India Ahead
ନୂଆଦିଲ୍ଲୀ: ଏକ ଅତ୍ୟନ୍ତ ବିରଳ ଗୁଣସୂତ୍ରଜନିତ ବିକାର ସହ ଅଷ୍ଟ୍ରେଲିଆରେ ଜନ୍ମ ନେଇଥିବା ଏକ ଶିଶୁକନ୍ୟା ପିତାମାତାଙ୍କ ସମେତ ଡାକ୍ତରଙ୍କୁ ଚକିତ କରିଛି। ଗତ ବର୍ଷ ଡିସେମ୍ବରରେ ଜନ୍ମ ନେଇଥିବା ଆଲ୍ୟା ସମର୍ ମୁଚା ‘ବାଇଲାଟେରାଲ୍ ମାଇକ୍ରୋଷ୍ଟୋମିଆ’ ନାମକ ବିକାର ପୀଡ଼ିତା। ଏହି ବିକାର ହେଲେ ଜନ୍ମ ବେଳୁ ପାଟିର ଗୋଟିଏ ବା ଉଭୟ ପାର୍ଶ୍ବରେ ଦୀର୍ଘ ଛିଦ୍ର ରହିଥାଏ।
ଏହା ଦ୍ବାରା ମୁଖଗହ୍ବରର ଆକାର ଓ କାର୍ଯ୍ୟକାରିତା ବିଶେଷ ରୂପେ ପ୍ରଭାବିତ ହୋଇଥାଏ। ଫଳସ୍ବରୂପ ଆଲ୍ୟାର ମୁହଁରେ ସର୍ବଦା ଏକ ସ୍ଥାୟୀ ହସ ପରିଲକ୍ଷିତ ହେଉଛି। ଆଲ୍ୟାର ମାଆ ତା’ର କେତେକ ଫଟୋ ସାମାଜିକ ଗଣମାଧ୍ୟମରେ ଛାଡ଼ିବା ପରେ ତାଙ୍କ ହସ ଏବେ ଇଣ୍ଟର୍ନେଟ୍ ବ୍ୟବହାରକାରୀଙ୍କ ମନ ଜିଣିବାରେ ଲାଗିଛି। ଆଲ୍ୟା ଭୋଗୁଥିବା ବିକାର ଏତେ ବିରଳ ଯେ ଏହା ପୂର୍ବରୁ ପୃଥିବୀର ମାତ୍ର ୧୪ ଜଣଙ୍କ ଠାରେ ଏହା ଦେଖାଦେଇଛି।
ସୌଭାଗ୍ୟବଶତଃ ଅସ୍ତ୍ରୋପଚାର ମାଧ୍ୟମରେ ଏହାର ଚିକିତ୍ସା ସମ୍ଭବ। ଡାକ୍ତରମାନେ ଅଳ୍ପ ବୟସରୁ ଅସ୍ତ୍ରୋପଚାର କରିବାକୁ ପରାମର୍ଶ କରିଥାନ୍ତି। ଆଲ୍ୟାର ପିତାମାତା ଏବେ ଏହି ଅସ୍ତ୍ରୋପଚାର କରିବା ପାଇଁ ମାନସିକ ରୂପେ ପ୍ରସ୍ତୁତ ହେଉଛନ୍ତି।
Follow Us