ଟ୍ରାଞ୍ଜିଷ୍ଟର

ସବିତା ପଟ୍ଟନାୟକ

ପ୍ରତାପବାବୁ ହାତରେ ଧରିଥିବା ଛୋଟ ଟ୍ରାଞ୍ଜିଷ୍ଟରର ଆଣ୍ଟିନାକୁ ପୂରା ଟେକିଦେଇ କେଉଁଠି ଟିକେ ଭଲ ଶୁଣାଯିବ ବୋଲି ଦାଣ୍ଡପିଣ୍ଡାରୁ ବାରି ଅଗଣା ପୁଣି ବାରି ଅଗଣାରୁ ଦାଣ୍ଡପିଣ୍ଡାକୁ ଏପଟ ସେପଟ ହେଉଥାଆନ୍ତି। ସଁ ସଁ ଶବ୍ଦ ସହିତ ଇଂରାଜୀରେ କ୍ରିକେଟ୍ ଖେଳର ଧାରାବିବରଣୀ ଆସୁଥିଲା, ଆଉ ଖୁବ୍ ଚେଷ୍ଟାକରି ପ୍ରତାପବାବୁ ତାକୁ ଶୁଣିବାକୁ ଚେଷ୍ଟା କରୁଥାଆନ୍ତି। ଭାରତ ଆଉ ଇଂଲଣ୍ଡ ଭିତରେ ଟେଷ୍ଟ ମ୍ୟାଚ୍ ଚାଲିଛି। ତାଙ୍କର ଏମିତି କାର୍ଯ୍ୟକଳାପ ଦେଖି ରୋଷେଇଘରୁ କୁମ ବାହାରିଆସି କହିଲେ, ‘‘ଦିନ ଆସି ଦିପହର ହେଲାଣି। ଗାଧୁଆପାଧୁଆ କିଛି ନାହିଁ। ସେଇ ରେଡିଓକୁ ଧରି ଏପଟ ସେପଟ ହେଉଛ। କ’ଣ ସେଥିରୁ ଶୁଣୁଛ କେଜାଣି। ସଁ ସଁ ଶବ୍ଦରେ ମଣିଷ ଦିକ୍‌ଦାର ହେଇଗଲାଣି।’’

Advertisment

କୁମଙ୍କର ଏମିତି କଥାରେ ପ୍ରତାପବାବୁ ଅଭ୍ୟସ୍ତ ‌ଥିଲେ। ତାଙ୍କୁ କିଛି ନ କହି ଟ୍ରାଞ୍ଜିଷ୍ଟରକୁ ଧରି ବାରିପଟ କୂଅର ଚାନ୍ଦିନୀ ଉପରେ ତାକୁ ରଖିଦେଲେ। ସିମେଣ୍ଟକୁଣ୍ଡରେ ଗାଧୁଆ ପାଇଁ ରଖା ହେଇଥିବା ପାଣିରେ ତରବର ହେଇ କାମ ସାରି ଓଦା ଗାମୁଛା ପିନ୍ଧି ପୁଣି ଟ୍ରାଞ୍ଜିଷ୍ଟରକୁ ଧରି ଭିତରକୁ ଆସିଲେ। ଶୋଇବା ଘରକୁ ଯାଇ ଲୁଙ୍ଗି ବଦଳାଇଲେ ଆଉ କୁମଙ୍କୁ ଲକ୍ଷ୍ୟ କରି କହିଲେ, ‘‘ଭାତ ଖାଇବା ଅଧଘଣ୍ଟାଏ ଡେରି ହେଇଗଲେ କ’ଣ ପୃଥିବୀ ପ୍ରଳୟ ହେଇଯିବ! ଛାଡ଼। କ୍ରିକେଟ୍ ଖେଳର ମଜା ତୁମେ କେମିତି ଜାଣିବ?’’

ଏଇ ଘଟଣା ଏବେକାର ନୁହେଁ। ଗତ ଷାଠିଏ ଦଶକର। ଷାଠିିଏ ବର୍ଷ ପୂର୍ବର। ସେତେବେଳେ ରେଡିଓ ଧନୀ ବା ଉଚ୍ଚ ମଧ୍ୟବିତ୍ତମାନଙ୍କ ଘରେ କିଏ କିଏ ରଖୁଥିଲେ। ରେଡିଓରେ ଖବର କି ଗୀତ ବାଜିଲେ ପାଖ ପଡ଼ିଶା ଘର ଲୋକେ ବି ଆସି ଶୁଣୁଥିଲେ। ଏମିତିକି ରାସ୍ତାରେ ଯାଉଥିବା ଲୋକେ ବି ଛିଡ଼ାହେଇ ରେଡିଓ ଶୁଣୁଥିଲେ। ଏଥିରେ ରେଡିଓ ରଖୁଥିବା ଲୋକମାନଙ୍କ ପାଇଁ ଖୁସିର କଥା ଥିଲା। ଏସବୁ ସେତେବେଳେ ସାମାଜିକ ଚଳଣିରେ ଅତ୍ୟନ୍ତ ସାଧାରଣ କଥା ଥିଲା।

ତା’ପରେ ଆସିଲା ଟ୍ରାଞ୍ଜିଷ୍ଟର। ଏଇଟି ଯେଉଁଠିକି ଇଚ୍ଛା ସେଇଠିକି ନେଇ ଶୁଣିବାର ସୁବିଧା ଥିଲା। ଯଦିଓ ସେତେବେଳେ ଦୂରତ୍ବ ଆଉ ପାଗ ଉପରେ ପ୍ରୋଗ୍ରାମ୍‌ ଶୁଭିବା ନିର୍ଭର କରୁଥିଲା। ଅନେକ ସମୟରେ ସଁ ସଁ ଶବ୍ଦ ହେଇ କିଛି ଶୁଣା ଯାଉ ନ ଥିଲା। ତଥାପି ଚଳୁଥିଲା।

ପ୍ରତାପବାବୁ ମୟୂରଭଞ୍ଜର ବୁଢ଼ାବଳଙ୍ଗ ନଦୀକୂଳିଆ ଛୋଟ ଗାଁର ସରକାରୀ ମାଇନର୍ ସ୍କୁଲ୍‌ କୁହାଯାଉଥିବା ବିଦ୍ୟାଳୟରେ ହେଡ୍‌ମାଷ୍ଟର ଥିଲେ। କିନ୍ତୁ ସେ ଯୁଗକୁ ଚାହିଁ ଟିକିଏ ଆଧୁନିକ ସଭ୍ୟତାର ଛାପ ତାଙ୍କ ଉପରେ ପଡ଼ିଥିଲା। ପଢ଼ାପଢ଼ିରେ ରୁଚି ରଖୁଥିଲେ। ସେଠିକି ଦିନେ ପରେ ବସ୍‌ରେ ଆସି ‘ସମାଜ’ ପହଞ୍ଚିଲେ ମଧ୍ୟ ଗ୍ରାହକ ଥିଲେ। ‘ଜହ୍ନମାମୁଁ’ ମଧ୍ୟ ପିଲାଙ୍କ ପାଇଁ କିଣୁଥିଲେ। ତିନିଟି ପୁଅ ଆଉ ଗୋଟିଏ ଝିଅକୁ ନେଇ ତାଙ୍କର ସଂସାର। ଇଚ୍ଛା ଥିଲେ ମଧ୍ୟ ଗୋଟେ ରେଡିଓ କିଣିିପାରି ନ ଥିଲେ। କିନ୍ତୁ ଟ୍ରାଞ୍ଜିଷ୍ଟରଟିଏ କିଣିଲେ। ପିଲାମାନେ ମଧ୍ୟ ଭାରି ଖୁସି ହେଲେ। ସକାଳେ ସନ୍ଧ୍ୟାରେ ଖବର ଶୁଣାଯାଏ।
କ୍ରିକେଟ୍ ଖେଳରେ ଆଗ୍ରହ ଥିବାରୁ ଟେଷ୍ଟ୍‌ ମ୍ୟାଚ୍‌ର ଧାରାବିବରଣୀ ଶୁଣନ୍ତି। ଟେଷ୍ଟ୍‌ ମ୍ୟାଚ୍ ପାଞ୍ଚଦିନ। ସେଇ ପାଞ୍ଚଦିନ ଘରେ ପତ୍ନୀ କୁମ ବଡ଼ ଅଶାନ୍ତିରେ ରୁହନ୍ତି, ଅବଶ୍ୟ ଭଜନ ଓ ଦାସକାଠିଆ ଶୁଣିଲେ ଭାରି ଖୁସି ହୁଅନ୍ତି।

