ଏବେ ପାଣି କିଣିବାକୁ ପଡ଼ୁଛି, ଆଗକୁ ପବନ କିଣିବାକୁ ନ ପଡ଼ୁ: ଉପବାଚସ୍ପତି

ମାତ୍ର କିଛି ବର୍ଷ ତଳେ କେହି ଭାବି ନଥିଲେ, ପିଇବା ପାଇଁ ବୋତଲ ପାଣି କିଣିବାକୁ ପଡ଼ିବ। ପରିବେଶ ଏମିତି ବିଗିଡ଼ୁଛି, ସେଥିରେ ଯଦି ସୁଧାର ନଆସେ; ପବନ ବା ଅମ୍ଲଜାନ କିଣିବାକୁ ପଡ଼ିପାରେ। ମେଟ୍ରୋ ସହରରେ ଏ ସ୍ଥିତି ପହଞ୍ଚିଲାଣି।

we are buying water

ସୁନ୍ଦରଗଡ଼: ମାତ୍ର କିଛି ବର୍ଷ ତଳେ କେହି ଭାବି ନଥିଲେ, ପିଇବା ପାଇଁ ବୋତଲ ପାଣି କିଣିବାକୁ ପଡ଼ିବ। ପରିବେଶ ଏମିତି ବିଗିଡ଼ୁଛି, ସେଥିରେ ଯଦି ସୁଧାର ନଆସେ; ପବନ ବା ଅମ୍ଲଜାନ କିଣିବାକୁ ପଡ଼ିପାରେ। ମେଟ୍ରୋ ସହରରେ ଏ ସ୍ଥିତି ପହଞ୍ଚିଲାଣି। ଏଥିରେ ଅଣନିଶ୍ବାସୀ ସହରିଆ ଟିକିଏ ମୁକ୍ତବାୟୁ ପାଇବାକୁ  ଜଙ୍ଗଲ, ଏମିତିକି ପ୍ରକୃତି ନିବାସକୁ ଆସୁଛନ୍ତି। ଏଥିପାଇଁ ବିପୁଳ ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି। ତେଣୁ ସେହି ଜଙ୍ଗଲ, ପ୍ରକୃତି କୋଳରେ ବିଶୁଦ୍ଧ ପରିବେଶରେ ରହୁଥିବା ଅଧିବାସୀ ଏଥିରୁ ଶିକ୍ଷା ନେଇ ସତର୍କ ରହିବାକୁ ପଡ଼ିବ। ଯେମିତି ଆଗକୁ କେବେ ବି ଏଠି ଆମକୁ ପାଣି ଭଳି ପବନ କିଣିବାକୁ ନପଡ଼ୁ। ତେବେ ଜଙ୍ଗଲ ଓ ପରିବେଶ ସୁରକ୍ଷା କଥା ଭାଷଣବାଜିରେ ନୁହେଁ, କାମରେ ଦେଖାଇବାକୁ ପଡ଼ିବ।

 ଏଥିପାଇଁ ବନ ବିଭାଗ କିମ୍ବା ପ୍ରଶାସନ ଉପରେ ନିର୍ଭର ନକରି ନିଜେ ଜଣେ ଜଣେ ପରିବେଶ ନେତା ହେବାକୁ ପଡ଼ିବ। ଗୁରୁବାର ସୁନ୍ଦରଗଡ଼ ଜିଲ୍ଲା ତଳସରା ବିଧାନସଭା କ୍ଷେତ୍ର ଅନ୍ତର୍ଗତ ସରଫଗଡ଼ ପ୍ରକୃତି ନିବାସରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉପବାଚସ୍ପତି ତଥା ତଳସରା ବିଧାୟକ ଭବାନୀଶଙ୍କର ଭୋଇ ଏଭଳି ଆହ୍ବାନ ଦେଇଛନ୍ତି। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ପରିବେଶପ୍ରେମୀ ସୁଧାଂଶୁ କୁମାର ଚୌଧୁରୀ ଯୋଗ ଦେଇ ପରିବେଶର ପରିବର୍ତ୍ତନ ଆମ ପାଇଁ ସତର୍କଘଣ୍ଟି, ସମସ୍ତେ ଏକାଠି ହୋଇ ଏହାର ମୁକାବିଲା କରିବାକୁ ପଡ଼ିବ ବୋଲି ମତବ୍ୟକ୍ତ କରିଥିଲେ।

