ଭିତରକନିକାରେ ବଉଳା କୁମ୍ଭୀର ସଂରକ୍ଷଣ: ପାଞ୍ଚ ଦଶନ୍ଧିର ସମୀକ୍ଷା

ବିଗତ ୫୦ ବର୍ଷ ମଧ୍ୟରେ ଭିତରକନିକା ଅଭୟାରଣ୍ୟ ତଥା ଜାତୀୟ ଉଦ୍ୟାନରେ ବଉଳା ବା ଲୁଣାକୁମ୍ଭୀରମାନଙ୍କର ସଂରକ୍ଷଣ ଓ ଗବେଷଣା ଖୁବ୍‌ ସଫଳ ହୋଇପାରିଛି। ଏଥି ମଧ୍ୟରେ ଭିତରକନିକାର ଜୁଆରିଆ ନଦୀ ନାଳରେ ଛୋଟବଡ଼ କୁମ୍ଭୀର ସଂଖ୍ୟା...

ggddgdg

ଡ. ସୁଧାକର କର

ବିଗତ ୫୦ ବର୍ଷ ମଧ୍ୟରେ ଭିତରକନିକା ଅଭୟାରଣ୍ୟ ତଥା ଜାତୀୟ ଉଦ୍ୟାନରେ ବଉଳା ବା ଲୁଣାକୁମ୍ଭୀରମାନଙ୍କର ସଂରକ୍ଷଣ ଓ ଗବେଷଣା ଖୁବ୍‌ ସଫଳ ହୋଇପାରିଛି। ଏଥି ମଧ୍ୟରେ ଭିତରକନିକାର ଜୁଆରିଆ ନଦୀ ନାଳରେ ଛୋଟବଡ଼ କୁମ୍ଭୀର ସଂଖ୍ୟା ପ୍ରାୟ ୧୮ ଗୁଣା ବୃଦ୍ଧିପାଇ ୧୮୦୦ରେ ପହଞ୍ଚିଛି ଏବଂ କୁମ୍ଭୀର ବସା ସଂଖ୍ୟା ୫ରୁ ବୃଦ୍ଧିପାଇ ୧୨୦ରେ ପହଞ୍ଚିଛି। କୁମ୍ଭୀର ସହିତ ଭିତରକନିକାର ଳୁଣା ବା ହେନ୍ତାଳବନର ଜୈବ ବିବିଧତା ମଧ୍ୟ ଖୁବ୍‌ ସମୃଦ୍ଧ ହୋଇପାରିଛି।

ଓଡ଼ିଶାରେ ବଉଳାକୁମ୍ଭୀର ସହିତ ଅନ୍ୟ ଦୁଇ ଜାତୀୟ ଯଥା- ଘଡ଼ିଆଳ ବା ଥଣ୍ଟିଆ ଓ ମଗର ବା ଗୋମୁହାଁ କୁମ୍ଭୀରମାନଙ୍କର ବଂଶରକ୍ଷା, ବଂଶବୃଦ୍ଧି ଏବଂ ଏମାନଙ୍କ ଜୀବନଶୈଳୀ ଉପରେ ଗବେଷଣା ପାଇଁ ୧୯୭୫ ମସିହା ମଧ୍ୟଭାଗରେ ଭାରତ ସରକାରଙ୍କ ଆର୍ଥିକ ସହାୟତା ଏବଂ ମିଳିତ ଜାତିସଂଘର କୃଷି ଓ ଖାଦ୍ୟ ସଂସ୍ଥାର ବୈଷୟିକ ଜ୍ଞାନକୌଶଳରେ ଓଡ଼ିଶା ସରକାରଙ୍କର ବନବିଭାଗ ଦ୍ବାରା ଏହି ଯୋଜନା କାର୍ଯ୍ୟକାରୀ ହେଲା। ଏହି ସମୟରେ ଓଡ଼ିଶା ସହିତ ଭାରତର ବିଭିନ୍ନ ରାଜ୍ୟରେ ୩୪ଟି କୁମ୍ଭୀର ସଂରକ୍ଷଣ ଓ ଗବେଷଣା ପ୍ରକଳ୍ପ ସ୍ଥାପନ କରାଯାଇଥିଲା। 

ଏହି କୁମ୍ଭୀର ଯୋଜନାର ପ୍ରଧାନ ଲକ୍ଷ୍ୟ ଥିଲା-
୧. କୁମ୍ଭୀରମାନଙ୍କର ସଂଖ୍ୟା ଦ୍ରୁତଗତିରେ ହ୍ରାସ ପାଇ ଯାଉଥିବାରୁ ପ୍ରଥମେ ସେମାନଙ୍କର ବଂଶରକ୍ଷା କରିବା।
୨. ସେମାନେ ରହୁଥିବା ପରିବେଶ ଲୁଣାଜଙ୍ଗଲ, ନଦୀ, ନାଳ, ଜଳାଶୟ, ଆର୍ଦ୍ର ଅଞ୍ଚଳ ଇତ୍ୟାଦିକୁ ସୁରକ୍ଷା ଦେବା।
୩. କୁମ୍ଭୀରମାନଙ୍କର ଜୀବନଶୈଳୀ ଓ ପରିବେଶ ଉପରେ ଗବେଷଣା କରି ଲବ୍ଧଜ୍ଞାନ କୌଶଳକୁ କୁମ୍ଭୀରମାନଙ୍କର ‘ବଂଶରକ୍ଷା ଓ ବଂଶବୃଦ୍ଧି’ ପାଇଁ ବିନିଯୋଗ କରିବା।
ଭିତରକନିକା ଅଭୟାରଣ୍ୟ (ବର୍ତ୍ତମାନ ଏହା ଏକ ଜାତୀୟ ଉଦ୍ୟାନ)ର ଡାଙ୍ଗମାଳଠାରେ ବଉଳା ବା ଲୁଣାକୁମ୍ଭୀର ସଂରକ୍ଷଣ ଓ ଗବେଷଣା ପାଇଁ ୧୯୭୫ ମସିହା ଜୁଲାଇ ମାସରୁ ଏକ ପ୍ରକଳ୍ପ କାର୍ଯ୍ୟକାରୀ ହେଲା।

ଏହି ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ ଥିଲା: ବଉଳା କୁମ୍ଭୀରମାନଙ୍କର ‘ବଂଶରକ୍ଷା ଓ ବଂଶବୃଦ୍ଧି’। ଭିତରକନିକାର ହେନ୍ତାଳ ଜଙ୍ଗଲ ମଧ୍ୟରେ ମିଳୁଥିବା ଅଳ୍ପ କେତୋଟି କୁମ୍ଭୀର ବସାକୁ ଠାବ କରିବା ଓ ସେଥିରୁ ଅଣ୍ଡା ସଂଗ୍ରହ କରି ଅଣ୍ଡାଗୁଡ଼ିକୁ ଡାଙ୍ଗମାଳ କୁମ୍ଭୀର ପ୍ରକଳ୍ପରେ ଥିବା ‘ଅଣ୍ଡାଶୟ’ରେ ଉଷୁମରେ ବସାଇ ସେଥିରୁ ଯେତିକି ଛୁଆ ଜନ୍ମ ହେବେ ସେଗୁଡ଼ିକୁ କୁଣ୍ଡ ମଧ୍ୟରେ ଯତ୍ନ ସହକାରେ ଲାଳନ-ପାଳନ କରିବା ଏବଂ ଛୁଆଗୁଡ଼ିକ ତିନିଫୁଟରୁ ଊର୍ଦ୍ଧ୍ବ ଲମ୍ବ ହେଲେ ଭିତରକନିକାର ସୁରକ୍ଷିତ ନଦୀଜଳରେ ଛଡ଼ାଯାଇ ସେମାନଙ୍କ ଉପରେ ଗବେଷଣା କାର୍ଯ୍ୟ ଚାଲୁ ରଖିବା। କୁମ୍ଭୀର ପ୍ରକଳ୍ପ ଆରମ୍ଭ ହେବାବେଳକୁ ଭିତରକନିକାର ନଦୀନାଳରେ ରହୁଥିବା କୁମ୍ଭୀରମାନଙ୍କର ସଂଖ୍ୟା ସଠିକ୍‌ ଆକଳନ କରାଯାଇ ନଥିଲା। ସର୍ବପ୍ରଥମେ ୧୯୭୬ ମସିହା ଶୀତଦିନେ (ଜାନୁଆରି ମାସ), ଭିତରକନିକାର ସମସ୍ତ ନଦୀ ନାଳରେ, ଉଭୟ ଦିନରାତିରେ ଆହୁଲାମରା ଡିଙ୍ଗି ସାହାଯ୍ୟରେ କୁମ୍ଭୀର ଗଣନା କରାଯାଇଥିଲା। ଭିତରକନିକା ନଦୀନାଳ ଏବଂ ଏଥି ସହିତ ସଂଲଗ୍ନ ବୈତରଣୀ, ବ୍ରାହ୍ମଣୀ, ଖରସ୍ରୋତା, ମନ୍ତେଇ ପ୍ରଭୃତି ନଦୀରେ ମାତ୍ର ୯୬ ଗୋଟି କୁମ୍ଭୀର ଥିବାର ଆକଳନ କରାଯାଇଥିଲା।

ବର୍ଷାଋତୁ ଆରମ୍ଭରେ (ମେ, ଜୁନ୍‌ ମାସ) ବଉଳା କୁମ୍ଭୀର ଜଙ୍ଗଲର ସୁରକ୍ଷିତ ସ୍ଥାନରେ ଗଛର ଡାଳପତ୍ର ସଂଗ୍ରହ କରି ବସା ତିଆରି କରି ଅଣ୍ଡା ଦିଅନ୍ତି। ପ୍ରଥମ ବର୍ଷ (୧୯୭୫ ମସିହା ଜୁଲାଇ ମାସ) ଭିତରକନିକା ଲୁଣା ଜଙ୍ଗଲ ମଧ୍ୟରେ ଯେଉଁ କେତୋଟି କୁମ୍ଭୀର ବସା ଠାବ କରାଯାଇଥିଲା, ସେଥିମଧ୍ୟରୁ କିଛି ବସାର ଅଣ୍ଡା ନଦୀର ଜୁଆର ପାଣି ମାଡ଼ିଯିବା ଦ୍ବାରା ନଷ୍ଟ ହୋଇଯାଇଥିଲା ଏବଂ ଆଉ କେତେକ ବସାର ଅଣ୍ଡାକୁ ପାଣିଗୋଧି ଓ ବାର୍‌ହା (ବଣଘୁଷୁରି) ଖାଇଯାଇଥିଲେ। କିନ୍ତୁ କାଳିଭଞ୍ଜଡିଆଁ ଜଙ୍ଗଲ (ବୈତରଣୀ-ଧାମରା ନଦୀ ପରିବେଷ୍ଟିତ ଏକ ଛୋଟ ଦ୍ବୀପାଞ୍ଚଳ)ର ଏକମାତ୍ର ବସାରୁ ମିଳିଥିବା ୪୮ଟି ଅଣ୍ଡା ଭିତରକନିକା ବଉଳାକୁମ୍ଭୀର ପ୍ରକଳ୍ପର ଶୁଭାରମ୍ଭ ସହିତ ଏହାର ସଫଳତା ପାଇଁ ଆଶା ସଂଚାର କରିଥିଲା। ୧୯୭୬ ମସିହାଠାରୁ ପ୍ରତିବର୍ଷ ୫-୬ଗୋଟି କୁମ୍ଭୀର ବସାରୁ ଅଣ୍ଡା ସଂଗ୍ରହ (୨୦୦-୨୫୦ ଗୋଟି ଅଣ୍ଡା) କରାଯାଇ ଅଣ୍ଡାଗୁଡ଼ିକୁ ବିଭିନ୍ନ କୁଣ୍ଡରେ ରଖାଯାଇ ସେମାନଙ୍କର ଲାଳନପାଳନ କରାଯାଇଥିଲା। ପ୍ରଥମେ ୩ ଫୁଟରୁ ଊର୍ଦ୍ଧ୍ବ ୧୫ ଗୋଟି କୁମ୍ଭୀର ଛୁଆଙ୍କୁ ଭିତରକନିକାର ସୁରକ୍ଷିତ ନାଳାଜୋରରେ ଛଡ଼ାଯାଇ ସେମାନଙ୍କର ଗତିବିଧି ଉପରେ ଲକ୍ଷ୍ୟ ରଖାଗଲା। ପର୍ଯ୍ୟାୟକ୍ରମେ ୩୦୦୦ରୁ ଊର୍ଦ୍ଧ୍ବ କୁମ୍ଭୀର ଛୁଆମାନଙ୍କୁ ଜାତୀୟ ଉଦ୍ୟାନର ନଦୀ-ନାଳରେ ଛଡ଼ା ଯାଇଛି। ଏମାନଙ୍କ ମଧ୍ୟରୁ କେତେକ ମାଈ କୁମ୍ଭୀର ପ୍ରାପ୍ତବୟସ୍କରେ ପହଞ୍ଚିବା ସହିତ ଅଣ୍ଡାଦେବା ଆରମ୍ଭ କଲେଣି।

ସତୁରୀ ଦଶକ ମଧ୍ୟଭାଗରୁ ୧୯୯୦ ମସିହା ମଧ୍ୟରେ, ଜାତୀୟ ଉଦ୍ୟାନର ସମସ୍ତ ଜଙ୍ଗଲ ଅଞ୍ଚଳ ତନ୍ନତନ୍ନ କରି ଖୋଜି ୫-୬ ଗୋଟି ବସା ଠାବ କରିବା ଖୁବ୍‌ କଷ୍ଟସାଧ୍ୟ ହୋଇଥିଲା। କିନ୍ତୁ ବର୍ତ୍ତମାନ ୧୨୦ରୁ ଊର୍ଦ୍ଧ୍ବ ବସା ଠାବ କରିବା ସମ୍ଭବ ହୋଇପାରିଛି। ବିଗତ ପାଞ୍ଚ ଦଶନ୍ଧି ମଧ୍ୟରେ ଆବଦ୍ଧ ପରିବେଶରେ ଲାଳନପାଳନ କରାଯାଉଥିବା କୁମ୍ଭୀରମାନଙ୍କ ଉପରେ ଗବେଷଣାଲବ୍ଧ ଜ୍ଞାନକୌଶଳକୁ ବଞ୍ଚାଇ ରଖିବା ପାଇଁ ଗୋଟିଏ କିମ୍ବା ଦୁଇଟି ବସାରୁ ଅଣ୍ଡା ସଂଗ୍ରହ କରି ଅଣ୍ଡାଶୟରେ ଉଷୁମରେ ବସାଯାଇଛି। ପୂର୍ବଭଳି ଭିତରକନିକାର ନଦୀନାଳରେ ବଉଳା କୁମ୍ଭୀରର ପରିବେଶ (ଘଞ୍ଚ ଲୁଣାଜଙ୍ଗଲ ଓ ତା’ ମଧ୍ୟରେ ପ୍ରବାହିତ ଛୋଟବଡ଼ ନଦୀନାଳ) ଖୁବ୍‌ ଛୋଟ ଅଞ୍ଚଳ (୧୪୫ ବର୍ଗ କିମି) ମଧ୍ୟରେ ସୀମାବଦ୍ଧ। ଫଳରେ ଭିତରକନିକା ନଦୀନାଳରେ ଅଧିକ ସଂଖ୍ୟାରେ କୁମ୍ଭୀର ଛଡ଼ାଯାଇପାରିବ ନାହିଁ। ଅବଶ୍ୟ ଦେଶର ଅନ୍ୟାନ୍ୟ ବଉଳା କୁମ୍ଭୀର ଆବାସସ୍ଥଳୀ ଯଥା- ସୁନ୍ଦରବନ, ଆଣ୍ଡାମାନ ପ୍ରଭୃତି ଲୁଣା ଅଞ୍ଚଳ ତୁଳନାରେ ଭିତରକନିକାର ଜୈବବିବିଧତା ଅତି ସମୃଦ୍ଧ। ଭିତରକନିକାରେ କୁମ୍ଭୀର ସଂଖ୍ୟ ବହୁତ ବଢ଼ିଯାଇଛି ଭାବିବା ଠିକ୍‌ ନୁହେଁ। ଏହା ସତ୍ୟ ଯେ ୧୯୭୫-୭୬ ମସିହା ତୁଳନାରେଏ ଏହି ୫୦ ବର୍ଷ ମଧ୍ୟରେ ଭିତରକନିକାରୁ ନଦୀନାଳରେ କୁମ୍ଭୀର ସଂଖ୍ୟା ବୃଦ୍ଧିପାଇ ୧୮୦୦ରେ ପହଞ୍ଚିଛି। କିନ୍ତୁ ଏମାନଙ୍କ ମଧ୍ୟରେ ପ୍ରାପ୍ତ ବୟସ୍କ ମାଈ ଓ ଅଣ୍ଡିରା କୁମ୍ଭୀର ମାତ୍ର ୩୫୦ ଗୋଟି। ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ଛୋଟ ଛୁଆ ଓ ମଧ୍ୟମ ବୟସର କୁମ୍ଭୀର। ଯେଉଁମାନେକି ପ୍ରାକୃତିକ ପରିବେଶରେ ସଂଘର୍ଷ କରି ବଞ୍ଚିବା ଖୁବ୍‌ କଷ୍ଟକର। ନଦୀନାଳରେ ଛଡ଼ାଯାଇଥିବା କୁମ୍ଭୀର ସହିତ, ପ୍ରତିବର୍ଷ ଭିତର କନିକାର ପ୍ରାକୃତିକ ପରିବେଶରେ ମା’ କୁମ୍ଭୀରମାନେ ଅଣ୍ଡା ଦେଉଛନ୍ତି ଏବଂ ସେଥିରୁ ଶହଶହ ଛୁଆ ମଧ୍ୟ ଜନ୍ମ ହେଉଛନ୍ତି। ଏହାସତ୍ତ୍ବେ, କୁମ୍ଭର ସଂଖ୍ୟା ବିଶେଷ ବଢ଼ିନାହିଁ। ନଦୀନାଳରେ, ଛୋଟ କୁମ୍ଭୀର ଛୁଆଙ୍କୁ, ବଡ଼ବଡ଼ କଣ୍ଟିଆ ମାଛ, ସାର୍କ, ପାଣିଗୋଧି, ଶିକାରୀ ବାଜ-ଛଞ୍ଚାଣ ପ୍ରଭୃତି ଖାଇ ଦିଅନ୍ତି। ଏଥିସହିତ ଜୁଆରର ସ୍ରୋତରେ କିଛି ଛୁଆ ସମୁଦ୍ରକୁ ଭାସି ଯାଆନ୍ତି ଏବଂ ମାଛ ଜାଲରେ ପଡ଼ି ମରିଯାଆନ୍ତି। ଏଠାରେ ସୂଚନା ଦେବାକୁ ଚାହୁ ଯେ, ପ୍ରାକୃତିକ ପରିବେଶରେ, ୫୦୦ କୁମ୍ଭୀର ଅଣ୍ଡାରୁ ମାତ୍ର ଜୋଡ଼ିଏ କୁମ୍ଭୀର (ମାଈ ଓ ଅଣ୍ଡିରା) ପ୍ରାପ୍ତ ବୟସରେ ପହଞ୍ଚିଥାନ୍ତି।

ବଉଳା କୁମ୍ଭୀରର ଜୀବନଶୈଳୀ, ଲୁଣା ଜଙ୍ଗଲ ବା ମ୍ୟାନ୍‌ଗ୍ରୋଭ୍‌ ଫରେଷ୍ଟ୍‌ର ପରିବେଶ ସହିତ ଓତଃପ୍ରୋତ ଭାବେ ଜଡ଼ିତ। ସୁସ୍ଥ ଲୁଣାଜଙ୍ଗଲର ନଦୀନାଳରେ ଏମାନେ ରହିବା ସହିତ ବଂଶବୃଦ୍ଧି କରିବାକୁ ପସନ୍ଦ କରନ୍ତି। ଏଠାରେ ପ୍ରଚୁର ମାଛ, ଚିଙ୍ଗୁଡ଼ି, କଙ୍କଡ଼ା ପ୍ରଭୃତି ମିଳେ, ଯାହାକି କୁମ୍ଭୀରମାନଙ୍କର ପ୍ରଧାନ ଖାଦ୍ୟ। ଏଥିସହିତ, କୁମ୍ଭୀରମାନଙ୍କର ଖରାପୋଇଁବା ବା ବିଶ୍ରାମ ନେବା ପାଇଁ ବିସ୍ତୀର୍ଣ୍ଣ ନିରୋଳା କାଦୁଅ ନଦୀପଠା, ମା’ କୁମ୍ଭୀରମାନଙ୍କର ଅଣ୍ଡାଦେବା ପାଇଁ ସୁରକ୍ଷିତ ସ୍ଥାନ ସହିତ ‘ବସା’ ତିଆରି ପାଇଁ ଲୁଣା ଜଙ୍ଗଲରେ ମିଳୁଥିବା ଗଛର ଡାଳପତ୍ର ସବୁ ଏହି ପରିବେଶରେ ମିଳିଥାଏ। ଆମ ରାଜ୍ୟ ତଥା ଦେଶରେ, ଯେଉଁଠି ଲୁଣା ଜଙ୍ଗଲ ଧ୍ବଂସ ହୋଇଯାଇଛି, ସେଠାରେ ବଉଳାକୁମ୍ଭୀର ବଂଶ ଲୋପ ପାଇଯାଇଛି। ଏହାର ଏକ ଜ୍ବଳନ୍ତ ଉଦାହରଣ ହେଉଛି, ଆମର ବିସ୍ତୀର୍ଣ୍ଣ ମହାନଦୀ ଅବବାହିକା ଅଞ୍ଚଳ। ଦିନଥିଲା, ବିଭିନ୍ନ ବୃକ୍ଷରାଜିରେ ଏହି ଲୁଣା ଜଙ୍ଗଲ ଭରପୂର ଥିଲା ଏବଂ ଏଥିରେ ଜୈବବିବିଧତା ଭରପୂର ଥିଲା। ଲୁଣା ଜଙ୍ଗଲ କ୍ରମେ ଧ୍ବଂସ ହେବା ସହିତ ଏଠାରେ ବଉଳା କୁମ୍ଭୀର ବଂଶ ପ୍ରାୟ ଲୋପ ପାଇଯାଉଛି। ଯେଉଁ ଲୁଣାଜଙ୍ଗଲ ମଧ୍ୟରେ ବଉଳା କୁମ୍ଭୀର ବାସ କରନ୍ତି, ସେହି ଅଞ୍ଚଳ ଏକ ସୁସ୍ଥ ପରିବେଶ ବା ହେଲ୍‌ଦି ମ୍ୟାନ୍‌ଗ୍ରୋଭ୍‌ ଇକୋସିଷ୍ଟମ ଭାବେ ପରିଗଣିତ। ଭିତରକନିକାର ଲୁଣାଜଙ୍ଗଲ ବା ହେନ୍ତାଳ ବନ  ଯେ ପର୍ଯ୍ୟନ୍ତ ସୁରକ୍ଷିତ ଥିବ, ବଉଳାକୁମ୍ଭୀରମାନଙ୍କର ବଂଶରକ୍ଷା ସହିତ ବଂଶବୃଦ୍ଧି ହେଉଥିବ। ଲୁଣାଜଙ୍ଗଲ, ଏହାର ପରିବେଶ ତଥା ଜୈବ ବିବିଧତାର ଅବକ୍ଷୟ ହେଲେ, ବଉଳା କୁମ୍ଭୀରଙ୍କ ବଂଶ ଲୋପ ପାଇଯିବ!! ବଉଳା କୁମ୍ଭୀରମାନଙ୍କର ଜୀବନଶୈଳୀ, ଜୀବନ ପ୍ରଣାଳୀ, ମଣିଷ-କୁମ୍ଭୀର ବିବାଦ ଏବଂ ଏମାନଙ୍କର ପରିବେଶ ଉପରେ ଗବେଷଣା କାର୍ଯ୍ୟକୁ ଚାଲୁ ରଖିବା ସହିତ ତ୍ବରାନ୍ବିତ କରିବାର ଆବଶ୍ୟକତା ଅଛି।
ଅବସରପ୍ରାପ୍ତ ବରିଷ୍ଠ ବୈଜ୍ଞାନିକ ତଥା 
କୁମ୍ଭୀର ବିଶେଷଜ୍ଞ, ଭୁବନେଶ୍ବର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe