୫ମାସ ଭିତରେ ଦୃଶ୍ୟମାନ ହେବ ବିରଳ ମହାଜାଗତିକ ଦୃଶ୍ୟ

Advertisment
୫ମାସ ଭିତରେ ଦୃଶ୍ୟମାନ ହେବ ବିରଳ ମହାଜାଗତିକ ଦୃଶ୍ୟ

ଆସନ୍ତା ପାଞ୍ଚ ମାସ ଭିତରେ ଏକ ବିରଳ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ ବୋଲି ଜ୍ୟୋତିର୍ବିଜ୍ଞାନୀମାନେ ଭବିଷ୍ୟବାଣୀ କରିଛନ୍ତି। ଭୂପୃଷ୍ଠରୁ ୩,୦୦୦ ଆଲୋକବର୍ଷ ଦୂରରେ ଅନ୍ତରୀକ୍ଷରେ ଏକ ବିଶାଳ ବିସ୍ଫୋରଣ ଘଟି ଏଭଳି ଦୃଶ୍ୟ ଦେଖାଯିବ। ଏଭଳି ଦୃଶ୍ୟ ଜୀବନକାଳ ଭିତରେ କେବଳ ଥରଟିଏ ଦେଖିବାକୁ ମିଳିବ ବୋଲି କୁହାଯାଉଛି। ଏଥିଯୋଗୁଁ ‘ଟି କରୋନା ବୋରିଅଲିସ’ ନକ୍ଷତ୍ର ରାତ୍ରି ଆକାଶରେ ଅନ୍ୟତମ ଧ୍ରୁବତାରା ପରି ଉଜ୍ଜ୍ବଳ ଦେଖାଯିବ ବୋଲି ଆକଳନ କରାଯାଇଛି। ଉଲ୍ଲେଖଯୋଗ୍ୟ, ନକ୍ଷତ୍ରପୁଞ୍ଜ ‘କରୋନା ବୋରିଅଲିସ’ରେ ରହିଥିବା ଦ୍ବୈତ ନକ୍ଷତ୍ର ପ୍ରଣାଳୀର ନଗଣ୍ୟ ଜ୍ୟୋତି ଯୋଗୁଁ ତାହା ସାଧାରଣତଃ ଖାଲି ଆଖିକୁ ଦେଖାଯାଇ ନଥାଏ। ତେବେ ପ୍ରତି ୮୦ ବର୍ଷରେ ଏହି ଦୁଇ ନକ୍ଷତ୍ର ମଧ୍ୟରେ ସ୍ଥାନାନ୍ତରଣ ପ୍ରକ୍ରିୟାରେ ଆଣବିକ ବିସ୍ଫୋରଣ ଘଟି ଏଭଳି ବିରଳ ଜ୍ୟୋତି (‌େନାଭା)ର ଉତ୍ପତ୍ତି ଘଟିଥାଏ। ‘କରୋନା ବୋରିଅଲିସ’ର ଏହି ପ୍ରକ୍ରିୟା ଶେଷଥର ପାଇଁ ୧୯୪୬ ମସିହାରେ ଦେଖିବାକୁ ମିଳିଥିଲା।

ଏହାକୁ ୧୮୬୬ ମସିହାରେ ଆୟର୍ଲାଣ୍ଡର ମହାନ ଗଣିତଜ୍ଞ ଜନ୍‌ ବର୍ମିଂହାମ ପ୍ରଥମ ଥର ପାଇଁ ଠାବ କରିଥିଲେ। ଆମର ଛାୟାପଥ ‘ଆକାଶଗଙ୍ଗା’ ଓ ତାହାର ଆଖପାଖରେ ଏଭଳି ୧୦ଟି ପୁନରାବିର୍ଭାବକ୍ଷମ ଦ୍ବୈତ ନକ୍ଷତ୍ର ପ୍ରଣାଳୀ ରହିଛି। ସେମାନଙ୍କ ବିସ୍ଫୋରଣରେ ୧୦ କୋଟିରୁ ୨୦ କୋଟି ସେଲ୍‌ସିଅସ୍‌ ଯାଏ ତାପମାତ୍ରା ସୃଷ୍ଟି ହୋଇଥାଏ। ‘ବ୍ଲେଜ ଷ୍ଟାର’ ନାମକ ଏହି ନକ୍ଷତ୍ରମାନଙ୍କ ଉପରେ ଗବେଷଣା ଜାରି ରଖିଥିବା ଆରିଜୋନା ବିଶ୍ବବିଦ୍ୟାଳୟର ଜ୍ୟୋତିର୍ବିଜ୍ଞାନୀ ସମର୍ ଷ୍ଟାରଫିଲ୍‌ଡଙ୍କ କହିବାନୁଯାୟୀ, ସ୍ବାଭାବିକ ଭାବେ ନକ୍ଷତ୍ରର ମୃତ୍ୟୁ ବେଳେ ପ୍ରତି ଏକ ଲକ୍ଷ ବର୍ଷରେ ଥରେ ‘ନୋଭା’ ଦୃଶ୍ୟମାନ ହୋଇଥାଏ। ତେବେ ଏହି ପୁନରାବିର୍ଭାବକ୍ଷମ ନୋଭାର ଉପସ୍ଥିତି ମନୁଷ୍ୟ ଜୀବନ କାଳ ଭିତରେ ଥରେ (୮୦ ବର୍ଷରେ ଥରେ) ପୁନରାବୃତ୍ତି ହୋଇଥାଏ। ଆସନ୍ତା ସେପ୍‌ଟେମ୍ବର ମାସ ଭିତରେ ଯେ କୌଣସି ମୁହୂର୍ତ୍ତରେ ଏହି ମହାଜାଗତିକ ପ୍ରକ୍ରିୟା ସଂଘଟିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe