ନୂଆଦିଲ୍ଲୀ: ଜଣେ ବୃଦ୍ଧ ନିଜ ଜୀବନକୁ ବାଜି ଲଗାଇ ମହିଳାଙ୍କ ଜୀବନ ବଞ୍ଚାଇ ଥିବା ଘଟଣା ସାମ୍ନାକୁ ଆସିଛି। ଜଣେ ୬୦ବର୍ଷର ସିପ୍ କ୍ୟାପଟନ୍ ୪୦ଫୁଟ ଉଚ୍ଚରୁ ଡେଇଁ ଜଣେ ମହିଳାଙ୍କ ଜୀବନ ବଞ୍ଚାଇ ମାନବିକତାର ଏକ ଉଦାହରଣ ସୃଷ୍ଟି କରିଛନ୍ତି।
ଏଭଳି ଏକ ଘଟଣା ମିଆଁମାରର ଡାଲା ପୋର୍ଟରେ ଘଟିଥିଲା। ୩୪ବର୍ଷୀୟା ମହିଳା କିନ୍ ଚାନ୍ ମ୍ୟା ଅସାବଧାନତା ହେତୁ ଜାହାଜରୁ ପାଣିକୁ ଖସି ପଡ଼ିଥିଲେ। ସେ ଯେଉଁଠାରେ ଖସି ପଡ଼ିଥିଲେ, ସେହି ଦିଗରୁ ଆଉ ଏକ ଜାହାଜ ଆସୁଥିଲା। ଏହି ସମୟରେ ୬୦ବର୍ଷର କ୍ୟାପଟେନ୍ ୟୁ ମାଏଣ୍ଟ କିନ୍ ଚାନ୍ଙ୍କୁ ପାଣିରେ ଖସି ପଡ଼ିବା ଦେଖି ନିଜ ଜୀବନକୁ ଖାତିର ନକରି ୪୦ଫୁଟ ଉପରୁ ପାଣିକୁ ଡେଇଁ ପଡ଼ିଥିଲେ। ଏହି ସମୟରେ ଆଉ ଦୁଇଜଣ ଯୁବକ ବି ପାଣି ଭିତରକୁ ଡେଇଁ ମହିଳାଙ୍କ ଜୀବନ ବଞ୍ଚାଇ ଥିଲେ।
କ୍ୟାପଟେନ୍ ୟୁ ମାଏଣ୍ଟଙ୍କ କହିବାନୁସାରେ, ‘ମୁଁ ଅନେକ ବର୍ଷ ହେବ ଏଭଳି କାମ କରି ଆସୁଛି। ପାଣି ଭିତରୁ ଅନେକ ଲୋକଙ୍କ ଜୀବନ ବଞ୍ଚାଇଛି। ମୁଁ ଯେଉଁ ସମୟରେ ପାଣି ଭିତରକୁ ଡେଇଁଲି ସେତେବେଳେ ମହିଳାଙ୍କୁ କେମିତି ବଞ୍ଚାଇ ବି ତାହାହିଁ ମୋର ଲକ୍ଷ୍ୟ ରହିଥିଲା। ମୁଁ ତ ଏବେ ବୁଢ଼ା ହୋଇଗଲିଣି, ଉଦ୍ଧାର ବେଳେ ଯଦି ମରି ବି ଯାଇ ଥାଆନ୍ତି, କିଛି ଯାଏ ଆସେ ନାହିଁ। କିନ୍ତୁ ମହିଳାଙ୍କ ଜୀବନ ରକ୍ଷା ହେବା ଜରୁରୀ ଥିଲା।’
ପାଣି ଭିତରୁ ମହିଳାଙ୍କୁ ଉଦ୍ଧାର ପରେ ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲ୍ ଅଣାଯାଇଥିଲା। ସେ ଅଚେତ ହୋଇ ନ ଥିଲେ, କିନ୍ତୁ ଭୟଭୀତ ହୋଇ କିଛି କହି ପାରୁ ନ ଥିଲେ। ସ୍ଥାନୀୟଲୋକେ କ୍ୟାପଟେନ୍ ୟୁ ମାଏଣ୍ଟ ଓ ଦୁଇ ଯୁବକଙ୍କ ଏଭଳି କାମ ପାଇଁ ଭୁରିଭୁରି ପ୍ରଶଂସା କରିଛନ୍ତି।
Follow Us