ପୁରୀ: ସରିଲା ନବଦିନାତ୍ମ ଯାତ୍ରା, ନୀଳକନ୍ଦରକୁ ଫେରିଗଲେ ଶ୍ରୀଜିଉ । ହସୁଛି ଶ୍ରୀମନ୍ଦିର, ଝୁରୁଛନ୍ତି ୩ ରଥ । ପୁଣି ବରଷକ ପରେ ରଥାରୂଢ ହେବେ ଶ୍ରୀଜିଉ । ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଝୁରୁଛନ୍ତି ନନ୍ଦିଘୋଷ, ତାଳଧ୍ବଜ, ଦର୍ପଦଳନ । ନୀଳାଦ୍ରିବିଜେ କରିଛନ୍ତି ଶ୍ରୀଜିଉ । ଭକ୍ତଙ୍କ ଗହଳିରେ ରତ୍ନବେଦୀକୁ ବାହୁଡି ଯାଇଛନ୍ତି ବ୍ରହ୍ମାଣ୍ଡ ଠାକୁର ।
ଗତକାଲି ରଥରୁ ଯାଇ ରତ୍ନବେଦୀରେ ବିରାଜମାନ କରିଛନ୍ତି ଶ୍ରୀଜିଉ । ଆଉ ଶ୍ରୀଜିଉ ଯିବା ପରେ ଏବେ ମନମାରି ବସିଛନ୍ତି ୩ ରଥ.. ସିଂହଦ୍ବାର ସାମ୍ନାରେ ଦଣ୍ଡାୟମାନ ୩ ଶ୍ରୀରଥ ଶ୍ରୀମନ୍ଦିରକୁ କହୁଛନ୍ତି- ଯାହା ହେଉ ତମେ ଭାରି ଭାଗ୍ୟବାନ ହେ ବଡ ଦେଉଳ- ଆମ ପାଖରେ ସିନା ଏହି ଯାତ ସମୟରେ ରୁହନ୍ତି କିନ୍ତୁ ବର୍ଷଯାକ ପରା ତୁମ ପାଖରେ ରୁହନ୍ତି । କି ଭାଗ୍ୟ ତମର ହେ ଶୀରିମନ୍ଦିର..
ପବିତ୍ର ଘୋଷଯାତ୍ରାର ଶେଷ ପର୍ବ ନୀଳାଦ୍ରି ବିଜେ ନୀତି ସମ୍ପନ୍ନ ହୋଇଛି।#RathaJatra2025#RathaYatra2025#ShreeJagannathaDhaam#NiladriBijepic.twitter.com/dTgGxjv6Kd
— Shree Jagannatha Temple, Puri (@JagannathaDhaam) July 8, 2025
ଶ୍ରୀଜିଉ ଦେଉଳ ଭିତରକୁ ଗଲା ପରେ ୩ ରଥ ପରସ୍ପର ସହ କଥା ହେଉଛନ୍ତି – କେତେ ଶୀଘ୍ର ସରିଗଲା ଏ ସମୟ । ସାଆନ୍ତେ ଆସିଲେ, ଦେବୀ ବସିଲେ, ବଡ଼ ଠାକୁର ବି ବିରାଜମାନ କରି ଗୁଣ୍ଡିଚା ଯାତ କଲେ । କି ଖୁସି ଥିଲା ଆମ ମୁହଁରେ, କି ଗର୍ବ ଥିଲା ଆମ ଭିତରେ – ଖୁସିରେ ଚକ ଘରଘର ନାଦ କରି ବଡଦାଣ୍ଡରେ ଗଡି ଯାଉଥିଲା । ରଥରେ ଶ୍ରୀଜିଉ, ରଥ ସାମ୍ନାରେ କୋଟି କୋଟି ଭକ୍ତ । ଘଣ୍ଟ ଘଣ୍ଟା, ହରିବୋଲ, ହୁଳହୁଳି ସବୁ ପଡୁଥିଲା । ଆମକୁ ନେଇ ସାରା ବିଶ୍ବରେ ଚର୍ଚ୍ଚା ହେଉଥିଲା । ରଥଯାତ୍ରାରୁ ବାହୁଡା ଯାତ୍ରା, ସୁନାବେଶରେ ବି ଶ୍ରୀଜିଉ ଆମ ଉପରେ ହିଁ ବସି ଝଟକୁଥିଲେ । ସାରା ସଂସାରକୁ ସୁନା ପିନ୍ଧି ଦର୍ଶନ ଦେଉଥିଲେ । ଲକ୍ଷ ଲକ୍ଷ ଭକ୍ତ ଆମ ଆଗରେ, ଆମ ପଛରେ, ଆମ ଚାରି ପାଖରେ ରୁଣ୍ଡ ହୋଇ ରହୁଥିଲେ । କିଏ ଆମ ଚକ ଛୁଇଁ ମୁଣ୍ଡିଆ ମାରୁଥିଲା ତ କିଏ ଆମ ଦଉଡି ଛୁଇଁ ପୁଣ୍ୟ ଅର୍ଜୁଥିଲା.. ହେଲେ ଶ୍ରୀଜିଉ ନୀଳକନ୍ଦରକୁ ଫେରିଯିବା ପରେ ଆଉ ଆମର କି ଗୁରୁତ୍ବ ? ଆମକୁ ବା ପଚାରେ କିଏ ? କିଏ ବା ଆମ ପାଖରେ ଆଉ ଛିଡା ହେବ ? ଏବେ ତ ଗହଳି ଶ୍ରୀମନ୍ଦିରରେ ଲାଗିବ, ରଥ-ପଥ-ଜଗତ ପୁଣି ଅପେକ୍ଷାରତ ହେ ଜଗନ୍ନାଥ.. ପୁଣି ଅପେକ୍ଷାରତ
ଅଧିକ ପଢନ୍ତୁ-
ଆରେ.. ଏ ବର୍ଷା ! ଏବେ ତ ରହିଯା.. ଜଗା ପରା ଏବେଏବେ ଜ୍ବରରୁ ଉଠିଛି.. ତାକୁ ପୁଣି ଥଣ୍ଡା ହେଇଯିବ ଯେ ?