ଆଜି ରବିବାର। ଟେଷ୍ଟ୍‌ ମ୍ୟାଚ୍‌ର ଶେଷଦିନ। ମ୍ୟାଚ୍ ଶେଷ ହେବ କି ବିନା ନିଷ୍ପତ୍ତିରେ ଶେଷ ହେବ ଠିକଣା ନାହିଁ। କିନ୍ତୁ ଇଂଲଣ୍ଡ ଆଗେଇଥାଏ। ଭାରତ ବଡ଼ କଷ୍ଟରେ ମ୍ୟାଚ୍‌କୁ ଶେଷ ନ ହେବାକୁ ଚେଷ୍ଟାରେ ଥାଏ। ତରବର ହେଇ ଖାଇବା କାମ ଶେଷ କରି ବାରଣ୍ଡାରେ କାଠଖଟରେ ବସି ଟ୍ରାଞ୍ଜିଷ୍ଟରକୁ ଫୁଲ୍ ଭଲ୍ୟୁମ୍‌ରେ ରଖି ବଡ଼ ଧୈର୍ଯ୍ୟ ଆଉ ଉତ୍କଣ୍ଠାରେ ଧାରାବିବରଣୀ ଶୁଣୁଥାଆନ୍ତି ପ୍ରତାପବାବୁ। ଦୁଇ କିଲୋମିଟର ଦୂରରେ ବୋହିଯାଉଥିବା ବୁଢ଼ାବଳଙ୍ଗ ନଦୀରୁ ଚିହ୍ନା କେଉଟ ମାଛ ଧରି ପହଞ୍ଚିଲା। ଘରେ ସୋରିଷ ତେଲ ନ ଥିଲା। ପ୍ରତାପବାବୁ ଯାଇ ଏମିତି ସମୟରେ ତେଲ ଆଣିବାର ପ୍ରଶ୍ନ ହିଁ ନ ଥିଲା। ଅଗତ୍ୟା ଘରେ କାମଦାମ କରୁଥିବା ମାଉସୀବୁଢ଼ୀ ଗାଁ ମୁଣ୍ଡରେ ତିନି ଚାରିଟା ଦୋକାନ ଥିବା ବଜାରକୁ ଧାଇଁଲେ। ଘରକୁ ଫେରି କହିଲେ, ଦୋକାନ ବଜାର ଛାଡ଼ି ସବୁଲୋକ ଗୁଡ଼ିଆ ଦୋକାନୀ ସାହୁ ପାଖରେ ରେଡିଓ ଶୁଣୁଛନ୍ତି। ପାଟିତୁଣ୍ଡ ଭିତରେ ବି ବଡ଼ କଷ୍ଟରେ ତେଲ ଧରି ଫେରିଲେ ଆଉ କହିଲେ, ସେଠି ରେଡିଓ ଶୁଣୁଥିବା ଲୋକ ସବୁ ବଡ଼ ମନଦୁଃଖ କରୁଥିଲେ। କିଏ ଜଣେ ‘ପଟାବୁଢ଼ୀ’ ଚାଲିଗଲା ପରା! କିଛି କିଛି କ୍ରିକେଟ୍‌କୁ ବୁଝୁଥିବା ବଡ଼ଝିଅ ଜୋର୍‌ରେ ହସି ହସି କହିଲା, ‘‘ବାପା! ଭାରତ ପାଇଁ ଖେଳୁଥିବା ‘ନବାବ୍ ପଟାଉଡ଼ି’ ଆଉଟ୍ ହେଇଗଲା। ସେଇୟାକୁ ମାଉସୀ କହୁଛି କିଏ ମରିଗଲା।’’ ପ୍ରତାପବାବୁ ଗମ୍ଭୀର ହେଇ କହିଲେ, ‘‘ନାଇଁ, ନବାବ୍ ଆଉଟ୍ ହେଲେ ବି ଟିମ୍‌କୁ ବହୁତ ଆଗେଇ ନେଇଛି। ହାତରେ ଉଇକେଟ୍ ଅଛି। ମ୍ୟାଚ୍ ସରିବାକୁ ଅଳ୍ପ ସମୟ ବାକି ଅଛି। କିଛି ବି ହେଇପାରେ। ଅତିମାତ୍ରାରେ ସଁ ସଁ ଶବ୍ଦ ପାଇଁ ହେଉ ବା ପଟାଉଡ଼ି ଚାଲିଯିବାର ହତାଶାରେ ପ୍ରତାପବାବୁ ଟ୍ରାଞ୍ଜିଷ୍ଟର ବନ୍ଦ କରି ସେଇଠି ବସିରହିଲେ।

