଥାରେ ଚାପକୁ ବଢ଼ାଇଦେଇଛି।
ଭାରତରେ ଏଭଳି ବିପର୍ଯ୍ୟୟ ‘କପ୍ ୩୦’ ଜଳବାୟୁ ସମ୍ମିଳନୀ ପାଇଁ ଏକ ସ୍ପଷ୍ଟ ବାର୍ତ୍ତା ପ୍ରଦାନ କରୁଛି-କେବଳ ନିର୍ଗମନ ହ୍ରାସ କରିବା ଯଥେଷ୍ଟ ନୁହେଁ, ବରଂ ତାହାର ମୁକାବିଲା ପାଇଁ ପ୍ରସ୍ତୁତି, ସ୍ଥିରତା ଓ ଅନୁକୂଳନ ଉପରେ ଗୁରୁତ୍ବାରୋପ କରାଯିବା ଜରୁରି। ଭାରତ ଜୋର ଦେଇଛି ଯେ ଏହି ଶିଖର ସମ୍ମିଳନୀ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଦୁର୍ବଳ ଦେଶଗୁଡ଼ିକର ବାସ୍ତବତାକୁ ଉପସ୍ଥାପନ କରିବା ସହିତ ଆହ୍ବାନ ସହ ତାଳ ଦେଇ ଧନିକ ଦେଶମାେନ ଆର୍ଥିକ ଓ ପ୍ରଯୁକ୍ତିବିଦ୍ୟା ସମର୍ଥନର ବ୍ୟବସ୍ଥା କରିବା ଦରକାର।
Follow Us