ଲକ୍ଷ୍ନୌ: ଉତ୍ତରପ୍ରଦେଶର ମନ୍ଦକା ଗାଁର ମହମ୍ମଦ ଅରିଫ ନାମକ ଯୁବକ ଏକ ସାରସ ପକ୍ଷୀ ସହ ବନ୍ଧୁତା ପାଇଁ ସ୍ଥାନୀୟ ଅଞ୍ଚଳରେ ଖୁବ୍ ପରିଚିତ। ଦିନେ କ୍ଷେତରେ କାମ କରୁଥିବା ବେଳେ ସେ ଏକ ସାରସ ପକ୍ଷୀକୁ ଆହତ ଅବସ୍ଥାରେ ଦେଖିଥିଲେ। ତାହାର ଗୋଟିଏ ଗୋଡ଼ରୁ ଭୀଷଣ ରକ୍ତ ଝରୁଥିଲା ଏବଂ ସେ ଉଡ଼ିପାରୁନଥିଲା। ଅରିଫ ତା’କୁ ଉଠାଇ ନିଜ ଘରକୁ ଆଣିଥିଲେ ଏବଂ କ୍ଷତସ୍ଥାନରେ କିଛି ମଲମ ଦେଇ ପଟି ବାନ୍ଧିଥିଲେ। ଦୁଇ ଚାରି ଦିନର ଚିକିତ୍ସା ପରେ ସାରସଟି ପ୍ରାୟ ସୁସ୍ଥ ହୋଇଯାଇଥିଲା।
ଏହି ଅବସରରେ ଏହି ବନ୍ୟପକ୍ଷୀଟି ଅରିଫଙ୍କ ଘରେ ଥିବା ଅନ୍ୟ ପକ୍ଷୀମାନଙ୍କ ସହ ଖେଳିବା ଆରମ୍ଭ କରିଦେଇଥିଲା। ତେବେ ସଂପୂର୍ଣ୍ଣ ସୁସ୍ଥ ହେବା ପରେ ଅରିଫ ତା’କୁ ବାହାରେ ଛାଡ଼ିଦେଇଥିଲେ। ମାତ୍ର କୃତଜ୍ଞ ପକ୍ଷୀଟି ଆଉ ଅରିଫଙ୍କ ଘର ଛାଡ଼ି କୁଆଡ଼େ ଯାଇନଥିଲା। ବରଂ ଅରିଫ ଯୁଆଡ଼େ ଯାଉଛନ୍ତି, ସେ ତାଙ୍କ ସହିତ ଯାଉଛି। ଏପରିକି ଅରିଫ ବାଇକ୍ରେ ଗଲା ବେଳେ ଏହି ନୂତନ ବନ୍ଧୁଟି ତାଙ୍କ ପଛେ ପଛେ ଉଡ଼ି ଉଡ଼ି ତାଙ୍କ ପାଖରେ ପହଞ୍ଚିଯାଉଛି। ନିଜ ତ୍ରାଣକର୍ତ୍ତା ସହ ଉକ୍ତ ସାରସର ଏଭଳି ନିବିଡ଼ ବନ୍ଧୁତାକୁ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଅତ୍ୟନ୍ତ ଅସ୍ବାଭାବିକ ବୋଲି ବର୍ଣ୍ଣନା କରିଛନ୍ତି।
Follow Us