father and world cup Photograph: (sambad.in)
ନୂଆଦିଲ୍ଲୀ: ବାପା ! ଆମ ଜୀବନର ଚଳନ୍ତି ଠାକୁର । ବାପା ଡାକରେ ବଳ ଥାଏ… ବିଜୟୀ ହେବାର ଉର୍ଜା ଥାଏ। ବାପାଙ୍କ ଆକଟଭରା ଶବ୍ଦ, ପ୍ରେରଣାଭରା ଉପଦେଶ ଆଉ ଶିକ୍ଷା ହିଁ ଜଣେ ପିଲାକୁ ସଂସ୍କାରୀ କରେ, ସାହସୀ କରେ ଏବଂ ସଫଳତାର ଶୀର୍ଷରେ ପହଞ୍ଚିବାକୁ ସାହାଯ୍ଯ କରେ । ବାପା ! ପ୍ରତି ଛୁଆଙ୍କ ପାଇଁ ଛତାଟିଏ, ଛାତଟିଏ ପୁଣି ଛାଇଟିଏ… ବାପା ! ଆମ କପାଳରେ ବିଜୟୀ ହେବାକୁ ଟାଣି ହୋଇଯାଇଥିବା ଲମ୍ବା ଗାରଟିଏ । ସତରେ ବାପାଙ୍କ ବିନା ଜୀବନର ଅର୍ଥ ହିଁ ନାହିଁ । ବାପା- ନିଜ ପିଲାକୁ ଗଢିବାକୁ, ବଡ଼ କରିବାକୁ ଅନେକ ସଂଘର୍ଷ କରନ୍ତି, ପିଲାଙ୍କ ସ୍ବପ୍ନକୁ ସଫଳ କରିବାକୁ ନିଜ ରକ୍ତକୁ ଝାଳ ପରି ନିଗାଡ଼ି ଦିଅନ୍ତି । ଆଉ ଯେତେବେଳେ ପିଲା ସଫଳ ହୁଏ, ସେତେବେଳେ ସବୁଠୁ ବେଶି ଖୁସି କିଏ ହୁଏ ଜାଣନ୍ତି- ସିଏ ଆଉ କେହି ନୁହେଁ ସିଏ ବାପା…
ହଁ ଆଜ୍ଞା ପିଲାଙ୍କ ଖୁସି, ପିଲାଙ୍କ ସ୍ବପ୍ନ ସତ ହେବା ଦେଖି ବାପା ନିଜକୁ ସମ୍ଭାଳି ପାରନ୍ତିନି । କାନ୍ଦି ପକାନ୍ତି ତ କେବେ ପିଲାର ଖୁସିରେ ନାଚି ବି ଯାଆନ୍ତି । ସେମିତି କିଛି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁ ପିଲାଙ୍କ ଖୁସିରେ ଖୁସି ହୋଇଛନ୍ତି ବାପା । ଆଉ ବାପାପୁଅ, ବାପାଝିଅଙ୍କ ଫଟୋ ଏବେ ଖୁବ୍ ପ୍ରଶଂସା ସାଉଁଟୁଛି ।
ବାପାଙ୍କୁ ଧରି କାନ୍ଦିଲେ ଜେମିମା
ନିକଟରେ ଭାରତୀୟ ମହିଳା କ୍ରିକେଟ୍ ଟିମ୍ ବିଶ୍ବ ବିଜେତା ହେବା ପରେ ସାରା ଦୁନିଆରୁ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛାର ସୁଅ ଛୁଟିଥିବା ବେଳେ ଫାଇନାଲ ଦିନ ଭାରତ ବିଜୟ ହେବା ପରେ ସେଲିବ୍ରେସନ କରିଥିଲା । ଆଉ ସେହି ସେଲିବ୍ରେସନ ଭିତରେ କ୍ୟାପଟେନ୍ ହରମନପ୍ରୀତ କୌର, ହେଡ୍ କୋଚ୍ ଅମୋଲ ମଜୁମଦାର ଏବଂ ଜେମିମାଙ୍କର ବାପାଙ୍କ ସହ ସେହି ଖୁସିର ମୁହୂର୍ତ୍ତ ଭାଇରାଲ ହେଉଛି । ସେମିଫାଇନାଲ ଦିନ ଜେମିମା ନିଜର ଦମଦାର ପ୍ରଦର୍ଶନ କରିବା ପରେ ବାପାଙ୍କୁ ଆସି କୋଳେଇ ଧରି ବହୁତ କାନ୍ଦିଥିଲେ । ତାଙ୍କର ସବୁ ସଫଳତାର ଶ୍ରେୟ ବାପାମାଆଙ୍କୁ ଦେଇ ବାପାଙ୍କୁ କୋଳେଇ କାନ୍ଦିଥିଲେ ।
ଆହୁରି ପଢନ୍ତୁ- World Cup Victory Tattoo: ବିଶ୍ବବିଜେତା ହେଲେ ହାତରେ ବିଶ୍ବକପର ଟାଟୁ କୁଟେଇଲେ, ସବୁଦିନ ସତେଜ ରହିବ ସଫଳତାର ସ୍ମରଣୀୟ ସ୍ୟାହି…
ଛୋଟ ପିଲା ପରି ଗେଲ ହେଲେ ହରମନପ୍ରୀତ
ସେହିପରି ଫାଇନାଲ ଦିନ ବିଶ୍ବକପ୍ ବିଜେତା ହେବା ପରେ କ୍ୟାପଟେନ୍ ହରମନପ୍ରୀତ କୌର ଛୋଟ ପିଲାଙ୍କ ପରି ବାପାଙ୍କ ଉପରକୁ ଲମ୍ଫ ମାରି କାଖ ହେଇଥିଲେ । ବାପାଙ୍କୁ ଜାବୁଡି ଧରି ବହୁତ ସମୟ ଯାଏଁ ସେମିତି ତାଙ୍କ କାନ୍ଧରେ ଝୁଲି ରହିଥିଲେ । ଯାହାକୁ ସାରା ଦୁନିଆ ଦେଖୁଥିଲା । ବିଶ୍ବ ବିଜୟ ଓ ବାପାଙ୍କ ସ୍ନେହକୁ ସମସ୍ତେ ମନଭରି ଦେଖୁଥିଲେ । ତାପରେ ହରମନପ୍ରୀତ ବିଶ୍ବକପକୁ ତାଙ୍କ ବାପାଙ୍କୁ ଧରାଇଥିଲେ । ବାପା ମଧ୍ଯ ବେଶ ଖୁସିରେ ଝିଅର ବିଜୟକୁ ସେଲିବ୍ରେଟ୍ କରୁଥିଲେ । କିଛି ପ୍ରଶଂସକ କହିଛନ୍ତି- ହରମନପ୍ରୀତ୍ ୩୫ ବର୍ଷୀୟ ମହିଳା ନୁହେଁ ବରଂ ୫ ବର୍ଷର କୁନି ଝିଅ ପରି ବାପାଙ୍କ ସହ ଗେଲ ହେଉଥିଲେ ।
ଅନ୍ୟପଟେ ହେଡ୍ କୋଚ ଅମୋଲ ମଜୁମଦାର ତାଙ୍କର ଦୀର୍ଘ ବର୍ଷର ସ୍ବପ୍ନ ମହିଳା ଖେଳାଳୀଙ୍କ ଦ୍ବାରା ପୂରଣ କରିଥିବା ବେଳେ ବିଶ୍ବବିଜୟର ସବୁ ଶ୍ରେୟ ଗୁରୁ ଅମୋଲଙ୍କୁ ଦେଇଛନ୍ତି ଖେଳାଳି । ଆଉ ବିଶ୍ବକପ୍ ସହ ଯେତେବେଳେ ପୂରା ଟିମ ସେଲିବ୍ରେଟ କରୁଥିଲା ସେତେବେଳେ ଅମୋଲ ମଜୁମଦାର ବି ନିଜ ବାପାଙ୍କ ସହ ବିଶ୍ବକପ୍ ବିଜୟ ଉତ୍ସବ ପାଳୁଥିଲେ । ତାଙ୍କ ବାପା ବି ବିଶ୍ବକପକୁ ଉପରକୁ ଉଠାଇ ପୁଅର ବିଜୟକୁ ଖୁସିରେ ପାଳୁଥିଲେ । ସତରେ ପିଲାଙ୍କ ପାଇଁ ବାପା ଯେମିତି ବଡ଼ ସେମିତି ପିଲାଙ୍କ ଖୁସି ବି ଦୁନିଆର ସବୁ ବାପାଙ୍କ ପାଇଁ ବଡ଼ ।
ଆହୁରି ପଢନ୍ତୁ- Amol Muzumdar: ସ୍ବପ୍ନର କେବେ ମୃତ୍ୟୁ ନାହିଁ: ଅମୋଲଙ୍କ ଅମୂଲ୍ୟ ଅବଦାନ, ବିଶ୍ବବିଜୟୀ ମହିଳାଙ୍କ ପଛରେ ଜଣେ ପୁରୁଷଙ୍କ ହାତ…
Follow Us