ସ୍ମୃତିରେ ତ୍ରିଲୋଚନ: ଏକ ବିରଳ ବ୍ୟକ୍ତିତ୍ବ

ସିଦ୍ଧାର୍ଥ କାନୁନ୍‌ଗୋ

ସ୍ମୃତିରେ ତ୍ରିଲୋଚନ: ଏକ ବିରଳ ବ୍ୟକ୍ତିତ୍ବ

ଗତ ଏପ୍ରିଲ ୨୧ ତାରିଖ ପ୍ରତ୍ୟୁଷରେ ତ୍ରିଲୋଚନ କାନୁନଗୋଙ୍କ ପରଲୋକର ବିମର୍ଷକର ସମ୍ବାଦ ପାଇଲି। ସ୍ବର୍ଗତ କାନୁନ୍‌ଗୋ ତିନି ଥର ବିଧାୟକ ଥିଲେ। ଯଦିଓ ସେ ଜଗତ୍‌ପୁର ଅଞ୍ଚଳର ବିଧାନ ସଭା ସଦସ୍ୟ ଓ ଲୋକସଭା ସଦସ୍ୟ ଥିଲେ; ବ୍ୟକ୍ତିଗତ ଭାବେ ତାଙ୍କ ସହ ମୋ’ ପରିଚୟ ନ ଥିଲା। ମୋ’ ସ୍ବର୍ଗତ ବାପା ଏବଂ ସ୍ବର୍ଗତ ଦାଦୀଙ୍କ ସହ ତାଙ୍କର ବନ୍ଧୁତା ଥିଲା। କଥା କେବେ ଲୁଚି ରହେ ନାହିଁ। ମୁଁ ଦ୍ବିତୀୟ ରାଜ୍ୟ ଅର୍ଥ କମିସନରେ କମିସନଙ୍କ ସ୍ବତନ୍ତ୍ର କାର୍ଯ୍ୟରତ ଅଧିକାରୀ ଥିଲି। ସେହି ସମୟରେ ସେ ଦ୍ବିତୀୟ ରାଜ୍ୟ ଅର୍ଥ କମିସନର ଅଧ୍ୟକ୍ଷ ଭାବେ ଯୋଗ ଦେଲେ। ସଂଯୋଗକ୍ରମେ ତାଙ୍କ ସାନଭାଇ ପଞ୍ଚାନନ କାନୁନ୍‌ଗୋ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଥିଲେ। ଅର୍ଥ କମିସନ ରିପୋର୍ଟ ପ୍ରସ୍ତୁତି ବେଳେ ତାଙ୍କ ଘନିଷ୍ଠତା ସଂସ୍ପର୍ଶରେ ଆସିଲି। ସେତେବେଳ ପର୍ଯ୍ୟନ୍ତ ମୁଁ ବ୍ୟକ୍ତିଗତ ପରିଚୟ ଗୋପନ ରଖିଥିଲି। ସେଦିନ ସେ କାହାଠାରୁ ମୋ’ ବିଷୟରେ ସୂଚନା ପାଇ ମୋତେ ପଚାରିଲେ, ତୁମ ବାପାଙ୍କୁ ଓ ଦାଦୀଙ୍କୁ ମୁଁ ଖୁବ୍‌ ଭଲ ଭାବରେ ଜାଣେ। ତୁମେ ଏ ପର୍ଯ୍ୟନ୍ତ ମୋତେ ତୁମର ପରିଚୟ ନ ଦେଇ ଚୁପ୍‌ ରହିଥିଲ କାହିଁକି? ମୁଁ କହିଲି ସାର୍‌।

ଆପଣଙ୍କ ପାଖରେ ତ କାମ କଲି, ଆଉ ପରିଚୟ କ’ଣ ଦରକାର? ସେ ହସିଲେ। ଅର୍ଥ କମିସନ ରିପୋର୍ଟ ପ୍ରସ୍ତୁତ ‌ବେଳେ ତାଙ୍କର ଅର୍ଥନୀତି ସମ୍ବନ୍ଧୀୟ ଜ୍ଞାନ ଓ ବିଦ୍‌ବତ୍ତାକୁ ଦେଖି ମୁଁ କାହିଁକି ଅର୍ଥ କମିସନର ସମସ୍ତ ସଦସ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ଅର୍ଥନୀତିର ଛାତ୍ର ନ ଥିଲେ ମଧ୍ୟ ଅର୍ଥନୀତିର ଜଟିଳ ତତ୍ତ୍ବକୁ ଆୟତ୍ତ କରି ପ୍ରାଞ୍ଜଳ ଭାବେ ବୁଝାଇ ଦେଉଥିଲେ। ତାଙ୍କ ବିଷୟରେ ଲେଖିଲେ ତ ସରିବ ନାହିଁ। ତାଙ୍କ ପ୍ରତିଭା ତୁଳନାରେ ସେ ନ୍ୟାୟୋଚିତ ସାମାଜିକ ସ୍ବୀକୃତି ଓ ପ୍ରତିଷ୍ଠା ପାଇ ପାରିଲେ ନାହିଁ ବୋଲି ମୋର ହୃଦବୋଧ ହୁଏ।

ସ୍ବର୍ଗତ ତ୍ରିଲୋଚନ କାନୁନ୍‌ଗୋଙ୍କର ଶରୀର ପଞ୍ଚଭୂତରେ ଲୀନ ହୋଇଯାଇଛି ସତ; ମାତ୍ର ଜଣେ ଦକ୍ଷ ପାର୍ଲାମେଣ୍ଟାରିଆନ୍‌ ଓ ଅର୍ଥନୀତି ବିଶାରଦ ଭାବେ ସେ ଆମ ମାନସପଟରେ ରହିଥିବେ।

ମୋ: ୯୪୩୮୦୭୨୮୫୦

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe