ବାହୁବଳି ରକେଟ୍‌ ନାମରେ ବିଦିତ ‘ଲଞ୍ଚ୍‌ ଭେଇକ୍ଲ ମାର୍କ-୩’ ଦ୍ବାରା ‘ଇସ୍ରୋ’ ନିମ୍ନ କକ୍ଷପଥ ବା ‘ଲୋ ଆର୍ଥ ଅର୍‌ବିଟ୍‌’ ମଧ୍ୟକୁ ୬.୧ ଟନ୍‌ ଓଜନବିଶିଷ୍ଟ ‘ବ୍ଲୁବାର୍ଡ ୬’ ସାଟେଲାଇଟ୍‌ ଉତ୍‌କ୍ଷେପଣ କରିଛି। ଯୋଗାଯୋଗ ନିମିତ୍ତ ଉଦ୍ଦିଷ୍ଟ ଏହି ସାଟେଲାଇଟ୍‌ ଟେରେଷ୍ଟ୍ରିଆଲ୍‌ ନେଟ୍‌ୱାର୍କ ବା ଭୂପୃଷ୍ଠରେ ଯୋଗାଯୋଗ ସେବା ସୁବିଧା ନ ଥିବା ଅଞ୍ଚଳରେ ସିଧାସଳଖ ସ୍ମାର୍ଟଫୋନ୍‌କୁ ୪ଜି ଓ ୫ଜି ସଂଯୋଗ ଯୋଗାଇଦେବ।

Advertisment

ଭାରତ ମାଟିରୁ ସବୁଠାରୁ ଭାରୀ ସାଟେଲାଇଟ୍‌ ଉତ୍‌କ୍ଷେପଣ କରି ‘ଇସ୍ରୋ’ ଏବେ ‘ସ୍ପେସ୍‌ଏକ୍ସ’ ଓ ‘ଏଏସ୍‌ଟି ସ୍ପେସ୍‌ମୋବାଇଲ୍‌’ ଭଳି ବୈଶ୍ବିକ ଉତ୍‌କ୍ଷେପଣକାରୀଙ୍କ ସମକକ୍ଷ ହୋଇପାରିଛି

ପୂର୍ବରୁ ଭାରତ କେବେ ଏତେ ଭାରୀ ସା‌େଟଲାଇଟ୍‌ ଉତ୍‌କ୍ଷେପଣ କରି ନଥିଲା। ତେଣୁକରି, ଏହାର ସଫଳତା ଭାରତର ଉତ୍‌କ୍ଷେପଣ ସାମର୍ଥ୍ୟ ପ୍ରଦର୍ଶନ କରିବା ସହିତ ଏହାର ପ୍ରଯୁକ୍ତିବିଦ୍ୟା ଉପରେ ଆନ୍ତର୍ଜାତିକ ଗ୍ରାହକମାନଙ୍କର ବିଶ୍ବାସ ବୃଦ୍ଧି କରିଛି। ‘ଏଲ୍‌ଭିଏମ୍‌୩’ ରକେଟ୍‌ର ଉଚ୍ଚତା ୪୩.୫ ମିଟର୍‌ ଏବଂ ଓଜନ ପ୍ରାୟ ୬୪୦ ଟନ୍‌। ପୃଥିବୀର ନିମ୍ନ କକ୍ଷପଥରେ ୮ରୁ ୧୦ ଟନ୍‌ ଓଜନବିଶିଷ୍ଟ ସାଟେଲାଇଟ୍‌ ଏବଂ ଭୂସ୍ଥିର କକ୍ଷରେ ୪ ଟନ୍‌ ଓଜନବିଶିଷ୍ଟ ସାଟେଲାଇଟ୍‌ ସ୍ଥାପନ କରିବା ପାଇଁ ଏହାର ସାମର୍ଥ୍ୟ ଅଛି। ‘ଏଲ୍‌ଭିଏମ୍‌୩’ ରକେଟ୍‌ ଯୋଗେ ‘ଚନ୍ଦ୍ରଯାନ-୩’ ଏବଂ ‘ଅନ୍‌ୱେବ୍‌’ ଲାଗି କକ୍ଷପଥରେ ଏକକାଳୀନ ୭୨ଟି ସାଟେଲାଇଟ୍‌ ସ୍ଥାପନା କରି ‘ଇସ୍ରୋ’ ରେକର୍ଡ କରିଥିଲା। ଏସବୁ ହାଇପ୍ରୋଫାଇଲ୍‌ ମିସନ୍‌ରେ ‘ଏଲ୍‌ଭିଏମ୍‌୩’ର ପାରଦର୍ଶିତା ‘ଇସ୍ରୋ’ ଲାଗି ବ୍ୟାବସାୟିକ ବିସ୍ତାର ନିମନ୍ତେ ମଧ୍ୟ କ୍ଷେତ୍ର ପ୍ରସ୍ତୁତ କରିଛି। 
‘ଏଲ୍‌ଭିଏମ୍‌୩-ଏମ୍‌୬’ ମିସନ୍‌ର ତାତ୍ପର୍ଯ୍ୟ ‘ଇସ୍ରୋ’ର ବୈଷୟିକ କୃତିତ୍ବଠାରୁ ବି ଗୁରୁତ୍ବପୂର୍ଣ୍ଣ। ବିଦେଶୀ ଗ୍ରାହକଙ୍କ ନିମନ୍ତେ ଗୋଟାଏ ଓଜନଦାର ଓ ଜଟିଳ ଟେଲିକମ୍‌ ସାଟେଲାଇଟ୍‌ ସଫଳତାର ସହିତ ଉତ୍‌କ୍ଷେପଣ କରି ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ବୈଶ୍ବିକ ବ୍ୟାବସାୟିକ ଉତ୍‌କ୍ଷେପଣ ସେକ୍ଟର୍‌ରେ ଭାରତର ସ୍ଥିତି ଆହୁରି ସୁଦୃଢ଼ କରିବା ‘ଇସ୍ରୋ’ର ଉଦ୍ଦେଶ୍ୟ। 

Government Scheme: ସରକାରୀ ଯୋଜନାର ପ୍ରଚାରପ୍ରସାରରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଏହି ମିସନ୍‌ ‘ଇସ୍ରୋ’ର ବ୍ୟାବସାୟିକ ଶାଖା ‘ନିୟୁସ୍ପେସ୍‌ ଇଣ୍ଡିଆ ଲିମିଟେଡ୍‌’ ବା ସଂକ୍ଷେପରେ ‘ଏନ୍‌ଏସ୍‌ଆଇଏଲ୍‌’ର ସୁନାମ ବୃଦ୍ଧି କରିବ ଏବଂ ତତ୍‌ସହିତ ମୂଲ୍ୟବାନ୍‌ ରାଜସ୍ବ ଉତ୍ସ ଆକୃଷ୍ଟ କରି ନୂଆ ପ୍ରଯୁକ୍ତିବିଦ୍ୟାଗତ ଭାଗୀଦାରି ବୃଦ୍ଧି କରାଇବ। ଦରିଆ ଓ ମରୁଭୂମି ଆରପାରିରେ ଥିବା ନିଭୃତ ଇଲାକା ଓ ପାହାଡ଼ିଆ ଅଞ୍ଚଳରେ ସ୍ମାର୍ଟଫୋନ୍‌ ଯୋଗାଯୋଗ ବ୍ୟବସ୍ଥା ସୁଗମ କରିପାରୁଥିବାରୁ ସମ୍ପ୍ରତି ‘ଡାଇରେକ୍ଟ୍‌-ଟୁ-ମୋବାଇଲ୍‌’ ସାଟେଲାଇଟ୍‌ ବ୍ରଡ୍‌ବ୍ୟାଣ୍ଡ୍‌ ବଜାର କ୍ଷେତ୍ର ଦ୍ରୁତ ସମ୍ପ୍ରସାରିତ ହେଉଛି। ଏଭଳି ସାଟେଲାଇଟ୍‌ ଉତ୍‌କ୍ଷେପଣ କରି ଭାରତ ଏବେ ‘ସ୍ପେସ୍‌ଏକ୍ସ ଓ ‘ଏଏସ୍‌ଟି ସ୍ପେସ୍‌ମୋବାଇଲ୍‌’ ଭଳି ବୈଶ୍ବିକ ଉତ୍‌କ୍ଷେପଣକାରୀଙ୍କ ସମକକ୍ଷ ହୋଇପାରିଛି। ଥରକୁ ଥର ‘ଏଲ୍‌ଭିଏମ୍‌୩’ ଦ୍ବାରା ଅପେକ୍ଷାକୃତ ଓଜନିଆ ସାଟେଲାଇଟ୍‌ ସବୁ ସଫଳ ଉତ୍‌କ୍ଷେପଣ କରିବା ଦ୍ବାରା ‘ଇସ୍ରୋ’ର ଉତ୍‌କ୍ଷେପଣ ଅଭିଜ୍ଞତା ବି ସମୃଦ୍ଧ ହେଉଛି। ଭବିଷ୍ୟତରେ ଭାରତର ବୃହତ୍ତର ମହାକାଶ ଅଭିଳାଷ ସାର୍ଥକ କରିବା ନିମନ୍ତେ ଏ ସବୁ ଅଭିଜ୍ଞତା ବେଶ୍‌ ଗୁରୁତ୍ବପୂର୍ଣ୍ଣ।

Subhadra Scheme: ସୁଭୁଦ୍ରା ଯୋଜନା: ତୃତୀୟ କିସ୍ତିରେ ୧୬,୨୪୧ ହିତାଧିକାରୀ କମିଲେ