ଛୁଆ ପାଇଁ ମା’ ହାତୀ କୁମ୍ଭୀର ସହ ଲଢ଼ିଲା, ଦେଖନ୍ତୁ ଭିଡିଓ

ଛୁଆ ପାଇଁ ମା’ ହାତୀ କୁମ୍ଭୀର ସହ ଲଢ଼ିଲା, ଦେଖନ୍ତୁ ଭିଡିଓ

କହିବା ବାହୁଲ୍ୟ ଯେ ମାଆ ହେଉଛି ସାହସିକତା ଓ ନିର୍ଭୀକତାର ପ୍ରତୀକ। ଜଣେ ମା’ ଯେପରି ନିଜ ଶିଶୁକୁ ସୁରକ୍ଷା ଦେଇପାରିବ, ସେମିତି ଆଉ କେହି ବି ଦେଇପାରିବେ ନାହିଁ। ଏପରିକି ଛୁଆକୁ ରକ୍ଷା କରିବାକୁ ଯାଇ ମା’ ନିଜ ଜୀବନକୁ ମଧ୍ୟ ବାଜି ଲଗାଇବାକୁ ପସନ୍ଦ କରିଥାଏ। ଏହି ଭାବନା ପ୍ରଜାତିରୁ ପ୍ରଜାତିକୁ ଅତିକ୍ରମ କରିଥାଏ। ଏଭଳି ଦୃଢ଼ ପ୍ରବୃତ୍ତି କେବଳ ମଣିଷ ମଧ୍ୟରେ ସୀମିତ ନୁହେଁ, ପଶୁମାନଙ୍କ ଭିତରେ ମଧ୍ୟ ପ୍ରଚଳିତ। ସାମାଜିକ ଗଣମାଧ୍ୟମରେ ଏଭଳି ଏକ ଭିଡିଓ ସାମନାକୁ ଆସିଛି ଯେଉଁଥିରେ ଏକ ମାଆ ହାତୀ ତାହାର ଛୁଆକୁ ବଞ୍ଚାଇବା ଲାଗି ଏକ କୁମ୍ଭୀର ସହ ଲଡ଼େଇ କରୁଛି।

ଭାରତୀୟ ବନ୍ୟ ସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟ୍ବିଟରରେ ଛାଡ଼ିଥିବା ଏହି ଭିଡିଓରେ ପ୍ରଥମେ ଏକ କାଦୁଆ ଜଳାଶୟରେ ଛୁଆ ହାତୀଟିଏ ବୁଡ଼ ମାରୁଥିବା ବେଳେ ମା’ ହାତୀଟି ପାଖରେ ଥାଇ ତା’ ଉପରେ ତୀକ୍ଷ୍ଣ ନଜର ରଖିଥିବା ଦେଖାଯାଇଛି। ଏତିକିବେଳେ ଏକ ବିରାଟ କୁମ୍ଭୀର ପାଣିରୁ ବାହାରି ଛୁଆଟିକୁ ଆକ୍ରମଣ କରିବାକୁ ମାଡ଼ି ଆସୁଛି। ତାହା ଦେଖି ମା’ ହାତୀଟି କ୍ଷିପ୍ର ବେଗରେ କୁମ୍ଭୀର ଆଡ଼କୁ ଦୌଡ଼ି ଆସି ତାହାକୁ ଅଟକାଇଛି ଏବଂ ହାତୀ ଓ କୁମ୍ଭୀର ଭିତରେ ଘମାଘୋଟ ସଂଘର୍ଷ ଘଟିଛି। ଶେଷରେ କୁମ୍ଭୀରଟି ପଛଘୁଞ୍ଚା ଦେଇଛି ଏବଂ ମାଆ ହାତୀ ନିଜ ଛୁଆକୁ ଧରି ପାଣିରୁ ବାହାରକୁ ଚାଲିଯାଇଛି।

ଏହି ଭିଡିଓଟି ଛଡ଼ାଯିବାର ଖୁବ୍ କମ୍ ସମୟ ଭିତରେ ୫୧ ହଜାର ଦର୍ଶକ ତାହାକୁ ଦେଖିବା ସହ ଅନେକ ମଧ୍ୟ ରୋଚକ ଟିପ୍ପଣୀ ମାନ ପ୍ରଦାନ କରିଛନ୍ତି। ମାଆମାନେ ହିଁ ‘ସର୍ବମୟୀ ସୁରକ୍ଷାଦାତ୍ରୀ’ ବୋଲି କେହି କେହି କହିଥିବା ବେଳେ ଛୁଆକୁ ବଞ୍ଚାଇବା ଲାଗି ‘ମାଆମାନେ ହିଁ ସବୁଠୁ ତତ୍ପର’ ବୋଲି ଅନେକ କହିଛନ୍ତି। କେହି କେହି ମଧ୍ୟ ‘ମାତୃତ୍ବ କଳ୍ପନାତୀତ’ ବୋଲି ମନ୍ତବ୍ୟ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe