ୟୁକ୍ରେନ ମାଟିରେ ଭାରତୀୟଙ୍କ ତ୍ରାଣକର୍ତ୍ତା ସାଜିଛନ୍ତି ଓଡ଼ିଆ ପୁଅ ପାର୍ଥ ଶତପଥୀ

Advertisment
ୟୁକ୍ରେନ ମାଟିରେ ଭାରତୀୟଙ୍କ ତ୍ରାଣକର୍ତ୍ତା ସାଜିଛନ୍ତି ଓଡ଼ିଆ ପୁଅ ପାର୍ଥ ଶତପଥୀ

ଭୁବନେଶ୍ବର: ଏବେ ସାରା ବିଶ୍ବରେ ଋଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଚର୍ଚ୍ଚା। ଋଷ ଏବେ ଧୀରେ ଧୀରେ ୟୁକ୍ରେନର ଛାତିକୁ ଚିରି ଆଗକୁ ବଢ଼ୁଥିବା ବେଳେ ନିଜ ନିଜର ଦେଶକୁ ଫେରିବା ପାଇଁ ଅନାଇ ବସିଛନ୍ତି ବିଭିନ୍ନ ଦେଶର ଲକ୍ଷଲକ୍ଷ ନାଗରିକ। ପ୍ରାୟ ୨୦,୦୦୦ ‌ଭାରତୀୟ ୟୁକ୍ରେନର ଫସିରହିଥିବା ବେଳେ ବିଦେଶ ମାଟିରେ ସେମାନଙ୍କ ତ୍ରାଣକର୍ତ୍ତା ସାଜିଛନ୍ତି ଭାରତୀୟ ରାଷ୍ଟ୍ରଦୂତ ତଥା ଓଡ଼ିଆ ପୁଅ ପାର୍ଥ ଶତପଥୀ। ଯୁଦ୍ଧ ପରିସ୍ଥିତିକୁ ନେଇ ପ୍ରତି ମୁହୂର୍ତ୍ତରେ ସୂଚନା ଦେବା ସହ କେମିତି ସୁରକ୍ଷିତ ଭାବେ ଭାରତୀୟ ସ୍ବଦେଶ ଫେରିବେ ତାହା ନିଶ୍ଚିତ କରିବାରେ ଲାଗିପଡ଼ିଛନ୍ତି ପାର୍ଥ ଶତପଥୀ। ଗୁରୁବାର ପାର୍ଥ ଶତପଥୀଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କ ମନୋବଳ ବଢ଼ାଇବା ସହ ସେମାନଙ୍କୁ ସୁରକ୍ଷିତ ଭାବେ ସ୍ବଦେଶ ପଠାଯିବ ବୋଲି ଆଶ୍ବାସନା ଦେଉଥିବା ଦେଖାଯାଇଥିଲା।

video courtesy The Print

ତେବେ ଆଜି ଯୁଦ୍ଧ ପରିସ୍ଥିତିରେ ଦୃଢ଼ ଭାବେ ଛିଡ଼ା ହୋଇ ଏହାର ସାମ୍ନା କରୁଥିବା ଭାରତୀୟ ବିଦେଶ ସେବା ଅଧିକାରୀ ପାର୍ଥ ଶତପଥୀ ଜଣେ ଓଡ଼ିଆ।  ଭୁବନେଶ୍ବରର ଜନ୍ମିତ ପାର୍ଥ ଷ୍ଟୁଆର୍ଟ ସ୍କୁଲରୁ ପାଠପଢ଼ା ଶେଷ କରି  ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ପଦାର୍ଥ ବିଜ୍ଞାନରେ ସ୍ନାତକ କରିବା ସହ ଅହମଦାବାଦ ଆଇଆଇଏମରେ ଏମବିଏ  ପଢ଼ିଥିଲେ। ଏହା ପରେ ସେ ବ୍ରିଟେନର ଏସେକ୍ସରେ ଥିବା ମାନବ ଅଧିକାର କେନ୍ଦ୍ରରୁ ମାନବ ଅଧିକାର ଏବଂ ଆନ୍ତର୍ଜାତୀୟ ଆଇନରେ ସ୍ନାତକୋତ୍ତର କରିଥିଲେ। ବର୍ତ୍ତମାନ ୟୁକ୍ରେନ୍‌ର ରାଷ୍ଟ୍ରଦୂତ ଭାବେ ଅବସ୍ଥାପିତ ଓଡ଼ିଆ ଅଧିକାରୀ ପାର୍ଥ ଶତପଥୀ ୧୯୯୦ ବ୍ୟାଚ୍‌ର ଆଇଏଫ୍ଏସ୍‌ ଅଧିକାରୀ। ଶ୍ରୀ ଶତପଥୀ ଜଣେ ସଫଳ କୂଟନୀତିଜ୍ଞ ଭାବେ ରୁଷିଆ, ବ୍ରାଜିଲ୍‌, ଅଷ୍ଟ୍ରିଆ, ସ୍ବିଜର୍‌ଲାଣ୍ଡରେ ଭାରତର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟକରି କରି ସୁନାମ ଅର୍ଜନ କରିଛନ୍ତି। ୩୦ ବର୍ଷର କୂଟନୈତିକ ଅଭିଜ୍ଞତା ବଳରେ ସେ ଭାରତ ପାଇଁ ବିଦେଶରେ ବିଭିନ୍ନ କ୍ଷେତ୍ରରେ ଖ୍ୟାତି ଆଣିଛନ୍ତି। ଏବେ ୟୁକ୍ରେନ ମାଟିରେ ରହି ଭାରତୀୟଙ୍କ ମନୋବଳ ବଢ଼ାଉଥିବାରୁ ତାଙ୍କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe