ଛତ୍ରପୁର: ଓଡ଼ିଆ ଜାତି ଓ ଜାଗୃତିର ପ୍ରାଣକେନ୍ଦ୍ର ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ସମସ୍ତ ଦେବଦେବୀଙ୍କ ମଧ୍ୟରେ ଶ୍ରେଷ୍ଠ ହେଉଛନ୍ତି ମହାପ୍ରଭୁ ଶ୍ରୀପୁରୁଷୋତ୍ତମ, ପୃଥିବୀର ସବୁ ଆଧ୍ୟାତ୍ମିକ କ୍ଷେତ୍ର ମଧ୍ୟରେ ଶ୍ରେଷ୍ଠ ହେଉଛି ଶ୍ରୀକ୍ଷେତ୍ର। ଓଡ଼ିଶାର ପ୍ରତ୍ୟକ ବ୍ୟକ୍ତି ମୁଖ୍ୟତଃ ଆମର ବରିଷ୍ଠ ନାଗରିକ ଅର୍ଥାତ ଆମର ଗୁରୁଜନମାନେ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ସବୁବେଳେ ବ୍ୟାକୁଳ ହୋଇ ରହିଥାନ୍ତି। ମହୋଦଧିରେ ସ୍ନାନ, ମହାପ୍ରଭୁଙ୍କ ଦର୍ଶନ ଓ ମହାପ୍ରସାଦ ସେବନ ହେଉଛି ପ୍ରତି ଓଡ଼ିଆର ସର୍ବଶ୍ରେଷ୍ଠ ଧନ ଓ ମାନ। ଆଜି ସେହି ପୁଣ୍ୟ ପୟୋଧିତ ଭୂମିକୁ ଯାଇ ମହାପ୍ରଭୁଙ୍କ ସହଜ ଓ ସାବଲୀଳ ଦର୍ଶନ ପାଇଁ ରାଜ୍ୟ ସରକାର ନେଇ ଆସିଛନ୍ତି ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା।
ଆଜି ରାଜ୍ୟର ୫ ଟି ଜିଲ୍ଲାରେ ଏକା ସାଥିରେ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ ହୋଇଛି। ନବରଙ୍ଗପୁରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ମହତ୍ୱାକାଂକ୍ଷୀ ଯୋଜନାର ଶୁଭ ଉଦଘାଟନ କରିଥିବାବେଳେ ଗଂଜାମ ଜିଲ୍ଲାର ଛତ୍ରପୁରର ମିନି ଷ୍ଟାଡିୟମଠାରୁ ବାଣିଜ୍ୟ ଓ ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏହି ଯୋଜନା ଅନ୍ତର୍ଗତ ତୀର୍ଥଯାତ୍ରୀ ବସର ଶୁଭାରମ୍ଭ କରିଛନ୍ତି। ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ମାଟିର ମଣିଷ । ସାଧାରଣ ଲୋକଙ୍କର ମନର କଥା ଜାଣିଛନ୍ତି। ସାଧାରଣ ଲୋକଟିର ସୁଖଦୁଃଖ ଜାଣିଛନ୍ତି। ତେଣୁ ଗୋଟିଏ ପରେ ଗୋଟିଏ ଲୋକହିତୈଷୀ ଯୋଜନା ନେଇଆସୁଛନ୍ତି। କିଛିଦିନତଳେ ମା ତାରାତାରିଣୀଙ୍କ ପବିତ୍ର ପୀଠରୁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର ଶୁଭାରମ୍ଭ କରିଥିଲେ। ଆଜି ଆରମ୍ଭ କରିଛନ୍ତି ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି।
/filters:format(webp)/sambad/media/media_files/2026/02/13/whatsapp-image-2026-02-13-18-01-28.jpeg)
