୧୨୦ଟି ବୁଲା କୁକୁରଙ୍କ ପାଇଁ ପ୍ରତିଦିନ ରୋଷେଇ କରନ୍ତି ୯୦ ବର୍ଷୀୟ ବୃଦ୍ଧା ମହିଳା

Advertisment
୧୨୦ଟି ବୁଲା କୁକୁରଙ୍କ ପାଇଁ ପ୍ରତିଦିନ ରୋଷେଇ କରନ୍ତି ୯୦ ବର୍ଷୀୟ ବୃଦ୍ଧା ମହିଳା

ଗାଜିଆବାଦ: ଉତ୍ତରପ୍ରଦେଶ ଗାଜିଆବାଦର କନକ ସାକ୍ସେନାଙ୍କୁ ୯୦ ବର୍ଷ ଛୁଇଁଛି ସତ କିନ୍ତୁ ପ୍ରତିଦିନ ସକାଳେ ସେ ୧୨୦ ଜଣଙ୍କ ପାଇଁ ରୋଷେଇ କରନ୍ତି | କନକ ଅଷ୍ଟିଓପୋରୋସିସ୍ ରୋଗରେ ପୀଡିତ ଏବଂ ତାଙ୍କର ଅସ୍ତ୍ରୋପଚାର ହୋଇଥିବା ସତ୍ତ୍ୱେ ଏହି ସମସ୍ୟାଗୁଡ଼ିକ ତାଙ୍କୁ ଅଟକାଇ ପାରନ୍ତିନି | ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠିବ ଯେ କନକ, କେଉଁମାନଙ୍କ ପାଇଁ ଭୋରରୁ ଉଠି ରୋଷେଇ କରନ୍ତି | ବାସ୍ତବରେ ଏହି ବୃଦ୍ଧା ଜଣକ ୧୨୦ଟି ବୁଲା କୁକୁରଙ୍କ ପାଇଁ ରୋଷେଇ କରନ୍ତି | ସେ ପ୍ରତିଦିନ ସକାଳୁ ଉଠି ସିଧା ନିଜ ଘରର ରୋଷେଇ ଘରକୁ ଯାଆନ୍ତି, ଯେଉଁଠାରେ ସେ କେବଳ ନିଜ ପରିବାର ପାଇଁ ନୁହେଁ ବରଂ ୧୨୦ଟି ବୁଲା କୁକୁରମାନଙ୍କ ପାଇଁ ମଧ୍ୟ ରୋଷେଇ କରନ୍ତି | କନକ କହିଛନ୍ତି ଯେ ଏହି କୁକୁରମାନଙ୍କୁ ଖାଇବାକୁ ଦେଇ ସେ ପାଉଥିବା ସୁଖ ହେଉଛି ତାଙ୍କ ସୁସ୍ଥତାର ରହସ୍ୟ। କନକ କୁହନ୍ତି, “ମୁଁ ପୂର୍ବରୁ କୁକୁରମାନଙ୍କୁ ସେତେଟା ଭଲ ପାଉ ନଥିଲି। କିନ୍ତୁ ଯେତେବେଳେ ନାତୁଣୀ ସାନା ଏକ କୁକୁରକୁ ଘରକୁ ଆଣିଲା, ମୁଁ ଧୀରେ ଧୀରେ ତା ପ୍ରେମରେ ପଡ଼ିଗଲି | ମୁଁ ତାକୁ ଖାଇବାକୁ ଦେବା, ତା ସହିତ ଖେଳିବାରେ ସମୟ ବିତାଇଲି | କୁକୁରମାନଙ୍କ ପ୍ରତି ମୋର ମନୋଭାବ ସମ୍ପୂର୍ଣ୍ଣ ବଦଳିଗଲା | ତେଣୁ ଯେତେବେଳେ ସାନା ରାସ୍ତାର କୁକୁରମାନଙ୍କର ଯତ୍ନ ନେବା ଆରମ୍ଭ କଲା, ମୁଁ ତାକୁ ସାହାଯ୍ୟ କରିବାକୁ ଚାହୁଁଥିଲି | ଯେହେତୁ ମୁଁ ଶାରୀରିକ ଭାବରେ କୁଆଡେ ଯାଇ ସେମାନଙ୍କୁ ଖାଇବାକୁ ଦେଇପାରୁ ନାହିଁ, ତେଣୁ ସେମାନଙ୍କ ପାଇଁ ରାନ୍ଧି ମୁଁ ସନ୍ତୁଷ୍ଟ ଅନୁଭବ କରେ' |

ପୂର୍ବରୁ ସାନା ଏବଂ ତାଙ୍କ ପିତା ବେଳେବେଳେ ବୁଲା କୁକୁରମାନଙ୍କୁ ବିସ୍କୁଟ ନେଇ ଖାଇବାକୁ ଦେଉଥିଲେ | କିନ୍ତୁ, ଲକଡାଉନ ସମୟରେ ଏକ କୁକୁରର ମୃତ୍ୟୁ ତାଙ୍କ ଜୀବନକୁ ବଦଳାଇ ଦେଇଥିଲା। ଫ୍ୟାଶନ୍ ଡିଜାଇନିଂର ଶେଷ ବର୍ଷରେ ପଢ଼ୁଥିବା ସାନା କୁହନ୍ତି, “ଆମ ଘର ନିକଟରେ ଭୋଲୁ ନାମକ ଏକ କୁକୁର ଥିଲା। ଆମେ ତାଙ୍କୁ ବେଳେବେଳେ ଖାଇବାକୁ ଦେଉଥିଲୁ | ତା ମୃତ୍ୟୁ ମୋତେ ବହୁତ ପ୍ରଭାବିତ କଲା | ଏହି ସମୟରେ ପ୍ରଥମ ଲକଡାଉନ୍ ଲାଗୁ କରାଯାଇଥିଲା | ମୋ ବାପା ଏବଂ ମୁଁ ଭାବିଲି ଏହି କୁକୁରମାନେ କିପରି ଖାଇବେ | ଯେହେତୁ ଆମେ ଜାଣିଥିଲୁ ଲୋକମାନେ ବାହାରକୁ ଯାଇପାରିବେ ନାହିଁ, ତେଣୁ ଆମେ ପଶୁମାନଙ୍କୁ ସାହାଯ୍ୟ କରିବାକୁ ସ୍ଥିର କଲୁ। ”ମାର୍ଚ୍ଚ ୨୦୨୦ରେ, ସାନା ଓ ତାଙ୍କ ବାପା ରାସ୍ତାରେ ବୁଲୁଥିବା ୧୦-୨୦ଟି କୁକୁରଙ୍କୁ ଖାଇବାକୁ ଦେବା ଆରମ୍ଭ କରିଥିଲେ। ଆଜି ଏହି ସଂଖ୍ୟା ୧୨୦କୁ ବୃଦ୍ଧି ପାଇଛି | ଖାଦ୍ୟ ବ୍ୟତୀତ ସାନା ଓ ତାଙ୍କ ପରିବାର ଏହି କୁକୁରମାନଙ୍କର ଟୀକାକରଣ ଏବଂ ଆଶ୍ରୟସ୍ଥଳର ମଧ୍ୟ ଯତ୍ନ ନେଉଛନ୍ତି।

ପ୍ରାରମ୍ଭରେ, ବାପା-ଝିଅ ଯୋଡି ପ୍ୟାକେଜ୍ ଖାଦ୍ୟ ଆଣି କୁକୁରମାନଙ୍କୁ ଖାଇବାକୁ ଦେଉଥିଲେ | କିନ୍ତୁ ତା’ପରେ କନକ ମଧ୍ୟ ସେମାନଙ୍କ ସହ ଯୋଗ ଦେଇ କୁକୁରମାନଙ୍କୁ ତାଜା ଖାଦ୍ୟ ଦେବାକୁ କହିଥିଲେ। ଏହି କାର୍ଯ୍ୟରେ ଜେଜେମାଙ୍କ ସମ୍ପୃକ୍ତି ବିଷୟରେ ସାନା କୁହନ୍ତି, “କୁକୁରମାନଙ୍କ ପ୍ରତି ସେତେଟା ଭଲପାଇବା ନଥିବା ମୋ ଜେଜେମା କିପରି କୁକୁରଙ୍କ ପ୍ରେମରେ ପଡିଗଲେ ତାହା ବେଳେବେଳେ ଆଶ୍ଚର୍ଯ୍ୟ ଲାଗେ | ଜେଜେମା ପ୍ରତିଦିନ ଚିକେନ୍ ସହିତ ପ୍ରାୟ ୧୦ କିଲୋଗ୍ରାମ ଚାଉଳ ରାନ୍ଧନ୍ତି' |ଏହି ପରିବାର ପ୍ରତି ମାସରେ କୁକୁର ପାଇଁ ପ୍ରାୟ ୩୫୦ ଟଙ୍କା ଅର୍ଥାତ୍ ୧୨୦ଟି କୁକୁର ପାଇଁ ୪୨,୦୦୦ ଟଙ୍କା ଖର୍ଚ୍ଚ କରନ୍ତି | ସାନାଙ୍କ ଜେଜେମା, କନକ ଭୋର ୪.୩୦ ରେ ଉଠନ୍ତି ଏବଂ ରାନ୍ଧିବା ଆରମ୍ଭ କରନ୍ତି | ସାନା ଏବଂ ତାଙ୍କ ମା ସକାଳ ୫ଟାରେ ଉଠନ୍ତି | ସେମାନେ ସମସ୍ତ କୁକୁରମାନଙ୍କ ପାଇଁ ପ୍ୟାକେଟ୍ ତିଆରି କରିବା ଆରମ୍ଭ କରନ୍ତି | ସକାଳ ୬.୩୦ରେ ସାନା, ତାଙ୍କ ମା ଏବଂ ଅନ୍ୟ ଦୁଇଜଣ ସାଙ୍ଗ ଚାଲି ଚାଲି ଯାଆନ୍ତି ଓ କୁକୁରମାନଙ୍କୁ ଖାଦ୍ୟ ବଣ୍ଟନ କରି ସକାଳ ୮.୩୦ ସୁଦ୍ଧା ଘରକୁ ଫେରନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe