ଭୁବନେଶ୍ୱର: କବିତାରେ କିଛି ନୂଆକଥା ଲେଖା ହୋଇଥିଲେ ହିଁ ତାହା ସାର୍ଥକ କବିତା ହୁଏ ବୋଲି ବରିଷ୍ଠ କବି ନିଳୟକାନ୍ତ ମହାପାତ୍ରଙ୍କ କବିତା ସଂକଳନ ' ବିଭୋର ବେଦନା'ର ଉନ୍ମୋଚନ ଉତ୍ସବରେ ମତ ପ୍ରକାଶ ପାଇଛି। ଆଜି ସ୍ଥାନୀୟ ରେଡକ୍ରସ ଭବନରେ ବ୍ଲାକ୍ ଈଗଲ ବୁକ୍ସ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ' ବିଭୋର ବେଦନା' ର ଉନ୍ମୋଚନ କରାଯାଇଥିଲା।
ବିଶିଷ୍ଟ ସାହିତ୍ୟିକ ଡକ୍ଟର ଗୌରହରି ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ବରିଷ୍ଠ କବି ଡକ୍ଟର ପ୍ରସନ୍ନ କୁମାର ମହାନ୍ତି କହିଥିଲେ ଯେ, ଏକଦା ତରୁଣ ବୟସରେ ନିଳୟକାନ୍ତ ବେଶ୍ ପରିପକ୍ୱ ବୟସର କବିତା ଲେଖୁଥିଲେ। ଆଜି ବି ସେହି ଧାରା ସେ ବଜାୟ ରଖିଛନ୍ତି। ନିରୁତା ଆବେଗ, ପ୍ରେମ ଓ ଈଶ୍ୱର ପ୍ରେମ ନିଳୟକାନ୍ତଙ୍କ କବିତାର ପ୍ରାଣ। ନିଳୟଙ୍କ କବିତା ଆବେଗ ରୂପାନ୍ତରିତ ହୋଇଥିବା ଛବିଟିଏ ବୋଲି ସେ ମତ ଦେଇଥିଲେ।
ଆହୁରି ପଢ଼ନ୍ତୁ: Literature: ଗୌରହରି ଦାସଙ୍କ ଜୀବନର ଜଳଛବି: ମୁଠାଏ ମାଟି, ଚେନାଏ ଆକାଶ...
ସଭାପତି ଡକ୍ଟର ଗୌରହରି ଦାସ କହିଥିଲେ ଯେ, କବିତା ମଣିଷର ହାତ ଧରି ଚାଲୁଥାଏ। ମଣିଷ ବଡ଼ ହେଲେ କ'ଣ ହେବ, ତାହା ନିଜେ ସ୍ଥିର କରିପାରେ। କିନ୍ତୁ କିଏ କବି ହେବ ତାହା ଈଶ୍ୱର ସ୍ଥିର କରନ୍ତି। ସମସ୍ତେ ଚାହିଁଲେ କବି ହୋଇ ପାରନ୍ତି ନାହିଁ। ଜଣେ କେତେ ଲେଖିଛନ୍ତି ତାହା ବଡ଼ କଥା ନୁହେଁ, ବଡ଼ କଥା ହେଉଛି କବିତାରେ କ'ଣ ନୂଆ କଥା ଲେଖିଛନ୍ତି?
କବି ଓ ସାମ୍ବାଦିକ ଶତ୍ରୁଜିତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନିଜ ଲେଖକୀୟ ବକ୍ତବ୍ୟରେ ନିଳୟକାନ୍ତ ମହାପାତ୍ର କହିଥିଲେ ଯେ, ଇଚ୍ଛା କରି ଲେଖିଲେ ତାହା ପଦ୍ୟ ହୋଇପାରେ, କବିତା ହୋଇ ନପାରେ। ଶେଷରେ ବ୍ଲାକ ଈଗଲ ବୁକ୍ସର ଓଡ଼ିଶା ମୁଖ୍ୟ ଅଶୋକ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/02/28/whatsapp-image-2026-02-28-21-03-30.jpeg)