ଇଂଲଣ୍ଡ ସହିତ ଚାଲିଥିବା ୩ୟ ଟେଷ୍ଟ୍‌ ମ୍ୟାଚ୍‌ର ୪ର୍ଥ ଦିନରେ ଟିମ୍‌ ଇଣ୍ଡିଆରେ ଯୋଗ ଦେଲେ ରବିଚନ୍ଦ୍ରନ ଅଶ୍ବିନ: ‘ବିସିସିଆଇ’

ରାଜକୋଟ: ରାଜକୋଟରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୩ୟ ଟେଷ୍ଟ୍‌ କ୍ରିକେଟ୍‌ ମ୍ୟାଚ୍‌ର ଆଜି ୪ର୍ଥ ଦିନରେ ସ୍ପିନ୍‌ ବୋଲର୍‌ ରବିଚନ୍ଦ୍ରନ ଅଶ୍ବିନ ଯୋଗ ଦେଇଥିବା କଥା ‘ବିସିସିଆଇ’ ସୁନିଶ୍ଚିତ କରିଛି।

ସୂଚନାଯୋଗ୍ୟ, ମାଆ ଅସୁସ୍ଥ ହୋଇ ପଡ଼ିବାରୁ ଶୁକ୍ରବାର ରାତିରେ ରାଜକୋଟରେ ଚାଲିଥିବା ଟେଷ୍ଟ୍‌ ମ୍ୟାଚ୍‌ ଛାଡ଼ି ବିମାନ ଯୋଗେ ଚେନ୍ନାଇସ୍ଥିତ ଘରକୁ ଚାଲିଯାଇଥିଲେ ବୋଲି ‘ବିସିସିଆଇ’ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା କହିଥିଲେ।

Image Courtesy of NDTV

କିନ୍ତୁ, ୪୮ ଘଣ୍ଟାରୁ କମ୍‌ ସମୟ ମଧ୍ୟରେ ସେ ପୁଣି ଉପରୋକ୍ତ ଟେଷ୍ଟ୍‌ ମ୍ୟାଚ୍‌ ଖେଳିବାକୁ ହାଜର ହୋଇଯାଇଛନ୍ତି। ଏ ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ ‘ବିସିସିଆଇ’ କହିଛି, ପାରିବାରିକ ଜରୁରୀ ପରିସ୍ଥିତି ଯୋଗୁଁ ସ୍ବଳ୍ପ ସମୟ ପାଇଁ ଅନୁପସ୍ଥିତ ରହିବା ପରେ ଆର୍‌. ଅଶ୍ବିନ ଭାରତୀୟ ଟିମ୍‌କୁ ଫେରିଥିବା କଥା ଆନନ୍ଦର ସହିତ ‘ଦି ବ‌ୋର୍ଡ ଅଫ୍‌ କଣ୍ଟ୍ରୋଲ୍‌ ଫର୍‌ କ୍ରିକେଟ୍‌ ଇନ୍‌ ଇଣ୍ଡିଆ’ (ବିସିସିଆଇ) ଘୋଷଣା କରୁଛି। ରାଜକୋଟରେ ଚାଲିଥିବା ୩ୟ ମ୍ୟାଚ୍‌ର ଦ୍ବିତୀୟ ଦିନର ଖେଳ ଶେଷ ହେବା ପରେ ଅଶ୍ବିନ ପାରିବାରିକ ଜରୁରୀ ପରିସ୍ଥିତିରେ ଯୋଗ ଦେବାକୁ ସାମୟିକ ଭାବେ ଖେଳରୁ ବିରତି ନେଇଥିଲେ।

ସଦ୍ୟତମ ସୂଚନା ଅନୁସାରେ, ଆଜି ରାଜକୋଟରେ ଚାଲିଥିବା ଏହି ଟେଷ୍ଟ୍‌ ମ୍ୟାଚ୍‌ର ୪ର୍ଥ ଦିନର ମଧ୍ୟାହ୍ନ ଭୋଜନ ବିତରି ବେଳକୁ ଭାରତ ୪ ୱିକେଟ୍‌ ବିନିମୟରେ ୩୧୪ ରନ୍‌ କରି ଇଂଲଣ୍ଡ ବିପକ୍ଷରେ ୪୪୦ ରନ୍‌ରେ ଅଗ୍ରଣୀ ଥିଲା।

ସମ୍ବନ୍ଧିତ ଖବର