ସମ୍ବିଧାନର ୨୬ ଛଟା

Advertisment

ବ୍ରିଟେନ୍‌, ଯୁକ୍ତରାଷ୍ଟ୍ର ଆମେରିକା, ସୋଭିଏତ୍‌ ସଂଘ, କାନାଡା, ଆୟର୍ଲାଣ୍ଡ୍‌, ଫ୍ରାନ୍‌ସ୍‌, ଜର୍ମାନୀ, ଦକ୍ଷିଣ ଆଫ୍ରିକା ଓ ଜାପାନ ଆଦି ଦେଶର ସମ୍ବିଧାନରୁ ନୀତିନିୟମ ଉଦ୍ଧୃତ କରାଯାଇ ସନ୍ନିବେଶ କରାଯାଇଛି ଭାରତୀୟ ସମ୍ବିଧାନରେ।

ବ୍ରିଟେନ୍‌, ଯୁକ୍ତରାଷ୍ଟ୍ର ଆମେରିକା, ସୋଭିଏତ୍‌ ସଂଘ, କାନାଡା, ଆୟର୍ଲାଣ୍ଡ୍‌, ଫ୍ରାନ୍‌ସ୍‌, ଜର୍ମାନୀ, ଦକ୍ଷିଣ ଆଫ୍ରିକା ଓ ଜାପାନ ଆଦି ଦେଶର ସମ୍ବିଧାନରୁ ନୀତିନିୟମ ଉଦ୍ଧୃତ କରାଯାଇ ସନ୍ନିବେଶ କରାଯାଇଛି ଭାରତୀୟ ସମ୍ବିଧାନରେ।

ddadgzvccvv

ବ୍ରିଟେନ୍‌, ଯୁକ୍ତରାଷ୍ଟ୍ର ଆମେରିକା, ସୋଭିଏତ୍‌ ସଂଘ, କାନାଡା, ଆୟର୍ଲାଣ୍ଡ୍‌, ଫ୍ରାନ୍‌ସ୍‌, ଜର୍ମାନୀ, ଦକ୍ଷିଣ ଆଫ୍ରିକା ଓ ଜାପାନ ଆଦି ଦେଶର ସମ୍ବିଧାନରୁ ନୀତିନିୟମ ଉଦ୍ଧୃତ କରାଯାଇ ସନ୍ନିବେଶ କରାଯାଇଛି ଭାରତୀୟ ସମ୍ବିଧାନରେ। ସମ୍ବିଧାନ ଚିଠା ପ୍ରସ୍ତୁତି ଏବଂ ବିତର୍କ ଦେଖିବା ଲାଗି ସମ୍ବିଧାନ ସଭା ଦର୍ଶକ ଗ୍ୟାଲେରିରେ ଉପସ୍ଥିତ ରହୁଥିଲେ ପଚାଶ ହଜାରରୁ ଅଧିକ ନାଗରିକ। ହସ୍ତଲିଖିତ ଏତେ ବଡ଼ ସମ୍ବିଧାନ ବିଶ୍ବରେ ଅନ୍ୟ କୌଣସି ଦେଶରେ ନାହିଁ। ଭାରତୀୟ ସମ୍ବିଧାନର ଏପରି ଅନେକ ରୋଚକ ତଥ୍ୟ ରହିଛି, ଯାହା ଅନାଲୋଚିତ ବା ସ୍ବଳ୍ପାଲୋଚିତ। ଭାରତୀୟ ସମ୍ବିଧାନର ଜଟିଳତା ଏବଂ ଅଭିନବତ୍ବ ପ୍ରତିପାଦନ କରୁଥିବା ଏଭଳି ୨୬ଟି ତଥ୍ୟାବଳିକୁ ନେଇ ଏଥରର ପ୍ରଚ୍ଛଦ ପ୍ରସଙ୍ଗ...

ରାଷ୍ଟ୍ରର ରାଜନୈତିକ ବ୍ୟବସ୍ଥା ସମ୍ବନ୍ଧୀୟ ମୌଳିକ ଢାଞ୍ଚା ଗଠନ କରିଥାଏ ସମ୍ବିଧାନ। ଦେଶବାସୀ କିଭଳି ଶାସିତ ହେବେ ସେହି ଢାଞ୍ଚା ହିଁ ନିର୍ଦ୍ଧାରଣ କରିଥାଏ। ଶାସନ ବ୍ୟବସ୍ଥା ସୁସଂଗତ କରିବା ଲାଗି ବିଶ୍ବର ପ୍ରାୟ ସବୁ ଦେଶରେ ଲିଖିତ ବା ଅଲିଖିତ ସମ୍ବିଧାନ ରହିଛି। ତନ୍ମଧ୍ୟରୁ ଲିଖିତ ସମ୍ବିଧାନ ହିସାବରେ ଭାରତୀୟ ସମ୍ବିଧାନ ସବୁଠୁ ଅଭିନବ ଓ ବୃହତ୍ତମ। ୧୯୪୯ ନଭେମ୍ବର ୨୬ରେ ଗୃହୀତ ହୋଇଥିଲେ ବି ଭାରତୀୟ ସମ୍ବିଧାନ ପ୍ରଣୀତ ହୋଇଥିଲା ୧୯୫୦ ଜାନୁଆରି ୨୬ ତାରିଖ ଦିନ। ଅବଶ୍ୟ ଏଥିରେ ଥିବା କେତେକ ବିଧିବିଧାନ ତା’ ଆଗରୁ ଭିନ୍ନ ଭିନ୍ନ ତାରିଖରେ ପ୍ରବର୍ତ୍ତନ କରାଯାଇଥିଲା। ଦୃଷ୍ଟାନ୍ତ ସ୍ବରୁପ ନାଗରିକତ୍ବ ସମ୍ବନ୍ଧୀୟ ବିଧିବ୍ୟବସ୍ଥା ଲାଗୁ ହୋଇଥିଲା ୧୯୪୯ ନଭେମ୍ବର ୨୬ରେ। ସେ ଯାହାହେଉ, ପ୍ରତିବର୍ଷ ନଭେମ୍ବର ୨୬ ତାରିଖରେ ଜାତୀୟ ସମ୍ବିଧାନ ଦିବସ ବା ଜାତୀୟ ଆଇନ ଦିବସ ପାଳନ କରାଯାଏ ଆଉ ଜାନୁଆରି ୨୬ରେ ପାଳନ କରାଯାଏ ସାଧାରଣତନ୍ତ୍ର ଦିବସ। ଭାରତୀୟ ସମ୍ବିଧାନ ପ୍ରସ୍ତୁତି ଓ ପ୍ରଣୟନ ବିଷୟରେ ଅନେକେ ଊଣାଅଧିକେ କିଛି ତଥ୍ୟ ଅବଶ୍ୟ। ସେଥିରୁ କେତେକ ତଥ୍ୟ ଖୁବ୍‌ କୌତୂହଳପ୍ରଦ ପୁଣି ସ୍ବଳ୍ପ-ଜ୍ଞାନ୍ତ। ତନ୍ମଧ୍ୟରୁ ଭାରତୀୟ ସମ୍ବିଧାନର ଜଟିଳତା ଏବଂ ଅଭିନବତ୍ବ ପ୍ରତିପାଦନ କରେ ଏଭଳି ୨୬ଟି ତଥ୍ୟାବଳି।

 ଭାରତୀୟ ସମ୍ବିଧାନର ପ୍ରସ୍ତାବକ:
୧୯୩୪ରେ ପ୍ରଥମକରି ସମ୍ବିଧାନ ସଭା ଗଠନ ଚିନ୍ତା ଆସିଥିଲା ବିପ୍ଳବୀ, ଦାର୍ଶନିକ, ରାଜନୈତିକ ତତ୍ତ୍ବବିତ୍‌ ତଥା ଭାରତରେ କମ୍ୟୁନିଷ୍ଟ୍‌ ଆନ୍ଦୋଳନର ଅଗ୍ରଦୂତ ମାନବେନ୍ଦ୍ରନାଥ ରାୟଙ୍କ ମନକୁ। ତାଙ୍କର ଏ ଚିନ୍ତାଧାରା ଗତିଶୀଳ ହେଲା ପଣ୍ଡିତ ଜବାହର୍‌ଲାଲ୍‌ ନେହେରୁଙ୍କ ଉଦ୍ୟମରେ। ନେହେରୁ ଘୋଷଣା କଲେ ଯେ ସ୍ବାଧୀନ ଭାରତ ନିମନ୍ତେ ସମ୍ବିଧାନ ପ୍ରସ୍ତୁତ କରିବ ଗୋଟାଏ ସମ୍ବିଧାନ ସଭା। ବିନା ବାହ୍ୟ ହସ୍ତକ୍ଷେପରେ ତା’ର ସଦସ୍ୟମାନେ ସାବାଳକ ଭୋଟ୍‌ ପ୍ରଥା ଅନୁଯାୟୀ ନିର୍ବାଚିତ ହେବେ। ଭାରତ ପାଇଁ ଏକ ସମ୍ବିଧାନ ପ୍ରସ୍ତୁତି ଲାଗି ସମ୍ବିଧାନ ସଭା ଗଠନ ନିମନ୍ତେ ୧୯୩୫ରେ ଭାରତୀୟ ଜାତୀୟ କଂଗ୍ରେସ ବ୍ରିଟିସ୍‌ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କଲା।

 ଅଗଷ୍ଟ ଅଫର୍‌:
୧୯୪୦ ଅଗଷ୍ଟ ୮ ତାରିଖରେ ଭାରତର ଭାଇସ୍‌ରୟ ଲର୍ଡ ଲିଙ୍ଗ୍‌ଲିଥ୍‌ଗୋ ବ୍ରିଟିସ୍‌ ସଂସଦ ତରଫରୁ ଏ ଦାବି ସଂକ୍ରାନ୍ତରେ ବିବୃତି ଜାରିକଲେ। ଏହା ‘ଅଗଷ୍ଟ ଅଫର୍‌’ ନାମରେ ଖ୍ୟାତ। କିନ୍ତୁ, ଏଥିରେ ଥିବା ବ୍ୟବସ୍ଥାମାନ ଦେଖି ଭାରତୀୟ ଜାତୀୟ କଂଗ୍ରେସ ତାହାକୁ ପ୍ରତ୍ୟାଖ୍ୟାନ କଲା। କାରଣ, ଏଥିରେ ଭାରତକୁ ପୂର୍ଣ୍ଣ ସ୍ବାଧୀନତା ମିଳିବା ଭଳି ବ୍ୟବସ୍ଥା ନ ଥିଲା। ଶେଷରେ ବ୍ରିଟିସ୍‌ ସରକାର ଏଥିରେ ଆବଶ୍ୟକ ସଂଯୋଗ-ବିଯୋଗ କରି ଭାରତକୁ କ୍ରିପ୍‌ସ୍‌ ମିସନ୍‌ ପଠାଇଲେ। ଇଂଲଣ୍ଡ୍‌ ବ୍ୟୁରୋର ଅନ୍ୟତମ ସଦସ୍ୟ ସାର୍‌ ଷ୍ଟାଫୋର୍ଡ କ୍ରିପ୍‌ସ୍‌ ୧୯୪୨ରେ ଭାରତ ଆସିଲେ। ସାଥିରେ ଆଣିଥିଲେ ଭାରତ ନିମନ୍ତେ ବ୍ରିଟିସ୍‌ ସରକାରଙ୍କ ଦ୍ବାରା ପ୍ରସ୍ତୁତ ଗୋଟାଏ ସ୍ବୟଂଶାସିତ ସମ୍ବିଧାନର ରୂପରେଖ। 

 ପରୋକ୍ଷ ନିର୍ବାଚିତ ସମ୍ବିଧାନ ସଭା:
ସମ୍ବିଧାନ ସଭା ସଦସ୍ୟ ନିର୍ବାଚନ ପ୍ରତ୍ୟକ୍ଷ କରାଇବାକୁ ଭାରତୀୟ ନେତୃବୃନ୍ଦ ଚାହୁଥିଲେ। କିନ୍ତୁ, ସେତେବେଳକାର ପରିସ୍ଥିତିରେ ଏହା ସମ୍ଭବ ନୁହେଁ ବୋଲି ବ୍ରିଟିସ୍‌ ଅଧିକାରୀ ଯୁକ୍ତି ବାଢ଼ିଥିଲେ। ବହୁ ବାଦପ୍ରତିବାଦ ପରେ ୧୯୪୬ ଜୁଲାଇ ଓ ଅଗଷ୍ଟ ମାସରେ ସମ୍ବିଧାନ ସଭା ନିମନ୍ତେ ପରୋକ୍ଷ ନିର୍ବାଚନ ଅନୁଷ୍ଠିତ ହେଲା। ଏଥିରେ ଭାରତୀୟ ଜାତୀୟ କଂଗ୍ରେସ ୨୦୮ଟି ଆସନ, ମୁସ୍‌ଲିମ୍‌ ଲିଗ୍‌ ୭୩ଟି ଆସନ ଓ ବାକି ୧୫ଟି ଆସନ ଛୋଟ ଛୋଟ ସଂଗଠନ ଓ ସ୍ବାଧୀନ ଦଳ ପାଇଲେ। ଗଡ଼ଜାତ ରାଜ୍ୟମାନଙ୍କୁ ମିଳିଥିଲା ୯୩ଟି ଆସନ, କିନ୍ତୁ ପ୍ରଥମେ ସେମାନେ ସମ୍ବିଧାନ ସଭାରେ ସାମିଲ ହେବାକୁ ଅନାଗ୍ରହୀ ଥିଲେ। ସେ ଯାହାହେଉ ୧୯୪୭ ଅଗଷ୍ଟ ବେଳକୁ ପ୍ରାୟ ସବୁ ରାଜ୍ୟ ସମ୍ବିଧାନ ସଭାକୁ ସେମାନଙ୍କ ପ୍ରତିନିଧିମାନଙ୍କୁ ପ୍ରେରଣ କରିଥିଲେ। କିନ୍ତୁ, ଦେଶ ବିଭାଜନ ଯୋଗୁଁ ସମ୍ବିଧାନ ସଭା ସଦସ୍ୟ ସଂଖ୍ୟା ୨୯୯କୁ ହ୍ରାସ ପାଇଲା।

 ପଢ଼ା ଯାଇଥିଲା ୬୦ ଦେଶର ସମ୍ବିଧାନ:
ଭାରତୀୟ ସମ୍ବିଧାନର ମୁଖ୍ୟ ବିନ୍ଧାଣି ଭାବେ ଡକ୍ଟର ଭୀମରାଓ ଆମ୍ବେଦକର୍‌ ବିବେଚିତ। ଭାରତୀୟ ସମ୍ବିଧାନର ପ୍ରକୃତ ନିର୍ମାତା କହିଲେ ଅତ୍ୟୁକ୍ତି ହେବନାହିଁ। ଏଥିପାଇଁ ସେ ପ୍ରାୟ ୬୦ଟି ଦେଶର ସମ୍ବିଧାନ ଅଧ୍ୟୟନ କରି ଏହାର ବିଭିନ୍ନ ବିଭାଗର ଅନୁଶୀଳନ କରିଥିଲେ। ଏହା ପରେ ଭାରତ ପାଇଁ ଏକ ନୂତନ ଢାଞ୍ଚା ପ୍ରସ୍ତୁତ କରିଥିଲେ। 

 ଉଧାରି ହେଲେ ବି ଅଭିନବ:
ବ୍ରିଟେନ୍‌, ଯୁକ୍ତରାଷ୍ଟ୍ର ଆମେରିକା, ସୋଭିଏତ୍‌ ସଂଘ, କାନାଡା, ଆୟର୍ଲାଣ୍ଡ୍‌, ଫ୍ରାନ୍‌ସ୍‌, ଜର୍ମାନୀ, ଦକ୍ଷିଣ ଆଫ୍ରିକା ଓ ଜାପାନ ଆଦି ଦେଶର ସମ୍ବିଧାନରୁ ନୀତିନିୟମ ଉଦ୍ଧୃତ କରାଯାଇ ସନ୍ନିବେଶ କରାଯାଇଥିବାରୁ ଭାରତୀୟ ସମ୍ବିଧାନକୁ ‘ଉଧାରି ବାକ୍‌ସ’ କୁହାଯାଏ। ପ୍ରାରମ୍ଭରେ ୩୯୫ଟି ଧାରା, ୨୨ଟି ଭାଗ ଓ ୮ଟି ଅନୁସୂଚି ଥାଇ ଏହା ବିଶ୍ବର ସର୍ବବୃହତ୍‌ ତଥା ଅଭିନବ ସମ୍ବିଧାନ ମାନ୍ୟତା ପାଇଥିଲା।

sfhfhffh

ଏଥିପାଇଁ ସମ୍ବିଧାନ ସଭା ସଦସ୍ୟମାନଙ୍କୁ କମ୍‌ ଶ୍ରମ ସ୍ବୀକାର କରିବାକୁ ପଡ଼ି ନ ଥିଲା। ଏଠାରେ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଏ ଉକ୍ତିଟି ବିଶେଷ ପ୍ରଣିଧାନଯୋଗ୍ୟ। ଥରେ ସେ କହିଥିଲେ- ‘‘ସମ୍ବିଧାନ ଯେତେ ଭଲ ହୋଇଥାଉ ପଛକେ, ତାହାକୁ ପ୍ରଣୟନ କରୁଥିବା ଲୋକେ ଯଦି ଭଲ ହୋଇ ନ ଥିବେ ସେ ସମ୍ବିଧାନ ମନ୍ଦ ବୋଲି ପ୍ରତିପାଦିତ ହେବ। ଯଦିବା ଗୋଟାଏ ସମ୍ବିଧାନ ମନ୍ଦ ହୋଇଥିବ ମାତ୍ର ତା’ର ପ୍ରଣେତାମାନେ ଭଲ ହୋଇଥିବେ, ତା’ହେଲେ ସେ ସମ୍ବିଧାନ ଭଲ ବୋଲି ବିବେଚିତ ହେବ।’’

