ମୁଠାଏ ମାଟି, ଚେନାଏ ଆକାଶ
ରାସ୍ତାଧାରର କଦମ୍ବ ଗଛଟି ଦିଶୁଥିଲା ସର୍ବସ୍ବ ହରାଇଥିବା ନିଃସ୍ବ ଗୃହସ୍ଥ ପରି ବିଷଣ୍ଣ। ତା’ ତଳେ, ଚାରିପଟେ ବିଛେଇ ପଡ଼ିଥିଲା ଶୁଷ୍କ ଝରାପତ୍ର। ସେଗୁଡ଼ିକର ଅସ୍ତବ୍ୟସ୍ତ ଭାବେ ଖେଳେଇ ହେବାର ଦୃଶ୍ୟ, ସଦ୍ୟ ସମାପ୍ତ ନିର୍ବାଚନୀ ମଞ୍ଚ ପାଖରେ ପଡ଼ିଥିବା ହ୍ୟାଣ୍ଡବିଲ୍ କି ପ୍ରଚାରପତ୍ର ପରି ଦିଶୁଥିଲା। ମଝିରେ କିଛିଦିନ, ପ୍ରାୟ ପକ୍ଷେ ହେବ, ପ୍ରବଳ ଥଣ୍ଡା ଯୋଗୁଁ ସିଦ୍ଧାର୍ଥ ସକାଳବୁଲାରେ ବାହାରି ନ ଥିଲେ। ପଉଷର କୁହୁଡ଼ି, ଧୂଳି ଓ ରାସ୍ତାର ଧୂଆଁ ମିଶି ତାଙ୍କୁ ଅସୁସ୍ଥ କରିପକେଇଥିଲେ। ଏହି ସମୟ ଭିତରେ ଗହଳ ପତ୍ରରାଜିରେ ଦର୍ପିତ ଦିଶୁଥିବା କଦମ୍ବ ଗଛଟି ଯେ ଏଭଳି ଶୂନ୍ୟ ଓ ଦରିଦ୍ର ହୋଇପଡ଼ିଥିବ ସେକଥା ସେ କଳ୍ପନା କରିପାରି ନ ଥିଲେ।
ସିଦ୍ଧାର୍ଥ ସାମ୍ନାର ରାସ୍ତାକୁ ଚାହିଁଲେ। ସକାଳ ଆଠଟାରୁ ସହରର ରାସ୍ତାରେ ଯାନବାହନର ଭିଡ଼ ଗହଳ ହେଲାଣି। ଯୁବକଯୁବତୀମାନେ ପିଠିରେ ଖଣ୍ଡିଏ ଖଣ୍ଡିଏ ବ୍ୟାଗ୍ ଝୁଲାଇ ସ୍ବପ୍ନ ସନ୍ଧାନରେ ଛୁଟିଛନ୍ତି। ଇଡ୍ଲି ବରା ବିକୁଥିବା ଦକ୍ଷିଣ ଭାରତୀୟ ବ୍ୟକ୍ତିଜଣକ ଫୁଟ୍ପାଥ୍ରେ ଆରମ୍ଭ କରିଦେଇଛି ତା’ର ବ୍ୟବସାୟ। ପରିବାବିକାଳି ରାଜୁ ସବୁଦିନ ପରି ଗ୍ରାହକମାନଙ୍କୁ ପରିବା ସାଙ୍ଗରେ ତା’ର ଜ୍ଞାନ ବିତରଣ କରିଚାଲିଛି- ଏ ଦେଶର ଲୋକମାନେ ନିଜ ଅଧିକାର ନେଇ ଆଦୌ ସଚେତନ ନୁହନ୍ତି, ତେଣୁ ସରକାର ପରେ ସରକାର ବଦଳିଲେ ମଧ୍ୟ ମଞ୍ଜ ବ୍ୟବସ୍ଥାଟି ଯେମିତି ଥିଲା ସେମିତି ରହିବ। ଏୟାରପୋର୍ଟ ପାଚେରି ଧାରକୁ ଲାଗିଥିବା ଗୋଟିଏ ପୋଷ୍ଟରକୁ ଅନେଇ, ଅବତରଣ ସମୟରେ ବିମାନକୁ ଟିକିଏ ପାଖରୁ ଦେଖିବାର ଅଭିଳାଷ ନେଇ ଆସିଥିବା ଗ୍ରାମୀଣ ପତ୍ନୀ ସ୍ବାମୀକୁ କହୁଥାଏ- ଶୁଣୁଛ, କାଠଚୁଲା ଓ ମାଟିହାଣ୍ଡିରେ ରନ୍ଧା ମାଂସ ତରକାରି ମିଳୁଥିବା ଏଇ ହୋଟେଲ୍କୁ ଆମେ ଯାଆନ୍ତେ ନାହିଁ! ସିଦ୍ଧାର୍ଥ ସେମାନଙ୍କ ଆଡୁ ଦୃଷ୍ଟି ଫେରେଇ ଆଣି କଦମ୍ବ ଗଛର ଶାଖାକୁ ଆଉଥରେ ଚାହିଁଲେ। ଗୋଟାଏ ଛିଣ୍ଡାଗୁଡ଼ି ତା’ର ଶୀର୍ଷ ଶାଖାରେ ଲାଖିରହି ସକାଳ ପବନରେ ଦୋହଲୁଥିଲା। ଯୋଉ ପତ୍ରଭର୍ତ୍ତି ଗଛ ଶହଶହ କଦମ୍ବ ଫୁଲରେ ମଣ୍ଡିହୋଇ ଏ ରାସ୍ତାର ସୌନ୍ଦର୍ଯ୍ୟ ବଢ଼େଇଥାଏ, ସେହି ଗଛ ଆଜି ଛିଣ୍ଡାଗୁଡ଼ିକୁ ଧରି ନିଜକୁ ଅବା ବୁଝଉଛି!
ସିଦ୍ଧାର୍ଥଙ୍କର ବନ୍ଧୁ ରାଧାରମଣଙ୍କ କଥା ମନେପଡ଼ିଲା। ଗତଥର ସେ ସମ୍ବଲପୁର ଯାଇଥିବାବେଳେ ରାଧାରମଣଙ୍କ ଘରକୁ ମଧ୍ୟାହ୍ନ ଭୋଜନ ଲାଗି ଯାଇଥିଲେ। ଘର କାନ୍ଥରେ ଝୁଲୁଥିବା ନିଜର ଜେଜେ, ଜେଜେମା ଓ ବାପାଙ୍କ ଫଟୋମାନ ଦେଖାଇଦେବାବେଳେ ରାଧାରମଣ ଟିକିଏ ଭାବପ୍ରବଣ ହୋଇପଡ଼ିଥିଲେ। କହିଥିଲେ, ‘ଜାଣ ସିଦ୍ଧାର୍ଥ, ହୀରାକୁଦ ବନ୍ଧ ଯୋଗୁଁ ମହାନଦୀ ପାଣିରେ ଆମ ଗାଁ ରମ୍ପେଲା ବୁଡ଼ିଯିବା ଆଗରୁ ମୋର ଜେଜେବାପା ଓ ଜେଜେମା’ଙ୍କୁ ସେଠାରୁ ଉଠିଆସିବାକୁ ପଡ଼ିଥିଲା। ନିଜର ପୁରୁଣା ମୌରସୀ ଘର ଛାଡ଼ି ଆସିବାବେଳେ ମୋ ଜେଜେମା ଗୋଟାଏ ଆଟିକାରେ କିଛି ମାଟି ଓ ବାଡ଼ି ଗଛରୁ ଗୋଛାଏ ଡାଳ ଭାଙ୍ଗି ସାଙ୍ଗରେ ଆଣିଥିଲା। ସାଙ୍ଗରେ ଆଣିଥିଲା ଜହ୍ନି, କଖାରୁ ଓ କାକୁଡ଼ି ମଞ୍ଜି। ସେଦିନ ଜେଜେମାଆକୁ ଏ ବିଷୟରେ କେହି କିଛି ପଚାରିଥିଲେ କି ନାହିଁ ମୁଁ ଜାଣିନାହିଁ, ମାତ୍ର ସ୍କୁଲ୍ରେ ପଢୁଥିବା ଦିନରେ ମୁଁ ଥରେ ପଚାରିଥିଲି। ଜେଜେମା କହିଥିଲା, ‘ସେଇ ମଞ୍ଜିରେ ଏଠି ପନିପରିବା ଫଳିଛି, ମୋତେ ଲାଗିଛି ସେମାନେ ବି ମୋ ସାଙ୍ଗରେ ଆସିଛନ୍ତି ରମ୍ପେଲାରୁ ଏହି ନୂଆ ଜାଗାକୁ। ଆଉ, ଏଇ ମାଟି ଓ କାଠ କଥା - ମୁଁ ମଲାବେଳେ ମୋ ଜୁଇରେ ଏଇ ମାଟିରୁ ଟିକିଏ ଓ ସେଇ ଶୁଖିଲା କାଠରୁ ଦି’ଖଣ୍ଡ ପକେଇଦେବ। ମୋ ଆତ୍ମା ଶାନ୍ତି ପାଇବ।’
ରାଧାରମଣଙ୍କ କଥା ଶୁଣି ସିଦ୍ଧାର୍ଥଙ୍କର ଆଖି ଲୁହରେ ଜକେଇ ଆସିଥିଲା। ରାଧାରମଣ କହିଥିଲେ, ‘‘ମୋ ଜେଜେମା ମଲା ପର୍ଯ୍ୟନ୍ତ ସୁସ୍ଥ ଥିଲେ। ମାତ୍ର ରମ୍ପେଲାର କିଛି ଲୋକ ଉଦ୍ବାସ୍ତୁ ହେବାର ଧକ୍କାରେ ମାନସିକ ଭାରସାମ୍ୟ ହରେଇ ପାଗଳ ହୋଇଯାଇଥିଲେ। ସେଦିନର ରମ୍ପେଲା ଭୁବନ, ଯାହାକୁ ଓଡ଼ିଶାର ସବୁଠାରୁ ବଡ଼ ଗାଁ କୁହାଯାଇଛି, ତାହାଠାରୁ ବଡ଼ ଗାଁ ଥିଲା। ଉଜୁଡ଼ିଗଲା। ମହାନଦୀ ପାଣି ଭିତରେ ସେ ଗାଁର ଘର, ମଠ, ମନ୍ଦିର, ବଡ଼ ବଡ଼ ଗଛ ସବୁ ଡୁବିଗଲେ।’’
ପଉଷ ଶୀତର ଜଡ଼ତାରେ ପତ୍ରହୀନ ପାଲଟିଥିବା କଦମ୍ବ ଗଛଟିକୁ ଦେଖୁଥିବାବେଳେ ସିଦ୍ଧାର୍ଥଙ୍କର କେବେ ଭେଟି ନ ଥିବା ରାଧାରମଣଙ୍କ ଜେଜେମାଆଙ୍କର କଥା ମନେପଡୁଥିଲା। ମାଟି ପ୍ରତି ମଣିଷର ଏହି ମୋହ ପ୍ରସଙ୍ଗ ଭାରତୀୟ ପୁରାଣରେ କ’ଣ କୁହାଯାଇନାହିଁ! ପ୍ରଳୟ ଜଳରେ ପୃଥିବୀ ସମାଧି ନେବାର ଅବ୍ୟବହିତ ପୂର୍ବରୁ ମତ୍ସ୍ୟ ଅବତାରରେ ଭଗବାନ ବିଷ୍ଣୁ ରାଜା ମନୁଙ୍କୁ କିଛି ଚାରା, ପଶୁ ଓ ଶାସ୍ତ୍ର ଧରି ନିରାପଦ ସ୍ଥାନକୁ ଚାଲିଯିବା ଲାଗି ପରାମର୍ଶ ଦେଇଥିଲେ। ସେଇ ଦୂର ଜାଗାରେ ଆରମ୍ଭ ହୋଇଥିଲା ନୂଆ ପୃଥିବୀର ସର୍ଜନା। ଯିବା ଆସିବା, ନିର୍ମାଣ ବିନିର୍ମାଣ, ପ୍ରାପ୍ତି ଅପ୍ରାପ୍ତି ଜୀବନର ଗୋଟିଏ ଗୋଟିଏ ଅଂଶ। ଏହାରି ଭିତରେ ଲୁକ୍କାୟିତ ସୃଷ୍ଟିର ରହସ୍ୟ ଏବଂ ଜୀବନ ଦର୍ଶନ। ରିକ୍ତ ହୋଇଯିବାର ସେହି ସାନ୍ଦ୍ରଗମ୍ଭୀର ମୁହୂର୍ତ୍ତରେ ଯିଏ ଭାରସାମ୍ୟ ରକ୍ଷା କରିପାରେ ସିଏ ହୁଏତ ଆଗାମୀ ଦିନେର ପୂର୍ଣ୍ଣତାର ସାରଥି ହୁଏ। ସିଦ୍ଧାର୍ଥ ରାସ୍ତା ଉପରୁ ଶୁଖିଲା କଦମ୍ବ ପତ୍ରଟିଏ ଉଠେଇନେଲେ। ତା’ର ଶୀର୍ଣ୍ଣ ଚେହେରା ଭିତେର ପଢ଼ିବାକୁ ଚେଷ୍ଟା କରୁଥିଲେ, ଲୁଚିରହିଥିବା ଅନୁଭବର କାହାଣୀ। ମାଟିରେ ମିଶିଯିବା ଆଗରୁ, ନିଃଶେଷ ହୋଇଯିବା ଆଗରୁ ପଞ୍ଚଭୂତରେ, ଏ ପତ୍ରଟି କ’ଣ କହିଯିବାକୁ ଚାହୁଥିବ? ଏହାର କଥାକୁ ପଢ଼ିବାର ସାମର୍ଥ୍ୟ କ’ଣ ତାଙ୍କର ଅଛି?
ଗଲା ମାସରେ, ସାରନାଥର ବୌଦ୍ଧସ୍ତୂପ ନିକଟରେ ଭେଟିଥିବା ତିବ୍ବତୀୟ ବୃଦ୍ଧଙ୍କ କଥା ତାଙ୍କର ମନେପଡ଼ିଲା। ସେଦିନ ସକାଳର ଉପଲବ୍ଧି ଖୁବ୍ ଉତ୍ସାହଜନକ ଥିଲା। ନେପଥ୍ୟରୁ ବିସ୍ମିଲ୍ଲା ଖାଁଙ୍କ ସାହାନାଇର ସ୍ବର ଭାସିଆସି ଶୀତ ସକାଳ ଶରୀରରେ ଶିହରଣ ସୃଷ୍ଟି କରୁଥିଲା। ଶ୍ରମଣମାନଙ୍କର ଅନୁନାସିକ ମନ୍ତ୍ରୋଚ୍ଚାରଣ ମଧୁମକ୍ଷିକାଙ୍କର ସମୂହ ଗୁଞ୍ଜରଣ ପରି ଶୁଭୁଥିଲା। ସମ୍ମୁଖର ବିସ୍ତୀର୍ଣ୍ଣ ସବୁଜ ଲନ୍ ପାଖ ଗୋଟିଏ ସିମେଣ୍ଟ ବେଞ୍ଚେର ଖରା ଆଡ଼କୁ ପିଠି କରି ତିବ୍ବତୀୟ ବୃଦ୍ଧଜଣକ ବସିଥିଲେ। ମୁହଁରେ ବିଷାଦର ଚେହେରା ଅଥଚ ଆଖିରେ ଅାଖିଏ ସ୍ବପ୍ନ। ବୌଦ୍ଧ ଧର୍ମାବଲମ୍ବୀମାନଙ୍କ ପାଇଁ ସାରନାଥ ଲୁମ୍ବିନୀ, ବୋଧଗୟା ଓ କୁଶୀନଗର ପରି ମହତ୍ତ୍ବପୂର୍ଣ୍ଣ। ଲୁମ୍ବିନୀରେ ଗୌତମ ବୁଦ୍ଧଙ୍କର ଜନ୍ମ, ବୋଧଗୟାରେ ବୁଦ୍ଧତ୍ବ ପ୍ରାପ୍ତି ଓ କୁଶୀନଗରରେ ପରିନିର୍ବାଣ ହୋଇଥିବାବେଳେ ସାରନାଥରେ ବୁଦ୍ଧ ପ୍ରଥମେ ଧର୍ମପ୍ରଚାର ଆରମ୍ଭ କରିଥିଲେ। ତିବ୍ବତୀୟ ବୃଦ୍ଧଜଣକ ନିଜ ଦେଶର ଭଙ୍ଗୁର ରାଜନୈତିକ ଅବସ୍ଥା ଓ ନାଗରିକମାନଙ୍କର