ବିରାଡ଼ି ଦେଖାଏ ୩୦୦ ଠାଣି : ୪୫ ପ୍ରତିଶତ ବନ୍ଧୁତ୍ବପୂର୍ଣ୍ଣ, ୩୭ ପ୍ରତିଶତ ଆକ୍ରମଣାତ୍ମକ

Advertisment
ବିରାଡ଼ି ଦେଖାଏ ୩୦୦ ଠାଣି : ୪୫ ପ୍ରତିଶତ ବନ୍ଧୁତ୍ବପୂର୍ଣ୍ଣ, ୩୭ ପ୍ରତିଶତ ଆକ୍ରମଣାତ୍ମକ

ଆମେମାନେ ସାଧାରଣତଃ ରାଗ, ରୋଷ, ସୁଖ, ଦୁଃଖ, ଅନୁତାପ, ଶ୍ରଦ୍ଧା ଓ ହିଂସା ପରି ନିଜ ମନର ଭାବକୁ ବିଭିନ୍ନ ମୁହଁ ଠାଣି ଦ୍ବାରା ପ୍ରକାଶ କରିଥା’ନ୍ତି। ତେବେ ବିରାଡ଼ି ଏପରି ଏକ ଗୃହପାଳିତ ଜୀବ ଯାହା ମୁହଁରେ ପାଖାପାଖି ୩୦୦ ପ୍ରକାରର ହାବଭାବ ପ୍ରକାଶିତ ହୋଇଥାଏ ବୋଲି ଏକ ଅଧ୍ୟୟନରୁ ଜଣାଯାଇଛି। ବିରାଡ଼ିମାନେ ପରସ୍ପର ସହ ଯୋଗାଯୋଗ କରିବା ପାଇଁ ବ୍ୟବହାର କରୁଥିବା ବିଭିନ୍ନ ପ୍ରକାର ଅଭିବ୍ୟକ୍ତି ଉପରେ ନିରୀକ୍ଷଣ କରୁଥିବା ଆମେରିକାର କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟର ଗବେଷକମାନେ ଏପରି ନିର୍ଯାସ ପାଇଛନ୍ତି। ତୁଳନାତ୍ମକ ଭାବେ ସିମ୍ପାଞ୍ଜି ପ୍ରାୟ ୩୫୭ ପ୍ରକାର ମୁହଁ ଠାଣି ପ୍ରକାଶ କରୁଥିବା ବେଳେ ଏହି ଗବେଷକ ଦଳ ବିରାଡ଼ି ଠାରେ ୨୭୬ ପ୍ରକାରର ହାବଭାବ ରେକର୍ଡ କରିଛନ୍ତି। ସେଥିମଧ୍ୟରୁ କିଛି ହାବଭାବ ମଣିଷ ସହ ମିଶୁଥିବା ଜଣାଯାଇଛି। ବିରାଡ଼ିମାନେ ମଣିଷ ସହିତ ଦୀର୍ଘ ୧୦ ହଜାର ବର୍ଷରୁ ରହିଆସୁଛନ୍ତି।

ଏହି ସମୟରେ ସେମାନେ ଆମଠାରୁ ଏସବୁ ଠାଣି ଶିଖିଛନ୍ତି ବୋଲି ଗବେଷକ ଦଳର ଲୋରେନ ସ୍କଟ କହିଛନ୍ତି। ଗତ ଜୁନ୍‌ରୁ ଅଗଷ୍ଟ ଭିତରେ କାଲିଫର୍ଣ୍ଣିଆର ଏକ ଦାତବ୍ୟ ବିରାଡ଼ି ଆଳୟକୁ ନିୟମିତ ପରିଦର୍ଶନ କରି ସେମାନଙ୍କ ମୁଖର ହାବଭାବର ଭିଡିଓ ରେକର୍ଡିଂ କରି ବିଶ୍ଳେଷଣ କରାଯାଇଥିଲା। ବିରାଡ଼ିର ପ୍ରତ୍ୟେକ ଅଭିବ୍ୟକ୍ତି ସେମାନଙ୍କ ଖୋଲା ପାଟି, ଭ୍ରୂକୁଞ୍ଚନ, ଆଖିର ପଲକ ଓ ନାକ ଚାଟିବା ପରି ୨୬ ପ୍ରକାର ମୁହଁ ଗତିବିଧି ମଧ୍ୟରୁ ୪ଟିର ମିଶ୍ରଣରେ ଗଠିତ। ରେକର୍ଡ କରାଯାଇଥିବା ଅଭିବ୍ୟକ୍ତି ମଧ୍ୟରୁ ୪୫ ପ୍ରତିଶତ ବନ୍ଧୁତ୍ବପୂର୍ଣ୍ଣ, ୩୭ ପ୍ରତିଶତ ଆକ୍ରମଣାତ୍ମକ ବା କ୍ରୋଧପୂର୍ଣ୍ଣ ଏବଂ ୧୮ ପ୍ରତିଶତ ଉଭୟର ଅସ୍ପଷ୍ଟ ମିଶ୍ରଣ ବୋଲି ଜଣାପଡ଼ିଛି। ତେବେ ବିରାଡ଼ିମାନେ ମୁଖ ବିକୃତି ମାଧ୍ୟମରେ ପରସ୍ପରକୁ କ’ଣ କହିବାକୁ ଚାହିଁଥାନ୍ତି, ତାହା ଏଯାଏ ସ୍ପଷ୍ଟ ହୋଇପାରିନାହିଁ। ତଥାପି ଏହି ଗବେଷଣା ବିରାଡ଼ିମାନଙ୍କ ଯତ୍ନ ନେବା ଦିଗରେ ପଶୁ ଆଶ୍ରୟସ୍ଥଳ ଓ ବିରାଡ଼ି ମାଲିକଙ୍କ ଲାଗି ସହାୟକ ହେବ ବୋଲି ଗବେଷକମାନେ ଆଶାବାଦୀ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe