Image Courtesy of NDTV
ନୂଆଦିଲ୍ଲୀ: ନୂଆ ସଂସଦ ଭବନର ଲୋକସଭା ଓ ରାଜ୍ୟସଭା କକ୍ଷରେ ବିଛାଯିବା ନିମନ୍ତେ ଉତ୍ତର ପ୍ରଦେଶର ପ୍ରାୟ ୯୦୦ କାରିଗର ଦୀର୍ଘ ୧୦ ଲକ୍ଷ ଘଣ୍ଟା ପରିଶ୍ରମ କରି ହାତରେ ଅତି ଉନ୍ନତ ଧରଣର ଗାଲିଚା (କାର୍ପେଟ୍) ବୁଣିଛନ୍ତି।
ଏହି ଗାଲିଚା ପ୍ରସ୍ତୁତି କରିବା ଦାୟିତ୍ବ ଥିଲା ଶତାଧିକ ବର୍ଷ ପୁରାତନ ଭାରତୀୟ କମ୍ପାନି ‘ଓବିଟି କାର୍ପେଟ୍’ ଉପରେ। ‘ଓବିଟି କାର୍ପେଟ୍’ କହିଛି, ଲୋକସଭା ଓ ରାଜ୍ୟସଭା ନିମନ୍ତେ ବୁଣାକାରମାନେ ୧୫୦ଟି ଲେଖାଏଁ ଗାଲିଚା ବୁଣିଥିଲେ। ତା’ପରେ ଉକ୍ତ ଗାଲିଚାଗୁଡ଼ିକୁ ଏକତ୍ର କରି ସିଲାଇ କରି ଅର୍ଦ୍ଧବୃତ୍ତାକାର କରାଯାଇଛି। ୩୫,୦୦୦ ବର୍ଗଫୁଟ୍ ଆକାରବିଶିଷ୍ଟ ସଂସଦର ପ୍ରତିଟି କକ୍ଷର ଚଟାଣରେ ଖାପ ଖାଇବା ପରି ଏହି ଗାଲିଚାକୁ ପ୍ରସ୍ତୁତ କରାଯାଇଛି।
ଅତି ଯତ୍ନସହକାରେ ଗାଲିଚାର ପୃଥକ୍ ପୃଥକ୍ ଖଣ୍ଡ ବୁଣିବା ସହିତ ସେଗୁଡ଼ିକୁ ନିଖୁଣ ଭାବେ ଏକତ୍ର କରି ସିଲାଇ କରି ଗୋଟାଏ ବଡ଼ ଓ ଟାଣୁଆ ଗାଲିଚା ତିଆରି କରିବା ‘ଡିଜାଇନ୍ ଟିମ୍’ ପାଇଁ ବଡ଼ ଆହ୍ବାନମୂଳକ କାମ ଥିଲା ବୋଲି ‘ଓବିଟି କାର୍ପେଟ୍ସ୍’ର ଅଧ୍ୟକ୍ଷ ରୁଦ୍ର ଚାଟାର୍ଜୀ କହିଛନ୍ତି।
Image Courtesy of Times Nowରାଜ୍ୟସଭା ପାଇଁ ପ୍ରସ୍ତୁତ ଗାଲିଚାର ରଙ୍ଗ ‘କୋକୁମ’ ଫଳ ପରି ଲାଲ୍ ରଙ୍ଗ କରାଯାଇଥିବା ବେଳେ ଲୋକସଭା ପାଇଁ ପ୍ରସ୍ତୁତ ଗାଲିଚାର ରଙ୍ଗ ମୟୂରପୁଚ୍ଛର ରଙ୍ଗ ପରି ଦିଶୁଥିବା ‘ରାମବାଂଶ’ ଉଦ୍ଭିଦର ପତ୍ର ପରି ସବୁଜ ରଙ୍ଗ କରାଯାଇଛି। ଏହି ସବୁ ଗାଲିଚାର ପ୍ରତି ବର୍ଗଇଞ୍ଚରେ ୧୨୦ଟି ଲେଖାଏଁ ଗଣ୍ଠି ପଡ଼ି ସମୁଦାୟ ଗାଲିଚାରେ ୬୦୦ ନିୟୁତରୁ ଅଧିକ ଗଣ୍ଠି ପଡ଼ିଛି ବୋଲି ସେ କହିଛନ୍ତି।
ଏହାକୁ ବୁଣିବା ପାଇଁ ଉତ୍ତର ପ୍ରଦେଶର ଭାଦୋହି ଏବଂ ମିର୍ଜାପୁର ଜିଲ୍ଲାର ବୁଣାକାରମାନେ ୧୦ ଲକ୍ଷ ଘଣ୍ଟା ଶ୍ରମ କରିଛନ୍ତି।
Follow Us