ଉପଲବ୍ଧି ପ୍ରସଙ୍ଗ ସହିତ ଜୀବନର ସମ୍ଭାବନା କଥା କହିଥିଲେ ସିଦ୍ଧାର୍ଥଙ୍କୁ। ଆଶା କରିଥିଲେ, ଦିନେ ଦଲାଇ ଲାମାଙ୍କ ସ୍ବପ୍ନ ବାସ୍ତବ ହେବ ଓ ଚୀନ ଉପଲବ୍ଧି କରିବ ତା’ର ତ୍ରୁଟି। ସେସବୁ ଶୁଣି ସିଦ୍ଧାର୍ଥଙ୍କର ଛାତି ଭିତରଟା ଉଶ୍ବାସ ହୋଇଆସୁଥିବାବେଳେ ବୃଦ୍ଧ ପୁଣି କହିଥିଲେ, ସାଧାରଣ ମଣିଷର ବଞ୍ଚିବା ଲାଗି ବେଶି କିଛି ଲୋଡ଼ା ନାହିଁ, କେବଳ ଦୁଇଟି କଥା ମିଳିଗଲେ ଯଥେଷ୍ଟ।
ତିବ୍ବତୀୟ ବୃଦ୍ଧ କହିଥିବା କଥାଟି ସିଦ୍ଧାର୍ଥ ନିଜ ମନକୁ ଆଜି କହିବା ଆଗରୁ ଆମ୍ବ ବଉଳର ଭୁରୁଭୁରୁ ବାସ୍ନା ତାଙ୍କୁ ଅନ୍ୟମନସ୍କ କରିଦେଲା। ଆଶ୍ଚର୍ଯ୍ୟ, କଦମ୍ବ ଗଛର ନିଃସ୍ବତାକୁ ନେଇ ସେ ଏତେ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ ଯେ ମାତ୍ର ଦଶହାତ ଆଗରେ ଥିବା ବଉଳଭର୍ତ୍ତି ଆମ୍ବଗଛଟି ପ୍ରତି ଆଦୌ ଦୃଷ୍ଟି ଦେଇପାରି ନ ଥିଲେ! ରାସ୍ତାର ଧୂଳି ପାଉଁଶରେ ଆମ୍ବଗଛଟିର ପତ୍ର ସବୁ ମଳିନ ଦିଶୁଥିବା ସତ୍ତ୍ବେ ତା’ର ପ୍ରତିଟି ଶାଖାରେ ଖୁନ୍ଦି ହୋଇଥିଲା ନୂଆ ବଉଳ। ସିଦ୍ଧାର୍ଥଙ୍କର ମନେପଡ଼ିଲା, ବଉଳ ଅମାବାସ୍ୟା ଏଇ କିଛିଦିନ ତଳେ ଆସି ବିଦାୟ ନେଇଛି। ପାଖାପାଖି ପତ୍ରହୀନ, ପୁଷ୍ପହୀନ କଦମ୍ବ ଓ ବଉଳରେ ପରିପୂର୍ଣ୍ଣ ପୁଷ୍ପିତ ଆମ୍ବଗଛକୁ ଦେଖି ସିଦ୍ଧାର୍ଥ ଆଉଥରେ ସାରନାଥମନସ୍କ ହୋଇପଡ଼ିଲେ। ଏହା ଆଗରୁ ଶୂନ୍ୟତାର ଦୀର୍ଘଶ୍ବାସ ଓ ପୂର୍ଣ୍ଣତାର ମହାରାସ ଉଭୟକୁ ଏତେ ପାଖାପାଖି ସେ କେଉଁଠାରେ ଦେଖି ନ ଥିଲେ।
ସାରନାଥରେ ତିବ୍ବତୀୟ ବୃଦ୍ଧଜଣକ ତାଙ୍କୁ ସେଦିନ କହିଥିଲେ, ସାଧାରଣ ମଣିଷର ଜିଇବା ଲାଗି ଦିଇଟି ଜିନିଷ ପ୍ରୟୋଜନ। ମୁଠାଏ ମାଟି, ଚେନାଏ ଆକାଶ। ଏ ମାଟି ବାସ୍ତବତାର ପ୍ରତୀକ, ଏ ଆକାଶ ସ୍ବପ୍ନର ପ୍ରତୀକ। ପାଦ ଥିବ ମାଟି ଉପରେ, ମଥା ଉପରେ ଥିବ ଆକାଶ - ତାହାହେଲେ ମଣିଷ ବଞ୍ଚିଯାଇ ପାରିବ। ପାଦତଳୁ ମାଟିର ବାସ୍ତବତା ଅପହୃତ ହୋଇଯିବା ବେଳେ, ଆକାଶରେ ସ୍ବପ୍ନର ପ୍ରତିଶ୍ରୁତି ତାକୁ ବଞ୍ଚେଇ ରଖିବ। ନିଃସ୍ବ କଦମ୍ବ ଓ ପରିପୂର୍ଣ୍ଣ ଆମ୍ବଗଛଯୋଡ଼ିକୁ ପାଖାପାଖି ଦେଖି ସିଦ୍ଧାର୍ଥ ଏ କଥାର ମର୍ମ ବୁଝିବାଲାଗି ଉଦ୍ୟମ କରୁଥିଲେ। ଦିନେ ଆମ୍ବଗଛ ଶୂନ୍ୟ ହେଇଯିବ, ମାତ୍ର ସେତେବେଳକୁ ଆଷାଢ଼ର କୋମଳ ସ୍ପର୍ଶେର ପୂର୍ଣ୍ଣ ପୁଷ୍ପବତୀ ହୋଇସାରିଥିବ କଦମ୍ବ। ତା’ର ଜୀର୍ଣ୍ଣଶୀର୍ଣ୍ଣ ଶାଖାରେ ଲହଡ଼ି ଭାଙ୍ଗୁଥିବ ଶ୍ୟାମଳ ଶିହରଣ। ଯେତେଦିନ ପର୍ଯ୍ୟନ୍ତ ସେମାନଙ୍କ ପାଦତଳେ ମାଟି ଅଛି, ଅଛି ମଥା ଉପରେ ଆକାଶ, ସେତେଦିନ ପର୍ଯ୍ୟନ୍ତ ସେମାନଙ୍କଠାରୁ ଜୀବନର ସ୍ବପ୍ନ କେହି ସଂପୂର୍ଣ୍ଣ ଅପହରଣ କରିନେଇ ପାରିବେ ନାହିଁ। ଏମିତି ସ୍ବପ୍ନହୀନତା ପୁଣି ସମ୍ଭାବନାର ଉଠାଣି ଗଡ଼ାଣି ଦେଇ ଆଗକୁ ଆଗଉଥିବ ସବୁଜ ଜୀବନ।
ସିଦ୍ଧାର୍ଥ ଧୀରେ କଦମ୍ବ ଗଛ ପାଖକୁ ଯାଇ ତାକୁ ଟିକିଏ ଆଉଁଶିଦେଲେ ଓ ଆମ୍ବଗଛକୁ ଚାହିଁ କହିଲେ, ତୁମମାନଙ୍କର ଭାଷା ମୁଁ ବୁଝେନାହିଁ। ଆଷାଢ଼ର ଉଷୁମ ଅପରାହ୍ଣରେ ସିଏ ଦିନେ ତୁମକୁ ବୁଝାଇଥିବ, ଆଜି ଏ ଶୀତଳ ପୌଷର ସକାଳରେ ତାକୁ ବୁଝେଇବା ଦାୟିତ୍ବ ତେଣୁ ତୁମର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/11/15/2025-11-15t113812157z-whatsapp-image-2025-11-13-at-33111-pm-2025-11-15-17-08-12.jpeg)
/sambad/media/media_files/2026/02/19/pp-2026-02-19-17-40-02.jpg)