 ବ୍ରିଟେନ୍‌ରୁ ଆସି ବି ଭାରତୀୟ ବିଭବ: 
ଅଭିନବ ହେଲେ ବି ଭାରତୀୟ ସମ୍ବିଧାନର ଭିତ୍ତି ବ୍ରିଟେନ୍‌ ସମ୍ବିଧାନ ଅନୁଯାୟୀ ପ୍ରସ୍ତୁତ କରାଯାଇଛି। ମୂଳତଃ ବ୍ରିଟେନ୍‌ ସମ୍ବିଧାନରୁ ଗୃହୀତ ହୋଇଥିବା ସଂସଦୀୟ ସରକାର, ଆଇନଗତ ଶାସନ, ବ୍ୟବସ୍ଥାପିକା କାର୍ଯ୍ୟବିଧି, ଏକକ ନାଗରିକତ୍ବ, କ୍ୟାବିନେଟ୍‌ ବ୍ୟବସ୍ଥା, ବିଶେଷ ଅଧିକାର ରିଟ୍‌, ସଂସଦୀୟ ସୁବିଧା, ଦୁଇ ସଭାବିଶିଷ୍ଟ ସଂସଦ ଆଦି ଭାରତୀୟ ସମ୍ବିଧାନର ବିଭବ ହୋଇପାରିଛି।

 ସମ୍ବିଧାନରେ ଫରାସୀ ସ୍ଲୋଗାନ୍‌: 
ଭାରତୀୟ ସମ୍ବିଧାନର ଉପକ୍ରମଣିକାରେ ସ୍ଥାନୀତ ‘ସୀମାବଦ୍ଧ ସ୍ବାଧୀନତା, ସମାନତା, ଭ୍ରାତୃତ୍ବ’ ଆଦି ଆଦର୍ଶଗତ ଶବ୍ଦାବଳି ଫରାସୀ ସମ୍ବିଧାନରେ ଥିବା ସ୍ଲୋଗାନ୍‌ରୁ ଆନୀତ। ସାଧାରଣତନ୍ତ୍ର ଚିନ୍ତାଧାରା ବି ଫରାସୀ ସମ୍ବିଧାନରୁ ଗୃହୀତ।

 ସୋଭିଏତ୍‌ ସମ୍ବିଧାନରୁ ପଞ୍ଚବାର୍ଷିକ ଯୋଜନା: 
ଭାରତୀୟ ସମ୍ବିଧାନରେ ଥିବା ପଞ୍ଚବାର୍ଷିକ ଯୋଜନା ସୋଭିଏତ୍‌ ସଂଘ ସମ୍ବିଧାନରୁ ଉଦ୍ଧୃତ। ଏତଦ୍‌ଭିନ୍ନ, ନାଗରିକମାନଙ୍କର ମୌଳିକ କର୍ତ୍ତବ୍ୟ ଏବଂ ପ୍ରସ୍ତାବନାରେ ବ୍ୟକ୍ତ ସାମାଜିକ, ଆର୍ଥିକ ଓ ରାଜନୀତିକ ଆଦି ଆଦର୍ଶ ବିଚାରବୋଧ ମଧ୍ୟ ତତ୍‌କାଳୀନ ସୋଭିଏତ୍‌ ସଂଘ ସମ୍ବିଧାନରୁ ଗୃହୀତ।

 ଆମେରିକୀୟ ସମ୍ବିଧାନ ପ୍ରସ୍ତାବନା: 
ଭ‌ାରତୀୟ ସମ୍ବିଧାନରେ ସଂଯୋଜିତ ପ୍ରସ୍ତାବନା ବା ଉପକ୍ରମଣିକା ଆମେରିକୀୟ ସମ୍ବିଧାନରେ ଥିବା ମୁଖବନ୍ଧ ଅନୁସରଣରେ ଲିଖିତ। ସେମିତି ରାଷ୍ଟ୍ରପତିଙ୍କ ବହିଷ୍କରଣ, ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟଧାରା, ମୌଳିକ ଅଧିକାର, ନ୍ୟାୟିକ ସମୀକ୍ଷା, ସ୍ବାଧୀନ ବିଚାର ବ୍ୟବସ୍ଥା ଆଦି ବି ଯୁକ୍ତରାଷ୍ଟ୍ର ଆମେରିକା ସମ୍ବିଧାନ ଅନୁଯାୟୀ ପ୍ରସ୍ତୁତ କରାଯାଇଛି।

 କାନାଡା ଯୋଗୁଁ କେନ୍ଦ୍ର ବଳୀୟାନ୍‌: 
କାନାଡା ସମ୍ବିଧାନରୁ ଗୃହୀତ ‘ସେଣ୍ଟ୍ରିଫୁଗାଲ୍‌ ଫେଡେରାଲିଜିମ୍‌’ ବ୍ୟବସ୍ଥା ଯୋଗୁଁ ଭାରତରେ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କ ଅପେକ୍ଷା କ୍ଷମତାଶାଳୀ ହୋଇପାରିଛି। ତେଣୁ, ସମ୍ବିଧାନରେ ଉଲ୍ଲେଖ ନ ଥିବା ଅନେକ କ୍ଷମତା କେବଳ କେନ୍ଦ୍ର ସରକାରଙ୍କଠାରେ ନିହିତ ରହିଛି। କେନ୍ଦ୍ର ସରକାର ରାଜ୍ୟମାନଙ୍କରେ ରାଜ୍ୟପାଳ ନିଯୁକ୍ତ କରନ୍ତି। କୌଣସି ସମସ୍ୟା ସଂକ୍ରାନ୍ତରେ ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦିଅନ୍ତି।

 ଆୟର୍ଲାଣ୍ଡ୍ ସମ୍ବିଧାନରେ ରାଷ୍ଟ୍ରପତି ନିର୍ବାଚନ: 
‘ଡିରେକ୍ଟିଭ୍‌ ପ୍ରିନ୍‌ସପ୍‌ଲ୍‌ଜ୍‌ ଅଫ୍‌ ଷ୍ଟେଟ୍‌ ପଲିସି’ ବା ଦେଶ ଶାସନ ନିମନ୍ତେ ମାର୍ଗଦର୍ଶିକା, ରାଷ୍ଟ୍ରପତି ନିର୍ବାଚନ ପଦ୍ଧତି, ରାଷ୍ଟ୍ରପତି ରାଜ୍ୟସଭାକୁ ମନୋନୀତ କରୁଥିବା ସଦସ୍ୟ ଆଦି ବ୍ୟବସ୍ଥା ଆୟର୍ଲାଣ୍ଡ୍‌ ସମ୍ବିଧାନରୁ ଆନୀତ। ‘ଡିରେକ୍‌ଟିଭ୍‌ ପ୍ରିନ୍‌ସପ୍‌ଲ୍‌ଜ୍‌ ଅଫ୍‌ ଷ୍ଟେଟ୍‌ ପଲିସି’ ଭାରତୀୟ ସମ୍ବିଧାନର ଅନ୍ୟତମ ବିଶେଷ ବୈଶିଷ୍ଟ୍ୟ ଭାବେ ବିବେଚିତ। ଏ ନୀତି ସବୁ ଜନକଲ୍ୟାଣାର୍ଥେ ସାମାଜିକ ଓ ଅର୍ଥନୈତିକ ଲକ୍ଷ୍ୟ ହାସଲ ନିମନ୍ତେ ସରକାରଙ୍କୁ ମାର୍ଗ ଦର୍ଶନ କରାଏ।

 ୱାଇମା ସମ୍ବିଧାନ ଯୋଗୁଁ ମୌଳିକ ଅଧିକାର ରଦ୍ଦ: 
ଜରୁରୀ ପରିସ୍ଥିତି ବେଳେ ରଦ୍ଦ କରାଯାଉଥିବା ମୌଳିକ ଅଧିକାର ଚିନ୍ତାଧାରା ଜର୍ମାନୀର ୱାଇମା ସମ୍ବିଧାନରୁ ନିଆଯାଇଛି।

 ଦକ୍ଷିଣ ଆଫ୍ରିକା ସମ୍ବିଧାନରୁ ସଂଶୋଧନ ବ୍ୟବସ୍ଥା: 
ସମ୍ବିଧାନ ସଂଶୋଧନ ପ୍ରକ୍ରିୟା ଏବଂ ରାଜ୍ୟସଭା ସଦସ୍ୟ ନିର୍ବାଚନ ବ୍ୟବସ୍ଥା ଦକ୍ଷିଣ ଆଫ୍ରିକା ସମ୍ବିଧାନ ଆଧାରରେ ପ୍ରସ୍ତୁତ କରାଯାଇଛି।

 ଲେଖିବାକୁ ଲାଗିଲା ୩ ବର୍ଷ:
୧୯୪୬ ଡିସେମ୍ବର ୯ ତାରିଖରେ ପ୍ରଥମେ ବସିଥିବା ସମ୍ବିଧାନ ସଭା ଠିକ୍‌ ୨ ବର୍ଷ, ୧୧ ମାସ ଓ ୧୮ ଦିନ ଲାଗିପଡ଼ି ସମ୍ବିଧାନ ନିମନ୍ତେ ଚୂଡ଼ାନ୍ତ ଚିଠା ଲେଖିଥିଲେ। ସମ୍ବିଧାନ ଚିଠା ଚୂଡ଼ାନ୍ତ ରୂପ ନେବା ଆଗରୁ ୨୦୦୦ରୁ ଅଧିକ ଥର ପରିମାର୍ଜିତ ହୋଇଥିଲା। ତା’ପରେ ଏହା ଉପରେ ବିତର୍କ ଓ ଆଲୋଚନା ହୋଇଥିଲା। ଏଥିପାଇଁ ସମ୍ବିଧାନ ସଭା ସମୁଦାୟ ୧୧ଟି ଅଧିବେଶନ ଆୟୋଜନ କରିଥିଲା। ପ୍ରଥମ ବୈଠକରେ ସଭାପତିତ୍ବ କରିଥିଲେ ଡକ୍ଟର୍‌ ସଚ୍ଚିଦାନନ୍ଦ ସିହ୍ନା। ପ୍ରଥମ ଉଦ୍‌ବୋଧନ ଦେଇଥିଲେ ଜୀବତ୍‌ରାମ୍‌ ଭଗବାନଦାସ କୃପାଳିନୀ। ଏଇଠି ମନକୁ ପ୍ରଶ୍ନ ଆସିପାରେ ଯେ ଏତେ ବଡ଼ ସମ୍ବିଧାନ ପ୍ରସ୍ତୁତି ପାଇଁ ପ୍ରାୟ ୩ ବର୍ଷ ଲାଗିଥିବା ବେଳେ ଏ ବାବଦରେ କେତେ ଟଙ୍କା ଖର୍ଚ୍ଚ ହୋଇଥିବ? ତା’ର ମଧ୍ୟ ହିସାବ ଅଛି। ଏଥିପାଇଁ ସମୁଦାୟ ଖର୍ଚ୍ଚ ହୋଇଥିଲା ୬.୪ ନିୟୁତ ଟଙ୍କା।

 ଦେଖିବାକୁ ବସିଥିଲେ ୫୩ ହଜାର ନାଗରିକ:
ସମ୍ବିଧାନ ଚିଠା ପ୍ରସ୍ତୁତି ଏବଂ ବିତର୍କ ଦେଖିବା ଲାଗି ସମ୍ବିଧାନ ସଭା ଦର୍ଶକ ଗ୍ୟାଲେରିରେ ଉପସ୍ଥିତ ରହୁଥିଲେ ୫୩ ହଜାରରୁ ଅଧିକ ନାଗରିକ। ପ୍ରାୟ ତିନି ବର୍ଷ ପର୍ଯ୍ୟନ୍ତ ସେମାନେ ସମ୍ବିଧାନ ପ୍ରସ୍ତୁତି ପ୍ରକ୍ରିୟା ସ୍ବଚକ୍ଷୁରେ ଅବଲୋକନ କରିଥିଲେ।

 ସମ୍ବିଧାନ ସଭାରେ ୧୫ ମହିଳା ସଦସ୍ୟ:
ସମ୍ବିଧାନ ସଭାରେ ଥିଲେ ସରୋଜିନୀ ନାଇଡୁ, ରାଜକୁମାରୀ ଅମୃତ କୌର୍‌, ହଂସା ଜୀବରାଜ ମେହତା, ସୁଚେତା କୃପାଳିନୀ ଓ ଜି. ଦୁର୍ଗାବାଈଙ୍କ ସମେତ ୧୫ଜଣ ମହିଳା ସଦସ୍ୟ। ସେତେବେଳେ ବିଶ୍ବର ଅନେକ ପ୍ରାନ୍ତରେ ମହିଳାଙ୍କୁ ମୌଳିକ ଅଧିକାର ମିଳୁ ନ ଥିଲା। କିନ୍ତୁ, ସମ୍ବିଧାନ ସଭାର ମହିଳା ସଦସ୍ୟମାନେ ନାରୀପୁରୁଷ ନିର୍ବିଶେଷରେ ସମସ୍ତଙ୍କ ପାଇଁ ସମାନ ଅଧିକାର ଉପରେ ଗୁରୁତ୍ବାରୋପ କରିଥିଲେ। ସମ୍ବିଧାନ ପ୍ରଣୟନ ହେବା ପରେ ଯାଇ ଭାରତୀୟ ମହିଳାମାନେ ମତଦାନ ଅଧିକାର ପାଇଲେ।

 ଟାଇପ୍‌ କି, ଛାପା ହୋଇ ନ ଥିଲା: 
ବୃହଦ୍‌କାୟ ହୋଇଥିଲେ ବି ସମ୍ବିଧାନର ହିନ୍ଦୀ ଓ ଇଂରାଜି ସଂସ୍କରଣ ଟାଇପ୍‌ କିଂବା ଛାପା ହୋଇ ନ ଥିଲା। ଦିଲ୍ଲୀରେ ବସି ପ୍ରେମ୍‌ବିହାରୀ ରାୟଜାଦା ନାମରେ ଜଣେ ବ୍ୟକ୍ତି ଏହାକୁ ଇଟାଲିକ୍‌ ବା ଡାହାଣପଟକୁ ଢଳାଇ ସୁନ୍ଦର କେଲିଗ୍ରାଫି ବା ଆଳଙ୍କାରିକ ହସ୍ତାକ୍ଷରରେ ଲେଖିଥିଲେ। ଏଥିରେ ଥିଲା ୯୦ ହଜାର ଶବ୍ଦ। ହସ୍ତଲିଖିତ ଏତେ ବଡ଼ ସମ୍ବିଧାନ ବିଶ୍ବରେ ଅନ୍ୟ କୌଣସି ଦେଶରେ ନାହିଁ। ଭାରତର ସମ୍ବିଧାନ ପ୍ରଥମେ ପ୍ରକାଶିତ ହୋଇଥିଲା ଡେରାଡୁନ୍‌ରେ ଓ ଏହାକୁ ଲିଥୋଗ୍ରାଫ୍ କରିଥି‌ଲା ସର୍ଭେ ଅଫ୍‌ ଇଣ୍ଡିଆ। ଏଥିରେ ଥିଲା ସମୁଦାୟ ୧୧୭,୩୬୯ଟି ଶବ୍ଦ।

 ସବୁ ପୃଷ୍ଠାରେ ଅଳଙ୍କରଣ 
ସମ୍ବିଧାନର ପ୍ରତି ପୃଷ୍ଠାରେ ଭିନ୍ନ ଭିନ୍ନ ଅଳଙ୍କରଣ କରିଥିଲେ ବ୍ୟୋହାର୍‌ ରାମମନୋହର ସିହ୍ନା ଓ ନନ୍ଦଲାଲ୍‌ ବୋଷଙ୍କ ସମେତ ଶାନ୍ତିନିକେତନର ବହୁ ଚିତ୍ରକାର। ଏ ସବୁ ଚିତ୍ରାବଳି ସିନ୍ଧୁ ଉପତ୍ୟକାର ମହେଞ୍ଜୋଦାରୁରୁ ନେଇ, ବୈଦିକ ଯୁଗ, ଗୁପ୍ତ ଓ ମୌର୍ଯ୍ୟ ସାମ୍ରାଜ୍ୟ, ମୋଗଲ ଯୁଗ ଓ ସ୍ବାଧୀନତା ଆନ୍ଦୋଳନ ଭଳି ବିଭିନ୍ନ ଐତିହାସିକ ଘଟଣା ଉପରେ ଆଧାରିତ। ସେମିତି ସମ୍ବିଧାନର ପ୍ରତ୍ୟେକ ଭାଗ ଆରମ୍ଭ ହୋଇଥିଲା ଭାରତର ଜାତୀୟ ଇତିହାସର ଗୋଟାଏ ପର୍ଯ୍ୟାୟ ଅଥବା ଦୃଶ୍ୟ ଚିତ୍ରଣରୁ। ସମ୍ବିଧାନର ପ୍ରସ୍ତାବନା ବା ଉପକ୍ରମଣିକା ପୃଷ୍ଠାଟି ଅଳଙ୍କରଣ କରିଥିଲେ ବ୍ୟୋହାର୍‌ ରାମମନୋହର ସିହ୍ନା। ଜାତୀୟ ସଙ୍କେତ ଅଙ୍କନ କରିଥିଲେ ନନ୍ଦଲାଲ୍‌ଙ୍କ ଶିଷ୍ୟ ଦୀନନାଥ ଭାର୍ଗବ।

 ସମ୍ବିଧାନର ‘ମାଗ୍ନା କାର୍ଟା’:
ନାଗରିକଙ୍କ ନିମନ୍ତେ ମୌଳିକ ଅଧିକାର ଥିବାରୁ ଭାରତୀୟ ସମ୍ବିଧାନର ତୃତୀୟ ଭାଗକୁ କୁହାଯାଏ ‘ମାଗ୍ନା କାର୍ଟା’। ଲାଟିନ୍‌ ଭାଷାରୁ ଆନୀତ ଏ ଶବ୍ଦଦ୍ବୟର ଅର୍ଥ ଅଧିକାର ସମୂହ। ୧୨୧୫ରେ ଇଂଲଣ୍ଡ୍‌ର ରାଜା ଜନ୍‌ ନାଗରିକମାନଙ୍କ ଉଦ୍ଦେଶ୍ୟରେ ଏଥିରେ ସ୍ବାକ୍ଷର କରିଥ‌ିଲେ। ଏହା ଥିଲା ନାଗରିକମାନଙ୍କ ନିମନ୍ତେ ପ୍ରଥମ ଲିଖିତ ଦଲିଲ୍‌।

 ଭାରତର କ୍ଷୁଦ୍ର ସମ୍ବିଧାନ:
୧୯୭୬ରେ ଜରୁରୀ ପରିସ୍ଥିତି ସମୟରେ କରାଯାଇଥିବା ୪୨ତମ ସଂଶୋଧନ ଆଇନ ମଧ୍ୟ ‘ମିନି କନ୍‌ଷ୍ଟିଚ୍ୟୁସନ୍‌’ ବା ‘କ୍ଷୁଦ୍ର ସମ୍ବିଧାନ’ ଭାବେ ସୁପରିଚିତ। ଏହା ଥିଲା ଅତି ଗୁରୁତ୍ବପୂର୍ଣ୍ଣ ଭାରତୀୟ ସମ୍ବିଧାନ ସଂଶୋଧନ। ଏଥିରେ ବହୁସଂଖ୍ୟକ ସ‌ଂଶୋଧନ କରାଯାଇଥିଲା। ଏହି ସମୟରେ ସମ୍ବିଧାନର ପ୍ରସ୍ତାବନା ବା ମୁଖବନ୍ଧରେ ‘ସମାଜତାନ୍ତ୍ରିକ’ ଓ ‘ଧର୍ମନିରପେକ୍ଷ’ ଶବ୍ଦ ଦୁଇଟି ଅନ୍ତର୍ଭୁକ୍ତ କରାଯାଇଥିଲା।

 ସଙ୍କଳ୍ପ ହେଲା ପ୍ରସ୍ତାବନା:
ପ୍ରଥମେ ସମ୍ବିଧାନର ଉପକ୍ରମଣିକାର ଶିରୋନାମା ଥିଲା ‘ଅବ୍‌ଜେକ୍‌ଟିଭ୍‌ ରିଜୋଲ୍ୟୁସନ୍‌’। ପରବର୍ତ୍ତୀ ସମୟରେ ତାହା ବଦଳି ହେଲା ‘ପ୍ରିୟମ୍ବଲ୍‌ ଅଫ୍‌ ଦି କନ୍‌ଷ୍ଟିଚ୍ୟୁସନ୍‌’। ଏହା ସମ୍ବିଧାନ‌େର ଅନ୍ତର୍ନିହିତ ନୀତି ସଂକ୍ରାନ୍ତରେ ସୂଚନା ଦିଏ। ଏହାକୁ ଉପସ୍ଥାପନା କରିଥିଲେ ଜବାହର୍‌ଲାଲ୍‌ ନେହେରୁ। ଭାରତୀୟ ସମ୍ବିଧାନର ‘ପ୍ରିୟମ୍ବଲ୍‌’ ଯୁକ୍ତରାଷ୍ଟ୍ର ଆମେରିକା ସମ୍ବିଧାନର ‘ପ୍ରିୟମ୍ବଲ୍‌’ ଦ୍ବାରା ପ୍ରେରିତ। ଦୁଇ ଦେଶର ‘ପ୍ରିୟମ୍ବଲ୍‌’ ‘ଉଇ ଦି ପିପୁଲ୍‌’ରୁ ଆରମ୍ଭ ହୋଇଛି।

 ପ୍ରଥମ ଓ ଶେଷ ସ୍ବାକ୍ଷରକାରୀ:
୧୯୫୦ ଜାନୁଆରି ୨୪ ତାରିଖରେ ନୂଆଦିଲ୍ଲୀସ୍ଥିତ ପାର୍ଲାମେଣ୍ଟ୍‌ର ସେଣ୍ଟ୍ରାଲ୍‌ ହଲ୍‌ ଭାବେ ସୁପରିଚିତ କନ୍‌ଷ୍ଟିଚ୍ୟୁସନ୍‌ ହଲ୍‌ରେ ଭାରତୀୟ ସମ୍ବିଧାନରେ ସ୍ବାକ୍ଷର କରାଯାଇଥିଲା। ଏଥିରେ ସ୍ବାକ୍ଷର କରିଥିଲେ ସମ୍ବିଧାନ ସଭାର ୨୮୪ଜଣ ସଦସ୍ୟ। କିନ୍ତୁ, ପ୍ରତ୍ୟେକ ସଦସ୍ୟଙ୍କୁ ଥରେ ଇଂରାଜୀ ଓ ପୁଣି ଥରେ ହିନ୍ଦୀରେ- ଏମିତି ଦୁଇଥର ସ୍ବାକ୍ଷର କରିବାକୁ ପଡ଼ିଥିଲା। ସମ୍ବିଧାନରେ ପ୍ରଥମେ ସ୍ବାକ୍ଷର କରିଥିଲେ ଦେଶର ପ୍ରଥମ ରା‌ଷ୍ଟ୍ରପତି ଡକ୍ଟର୍‌ ରାଜେନ୍ଦ୍ରପ୍ରସାଦ; ସବା ଶେଷରେ ସ୍ବାକ୍ଷର କରିଥିଲେ ସମ୍ବିଧାନ ସଭାର ତତ୍‌କାଳୀନ ସଭାପତି ଫିରୋଜ୍‌ ଗାନ୍ଧୀ।

 ସମ୍ବିଧାନର ହୃତ୍‌ପିଣ୍ଡ ଓ ଆତ୍ମା:
ଧାରା ୩୨କୁ ଭାରତୀୟ ସମ୍ବିଧାନର ହୃତ୍‌ପିଣ୍ଡ ଓ ଆତ୍ମା ଭାବେ ଅଭିହିତ କରାଯାଏ। ଏଥିରେ ସାମ୍ବିଧାନିକ ପ୍ରତିକାର ଅଧିକାର ସଂକ୍ରାନ୍ତରେ ବର୍ଣ୍ଣନା କରାଯାଇଛି।