ଅନ୍ୟତମ ଅତିଥି ଭାବେ ବାଲିଶଙ୍କରା ପଞ୍ଚାୟତ ସମିତି ଅଧ୍ୟକ୍ଷା କୁଞ୍ଜଲତା ଭିତିରିଆ ବଦଳୁଥିବା ପାଣିପାଗ କିପରି ଚାଷବାସ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି ସେ ସମ୍ପର୍କରେ ଆଲୋଚନା କରିବା ସହ ଏହାକୁ ଗମ୍ଭୀରତାର ସହ ନେଇ ସମସ୍ତେ ଗୋଟିଏ ଗୋଟିଏ ଚାରା ଲଗାଇବାକୁ ଅନୁରୋଧ କରିଥିଲେ। ଯୁବନେତା ଅମିର ନାଏକ କହିଥିଲେ, ତଳସରା ନିର୍ବାଚନମଣ୍ଡଳୀରେ କୌଣସି କଳକାରଖାନା ନଥିବାରୁ ଆମେ ଭାଗ୍ୟବାନ। କିନ୍ତୁ ଏବେ ଝାରସୁଗୁଡ଼ାରୁ ଆସି ବିଭିନ୍ନ ସ୍ଥାନରେ ପଡ଼ୁଥିବା କାରଖାନାର ବର୍ଜ୍ୟ ପାଉଁଶ ଆମ ଅଞ୍ଚଳ ପାଇଁ ବିପଦ ଡାକିଆଣିଛି। ପ୍ରଦୂଷଣ ବିରୋଧରେ ସମ୍ମିଳିତ ଲଢ଼େଇ କରିବାକୁ ସେ ଆହ୍ବାନ ଦେଇଥିଲେ। ଏହା ସହ ‘ମା ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ବ୍ୟାପକ କରିବା ଉପରେ ସେ ଗୁରୁତ୍ବାରୋପ କରିଥିଲେ। ଅନ୍ୟତମ ଯୁବକର୍ମୀ ଦେବେନ୍ଦ୍ର ପ୍ରସାଦ ମାଝୀ କହିଥିଲେ, ଗଛଲତା, ପଶୁପକ୍ଷୀଙ୍କୁ ବର୍ତ୍ତମାନର ପିଲା ଆଉ ଚିହ୍ନି ପାରୁନାହାନ୍ତି। ତେଣୁ ବନବିଭାଗ ପିଲାଙ୍କ ପ୍ରକୃତି ପରିଭ୍ରମଣ କାର୍ଯ୍ୟକ୍ରମ ହାତକୁ ନିଅନ୍ତୁ। ଏହାବ୍ୟତୀତ ଆଦିବାସୀ ତଥା ବନବାସୀଙ୍କୁ ଆର୍ଥିକ ସ୍ବାବଲମ୍ବୀ କରୁଥିବା ମହୁଲ ଫୁଲରୁ କେବଳ ମଦ ପ୍ରସ୍ତୁତ ହେଉଛି। ଖାଦ୍ୟ ପ୍ରକ୍ରିୟାକରଣରେ ସେଥିରୁ ବିଭିନ୍ନ ଖାଦ୍ୟ ମଧ୍ୟ ପ୍ରସ୍ତୁତ କରାଯାଇପାରିବ। ପ୍ରଶାସନ ସେ କାର୍ଯ୍ୟକ୍ରମ ହାତକୁ ନେବାକୁ ଶ୍ରୀ ମାଝୀ ପ୍ରସ୍ତାବ ଦେଇଥିଲେ। 

ଅନ୍ୟତମ ଅତିଥି ସୁନ୍ଦରଗଡ଼ ବନଖଣ୍ଡର ଅତିରିକ୍ତ ବନ ସଂରକ୍ଷକ ରାଜକୁମାର ସେଠୀ ପରିବେଶ ଓ ଜଙ୍ଗଲ ସୁରକ୍ଷା ପାଇଁ ବନବିଭାଗ ଗ୍ରହଣ କରିଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିବା ସହ ସମସ୍ତଙ୍କର ସହଯୋଗ ଲୋଡ଼ିଥିଲେ। ମହୁଲ ଫୁଲରୁ ପ୍ରକ୍ରିୟାକରଣ ମାଧ୍ୟମରେ ବିକଳ୍ପ ଖାଦ୍ୟ ପ୍ରସ୍ତୁତ କରିବା ଯୋଜନା କରାଯିବ ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସବଡେଗା ପଞ୍ଚାୟତ ସମିତି ଅଧ୍ୟକ୍ଷା କୁନ୍ତୀ ପ୍ରଧାନ, ଗିରିଙ୍ଗକେଲା ସରପଞ୍ଚ ନୀଳମଣି ମାଝୀ, ସମିତିସଭ୍ୟା କେତକୀ ନାଏକ, ରିନା କଂସୁଆର, ଲଳିତା ଅମାତ, ଜ୍ୟୋତ୍ସ୍ନା ଭୋଇ ପ୍ରମୁଖ ଯୋଗ ଦେଇ ଅନେକ ଉପାଦେୟ ପରାମର୍ଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe