ପବନରେ ବଂଶୀ

ତ୍ରିନାଥ ସିଂହ

ତାରାମାନେ 
ଲିଭେଇ ଦେଇ ସାରିଲେଣି ସବୁ ଆଲୁଅ।

କିଛି ବି ଦିଶୁନଥିବା ରାତି
କୋଉ ନହକା ଡାଳରେ ବସି ପବନ
ବଜଉଛି ବଂଶୀ
ବଇଁଶୀର କ୍ଷୀଣ-ରାଗିଣୀରେ ଚହଟିଆସୁଛି
କୋଉଠି କ’ଣ ଗୋଟେ 
ପୋଡ଼ିପୋଡ଼ି ଯାଉଥିବାର ତୀବ୍ର-ଗନ୍ଧ।

Advertisment

ନିଜ ନାଆର ନିଜେ ନାଉରି ସାଜିବାର 
ଅଧିକାରରେ
ଡାହାଣ ଅଙ୍ଗୁଷ୍ଠ ଦାନ କରିଦେଲେଣି ସମସ୍ତେ
ଦକ୍ଷିଣାରେ ମାଆର ପଣତରୁ ବି ଚାଖଣ୍ଡେ ଲେଖାଏଁ!

ସୁନାକଳସ ଧରି ବୁଲୁଥିବା ହାତୀ
ମହଳଣ ସଞ୍ଜର ମଳିଚିଆ ମାଛିଅନ୍ଧାରରେ 
ନିଖୋଜ କୋଉଠି!

କଳସ ଭିତରେ କଳକଳଉଛି ଯୋଉ ନଦୀର ଜଳ
ସେ ନଦୀ ଏବେ କୃଶ, କ୍ଷୀଣ, ସଂକୀର୍ଣ୍ଣ
ବାଲିପିଠିରେ ସରୁ ଧାରଟିଏ ହେଇ
ଯାହା ଝରିଯାଉଛି ନଈଆଖିର ଧାରେ ଲୁହ।

ଦିଗନ୍ତ ଛୁଉଁଥିବା ଏତେବଡ଼ ଆକାଶରେ
କୋଉଠି ପକ୍ଷୀ ଗୋଟେ ଉଡ଼ିଯାଉଥିବାର ଦୃଶ୍ୟଟିଏ ନାହିଁ
ବନ୍ଧକ ପଡ଼ିଛି ସେମାନଙ୍କ ଡେଣାର ଉଡ଼ାଣ 
କୋଉ ଅନ୍ଧପ୍ରଗଳିର ଅନ୍ଧାର ପାଖରେ କେଜାଣି!

ଆହୁରି ପଢ଼ନ୍ତୁ- Man Drowned In Kanakunda: ବୁଲିବାକୁ ଆସି ଭାସିଗଲେ ଏନଆଇଟି ଛାତ୍ର, ସାମ୍ନାକୁ ଆସିଲା ମୃତ୍ୟ ପୂର୍ବର ଭିଡିଓ

ଶୀତତାପ ନିୟନ୍ତ୍ରିତ ଉପବନ ମଝି
ସୁଶୋଭିତ କାନଭାସ ଦେହରେ
ଗୋଟିଏ ସୁଶୀତଳ ମନୋହର ସୁନୀଳ ଆକାଶ
ମଗ୍ନ ଚିତ୍ରକର କେତେଜଣ ନିବିଷ୍ଟ ଚିତ୍ତରେ
ଆଙ୍କୁଛନ୍ତି ପକ୍ଷୀ
ଦଳଦଳ ହେଇ ଉଡ଼ିଯାଉଥିବାର ଦୃଶ୍ୟ।

ଏବେ ବି କେଜାଣି
କେତେବେଳ ବାକି ଅଛି ପାହିବାକୁ ରାତି
ତାରାମାନେ କିଳିଦେଇ ଝର୍କା 
ଲିଭେଇ ଦେଇ ସାରିଲେଣି ସବୁ ବତି!

ଆହୁରି ପଢ଼ନ୍ତୁ- IPL 2026 : ଅଷ୍ଟ୍ରେଲିଆର କାମେରନ ଗ୍ରିନ ହେଲେ ସବୁଠାରୁ ମହଙ୍ଗା ବିଦେଶୀ ଖେଳାଳି

ଏବେ ବି ଦୂରରେ
କୋଉ ଅନ୍ଧାର ଡାଳରେ ବସି ପବନ
ବଜଉଛି ବଂଶୀ
ଚହଟିଆସୁଛି
ପୃଷ୍ଠା ପରେ ପୃଷ୍ଠା ପୋଡ଼ିପୋଡ଼ି ଯାଉଥିବା ଇତିହାସର
ଫୁରୁକୁଟିଆ କ୍ଷୀଣ ରାଗିଣୀ

ଅନ୍ଧାର ଡାଳରେ ବସି 
ପବନ ଏବେ ବି ବଜଉଛି ବଂଶୀ!

ମୋ: ୮୮୯୫୦୯୯୪୬୪