 ବ୍ରିଟିସ୍‌ ପାର୍ଲାମେଣ୍ଟ୍‌ ଦ୍ବାରା ପ୍ରବର୍ତ୍ତିତ ଆଇନ:
ଥରେ ବିଶ୍ବକବି ରବୀନ୍ଦ୍ରନାଥ ଠାକୁର କହିଥିଲେ, ‘‘ମୁଁ ନିଶ୍ଚିତ ଯେ ଦିନେ ଇଂରେଜ୍‌ମାନେ ଏ ଦେଶ ଛାଡ଼ି ଚାଲିଯିବେ, କିନ୍ତୁ ମୁଁ ନିଶ୍ଚିତ, ଯିବା ଆଗରୁ ସେମାନେ ଏତେ ଅଳିଆ ଆବର୍ଜନା ଛାଡ଼ିଦେଇ ଯିବେ ଯେ ପିଢ଼ି ପରେ ପିଢ଼ି ଭାରତୀୟ ତାହାକୁ ସଫା କରିବାକୁ ସମର୍ଥ ହେବେନାହିଁ।’’ ଏଥିରୁ ପରୋକ୍ଷ ଆଭାସ ମିଳେ ଯେ ପୁରାତନ ସଭ୍ୟତା ଜଠରୁ ନୂତନ ସଭ୍ୟତା ଜାତହୁଏ। ଭାରତ ପ୍ରାୟ ଦୁଇଶତ ବର୍ଷ ବ୍ରିଟିସ୍‌ ଶାସନାଧୀନ ରହିଲା। ଏ ସମୟ ମଧ୍ୟରେ ଇଂରେଜମାନେ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ଭାରତୀୟ ରାଜନୀତି ଓ ସମାଜକୁ ରୂପାୟନ କରିବାକୁ ଉଦ୍ୟମ କରିଥିଲେ। ସେମାନଙ୍କ ପ୍ରଚେଷ୍ଟା ଓ ଭାରତୀୟମାନଙ୍କ ପ୍ରତିକ୍ରିୟା ମିଶ୍ରିତ ହେବା ହେତୁ ବ୍ରିଟିସ୍‌ ଇଣ୍ଡିଆରେ ଏକ ଅଭିନବ ରାଜନୈତିକ ବ୍ୟବସ୍ଥାର ଅଭ୍ୟୁଥାନ ହୋଇଥିଲା। ସେଥିପାଇଁ ଭାରତୀୟ ସମ୍ବିଧାନ ଚିଠା ପ୍ରସ୍ତୁତି ନିମନ୍ତେ ୧୯୪୮ରେ ସମ୍ବିଧାନ ସଭା ଆବାହନ ଆଗରୁ ଓ ୧୯୫୦ ତାହା ପ୍ରଣିତ ହେବାଠାରୁ ଆଜି ପର୍ଯ୍ୟନ୍ତ ଭାରତର ମୌଳିକ ଆଇନ ସବୁ ବ୍ରିଟିସ୍‌ ସଂସଦ ଦ୍ବାରା ପ୍ରଣିତ ଗୁଡ଼ାଏ ଆଇନରୁ ଗୃହୀତ।

 ୧୯୩୫ ଆଇନ ଆଧାରିତ ଢାଞ୍ଚା:
ପ୍ରଥମେ ୧୯୩୫ ଅଗଷ୍ଟରେ ପାରିତ ଭାରତ ସରକାର ଆଇନ- ୧୯୩୫, ତତ୍‌କାଳୀନ ବ୍ରିଟିସ୍‌ ପାର୍ଲାମେଣ୍ଟ୍‌ ଦ୍ବାରା ପ୍ରଣୀତ ଦୀର୍ଘତମ ଆଇନ ଭାବେ ବିବେଚିତ। ତାହା ଥିଲା ଭାରତରେ ଗୋଟାଏ ଆଦର୍ଶ ଓ ଦାୟିତ୍ବସମ୍ପନ୍ନ ସରକାର ପ୍ରବର୍ତ୍ତନ ନିମନ୍ତେ ବ୍ରିଟିସ୍‌ ପାର୍ଲାମେଣ୍ଟ୍‌ କରିଥିବା ସଂସ୍କାର ସବୁର ଦ୍ବିତୀୟ ପର୍ଯ୍ୟାୟ। ମୋଟାମୋଟି ସେହି ଆଇନ ହିଁ ଭାରତୀୟ ସମ୍ବିଧାନର ମୌଳିକ ଢାଞ୍ଚା। ଏହାର ମୂଳ ଚିଠା ପ୍ରସ୍ତୁତ କରିଥିଲେ ସାମୁଏଲ୍‌ ହୋର୍‌।

 ସଂସଦ ଗ୍ରନ୍ଥାଗାରରେ ସଂରକ୍ଷିତ ଅଛି ମୂଳ କପି:
ହସ୍ତଲିଖିତ ଭାରତୀୟ ସମ୍ବିଧାନ ବା ମୂଳ ସମ୍ବିଧାନର ତିନୋଟି କପି ସଂସଦ ପାଠାଗାରରେ ଗଚ୍ଛିତ ଅଛି। ‘ହିଲିୟମ୍‌’ ବାଷ୍ପଭରା ୨୨ ଇଞ୍ଚ୍‌ ଲମ୍ବ ଓ ୧୬ ଇଞ୍ଚ୍‌ ପ୍ରସ୍ତବିଶିଷ୍ଟ କେତେଗୁଡ଼ିଏ ବି‌େଶଷ ଧରଣର ଡବା ଭିତରେ ହସ୍ତଲିଖିତ ସମ୍ବିଧାନର ମୂଳ ପୃଷ୍ଠା ସବୁ ସଂରକ୍ଷିତ କରି ରଖାଯାଇଛି। କିନ୍ତୁ, ଭାରତବାସୀ ହେଲେ ଭାରତୀୟ ସମ୍ବିଧାନର ପରମ ରକ୍ଷକ। ଭାରତର ସାର୍ବଭୌମତ୍ବ ଭାରତବାସୀଙ୍କଠାରେ ନିହିତ ଏବଂ ସେମାନଙ୍କ ନାମରେ ହିଁ ଏ ସମ୍ବିଧାନ ଗୃହୀତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe