ଦିଦି ମୁଁ ପହଞ୍ଚୁଛି : ଭଉଣୀକୁ ଏପରି କହି ୭ ହଜାର କିମି ଦୂରରୁ ଆସି କିଡ୍‌ନୀ ଦେଇ ଭଣଜା ଜୀବନ ବଞ୍ଚାଇଲେ ମାମୁ

ଦିଦି ମୁଁ ପହଞ୍ଚୁଛି : ଭଉଣୀକୁ ଏପରି କହି ୭ ହଜାର କିମି ଦୂରରୁ ଆସି କିଡ୍‌ନୀ ଦେଇ ଭଣଜା ଜୀବନ ବଞ୍ଚାଇଲେ ମାମୁ

ନୂଆଦିଲ୍ଲୀ: କୁହାଯାଏ ଧନସଂପତ୍ତି ସବୁ ଫିକା ପଡ଼ିଯାଏ ସଂପର୍କ ଆଗରେ। ଆପଣଙ୍କ ଜୀବନରେ ଯଦି ଆପଣଙ୍କୁ ଭଲପାଉଥିବା ମଣିଷର ଅଭାବ ନାହିଁ ତ, ଆପଣ ହେଉଛନ୍ତି ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି। ଆମେ ଆଜି ଏକ ଏପରି କାହାଣୀ ପଢାଇବୁ, ଯାହା ପଢ଼ିବା ପରେ ଆପଣଙ୍କର ନିସ୍ବାର୍ଥ ଭଲପାଇବା ଉପରେ ଭରସା ଆସିଯିବ।

କଥାଟି ହେଉଛି, ଜଣେ ୬୦ ବର୍ଷ ବୟସ୍କ ବ୍ୟକ୍ତି ତାଙ୍କ ୩୦ ବର୍ଷର ଭଣଜାଙ୍କୁ ନୂଆ ଜୀବନ ଦେଇଛନ୍ତି। ବ୍ୟକ୍ତି ଜଣକ ତାଙ୍କ ଭଣଜାଙ୍କୁ କିଡନୀ ଦାନ କରିବାକୁ ବ୍ରିଟେନ୍‌ରୁ ଭାରତ ଆସି ଉଦାହରଣ ସାଜିଛନ୍ତି। ମାମୁ ତାଙ୍କ ଭଣଜାଙ୍କ ଉପରେ ସ୍ନେହର ଏପରି ଋଣ ଲଦି ଦେଇଛନ୍ତି ଯେ ଯାହାକୁ ଭଣଜା ଚାହିଁଲେ ବି କେବେ ଶୁଝିପାରିବେ ନାହିଁ। ଏହି ଚାରିଆଡ଼େ ଏବେ ଏହି ନିସ୍ବାର୍ଥପର ମାମୁଙ୍କ ପ୍ରଶଂସା କରାଯାଉଛି।

ଏହି ମାମୁଙ୍କ ନାମ ହେଉଛି ବିନୟ ଥବୈତ୍‌। ସେ ବ୍ରିଟେନରେ ରହନ୍ତି। ବିନୟ ଜଣେ ଆଇଟି ପରାମର୍ଶଦାତା। ତାଙ୍କ ଭଣଜାଙ୍କ ନାମ ଅଶୁତୋଷ ଗୁପ୍ତା। ଆଶୁତୋଷ ଭୋପାଳରେ ରହନ୍ତି। ଆଶୁତୋଷଙ୍କ ମା ହେଉଛନ୍ତି ବିନୟଙ୍କ ବଡ଼ ଭଉଣୀ। ଆଶୁତୋଷ ହେଉଛନ୍ତି ବାପାମାଆଙ୍କର ଏକମାତ୍ର ସନ୍ତାନ। ତାଙ୍କର କିଡ୍‌ନି ଫେଲ୍‌ ‌ହେବା ପରେ ଆଶୁତୋଷଙ୍କ ବାପାମାଆଙ୍କ ମୁଣ୍ଡରେ ଯେପରି ଚଡ଼କ ପଡ଼ିଥିଲା। ପୁଅର ଜୀବନ ପାଇଁ ନିଜ କିଡ୍‌ନୀ ଦେବାକୁ ଆଗେଇ ଆସିଥିଲେ ଉଭୟ ବାପା ଓ ମାଆ। ହେଲେ କିଡ୍‌ନୀ ମେଳ ଖାଇନଥିଲା। ଅନ୍ୟପକ୍ଷରେ ୭୦୦୦ କିଲୋମିଟର୍‌ ଦୂରତା ପାର୍‌ କରି ଭଜଣାଙ୍କୁ କିଡ୍‌ନୀ ଦେବାକୁ ଧାଇଁ ଆସିଥିଲେ ବିନୟ।

ଆଶୁତୋଷ ଗୁପ୍ତା ଇନଭେଷ୍ଟମେଣ୍ଟ ବ୍ୟାଙ୍କିଙ୍ଗ ସେକ୍ଟରରେ କାମ କରନ୍ତି। ୨୦୧୯ ମସିହାରେ ଆଶୁତୋଷଙ୍କର କିଡନୀ ଫେଲ୍‌ ହୋଇଥିଲା। ପ୍ରାୟ ଚାରି ବର୍ଷ ଧରି ଆଶୁତୋଷ ନିୟମିତ ଡାଏଲିସିସ୍ ଜାରି ରଖିଥିଲେ। କିଡନୀ ଦାନ କରିବା ପାଇଁ ତାଙ୍କ ମାଆ ପ୍ରଥମେ ପରୀକ୍ଷା କରିଥିଲେ। କିନ୍ତୁ, ଉଭୟ ମାଆ ଓ ପୁଅଙ୍କ ପାଇଁ ବିପଦ ଖୁବ୍ ଅଧିକ ଥିଲା। ଏହା ମଧ୍ୟରେ ଆଶାର କିରଣ ସାଜିଥିଲେ ବିନୟ।

ସେ ତାଙ୍କ ଭଉଣୀଙ୍କୁ କହିଥିଲେ, ‘ଦିଦି, ମୁଁ ମୋର କିଡନୀ ଦାନ କରିବାକୁ ଡାକ୍ତରଖାନା ଯିବି।’ ଏହା ପରେ ବିନୟଙ୍କ ଚେକଅପ୍ କରାଗଲା। ଫଳାଫଳ ସକାରାତ୍ମକ ହେଲା। ଗତ ମାର୍ଚ ମାସରେ ସେ ଭାରତ ଆସିଥିଲେ। ଏହି କିଡନୀ ପ୍ରତିରୋପଣ ଭୋପାଳର ଏକ ହସ୍ପିଟ‌ାଲ୍‌ରେ ହୋଇଥିବା ବେଳେ ମାର୍ଚ ୨୮ ତାରିଖରେ ଉଭୟ ମାମୁ ଏବଂ ଭଣଜାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe