ଭୁବନେଶ୍ୱରୀ କ୍ଲବ୍‌ର ନିଆରା ପ୍ରୟାସ ୬ ବର୍ଷରେ ସୃଷ୍ଟି କରିଛନ୍ତି ୬ କ୍ଷୁଦ୍ର ଜଙ୍ଗଲ

କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ୍‌ ଅଞ୍ଚଳରେ ସବୁଜ ଶ୍ୟାମଳ ଜଙ୍ଗଲ ସୃଷ୍ଟି କରିବାର ନିଆରା ପ୍ରୟାସ ଆରମ୍ଭ କରିଛନ୍ତି ଯୁବଗୋଷ୍ଠୀ। ବ୍ରାହ୍ମଣସାଇଲୋ ଗ୍ରାମରେ ଥିବା ଭୁବନେଶ୍ୱରୀ କ୍ଲବ୍‌ର ସଦସ୍ୟମାନେ ଗଲା ୬ ବର୍ଷ ମଧ୍ୟରେ ୬ଟି କ୍ଷୁଦ୍ର ଜଙ୍ଗଲ ସୃଷ୍ଟି କରି ଉଦାହରଣ ସୃଷ୍ଟି କରିଛନ୍ତି।

gjgdj

କଣ୍ଟାପଡ଼ା: କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ୍‌ ଅଞ୍ଚଳରେ ସବୁଜ ଶ୍ୟାମଳ ଜଙ୍ଗଲ ସୃଷ୍ଟି କରିବାର ନିଆରା ପ୍ରୟାସ ଆରମ୍ଭ କରିଛନ୍ତି ଯୁବଗୋଷ୍ଠୀ। ବ୍ରାହ୍ମଣସାଇଲୋ ଗ୍ରାମରେ ଥିବା ଭୁବନେଶ୍ୱରୀ କ୍ଲବ୍‌ର ସଦସ୍ୟମାନେ ଗଲା ୬ ବର୍ଷ ମଧ୍ୟରେ ୬ଟି କ୍ଷୁଦ୍ର ଜଙ୍ଗଲ ସୃଷ୍ଟି କରି ଉଦାହରଣ ସୃଷ୍ଟି କରିଛନ୍ତି। ୨୦୧୭ ଅଗଷ୍ଟ ୧୫ ତାରିଖରୁ ଏହି କାମ ଆରମ୍ଭ ହୋଇଥିବା ବେଳେ ଜୀବନବ୍ୟାପୀ ଗଛ ଲଗାଇ ଏହାର ସୁରକ୍ଷା କରିବାର ପଣ ନେଇଛନ୍ତି ଏହି ସବୁଜ ବାହିନୀ। ପ୍ରଥମ ବର୍ଷ ଗାଁ ରାସ୍ତାର ଉଭୟ ପାର୍ଶ୍ବରେ ଏକ କିଲୋମିଟର ବ୍ୟାପୀ ଗଛ ଲଗାଇ ଏହାକୁ ବଡ଼ କରି ସଫଳ ହେବା ପରେ ଏହି ସବୁଜବାହିନୀ ଆଉ ପଛକୁ ଫେରିନାହାନ୍ତି। ପରବର୍ତ୍ତୀ ବର୍ଷମାନଙ୍କରେ ବାଲିଖମା ପଡ଼ିଆ, ବାଳିକା ବିଦ୍ୟାଳୟ ପଛପଟ, ଗାଁ ଠାକୁରାଣୀଙ୍କ ପାଖ ଅନାବାଦୀ ଜମି, ଗାଁ ମଶାଣି ଓ ଦଣ୍ଡାରେ ବିନା କୌଣସି ସରକାରୀ, ବେସରକାରୀ ସହାୟତାରେ ୧୦ ହଜାରରୁ ଅଧିକ ଗଛ ଲଗାଇ ଏସବୁକୁ ବଡ଼ କରିଛନ୍ତି।

ଏଥିମଧ୍ୟରୁ ଗୋଟିଏ ବଣରେ ପିଲାମାନଙ୍କ ଖାଇବା ପାଇଁ କେବଳ ସବୁପ୍ରକାରର ଫଳଗଛ ଲଗାଯାଇଛି। ଏତଦ୍‌ବ୍ୟତୀତ ଗାଁ ଗହୀର, ପୋଖରୀ ହୁଡ଼ା ଓ ଦଣ୍ଡାରେ ଶତାଧିକ ବର, ଓସ୍ତ ଗଛ ଲଗାଯାଇଛି। ଚଳିତବର୍ଷ କ୍ଲବ୍‌ର ସଦସ୍ୟମାନେ ପ୍ରାୟ ୧ ହଜାରରୁ ଅଧିକ ତାଳମଞ୍ଜି ସଂଗ୍ରହ କରି ପୋତିଛନ୍ତି। ବୃକ୍ଷରୋପଣ ବ୍ୟତୀତ ନିଜ ଅଞ୍ଚଳରେ ଓ ବିଦ୍ୟାଳୟରେ କ୍ଲବ୍‌ ଦ୍ୱାରା ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ମଧ୍ୟ ନିୟମିତ ଭାବେ ଆୟୋଜନ କରୁଛନ୍ତି। ଅନେକ ସଙ୍ଗଠନ କ୍ଲବ୍‌ର ସଦସ୍ୟମାନଙ୍କୁ ପୁରସ୍କୃତ କରି ଏହି କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା ପାଇଁ ପ୍ରେରଣା ଦେଇ ଆସୁଛନ୍ତି। ଆଗକୁ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ କ୍ଲବ୍‌ ପିଲାମାନେ ଶପଥ ନେଇଛନ୍ତି। ଆସନ୍ତାବର୍ଷ ସ୍ଥାନୀୟ ଅଞ୍ଚଳରେ ଏକ ଔଷଧୀୟ ଉଦ୍ୟାନ ସୃଷ୍ଟି କରାଯିବା ସହ ଗ୍ରାମର ସମସ୍ତ ପୋଖରୀର ପୁନରୁଦ୍ଧାର ଓ ପରିବେଶ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମକୁ ସୁଦୂର ପ୍ରସାରୀ କରାଯିବ ବୋଲି କ୍ଲବ୍‌ର ସମ୍ପାଦକ ଅଭିଜିତ ପଟ୍ଟନାୟକ ଓ ସଭାପତି ବିକାଶ ରଞ୍ଜନ ମହାନ୍ତି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe