ପୁରୀ: ଶ୍ରୀମନ୍ଦିରରେ ୨୪ ତାରିଖ ମଙ୍ଗଳବାରଠାରୁ ଷୋଳପୂଜା ଆରମ୍ଭ ହେଉଛି। ମଙ୍ଗଳବାର ସହସ୍ର କୁମ୍ଭାଭିଷେକ, ଦେବୀ ଉତ୍ଥାପନ ନୀତି ଶେଷ ପରେ ମା’ ବିମଳାଙ୍କ ମନ୍ଦିରରେ ଷୋଳପୂଜା ପାଇଁ ସ୍ବତନ୍ତ୍ର ପୂଜାର୍ଚ୍ଚନା ଆରମ୍ଭ ହେବ। ସେପଟେ ରାଜନଅରଠାରେ ବ୍ରାହ୍ମଣବରଣ ନୀତି ଅନୁଷ୍ଠିତ ହେବ। ବରଣ ହୋଇଥିବା ବ୍ରାହ୍ମଣମାନେ ମଙ୍ଗଳବାରଠାରୁ ଷୋଳପୂଜାରେ ବସିବେ। ଏଥିପାଇଁ ଶ୍ରୀମନ୍ଦିର ସମେତ ଅନ୍ୟ ଦେବୀ ପୀଠରେ ସ୍ବତନ୍ତ୍ର ପୂଜାର୍ଚ୍ଚନାର ଆୟୋଜନ କରାଯାଇଛି।
ଚୂଡ଼ାନ୍ତ ନୀତି ଅନୁଯାୟୀ, ଷୋଳପୂଜାର ପ୍ରଥମ ୮ ଦିନ ମା’ ଦୁର୍ଗା ଦେବୀ ଓ କାଳପୁରୁଷୋତ୍ତମ ଦେବ (ମାଧବ) ମା’ ବିମଳାଙ୍କ ମନ୍ଦିର ଖଟ ଉପରେ ବିଜେ କରିବା ପରେ ପୂଜାପାଠ କରାଯିବ। ନବମ ଦିନ ରୁନ୍ଧାମୂର୍ତ୍ତି (ମା’ ଦୁର୍ଗା ଦେବୀ ଓ କାଳପୁରୁଷୋତ୍ତମ ଦେବ) ରଥରେ ବସି ଦୋଳମଣ୍ଡପସାହି ନାରାୟଣୀଙ୍କ ମନ୍ଦିରକୁ ବିଜେ କରିବେ। ସେଠାରେ କର୍ପୁର ଜଳଲାଗି ପରେ ରୁନ୍ଧାମୂର୍ତ୍ତିଙ୍କୁ ଭିତର ଖଟ ଉପରେ ବିଜେ କରାଯିବ। ରାତ୍ର ଚନ୍ଦନ ଲାଗି ବଢ଼ିବା ପରେ ରୁନ୍ଧାମୂର୍ତ୍ତିଙ୍କୁ ବିମାନବଡ଼ୁ ପାଲିଙ୍କିରେ ଭଣ୍ଡାର ଘର ଦୁଆରେ ବିଜେ କରାଇବେ। ପରେ ରୁନ୍ଧାମୂର୍ତ୍ତି ଭଣ୍ଡାର ଘରେ ବିଜେ କରିବେ। ଏହି ନୀତି ଦଶହରା ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ମା’ଙ୍କଠାରେ ମାଛରନ୍ଧା ହେବ। ଏଥିପାଇଁ ମା’ ବିମଳାଙ୍କ କୂଅ ପାଖରେ ରୋଷଘର ତିଆରି ହେବ। ପ୍ରତିଦିନ ସଙ୍ଖୁଡ଼ି ଧୂପ ପାଣି ପଡ଼ିବା ପରେ ଶ୍ରୀମନ୍ଦିର ପଶ୍ଚିମଦ୍ବାର ପର୍ଯ୍ୟନ୍ତ ଚୁନ ପଡ଼ି ଧୁଆ ହେବ।
ଯେଉଁଦିନ ନିଶାର୍ଦ୍ଧକୁ ସପ୍ତମୀ ପାଇବ, ସେହିଦିନ ସଙ୍ଖୁଡ଼ି ଭୋଗ ଆରମ୍ଭ ହେବ। ଏହି ସମୟରେ ସନ୍ଧ୍ୟାଧୂପ ପରେ ମା’ ବିମଳା ଓ ବିଭିନ୍ନ ଦେବୀ ବେଶ ହୋଇଥାଆନ୍ତି। ଷୋଳପୂଜାର ୧୬ ଦିନ ମା’ ବିମଳାଙ୍କ ମନ୍ଦିର ପ୍ରବେଶ ବାରଣ କରାଯାଇଛି। ଅନ୍ୟପଟେ ଷୋଳପୂଜା ପାଇଁ ଶ୍ରୀମନ୍ଦିର ପ୍ରଶାସନ ବରଣୀୟ ପୂଜକଙ୍କ ମଧ୍ୟରେ ପୂଜା ବାଣ୍ଟିବ। ପବିତ୍ର ଦଶହରା ପର୍ଯ୍ୟନ୍ତ ପ୍ରତିଦିନ ମନ୍ଦିରରେ ଚଣ୍ଡୀପାଠ, ପୂଜାପାଠ ଆଦି ବିଧି ମୁତାବକ ଅନୁଷ୍ଠିତ ହେବ।
Follow Us