ବାରିପଦା: ୨,୭୫୦ ବର୍ଗ କିମି ଅଞ୍ଚଳରେ ବ୍ୟାପ୍ତ ଶିମିଳିପାଳ ହେଉଛି ମୂଲ୍ୟବାନ ବୃକ୍ଷଲତା ଓ ନାନା ପ୍ରଜାତିର ପଶୁପକ୍ଷୀଙ୍କର ପରିବେଷ୍ଟନୀ। ତେବେ ଗତ ୧୦୦ ବର୍ଷ ମଧ୍ୟରେ ଶିମିଳିପାଳରେ ଯେପରି ଜଙ୍ଗଲ କ୍ଷୟ ହୋଇଛି, ତାହା ବେଶ୍ ଚିନ୍ତାଜନକ। ବିକାଶ ନାମରେ ଆମେ ଯେତିକି ବୃକ୍ଷ କାଟୁଛେ, ସେହି ଅନୁପାତରେ ବୃକ୍ଷରୋପଣ କରିବା ପାଇଁ ସଂକଳ୍ପ ଲୋଡ଼ା ବୋଲି ଆଜି ଶିମିଳିପାଳର ସୀତାକୁଣ୍ଡ ନେଚର୍ସ କ୍ୟାମ୍ପରେ ଆୟୋଜିତ ‘ପୁନଶ୍ଚ ପୃଥିବୀ: ଶିମିଳିପାଳ ସଂସ୍କରଣ-୨୦୨୫’ରେ ଅତିଥି ଭାବେ ଯୋଗଦେଇ କହିଛନ୍ତି ଶିମିଳିପାଳ ଆର୍ସିସିଏଫ୍ ପ୍ରକାଶ ଚନ୍ଦ୍ର ଗୋଗିନେନୀ। ଶ୍ରୀ ଗୋଗିନେନୀ କହିଛନ୍ତି, ଶିମିଳିପାଳ ଯାହା ଥିଲା ଏବେ ଆଉ ସେପରି ନାହିଁ। ଆମେ ଏଆଇ କ୍ୟାମେରା ବ୍ୟବହାର କରି ଶିମିଳିପାଳକୁ ଶିକାରୀମୁକ୍ତ କରିଛୁ। ‘ଆମ ଶିମିଳିପାଳ ଯୋଜନା’ ମାଧ୍ୟମରେ ସରକାର ଏହାର ବିକାଶ ନେଇ ବିଶେଷ ଗୁରୁତ୍ବ ଦେଇଛନ୍ତି। ତେବେ ଶିମିଳିପାଳର ସର୍ବାଙ୍ଗୀନ ବିକାଶ ଓ ସୁରକ୍ଷା ପାଇଁ ସ୍ଥାନୀୟ ଲୋକ ଓ ଜନପ୍ରତିନିଧିମାନେ ସହଯୋଗର ହାତ ବଢ଼ାଇବା ଆବଶ୍ୟକ। ପରିବେଶ ଓ ବନ୍ୟଜନ୍ତୁ ସୁରକ୍ଷା ନେଇ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ ପକ୍ଷରୁ ଯେଉଁ ଉଦ୍ୟମ ହୋଇଛି, ତାହା ବାସ୍ତବରେ ପ୍ରଶଂସନୀୟ।
ଶିମିଳିପାଳ ହେଉଛି ମୟୂରଭଞ୍ଜର ଫୁସ୍ଫୁସ୍: ଜିଲ୍ଲାପାଳ
ଏହି ଅଭିଯାନକୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବୁ: ତନୟା
/filters:format(webp)/sambad/media/media_files/2025/12/06/fshfhhfh-2025-12-06-03-01-58.jpg)
ସମ୍ମାନିତ ଅତିଥି ଭାବେ ଯୋଗଦେଇ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ କହିଛନ୍ତି, ଶିମିଳିପାଳ ହେଉଛି ମୟୂରଭଞ୍ଜର ଫୁସ୍ଫୁସ୍। ‘ଆମ ଶିମିଳିପାଳ ଯୋଜନା’ ଅଧୀନରେ ଶିମିଳିପାଳ ପାଦଦେଶରେ ରହୁଥିବା ଅଧିବାସୀଙ୍କର ଉନ୍ନତି ପାଇଁ ଉଦ୍ୟମ କରିଛୁ। ଜଳଉତ୍ସ ସହ ନୂତନ ଜଙ୍ଗଲ ସୃଷ୍ଟି ଓ ସୁରକ୍ଷା ହାତକୁ ନେଇଛୁ। ଜିଲ୍ଲାର ପରିବେଶ କିପରି ସୁରକ୍ଷିତ ହେବ, ସେନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇ କାମ ଚାଲିଛି। ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ର ସମ୍ପାଦକ ତନୟା ପଟ୍ଟନାୟକ କହିଥିଲେ, ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ କେବଳ ଖବର ପ୍ରସାରଣ କରୁଥିବା ସଂସ୍ଥା ନୁହେଁ, ପରିବେଶ ସୁରକ୍ଷା ଦିଗରେ ଜନସଚେତନତା ସୃଷ୍ଟି କରୁଥିବା ଏକ ସାମାଜିକ ଅନୁଷ୍ଠାନ। ସାରା ରାଜ୍ୟରେ ଏବେ ‘ପୁନଶ୍ଚ ପୃଥିବୀ’ କାର୍ଯ୍ୟକ୍ରମ ଚାଲିଛି। ଆଗାମୀ ଦିନରେ ଏହାକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବାକୁ ଉଦ୍ୟମ କରିବୁ। ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ର ବାର୍ତ୍ତା ସଂପାଦକ ଭବାନୀ ଶଙ୍କର ତ୍ରିପାଠୀ କହିଥିଲେ, ‘ପୁନଶ୍ଚ ପୃଥିବୀ’ ହେଉଛି ପରିବେଶକୁ ସୁରକ୍ଷା ଦେବା ସହ ସମସ୍ତଙ୍କୁ ପରିବେଶମନସ୍କ କରିବାର ଏକ ଅନନ୍ୟ ପ୍ରୟାସ। ଶିମିଳିପାଳର ସୁରକ୍ଷା କେବଳ ଗଛଲତା ଓ ଜୀବଜନ୍ତୁଙ୍କ ସୁରକ୍ଷାରେ ସୀମିତ ରହିବନି।
ବାଘଙ୍କ ସୁରକ୍ଷା ସହ ସେମାନଙ୍କ ବଂଶବୃଦ୍ଧି ପାଇଁ ‘ସମ୍ବାଦ’ ଓ କନକ ନ୍ୟୁଜ୍’ ସ୍ବତନ୍ତ୍ର ପ୍ରୟାସ କରିବ। ଏହି ଅବସରରେ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗୋପୀନାଥ ସିଂ, ପ୍ରଦ୍ୟୁମ୍ନ ଦାସ, ସନ୍ତୋଷ ସାହୁ, ବିମ୍ବାଧର ସାହୁ, ସଂଯୁକ୍ତା ବସା, ସଞ୍ଜୟ କୁମାର ବାରିକ ଓ ପ୍ରଦୀପ୍ତ କବିଙ୍କୁ ‘ପରିବେଶ ସମ୍ମାନ’ ପ୍ରଦାନ କରାଯାଇଥିଲା। ବିଭିନ୍ନ ଆଲୋଚନାଚକ୍ରରେ ମୟୂରଭଞ୍ଜ ଏସ୍ପି ବରୁଣ ଗୁଣ୍ଟୁପାଲୀ, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉପନିର୍ଦ୍ଦେଶକ ଡ. ସମ୍ରାଟ ଗୌଡ଼, ବାରିପଦା ଡିଏଫ୍ଓ ଗୋବିନ୍ଦଚନ୍ଦ୍ର ବିଶ୍ବାଳ, ଅବସରପ୍ରାପ୍ତ ଆଇଏଫ୍ଏସ୍ ବିଜୟକେତନ ପଟ୍ଟନାୟକ, ବନ୍ୟଜୀବନ ଫଟୋଗ୍ରାଫର ଆଦିତ୍ୟ ପଣ୍ଡା, ପୂର୍ବତନ ଏସିଏଫ୍ ଭାନୁମିତ୍ର ଆଚାର୍ଯ୍ୟ, ପରିବେଶବିତ ଜିତଶତ୍ରୁ ମହାନ୍ତି, ଦେବ ହୋତା ଓ କୃଷ୍ଣା ଦାସ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/28/punachapruthibi-2025-08-28-02-58-26.jpg)