କୁମ ଚା ଆଣି ତାଙ୍କ ପାଖରେ ରଖିଲେ। ସାତବର୍ଷର ସବା ସାନପୁଅ ଆସି ତାଙ୍କ ପାଖରେ ବସିଲା। କହିଲା, ‘‘ବାପା! ତଳ ବାଡ଼ିରେ ଯେଉଁ ବଉଳ ଗଛ ତୁମେ ‌ଲଗେଇଥିଲ, ସେଥିରେ ଫୁଲ ଫୁଟିଲାଣି। ତୁମେ ଦେଖିଛ?’’ ପ୍ରତାପବାବୁଙ୍କ ଭଳି ସାନପୁଅ ସାନୁର ଗଛପତ୍ର, ଫୁଲ, ପକ୍ଷୀ ଏସବୁରେ ଭାରି ଆଗ୍ରହ। ସାନୁର କଥାର ଉତ୍ତର ନ‌ ଦେଇ ପ୍ରତାପବାବୁ ଚା ପିଇବାରେ ମନଦେଲେ। ବାପାଙ୍କ ପାଖରେ ବସି ଟିକେ ଆଉଁଶିଦେଲା ସାନୁ ଆଉ ଆଣ୍ଟିନାଟିକୁ ଉପର ତଳ କରିବାକୁ ଚେଷ୍ଟା କଲା। ପ୍ରତାପବାବୁ କହିଲେ, ‘‘ଥାଉ, ସେମିତି କର୍‌ନା। ଭାଙ୍ଗିଯିବ।’’ ଏତିକିବେଳେ ସାନୁ ପଚାରିଲା, ‘‘ବାପା! ନାନୀ ତ ବାହାହେଇ ଶାଶୂଘରକୁ ଚାଲିଯିବ। ତୁମ ପରେ ଏଇ ଟ୍ରାଞ୍ଜିଷ୍ଟର କିଏ ନେବ?’’ ପ୍ରତାପବାବୁ ସ୍ମିତ ହସି କହିଲେ, ‘‘ବଡ଼ ନନା ନେବ।’’ ‘ତୁମ ପରେ’ ଶବ୍ଦର ଗୂଢ଼ ରହସ୍ୟ ଛୋଟପିଲା ସାନୁ କିଛି ବୁଝି ନ ଥିଲା। ପ୍ରତାପବାବୁଙ୍କ କଥା ଶୁଣି ସାନୁ ପୁଣି ପଚାରିଲା, ‘‘ତାଙ୍କ ପ‌େର?’’ ବାପା କହିଲେ, ‘‘ସାନ ନନା ନେବ।’’ ‘‘ତା’ପରେ?’’ ଏଥର ନିର୍ମାୟା ପୁଅର ସରଳ ଉତ୍ତର ଦେବାକୁ ହୋ ହୋ ହସି ପ୍ରତାପବାବୁ କହିଲେ, ‘‘ତା’ପରେ ତୋର ପାଳି। ତୁ ନେବୁ। ତୋ ପାଖରେ ଏଇଟି ସବୁଦିନ ରହିବ। ଆଉ କେହି ‌ନେବେ ନାହିଁ।’’ ଭବିଷ୍ୟତ କଥା ଭାବି ସେ ତା’ର କୁନି କୁନି କଅଁଳ ପାପୁଲିକୁ ଟ୍ରାଞ୍ଜିଷ୍ଟର ଉପରେ ବୁଲାଇ ଆଣିଲା। ରୋଷେଇଶାଳରୁ ମାଛଭଜାର ବାସ୍ନା ଆସୁଥିଲା। ତା’ର ଅତିପ୍ରିୟ ମାଛଭଜା ଖାଇବାକୁ ମା’ ପାଖକୁ ଧାଇଁ ଚାଲିଗଲା ସାନୁ।

ଏଇ ଘଟଣାଟିକୁ ଷାଠିଏରୁ ଊର୍ଦ୍ଧ୍ବ ବର୍ଷ ବିତିଗଲାଣି। ରେଡିଓ ପରେ ଟ୍ରାଞ୍ଜିଷ୍ଟର, ଟେପ୍‌ରେକର୍ଡର, ସାଉଣ୍ଡ ସିଷ୍ଟମ୍‌, ବଡ଼ ବଡ଼ ରଙ୍ଗିନ ଟିଭି, ଲ୍ୟାପ୍‌ଟପ୍ ଆଉ ଶେଷରେ ମୋବାଇଲ୍ ଫୋନ୍ ଆସିଲାଣି। ଦୁନିଆ କେତେ ଆଗେଇଗଲାଣି। କିନ୍ତୁ ସାନୁର ଭାଗ୍ୟରେ ସେଇ ଟ୍ରାଞ୍ଜିଷ୍ଟରଟି ନ ଥିଲା। ଅଳ୍ପ ବୟସରେ କେଉଁ ଏକ ଅଜଣା ରୋଗରେ ସମସ୍ତଙ୍କୁ କନ୍ଦାଇ ଏ ପୃଥିବୀ ଛାଡ଼ି ଚାଲିଯାଇଥିଲା ଅଫେରା ରାଇଜକୁ। ହୁଏତ ତା’ର ନିଷ୍ପାପ ଆତ୍ମା ଏବେ ବି ବୁଢ଼ାବଳଙ୍ଗ ନଦୀର କୁଳୁକୁଳୁ ଶବ୍ଦ, ହଳଦୀବସନ୍ତ, କୁମ୍ଭାଟୁଆ ଅବା କୋଇଲିର କୁହୁତାନ, ପବନର ସାଇଁସାଇଁ ଶବ୍ଦ ସହ ଜାତିଜାତିକା ବଣୁଆଫୁଲର ବାସ୍ନା ଆଉ ଶାଳଫୁଲ, ମହୁଲଫୁଲର ସୁଗନ୍ଧରେ ବିଭୋର ହେଉଥିବ।

ସମୟ ଆଗେଇ ଚାଲିଛି। ୟା’ ଭିତରେ ପ୍ରତାପବାବୁ, କୁମ, ବଡ଼ନାନୀ ସମସ୍ତେ ହଜିଗଲେଣି। କିନ୍ତୁ ଏବେ ବି ସେଇ ଟ୍ରାଞ୍ଜିଷ୍ଟରଟି ବଡ଼ନନା ଘର ଡ୍ରଇଂରୁମ୍‌ର କାଚ ଆଲମିରା ଭିତରେ ‘ଆଣ୍ଟିକ୍’ ରୂପେ ସଜାହେଇ ରହିଛି।

ମୋ: ୯୪୩୭୬୧୭୦୩୪