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହାତ, ଗୋଡ, କାନ, ଆଖିପତା ନାହିଁ ତା ସତ୍ୱେ ତାଙ୍କ ପାଖରେ ଯେଉଁ ଆତ୍ମିକ ଆକର୍ଷଣ, ଦୃଶ୍ୟ ଆବେଗ ଓ ଅଦୃଶ୍ୟ ବେଗ ରହିଛି ତାହା ଅକଳ୍ପନୀୟ ବୋଲି ମନ୍ତ୍ରୀ କହିବା ସହିତ କୁମ୍ଭୀର ଓ ହସ୍ତୀ ମଧ୍ୟରେ ଖାଦ୍ୟ ଖାଦକର ଯୁଦ୍ଧ, ବାଳି ଓ ସୁଗ୍ରୀବଙ୍କ ମଧ୍ୟରେ ଭାଇ-ଭାଇର ଯୁଦ୍ଧ ଏବଂ ଭୀମ ଓ ଦୁର୍ଯ୍ୟୋଧନ ଯୁଦ୍ଧ ସମୟରେ ପ୍ରଭୁଙ୍କ ଆଗମନ ଓ ପରାଜିତ ଯୋଦ୍ଧାର ଅଭିମାନ ସମ୍ପର୍କିତ ଲୋକକଥିତ ଓ ପୌରାଣିକ କାହାଣୀ ବର୍ଣ୍ଣନା କରିଥିଲେ। ଆପଣମାନେ ମହାପ୍ରଭୁଙ୍କୁ ଆପଣଙ୍କ ପରିବାର ଓ ଗ୍ରାମର ସର୍ବାଙ୍ଗୀନ ମଙ୍ଗଳ ପାଇଁ ପ୍ରାର୍ଥନା କରିବା ସହ ଗଂଜାମ, ଓଡ଼ିଶା ଓ ସରକାରଙ୍କ ସର୍ବାଙ୍ଗୀନ ମଙ୍ଗଳ ପାଇଁ ଜଣାଇବା ପାଇଁ ତୀର୍ଥଯାତ୍ରୀମାନଙ୍କୁ ଅନୁରୋଧ କରିଛନ୍ତି।
ଆହୁରି ପଢ଼ନ୍ତୁ: Acid Attack: ଏସିଡ୍ ମାଡ଼ରେ ଜୀବନ ହାରିଥିଲେ ପୀଡିତା, ଫାଶୀଦଣ୍ଡ ପାଇଲା ଦୋଷୀ
ପ୍ରଥମ ପର୍ଯ୍ୟାୟରେ ଆଜି ରାଜ୍ୟର ୫ଟି ଜିଲ୍ଲାର ୫୪୦ ଜଣ ବରିଷ୍ଠ ନାଗରିକ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ସୁଯୋଗ ପାଇଛନ୍ତି। ଗଞ୍ଜାମ ଜିଲ୍ଲାରୁ ୭୪ ଜଣ ବରିଷ୍ଠ ନାଗରିକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ସୁଯୋଗ ପାଇଛନ୍ତି। ଚଳିତ ବର୍ଷ ପ୍ରାୟ ୫ ହଜାର ଯୋଗ୍ୟ ହିତାଧିକାରୀଙ୍କୁ ଏହି ଯୋଜନା ମାଧ୍ୟମରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ। ଆଗାମୀ ୪ ବର୍ଷ ମଧ୍ୟରେ ୧ ଲକ୍ଷ ୨୦ ହଜାର ବରିଷ୍ଠ ନାଗରିକ ତାସହିତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲୋକମାନଙ୍କର ଅନୁରୋଧ ବଢିଲେ ଅଧିକ ଲୋକଙ୍କ ପାଇଁ ବ୍ୟବସ୍ଥାକୁ ସମ୍ପ୍ରସାରିତ କରାଯିବ।
ବୟସ, ଦୂରତା କିମ୍ବା ଆର୍ଥିକ ପ୍ରତିବନ୍ଧକ ଆଉ ଆମର ବୟୋଜ୍ୟେଷ୍ଠ ଭକ୍ତମାନଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦିବ୍ୟଦର୍ଶନ ଓ ଦିବ୍ୟଅନୁଭୂତି ନେବାରୁ ବଂଚିତ କରିପାରିବ ନାହିଁ। ଏହି ଯୋଜନା ମାଧ୍ୟମରେ ବରିଷ୍ଠ ନାଗରିକ, ଆର୍ଥିକ ଦୁର୍ବଳ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ପୁରୀ ଶ୍ରୀମନ୍ଦିରକୁ ନିଶୁଳ୍କ ଯାତ୍ରା ସୁବିଧା ଯୋଗାଇ ଦିଆଯିବ। ଏହି ଯୋଜନା ୬୦ ରୁ ୭୫ ବୟସ ମଧ୍ୟରେ ଆର୍ଥିକ ଦୁର୍ବଳ ଶ୍ରେଣୀର ବରିଷ୍ଠ ନାଗରିକ ଏବଂ ୭୫ ବୟସ ମଧ୍ୟରେ ସମସ୍ତ ବିଧବାମାନଙ୍କୁ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ କରିବାର ଦୀର୍ଘକାଳୀନ ସ୍ୱପ୍ନ ପୂରଣ କରିବାରେ ସାହାଯ୍ୟ କରିବ ବୋଲି ଅତିଥିମାନେ ଉଲ୍ଲେଖ କରିଥିଲେ।
ଆହୁରି ପଢ଼ନ୍ତୁ: Himachal Murder: ହିମାଚଳ ପ୍ରଦେଶରେ ମଧ୍ୟାହ୍ନଭୋଜନ କର୍ମୀଙ୍କୁ ସ୍କୁଲ ଭିତରେ ହତ୍ୟା
ଆଜି ପ୍ରଥମ ପର୍ଯ୍ୟାୟରେ ଗଂଜାମ ଜ଼ିଲ୍ଲାର ବିଭିନ୍ନ ଅଂଚଳରୁ ଆସିଥିବା ପ୍ରାୟ ୭୪ ଜଣ ବରିଷ୍ଠ ନାଗରିକ ଦୁଇଟି ସୁସଜ୍ଜିତ ଶୀତତାପ ନିୟନ୍ତ୍ରିତ ବସରେ ଛତ୍ରପୁରରୁ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି। ସେମାନଙ୍କର ସୁବିଧା ଅସୁବିଧା ବୁଝିବା ପାଇଁ ଏସ୍କର୍ଟ ଅଫିସର ଓ ପାରାମେଡିକାଲ ଷ୍ଟାଫ ସାଥିରେ ଯାଇଛନ୍ତି। ପରବର୍ତ୍ତୀ ସମୟରେ ପଞ୍ଜିକରଣ କରିଥିବା ଜ଼ିଲ୍ଲାର ହଜାର ହଜାର ବରିଷ୍ଠ ନାଗରିକ ଏହି ଯୋଜନାର ସୁବିଧା ପାଇବେ। ଏହି ଯୋଜନାରେ ସମସ୍ତ ଯୋଗ୍ୟ ହିତାଧିକାରୀମାନଙ୍କ ପାଇଁ ଶୀତତାପ ନିୟନ୍ତ୍ରିତ ବସରେ ଯାତ୍ରା କରିବାର ସୁବିଧା ସହ ରହିବା ପାଇଁ ପୁରୀର ବୃନ୍ଦାବତୀ ନିବାସରେ ସମସ୍ତ ବ୍ୟବସ୍ଥା, ମହାପ୍ରସାଦ ସେବନ ଏବଂ ପ୍ରତିଦିନ ଚାରି ଓଳି ନିରାମିଷ ଭୋଜନର ବ୍ୟବସ୍ଥା କରାଯାଇଛି। ଏହା ସହିତ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି।
/filters:format(webp)/sambad/media/media_files/2026/02/13/whatsapp-image-2026-02-13-18-02-04.jpeg)
ଏହି କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ଜେନାଙ୍କ ସମେତ ଖଲ୍ଲିକୋଟ ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଓଡିଶା ରାଜ୍ୟ ସଡକ ପରିବହନ ନିଗମର ମୁଖ୍ୟ ପରିଚାଳକ ସଂଜୟ ବିଶ୍ଵାଳ, ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ୱାସନ, ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟି, ସମେତ ଅତିରିକ୍ତ ଜିଲ୍ଲାପାଳ ସୁନୀଲ କୁମାର କେର୍କେଟା, ଛତ୍ରପୁର ଉପଜ଼ିଲ୍ଲାପାଳ ଶିବାଶିଷ ବରାଳ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ, ଜ଼ିଲ୍ଲା ପର୍ଯ୍ୟଟନ ଅଧିକାରୀ ଜନକ ତରାଇ, ଅତିରିକ୍ତ ଉପଜ଼ିଲ୍ଲାପାଳ ଶ୍ରୀ ପାର୍ଥ ହାଁସଦା ଓ ଜ଼ିଲ୍ଲାପାଳ ପ୍ରଶାସନ, ପର୍ଯ୍ୟଟନ ଓ ପରିବହନ ବିଭାଗର ବରିଷ୍ଠ ଅଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଏହି ଅବସରରେ ୫ ଜଣ ହିତାଧିକାରୀ ଯଥା କେ ଚେନେୟା ରେଡ୍ଡୀ, ପଞ୍ଚୁ ଗୌଡ଼,ଦେବ ସାହୁ, ପ୍ରମିଳା ରାଉତ ଓ ଉଦୟ ସେଠୀଙ୍କୁ ତୀର୍ଥ ଯାତ୍ରା ସମୟରେ ଆବଶ୍ୟକୀୟ ସାମଗ୍ରୀ ବଣ୍ଟନ କରାଯାଇଥିଲା। ସେମାନେ ସମସ୍ତ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ। ବିଞ୍ଚଣାପଲ୍ଲିର କଳାକାରମାନଙ୍କ ପଶୁମୁଖା ନୃତ୍ୟ ଓ ସ୍ଥାନୀୟ କଣ୍ଠଶିଳ୍ପୀଙ୍କ ଭଜନରେ ଜନସାଧାରଣ ବିଭୋର ହୋଇଥିଲେ।
Follow Us