ଆମେରିକୀୟ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସଂସ୍ଥା ‘ଓପନ୍ଏଆଇ’ ଏକ ଆନିମେଟେଡ୍ ଫିଚର ଫିଲ୍ମ ନିର୍ମାଣ ପାଇଁ ଏହାର ଉପକରଣ ଏବଂ କମ୍ପ୍ୟୁଟେସନାଲ୍ ସମ୍ବଳ ପ୍ରଦାନ କରୁଥିବା କଥା ‘ଦି ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ’ର ଏକ ରିପୋର୍ଟରୁ ଜଣାଯାଇଛି। ସଂପୂର୍ଣ୍ଣ ଭାବେ କୃତ୍ରିମ ବୁଦ୍ଧିମତ୍ତା ଉପରେ ଆଧାରିତ ଏହି ସିନେମା ଆଗାମୀ ବର୍ଷ ବିଶ୍ୱବ୍ୟାପୀ ମୁକ୍ତିଲାଭ କରିବ ବୋଲି ଆଶା କରାଯାଉଛି। ‘କ୍ରିଟର୍ସ’ ଶୀର୍ଷକ ଏହି ଚଳଚ୍ଚିତ୍ରର କାହାଣୀ ବନ୍ୟପ୍ରାଣୀମାନଙ୍କ ଉପରେ ଆଧାରିତ।
ଏହି ସିନେମାଟି ଓପନ୍ଏଆଇର ଜଣେ ବିଶେଷଜ୍ଞ ଚାଡ୍ ନେଲସନଙ୍କ ମାନସ ସନ୍ତାନ ବୋଲି କୁହାଯାଉଛି, ଯିଏ ପ୍ରଥମେ ‘ଡଲ୍-ଇ୨’ ପ୍ରତିଛବି-ଜେନେରେସନ୍ ମଡେଲ୍ ବ୍ୟବହାର କରି ଏକ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ନେଲସନ୍ ଆସନ୍ତା ବର୍ଷ ମେ ମାସରେ ଆୟୋଜିତ ହେବାକୁ ଥିବା କାନ୍ ଫିଲ୍ମ ଫେଷ୍ଟିଭାଲ୍ରେ ଏହାକୁ ଉନ୍ମୋଚିତ କରାଇବା ପରେ ଏହା ପୃଥିବୀବ୍ୟାପୀ ଥିଏଟର୍ରେ ମୁକ୍ତିଲାଭ କରିବ। ଓପନ୍ଏଆଇ ସିନେମା ନିର୍ମାଣକୁ ହଲିଉଡ୍ ଷ୍ଟୁଡିଓ ତୁଳନାରେ ଦ୍ରୁତ ଏବଂ ଶସ୍ତା କରିବାକୁ ଚାହୁଁଛି, ଯାହା ପ୍ରାୟ ୩ ବର୍ଷ ପରିବର୍ତ୍ତେ ପ୍ରାୟ ୯ ମାସ ଭିତରେ ଶେଷ ହେବ। ପାରମ୍ପରିକ ଭିଡିଓ ପ୍ରଡକ୍ସନ ଉପକରଣ ସହିତ ଏଆଇ ବ୍ୟବହାର କରିବାରେ ବିଶେଷଜ୍ଞ ଭାବେ ବିବେଚିତ ଲଣ୍ଡନର ଭର୍ଟିଗୋ ଫିଲ୍ମସ୍ ଦ୍ୱାରା ଏହା ପ୍ରଯୋଜିତ ହେଉଛି। ‘ପ୍ୟାଡିଂଟନ୍ ଇନ୍ ପେରୁ’ ସିନେମାର ପଟ୍ଟକଥା ଲେଖିଥିବା ଦଳ ‘କ୍ରିଟର୍ସ’ର ସ୍କ୍ରିପ୍ଟ ପ୍ରସ୍ତୁତ କରିଛନ୍ତି। ଚଳଚ୍ଚିତ୍ରର କାମ ଆରମ୍ଭ ହୋଇଥିବା ବେଳେ ଆଗାମୀ କିଛି ସପ୍ତାହ ମଧ୍ୟରେ ବିଭିନ୍ନ ଚରିତ୍ରର ସ୍ୱର ପାଇଁ କାଷ୍ଟିଂ ନିଷ୍ପତ୍ତି ନିଆଯିବ। ‘କ୍ରିଟର୍ସ’ ସଫଳ ସାବ୍ୟସ୍ତ ହେଲେ ଏହା ପ୍ରମାଣିତ ହେବ ଯେ ଏଆଇ ବଡ଼ ପରଦା ପାଇଁ ବିଷୟବସ୍ତୁ ପ୍ରସ୍ତୁତ କରିବାକୁ ସକ୍ଷମ। ଏଥିସହିତ ହଲିଉଡ୍ରେ ପ୍ରଯୁକ୍ତି ଗ୍ରହଣୀୟତାକୁ ଏହା ତ୍ୱରାନ୍ୱିତ କରିବ ବୋଲି ଆଶା କରାଯାଉଛି।
Follow Us