ଅଧରହାଣ୍ଡିର ଉଚ୍ଚତା କେତେ ? ହାଣ୍ଡି ତିଆରି ନସରିବା ଯାଏଁ ପଡ଼େନି କାହାରି ନଜର, ମହିଳାଙ୍କୁ ଦେଖିବାକୁ ଥାଏ ବାରଣ..

ଅଧର ହାଣ୍ଡି ପ୍ରସ୍ତୁତି ବେଳେ ଓ ଶେଷ ନହେବା ପର୍ଯ୍ୟନ୍ତ ଯେପରି ଏହା ଉପରେ ମହିଳା ଓ ଅନ୍ୟମାନଙ୍କ ଦୃଷ୍ଟି ନପଡ଼େ ସେ ପରଦା ଟାଣି ଏହାକୁ ପ୍ରସ୍ତୁତ କରନ୍ତି। ଏପରି କରିବା ପଛରେ ଏକ ଉଦ୍ଦେଶ୍ୟ ରହିଛି..

adharapana spl
ପୁରୀ: ମହାପ୍ରଭୁ ରଥଯାତ୍ରା ସାରି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଯିବା ପରେ କ୍ଳାନ୍ତି ମେଣ୍ଟାଇବା ପାଇଁ ପଣା ପିଇବେ। ଶରୀରୀ ଓ ଅଶରୀରୀମାନଙ୍କୁ ନିଜ ଅଧର ସ୍ପର୍ଶ ହୋଇଥିବା ପଣା ରୂପକ ଅମୃତ ପାନ କରାଇ ତୋଷ କରାଇବେ। ଏହି ମାନବୀୟ ଲୀଳା ସଂରଚନାରେ ବି ଥାଏ ଅନେକ ସେବକଙ୍କ ଶ୍ରମର ଫଳଶ୍ରୁତି। ରଥ ଓରାରୁ ମହାପ୍ରଭୁଙ୍କ ଓଠ ଛୁଇଁଲା ଭଳି ତୁମ୍ବକାର ମାଟି ହାଣ୍ଡି ପ୍ରସ୍ତୁତ କରି ଯୋଗାଇ ସାରିଲେଣି କୁମ୍ଭକାର ସେବକ। ବଡ଼ଓଡ଼ିଆ ମଠ, ରାଘବ ଦାସ ମଠ ଏବଂ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ୩ଟି ଲେଖାଏଁ କରି, ମୋଟ୍‌ ୯ଟି ହାଣ୍ଡି ତିନି ରଥ ଲାଗି ପ୍ରସ୍ତୁତ କରାଯାଇଛି।
ରାଘବ ଦାସ ମଠ ଓ ବଡ଼ଓଡ଼ିଆ ମଠ ପକ୍ଷରୁ ‌ବଂଶାନୁକ୍ରମିକ ଭାବେ ୬ଟି ଅଧର ହାଣ୍ଡି ପ୍ରସ୍ତୁତ କରି ଆସୁଛନ୍ତି ଟିକରପଡ଼ା କୁମ୍ଭାର ସାହିର ଅଜୟ କୁମାର ବିଶୋଇ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଉ ୩ଟି ଅଧର ହାଣ୍ଡି ପ୍ରସ୍ତୁତ କରନ୍ତି ଲକ୍ଷ୍ମୀଧର ବିଶୋଇ। ଅଜୟ ବିଶୋଇଙ୍କ  କହିବା ମୁତାବକ, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ପାଇଁ ସାଢ଼େ ୪ରୁ ୫ ଫୁଟ ଏବଂ ଦେବୀ ସୁଭଦ୍ରାଙ୍କ ପାଇଁ ପାଖାପାଖି ୪ ଫୁଟର ତୁମ୍ବକାର ମାଟି ହାଣ୍ଡି ପ୍ରସ୍ତୁତ କରିଥାଉ। ମଠ ପକ୍ଷରୁ ପ୍ରତି ବର୍ଷ ଭଳି ଏ ବର୍ଷ ୬ଟି ହାଣ୍ଡି ପାଇଁ ବରାଦ ପାଇଥିଲେ। ଏହି ସେବାର ପ୍ରତିଦାନ ସ୍ବରୂପ ବର୍ଷ ତମାମ ଶ୍ରୀମନ୍ଦିର ପକ୍ଷରୁ ତାଙ୍କୁ ଖେଇ ଅର୍ଥାତ ମହାପ୍ରସାଦ ମି‌ଳି ଆସୁଛି।
ଶ୍ରୀ ବିଶୋଇଙ୍କ ସୂଚନା ମୁତାବକ, ଅଧର ହାଣ୍ଡି ତିଆରି ନିମନ୍ତେ ୭ଝୁଡ଼ି ମାଟି, ୨ ଝୁଡ଼ି ବାଲି ଲାଗିଥାଏ। ଗୋଟିଏ ଲେଖାଏଁ ହାଣ୍ଡି ୩୦ରୁ ୪୦ କେଜି ଓଜନ ବିଶିଷ୍ଟ। ହାଣ୍ଡି ପ୍ରସ୍ତୁତି ବେଳେ ଓ ଶେଷ ନହେବା ପର୍ଯ୍ୟନ୍ତ ଯେପରି ଏହା ଉପରେ ମହିଳା ଓ ଅନ୍ୟମାନଙ୍କ ଦୃଷ୍ଟି ନପଡ଼େ ସେ ପରଦା ଟାଣି ଏହାକୁ ପ୍ରସ୍ତୁତ କରନ୍ତି। ଏପରି କରିବା ପଛରେ ଏକ ଉଦ୍ଦେଶ୍ୟ ରହିଛି। ଜେଜେ ବାପାଙ୍କ ଅମଳରୁ ଏକ ଧାରଣା ପ୍ରଚଳିତ ହୋଇଆସିଛି ଯେ ଏହାକୁ ପ୍ରସ୍ତୁତ କରିବା ବେଳେ କେହି ମହିଳା ଏହାକୁ ଦେଖିବେ ନାହିଁ। ତେଣୁ ଏହାକୁ ତିଆରି କରିବା ବେଳେ ଅନ୍ୟମାନଙ୍କ ଦୃଷ୍ଟି ଆଢ଼ୁଆଳ ପାଇଁ ପରଦା ଟାଣି ପ୍ରସ୍ତୁତ କରନ୍ତି । 
୨୦୦୭ ମସିହାରେ ଜଣେ ବ୍ୟକ୍ତି ଅଧର ହାଣ୍ଡି ପ୍ରସ୍ତୁତି ଦେଖିବା ସହ ଭାବବିହ୍ବଳ ହୋଇ ଏହାକୁ ସ୍ପର୍ଶ କରିଦେଇଥିଲେ। ତେଣୁ ଭାଟିରେ ପୋଡ଼ାଯିବା ବେଳେ ହାଣ୍ଡି ନଷ୍ଟ ହୋଇଗଲା। ତୁରନ୍ତ ଆଉ ଥରେ ହାଣ୍ଡି ପ୍ରସ୍ତୁତ କରିବାକୁ ପଡ଼ିଥିଲା। ବର୍ଷଯାକ ସେ ଶ୍ରୀମନ୍ଦିରକୁ ମାଟି କୁଡ଼ୁଆ ଯୋଗାଇଥାଆନ୍ତି। ତେବେ ଅଧର ହାଣ୍ଡି ପ୍ରସ୍ତୁତି ତାଙ୍କୁ ଆନ୍ତରିକ ଆନନ୍ଦ ଦିଏ ବୋଲି କହିଛନ୍ତି। ସାଢ଼େ ୪ଫୁଟର ହାଣ୍ଡି ପ୍ରସ୍ତୁତ କରିବା ସହଜ କଥା ନୁହେଁ, ବରଂ ଭଗବାନ ନିଜେ ଆମ ହାତରେ ଏପରି କରାଇ ଦିଅନ୍ତି ବୋଲି ସେ କହିଛନ୍ତି। କଥିତ ଅଛି, ଅତୀତରେ ୩ ଦିନ ଅଧରପଣା ହେଉଥିଲା। ଏବେ ଆଷାଢ଼ ଶୁକ୍ଳ ଦ୍ବାଦଶୀ ଦିନ ହିଁ ମହାପ୍ରଭୁଙ୍କ ପାଇଁ ୩ ଦିନର ପଣା ଗୋଟିଏ ଦିନରେ  କରାଯାଉଛି। 
ଅଧରପଣାରେ ପଡ଼େ କ’ଣ 

ଅଧରପଣା ପ୍ରସ୍ତୁତି ପାଇଁ ଛାଚି, ସର, କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, କର୍ପୁର, ଜାଇଫଳର ଆବଶ୍ୟକତା ପଡ଼ିଥାଏ। ଏହାକୁ ମିଶାଇ ପଣା ପ୍ରସ୍ତୁତ ପରେ ମହାପ୍ରଭୁଙ୍କ ଅଧରକୁ ଲାଗିଥିବା ହାଣ୍ଡିରେ ଏହାକୁ ସମର୍ପଣ କରାଯାଏ। ଏହି ହାଣ୍ଡିକୁ ରଥ ଉପରେ ଭଙ୍ଗାଯିବାର ପରମ୍ପରା ରହିଛି। ବର୍ଷକୁ ଥରେ ମହାପ୍ରଭୁଙ୍କ ଏହି ମାନବୀୟ ‌ଲୀଳା ରଥ ଉପରେ ସଂଦର୍ଶନ କରିବା ପାଇଁ ବହୁ ଭକ୍ତଙ୍କ ଭିଡ଼ ଜମିଥାଏ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe