ଗୋଟିଏ କମ୍ପାନିରେ ୮୪ ବର୍ଷ ଚାକିରି

Advertisment
ଗୋଟିଏ କମ୍ପାନିରେ ୮୪ ବର୍ଷ ଚାକିରି

Direct News 99

ଚାକିରିଜୀବୀମାନେ ନିଜ ଚାକିରି କାଳ ଭିତରେ କୌଣସି ଅନୁଷ୍ଠାନ ସହ ଏକ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଜଡ଼ିତ ଥାଆନ୍ତି। କେହି କେହି ଚାପମୁକ୍ତ ହେବା ପାଇଁ ହେଉ ଅଥବା ଅନ୍ୟ କୌଣସି ପରିସ୍ଥିତି ଚାପରେ ଅବସର ସମୟ ପୂର୍ବରୁ ମଧ୍ୟ ସ୍ବେଚ୍ଛାକୃତ ଅବସର ନେଇଥା’ନ୍ତି। ଅନେକ ଗୋଟିଏ ଅନୁଷ୍ଠାନରେ ସୀମିତ ନରହି ବାରମ୍ବାର କମ୍ପାନି ତଥା କାର୍ଯ୍ୟସ୍ଥଳୀ ବଦଳାଇଥା’ନ୍ତି। ତେବେ ଗୋଟିଏ ଅନୁଷ୍ଠାନରେ ଜଣେ ସର୍ବାଧିକ ୪୦ ବର୍ଷ ଯାଏ ଚାକିରି କରିବା ସମ୍ଭବ, ଯଦି ତାଙ୍କ ଚାକିରି ଜୀବନ ୨୦ ବର୍ଷରୁ ଆରମ୍ଭ ହୋଇଥାଏ ଏବଂ ଅବସରଗ୍ରହଣ ବୟସ ୬୦ ବର୍ଷ ହୋଇଥାଏ।

ମାତ୍ର ବ୍ରାଜିଲର ଶତାୟୁ ପୁରୁଷ ଵାଲ୍‌ଟର ଓର୍ଥମାନ୍‌ଙ୍କ ଚାକିରି ଜୀବନ ବିଶ୍ବରେ ବିରଳ କହିଲେ ଅତ୍ୟୁକ୍ତି ହେବନାହିଁ। ଗୋଟିଏ ମାତ୍ର କମ୍ପାନିରେ ଦୀର୍ଘ ୮୪ ବର୍ଷ ଧରି କାମ କରିବାର ବିରଳ ରେକର୍ଡ ସେ ଚଳିତବର୍ଷ ସୃଷ୍ଟି କରିଛନ୍ତି। ୧୯୩୮ ମସିହାରେ ତାଙ୍କୁ ଯେତେବେଳେ ମାତ୍ର ୧୬ ବର୍ଷ, ସେ ବ୍ରାଜିଲର ସାନ୍ତା କାଟାରିନା ନାମକ ଏକ ଟେକ୍ସଟାଇଲ୍‌ କମ୍ପାନିରେ ଜଣେ ପରିବହନ ସହକାରୀ ଭାବେ ନିଜର ଚାକିରି ଜୀବନ ଆରମ୍ଭ କରିଥିଲେ। ସମୟାନୁକ୍ରମେ ବହୁବାର ପଦୋନ୍ନତି ପାଇ ସେହି କମ୍ପାନିର ବିଭିନ୍ନ ପଦବିରେ ଆସୀନ ହେବା ସହ ଚଳିତ ବର୍ଷ ସେ ୮୪ ବର୍ଷ ଧରି ସେବା ଯୋଗାଇଥିବାର ଗିନିସ୍‌ ଵାର୍ଲଡ ରେକର୍ଡ କରିଛନ୍ତି। ଏ ବର୍ଷ ସେ ବୟସର ଶତକ ମଧ୍ୟ ହାସଲ କରିଛନ୍ତି।

କମ୍ପାନି ପ୍ରତି ତାଙ୍କର ଏପରି ଅଙ୍ଗୀକାରବଦ୍ଧତା ସମ୍ପର୍କରେ ଓର୍ଥମାନ୍‌ଙ୍କ ମତ ହେଲା, ସେ ଆସନ୍ତାକାଲି ପାଇଁ ସେଭଳି କିଛି ପ୍ରସ୍ତୁତି କରନ୍ତି ନାହିଁ କି ସେଥିପ୍ରତି ଆଦୌ ଯତ୍ନଶୀଳ କି ବିବ୍ରତ ରୁହନ୍ତି ନାହିଁ। ତାଙ୍କ ପାଇଁ ଏତିକି ଗୁରୁତ୍ବପୂର୍ଣ୍ଣ ଯେ ଅନ୍ୟ ଦିନମାନଙ୍କ ପରି ଆସନ୍ତାକାଲି ମଧ୍ୟ ଆସିବ ଏବଂ ତାଙ୍କୁ ନିଦରୁ ଉଠି ନିତ୍ୟକର୍ମ ଓ ବ୍ୟାୟାମ ସାରି କର୍ମକ୍ଷେତ୍ରକୁ ଯିବାକୁ ହେବ। ତେଣୁ ଅତୀତ କି ଭବିଷ୍ୟତ ଅପେକ୍ଷା ସେ ବର୍ତ୍ତମାନରେ ନିଜକୁ ବ୍ୟସ୍ତ ରଖିଥା’ନ୍ତି। ସତରେ ବଡ଼ ଚମତ୍କାର ଶତାୟୁ ଓର୍ଥମାନ୍‌ଙ୍କ ଦର୍ଶନ!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe