ଜାପାନୀ ଯାନବାହନ ନିର୍ମାତା ହୋଣ୍ଡା ଦ୍ବାରା ପ୍ରସ୍ତୁତ ଏକ ପୁନଃବ୍ୟବହାରକ୍ଷମ ରକେଟ୍ ଗତ ୧୭ ତାରିଖରେ ମହାକାଶରୁ ସଫଳତାର ସହ ଭୂପୃଷ୍ଠରେ ଅବତରଣ କରିଛି। ହୋଣ୍ଡାର ଏହି ରକେଟ୍ର ଆକାର ବହୁତ ଛୋଟ (୬.୩ ମିଟର) ଓ ଓଜନ ମାତ୍ର ୧,୩୧୨ କିଲୋଗ୍ରାମ୍। ଏହାକୁ ଜାପାନର ହୋକାଇଡୋ ପ୍ରଦେଶର ହିରୁ ଜିଲ୍ଲାର ତାଇକି ଟାଉନରେ ଥିବା ହୋଣ୍ଡା ସୁବିଧା କେନ୍ଦ୍ରରୁ ଉତ୍କ୍ଷେପଣ କରାଯାଇଥିଲା। କମ୍ପାନିର ସୂଚନାନୁଯାୟୀ, ୫୬.୬ ସେକେଣ୍ଡ୍ର ଉଡ଼ାଣ ଅବଧିରେ ଏହି ରକେଟ୍ ୨୭୧.୪ ମିଟର ଉଚ୍ଚତାରେ ପହଞ୍ଚିଥିଲା ​​ଏବଂ ଲକ୍ଷ୍ୟସ୍ଥଳରୁ ୩୭ ସେଣ୍ଟିମିଟର ଦୂରତାରେ ଅବତରଣ କରିଥିଲା। ହୋଣ୍ଡା ୨୦୨୯ ସୁଦ୍ଧା ପୃଥିବୀର ନିମ୍ନ କକ୍ଷକୁ ରକେଟ୍ ଉତ୍କ୍ଷେପଣ କରିବ ବୋଲି ଲକ୍ଷ୍ୟ ରଖିଛି।
ଏହି ସଫଳତା ଏଥିପାଇଁ ଉଲ୍ଲେଖନୀୟ ଯେ ପ୍ରଥମଥର ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ଓ ଚୀନ୍ ବାହାରର କୌଣସି କମ୍ପାନି ଏକ ପୁନଃବ୍ୟବହାରଯୋଗ୍ୟ ରକେଟ୍ ସଫଳତାର ସହ ପରୀକ୍ଷଣ କରିଛି। ବହୁ ଦଶନ୍ଧି ଧରି ମହାକାଶ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ କାମ କରୁଥିବା ଅନ୍ୟ ମହାକାଶ କମ୍ପାନି ଏବଂ ଷ୍ଟାର୍ଟଅପ୍ ତୁଳନାରେ ହୋଣ୍ଡା ଖୁବ୍ ନୂଆ। ଏହି ଉତ୍କ୍ଷେପଣ ଦ୍ବାରା ହୋଣ୍ଡା ଏବେ ସ୍ପେସଏକ୍ସ ଓ ବ୍ଲୁ ଅରିଜିନ୍ ଭଳି କମ୍ପାନି ସହ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହୋଇଛି।
Follow Us