ଜଗା ଦୁଆରେ ଦଳାଚକଟା: ତଦନ୍ତ ପରାମର୍ଶ ଦେଲେ ଗଜପତି

ଶରଧାବାଲିରେ ଅବ୍ୟବସ୍ଥାରୁ ହୋଇଥିବା ଅଘଟଣ ପୁରା ରାଜ୍ୟକୁ ସ୍ତବ୍ଧ କରିଦେଇଛି। ପ୍ରଶାସନର ପରିଚାଳନାଗତ ତ୍ରୁଟି, ସମନ୍ବୟ ଅଭାବ ଭକ୍ତଙ୍କ ଜୀବନ ନେଇଛି। ବଡ଼ କଥା ହେଉଛି ଏହା ପ୍ରଥମ ଘଟଣା ନୁହେଁ।

dagadgdagd

ଶରଧାବାଲିରେ ଅବ୍ୟବସ୍ଥାରୁ ହୋଇଥିବା ଅଘଟଣ ପୁରା ରାଜ୍ୟକୁ ସ୍ତବ୍ଧ କରିଦେଇଛି। ପ୍ରଶାସନର ପରିଚାଳନାଗତ ତ୍ରୁଟି, ସମନ୍ବୟ ଅଭାବ ଭକ୍ତଙ୍କ ଜୀବନ ନେଇଛି। ବଡ଼ କଥା ହେଉଛି ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ପୁରୀରେ ବାରମ୍ବାର ଏଭଳି ଘଟଣା ଘଟିଛି। ଗତକାଲିର ଘଟଣାକୁ ମିଶାଇ ମୋଟ ୫ ଥର ଦଳାଚକଟା ହୋଇଥିବା ବେଳେ ୧୭ ଜଣଙ୍କ ମୃତ୍ୟୁ ହୋଇଛି ।

ତଦନ୍ତ ପରାମର୍ଶ ଦେଲେ ଗଜପତି 
ଦଳାଚକଟା ଘଟଣାକୁ ନେଇ ବ୍ୟଥିତ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏହାର ତଦନ୍ତ କରିବାକୁ ପରାମର୍ଶ ଦେଇଛନ୍ତି। ଏକ ପ୍ରେସ୍‌ ବିବୃତିରେ ଜଣାଇଛନ୍ତି, ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଗତକାଲି ଦଳାଚକଟାରେ ତିନିଜଣ ଭକ୍ତ ପ୍ରାଣତ୍ୟାଗ କରିଥିବା ଏବଂ ଅନେକ ଭକ୍ତ ଆହତ ହେବା ଖବର ଗଭୀର ଦୁଃଖ ଦେଇଛି। ସ୍ବର୍ଗତ ଆତ୍ମାଙ୍କ ସଦ୍‌ଗତି ନିମନ୍ତେ ମହାପ୍ରଭୁଙ୍କୁ ପ୍ରାର୍ଥନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ଏ ଦୁର୍ଭାଗ୍ୟଜନକ ଘଟଣାର ବ୍ୟାପକ ତଦନ୍ତ କରିବା ସହ କିଭଳି ଏହି ଘଟଣାର ପୁନରାବୃତ୍ତି ନ ହୁଏ ସେଥିପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି।

ମୋତେ ପାଣି ମୁନ୍ଦେ ଦିଅ...

ପୁରୀ, ୨୯/୬(ଇମିସ): ପାଣି ଦିଅ, ପାଣି ମୁନ୍ଦେ ଦିଅ..। ଦଳାଚକଟା ଭିତରୁ ଶୁଭୁଥିଲା ଏହି ବିକଳ ଡାକ। କିନ୍ତୁ ତାଙ୍କ ଉପରେ ଲଦି ହୋଇ ଚାଲିଥିଲେ ଜଣେ ପରେ ଜଣେ ଭକ୍ତ। ଭିଡ଼ ଭିତରୁ ବାରମ୍ବାର ଉଠୁଥିଲା ଅସହାୟତାର ହାତ। ତାଙ୍କର ଏ ଶେଷ ଡାକ ଶୁଣି ପାଖରେ ପହଞ୍ଚିବା ଆଗରୁ ଚାଲିଗଲା ଜୀବନ। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରଥ ଉପରେ ମହାପ୍ରଭୁଙ୍କୁ ଦର୍ଶନ ବେଳେ ଦଳାଚକଟାରେ ଉଡ଼ିଗଲା ବାସନ୍ତୀ ସାହୁଙ୍କ ପ୍ରାଣବାୟୁ। ଦର୍ଶନ କରି ଆଶିଷ ଲଭିବାକୁ ଆସିଥିଲେ, କିନ୍ତୁ ଯମପୁର ଟାଣି ହୋଇଗଲେ। ପରିବାରବର୍ଗ ଆମ୍ବୁଲାନ୍ସ ଡାକିବାକୁ ନେହୁରା ହେଲେ। ତାହା ବି ମିଳିଲାନି। ଖୁସିରେ ଆସିଥିଲେ, ଲୁହରେ ଭିଜିଭିଜି ଫେରିଲେ ପରିବାର। ଖାଲି ବାସନ୍ତୀ ନୁହଁନ୍ତି, ଆଉ ଦୁଇ ଜୀବନ ଦୀପ ଲିଭିଗଲା। ମହାପ୍ରଭୁ ରାତିରେ ପହଣ୍ଡି ହୋଇ ଆଡ଼ପ ବିଜେ କରୁଥିଲେ। ଏଣେ ତାଙ୍କ କୋକେଇ ଉଠିଥିଲା। ଦର୍ଶନ କରିବାକୁ ଆସିଥିଲେ, ଶବ ହୋଇ ଫେରିଲେ। 

ହାତ ବଢ଼େଇ​ଲେ, କେହି ଉଦ୍ଧାର କଲେନି 
ଦର୍ଶନ କରିବାକୁ ଆସିଥିଲେ, ଶବ ହୋଇ ଫେରିଲେ 
ମିଳିଲାନି ଆମ୍ବୁଲାନ୍‌ସ, ହସ୍ପିଟାଲରେ ଶୋକାକୁଳ ପରିବେଶ
‘ପ୍ରଶାସନର ଦାୟିତ୍ବହୀନତା ପାଇଁ ମୋ ପତ୍ନୀଙ୍କର ଦେହାନ୍ତ ହେଲା’

ଭୋର ୪ଟାରୁ ସାଢ଼େ ୪ଟା ସମୟର ଘଟଣା। ମହାପ୍ରଭୁ ରଥରେ ବିରାଜମାନ କରିଛନ୍ତି ଜାଣି ପୁରୀ ଆଖପାଖ ଜିଲ୍ଲାରୁ ଛୁଟି ଆସିଥିଲେ ଭକ୍ତ। ସମସ୍ତଙ୍କ ମନରେ ଯେମିତି ଧାରଣାଟେ ବସା ବାନ୍ଧିଥିଲା, ରାତିରେ ଗଲେ ବିନା ଠେଲାପେଲାରେ ଦର୍ଶନ କରିବେ। କିନ୍ତୁ ଏହା ଅନେକଙ୍କ ପାଇଁ ଘାତକ ସାବ୍ୟସ୍ତ ହେଲା। ରାତି ଅଧରୁ ଛୁଟି ଆସିଥିଲେ ବଡ଼ଦାଣ୍ଡକୁ। ଦର୍ଶନ ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ। ଚତୁର୍ଦ୍ଧା ବିଗ୍ରହଙ୍କର ରଥରେ ପହୁଡ଼ ପଡ଼ିଥିବାରୁ ପହୁଡ଼ ଖୋଲିବା ଯାଏଁ ଅପେକ୍ଷା କରିଥିଲେ। ପହୁଡ଼ ଖୋଲିବାରୁ ହରିବୋଲ ହୁଳହୁଳିରେ ଫାଟି ପଡ଼ିଲା। ହଠାତ୍‌ ଜଣେ ମହିଳା ମୋ ପୁଅ କୁଆଡ଼େ ଗଲା କହି ବିକଳ ହେଲେ। ଭକ୍ତଙ୍କ ମଝିରେ ଚାରମାଳ ନେଇ ଆସିଥିବା ଟ୍ରକ୍‌ ପଶିଗଲା। ଏହାର ସୁଯୋଗରେ କଡ଼ରେ ଛିଡ଼ା ହୋଇଥିବା ଭକ୍ତ ଟ୍ରକ୍‌ କଡ଼େକଡ଼େ ଭିଡ଼ ଭିତରକୁ ମାଡ଼ି ଆସିବାରୁ କିଛି ଭକ୍ତ ଗୁଣ୍ଡିଚା ଚକଡ଼ାରେ ପଡ଼ିଯାଇଥିଲେ। ଏକକାଳୀନ ବହୁ ଭକ୍ତ ଜଣେ ପରେ ଜଣେ ପଡ଼ିଯିବାରୁ ଦଳାଚକଟା ପରିସ୍ଥିତି ସୃଷ୍ଟି ହେଲା। ନିଜକୁ ବଞ୍ଚାଇବା ପାଇଁ ଅନ୍ୟ ଭକ୍ତମାନେ ଦଉଡ଼ିବାକୁ ଉଦ୍ୟମ କଲେ। ଫଳରେ ତଳେ ପଡ଼ିଥିବା ଭକ୍ତଙ୍କ ଶ୍ବାସରୁଦ୍ଧ ହୋଇଯାଇଥିଲା। 

ଏତେ ବଡ଼ ଘଟଣା ସତ୍ତ୍ବେ ପାଖରେ ଆମ୍ବୁଲାନ୍ସଟିଏ ନଥିଲା। ଅଣନିଶ୍ବାସୀ ହୋଇ କିଏ ପାଣି ମାଗୁଥିଲା ତ କିଏ ମୋ ହାତ ଧର ବୋଲି ଡାକ ଛାଡ଼ୁଥିଲା। ଆଉ କିଏ ଶ୍ବାସରୁଦ୍ଧ ହୋଇ ଉଠିବାକୁ ଚେଷ୍ଟା କରୁଥିଲେ ମଧ୍ୟ ତା ଉପରେ ଭକ୍ତ ଚଢ଼ିଯାଇଥିଲେ। ଆମ୍ବୁଲାନ୍ସ ନଥିବାରୁ ପରିବାରବର୍ଗ ବିକଳରେ ଅଟୋ ଡାକି ନିଜ ପରିବାରର ଆହତ ବ୍ୟକ୍ତିଙ୍କୁ ଧରି ମେଡିକାଲ ଧାଇଁଲେ। କିନ୍ତୁ ସେତେବେଳକୁ ୩ ଜଣଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଦଳାଚକଟାରେ ପ୍ରଭାତୀ ଦାଶ, ବାସନ୍ତୀ ସାହୁ ଓ ପ୍ରେମକାନ୍ତ ମହାନ୍ତିଙ୍କୁ ଡାକ୍ତର ମୃତ ଘୋଷଣା ପରେ ହସ୍ପିଟାଲରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। 
ପତ୍ନୀ ବାସନ୍ତୀ ସାହୁଙ୍କୁ ହରାଇଥିବା ଦିଲୀପ ସାହୁ କହିଛନ୍ତି, ମୋ ପତ୍ନୀ ତଳେ ପଡ଼ିଯିବା ପରେ ପାଣି ପାଣି ବୋଲି ଚିତ୍କାର ଛାଡ଼ୁଥିଲେ। କିନ୍ତୁ ପାଣି ମୁନ୍ଦେ ବି ସେ ପାଇଲା ନାହିଁ। ମେଡିକାଲ ନେବା ପାଇଁ ଆମ୍ବୁଲାନ୍ସଟିଏ ବି ପାଖରେ ନଥିଲା। କୌଣସି ପୁଲିସ୍‌ ଅଧିକାରୀ କି ପ୍ରଶାସନିକ ଅଧିକାରୀ ପହଞ୍ଚିନଥିଲେ। ପ୍ରଶାସନର ଦାୟିତ୍ବହୀନତା ଯୋଗୁଁ ମୋ ପତ୍ନୀଙ୍କର ଦେହାନ୍ତ ହୋଇଥିଲା ବୋଲି ସେ କହିଛନ୍ତି। ହସ୍ପିଟାଲ ପରିସରରେ ପ୍ରେମକାନ୍ତ ମହାନ୍ତି ମୃତ୍ୟୁବରଣ କରିଥିଲେ। କିନ୍ତୁ ବାପାଙ୍କୁ ହରାଇଥିବା ପ୍ରିୟବ୍ରତଙ୍କ ମନ ବୁଝିନଥିଲା। ସେ ମେଡିକାଲ ଭିତରେ ଦୌଡ଼ି ଦୌଡ଼ି ଯାହାକୁ ଦେଖୁଥିଲେ କହୁଥିଲେ, ମୋ ବାପାଙ୍କର ଚେତା ପଳେଇଛି। ତାଙ୍କର କିଛି ହୋଇନି। ମୋତେ ତାଙ୍କ ପାଖକୁ ନେଇଯାଅ। ଏଣେ ପତ୍ନୀ ପ୍ରଭାତୀ ଦାଶଙ୍କୁ ହରାଇ ବିଶ୍ବଜିତ ଦାଶ କହୁଥିଲେ, ମୋ ଝିଅକୁ କିଏ ମା’ ଦେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe