ୟୁଟ୍ୟୁବ୍ ମେଡିସିନ୍
ମାଧବଚନ୍ଦ୍ର ସ୍ବାଇଁ
ମାଖୁନାବାବୁଙ୍କ ବୟସ ସତୁରି ଟପିଲାଣି। ଓଡ଼ିଶା ବାହାରେ ଥିବା ତାଙ୍କ ପୁଅ ମନୋଜ ବାପାଙ୍କୁ ଗୋଟାଏ ନୂଆ ମୋବାଇଲ୍ ଫୋନ୍ ଦେଇଥିବାରୁ, ମାଖୁନାବାବୁ ତା’ର ଭରପୂର ଫାଇଦା ଉଠାଉଛନ୍ତି। ହ୍ବାଟ୍ସଆପ୍, ଫେସ୍ବୁକ୍ର ସଦୁପଯୋଗ ସହିତ ୟୁଟ୍ୟୁବ୍କୁ ସେ ଛାଡୁନାହାନ୍ତି।
ମାଖୁନାବାବୁ ବୟସାଧିକ ଯୋଗୁଁ ନାନାପ୍ରକାର ଛୋଟକାଟିଆ ବେମାରିରେ ପୀଡ଼ିତ। ଡାକ୍ତର ଫିସ୍ ଏତେ ବଢ଼ିଗଲାଣି ଯେ ସେ ଡାକ୍ତରଙ୍କ ପାଖକୁ ଯିବାକୁ ଡରିଲେଣି। କେତେକ ଡାକ୍ତର କ୍ଲିନିକ୍ରେ ବସୁଥିବାରୁ କ୍ଲିନିକ୍ ମାଲିକଙ୍କୁ ଲାଭବାନ୍ କରିବା ପାଇଁ ଦାମୀ ଓଷଦ ସହିତ ନାନା ପ୍ରକାର ପରୀକ୍ଷା କରିବା ପାଇଁ ଲେଖିଦେଉଥିବାରୁ ରୋଗୀର ଅବସ୍ଥା ବାରଣ୍ଡା ଦି’କଡ଼ା। ତେଣୁ ମାଖୁନାବାବୁ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ କେନ୍ଦ୍ର କିମ୍ବା ନିକଟସ୍ଥ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭରଶୀଳ।
ୟୁଟ୍ୟୁବ୍ରେ ବିଭିନ୍ନ ରୋଗର ନିରାକରଣ ପାଇଁ ସରଳ ଉପଚାର ମିଳିଥାଏ। ଆଣ୍ଠୁଗଣ୍ଠି ଘୋଳାବିନ୍ଧା, ଭାତୁଡ଼ି, କଳାଦାଗ, କଣନଖାର ଉପଚାର ପାଇଁ ଖୁବ୍ ସହଜ ଉପାୟ ମିଳୁଥିବାରୁ ମାଖୁନାବାବୁ ଏଥିରେ ପୂରା ଆଗ୍ରହୀ।
ବୃଦ୍ଧ ବୟସରେ ମାଖୁନାବାବୁଙ୍କର ବେମାରି ହେଉଛି ଘନ ଘନ ପରିସ୍ରା ଯିବା। ଘନ ଘନ ପରିସ୍ରା ଫଳରେ ରାତିରେ ନିଦ୍ରାରେ ବ୍ୟାଘାତ। ସ୍ତ୍ରୀ ଚମ୍ପାବତୀ ଏଥିପାଇଁ ନାନା ପ୍ରକାର କଟୁବାକ୍ୟ ପ୍ରୟୋଗ କରନ୍ତି। ମାତ୍ର ମାଖୁନାବାବୁ ୟୁଟ୍ୟୁବ୍ରୁ ଏଥିପାଇଁ ସରଳ ମେଡିସିନ୍ ପାଇବାକୁ କେବେ ପଛଘୁଞ୍ଚା ଦେଇନାହାନ୍ତି। ହଠାତ୍ ସୁଯୋଗକୁ ଦିନେ ଜଣେ ୟୁଟ୍ୟୁବ୍ରେ କହିଲେ- ଘନ ଘନ ପରିସ୍ରା ହେଉଥିଲେ ଏଥିପାଇଁ ପାଚିଲା ପିଜୁଳି ରାମବାଣ ସଦୃଶ। ଗୋଟିଏ ପାଚିଲା ପିଜୁଳିକୁ ଧୋଇ ଖଣ୍ଡ ଖଣ୍ଡ କାଟି ଏକ ପାତ୍ରରେ ପାଣି ରଖି, ପିଜୁଳି କଟାଖଣ୍ଡକୁ ରାତିରେ ପକାଇ ଦେଇ, ସେଥିରେ ଚିମୁଟାଏ ଖାଇବା ସୋଡ଼ା ପକାଇଦେବେ। ସକାଳୁ ସେହି ସୋଡ଼ା ପାଣି ମିଶା ପିଜୁଳି ଖଣ୍ଡକୁ ସକାଳୁ ସକାଳୁ ସାତ ଦିନ ଖାଇଲେ ବହୁମୂତ୍ର ବେମାରି ଭଲ ହୋଇଯିବ। ତା’ପରେ ଆଉ ଏକ ଉପଚାର ଆସିଲା। ତାହା ହେଉଛି, ରାତିରେ ଖାଇସାରିଲା ପରେ ଗୋଟିଏ ଦୁଇଟି ପାଚିଲା କଦଳୀ ନିୟମିତ ଖାଇଲେ ଘନ ଘନ ପରିସ୍ରାରୁ ମୁକ୍ତି ପାଇବେ।
କଦଳୀ ଉପଚାରଟି ମାଖୁନାବାବୁଙ୍କ ମନକୁ ଖୁବ୍ ପାଇଲା। ବାସ୍ ଆରମ୍ଭ ହୋଇଗଲା ରାତିରେ ଖାଇସାରିବା ପରେ କଦଳୀ ଖାଇବା। ଏପରିକି ଯେଉଁଦିନ ବଜାରରୁ କଦଳୀ ଆଣିବାକୁ ଭୁଲିଯାଇଥାନ୍ତି, ସ୍ତ୍ରୀ ଚମ୍ପାବତୀ ଭୋଗ ପାଇଁ ରଖିଥିବା କଦଳୀରେ ହାତ ମାରି ନାନା ବୋଲଣା ଶୁଣନ୍ତି।
ଆହୁରି ପଢ଼ନ୍ତୁ- Zimbabwe:ଜିମ୍ବାଓ୍ବେ : ଫେରିଲା ବିଶ୍ବ କ୍ରିକେଟ୍ର ‘ଜାୟାଣ୍ଟ୍ କିଲର୍’
ପ୍ରତିଦିନ ରାତିରେ କଦଳୀ ଖାଇବା ଦ୍ବାରା ଏ ଶୀତଦିନେ ମାଖୁନାବାବୁ କାଶ ରୋଗରେ ପୀଡ଼ିତ ହେଲେ। ଛେପ ଖଙ୍କାର କଫରେ ଘରଦ୍ବାର ଅସନା ହେଲା। ସ୍ତ୍ରୀ ଚମ୍ପାବତୀ କହିଲେ କୋଉ ଡାକ୍ତର ଶୀତଦିନେ କଦଳୀ ଖାଇବାକୁ କହିଲା କେଜାଣି, ଏବେ କଦଳୀଖିଆର ମଜା ବାହାରୁଚି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ଓଷଦ ଆଣୁନା।
ମାଖୁନାବାବୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଗଲେ। ଡାକ୍ତର ଦଶଟି ବଟିକା ଓ କଫ୍ସିରପ୍ ପ୍ରେସ୍କ୍ରିପ୍ସନ୍ରେ ଲେଖିଦେଲେ, ହେଲେ ବଟିକା ମିଳିଲା କିନ୍ତୁ କଫ୍ସିରପ୍ ନ ଥିଲା। ବାହାରୁ କିଣିବା ପାଇଁ କହିବାରୁ ମାଖୁନାବାବୁ ନିଆଁବାଣ। ପାଟିତୁଣ୍ଡ କରି ଆସି ବାହାର ଦୋକାନରୁ ଅଶୀଟଙ୍କା ଦେଇ କଫ୍ସିରପ୍ କିଣି, ନିଜ ଗାଲକୁ ନିଜେ ଚାପୁଡ଼ା ମାରି ୟୁଟ୍ୟୁବ୍ ମେଡିସିନ୍ର ସାତପୁରୁଷ ଶ୍ରାଦ୍ଧ କରି ରହିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/11/15/2025-11-15t113812157z-whatsapp-image-2025-11-13-at-33111-pm-2025-11-15-17-08-12.jpeg)
/sambad/media/media_files/2026/02/18/a1-2026-02-18-15-44-11.jpg)