ସମ୍ପ୍ରତି ଡେଟିଂ ଆପ୍ଗୁଡ଼ିକ ଏକ ନୂତନ ଯୁଗରେ ପ୍ରବେଶ କରିଛନ୍ତି, ଯେଉଁଠି ସ୍ବାଇପ୍ କରିବା କାମଟି କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କରିଦେଉଛି। ବ୍ୟାପକ ସ୍କ୍ରୋଲିଂ ପରେ ବି ମନପସନ୍ଦର ସାଥୀ ନ ପାଇବା ନେଇ ଅଧିକାଂଶ ବ୍ୟବହାରକାରୀ ଅତିଷ୍ଠ ହୋଇଯାଇଥିବା ବେଳେ ‘ଟିଣ୍ଡର’, ‘ହିଞ୍ଜ୍’, ‘ବମ୍ବଲ୍’ ଓ ‘ଗ୍ରାଇଣ୍ଡର’ ପରି ଡେଟିଂ ଆପ୍ଗୁଡ଼ିକ ଏବେ କୃତ୍ରିମ ବୁଦ୍ଧିମତ୍ତା ଦ୍ବାରା ଅଧିକ ପସନ୍ଦଯୋଗ୍ୟ ସାଥୀର ପ୍ରତିଶ୍ରୁତି ଦେଉଛନ୍ତି।
‘ନୋନ୍’ ଭଳି ଷ୍ଟାର୍ଟ-ଅପ୍ଗୁଡ଼ିକ ଏହି ପରିବର୍ତ୍ତନର ନେତୃତ୍ୱ ନେଉଛନ୍ତି। ସାନ୍ ଫ୍ରାନ୍ସିସ୍କୋ-ଭିତ୍ତିକ ଏହି ଆପ୍ ଏକ ଏଆଇ ପରିଚାଳିତ ସାଥୀ ଚୟନ(ମ୍ୟାଚ୍ମେକର) ବଟ୍ ମାଧ୍ୟମରେ ବ୍ୟବହାରକାରୀଙ୍କୁ ବ୍ୟକ୍ତିଗତ ପ୍ରଶ୍ନ ପଚାରି ଏକ ସ୍ବଳ୍ପ ଦେୟ ବଦଳରେ ଉତ୍କୃଷ୍ଟ ଯୋଡ଼ି ଯୋଗାଡ଼ କରୁଛି। ସେହିପରି ଟିଣ୍ଡର ଆପ୍ ‘କେମିଷ୍ଟ୍ରି’ ନାମକ ଏକ ଏଆଇ ଫିଚର ଉପଯୋଗ କରି ଉପଭୋକ୍ତାମାନଙ୍କର ଫଟୋଗୁଡ଼ିକୁ ବିଶ୍ଳେଷଣ କରି ସେମାନଙ୍କ ପସନ୍ଦ ଜାଣିବାକୁ ଚେଷ୍ଟା କରୁଛି। ଅପରପକ୍ଷେ, ଗ୍ରାଇଣ୍ଡର ଆପ୍ ଏଆଇ ଫିଚର ‘ୱିଙ୍ଗମ୍ୟାନ୍’ ସମେତ ‘ଜିଏଆଇ’ ଭଳି ଏକ ଉପକରଣ ସେଟ୍ ଯୋଡ଼ିଛି। ହିଞ୍ଜ୍ ଆପ୍ ବର୍ତ୍ତମାନ ଏହାର ମ୍ୟାଚିଂ ଆଲଗୋରିଦମ୍କୁ ଉନ୍ନତ କରିବା ପାଇଁ ଜେନେରେଟିଭ୍ ଏଆଇ ବ୍ୟବହାର କରୁଛି, ଯାହାର ଫଳସ୍ବରୂପ ଯୋଡ଼ି ଯୋଗାଡ଼ର ସମ୍ଭାବନା ୧୫% ବଢ଼ିଯାଇଛି। ସେହିପରି ବମ୍ବଲ୍ ଆପ୍ ବର୍ଷ ଶେଷ ସୁଦ୍ଧା ନିଜର ଏଆଇ ମ୍ୟାଚ୍ ମେକିଂ ଆପ୍ ଲଞ୍ଚ କରିବାକୁ ଯୋଜନା କରୁଛି।
ଡେଟିଂ ଆପ୍ରେ ଘଣ୍ଟା ଘଣ୍ଟା ସ୍ବାଇପ୍ କରି ନିରାଶ ହେଉଥିବା ବ୍ୟକ୍ତିଙ୍କ ପାଇଁ କୃତ୍ରିମ ବୁଦ୍ଧିମତ୍ତା ଏକ ନୂଆ ସୁଯୋଗ ନେଇ ଆସିଛି। ଏଆଇ ପ୍ରଯୁକ୍ତି ଯୋଗୁଁ ଏହି ଆପ୍ଗୁଡ଼ିକ ଏବେ ଅଳ୍ପ ସମୟରେ ଉତ୍କୃଷ୍ଟ ଯୋଡ଼ି ଯୋଗାଡ଼ କରିପାରୁଛନ୍ତି।
ଲାଭ ହ୍ରାସ ସହ ସଂଘର୍ଷ କରୁଥିବା ପ୍ରମୁଖ ଡେଟିଂ ଆପ୍ କମ୍ପାନିମାନେ ଏଆଇ ସାହାଯ୍ୟରେ ବ୍ୟବସାୟ ବଢ଼ାଇବା ନେଇ ଏବେ ଆଶାବାନ୍। ଏହି ସମ୍ଭାବନାକୁ ଲକ୍ଷ୍ୟ କରି ‘ଫ୍ରାନ୍ସିସ୍କୋ ପାର୍ଟନର୍ସ’ ଓ ‘ପର୍ମିରା’ ଭଳି ଘରୋଇ ଇକ୍ୱିଟି ଫାର୍ମ ଡେଟିଂ ପ୍ଲାଟଫର୍ମଗୁଡ଼ିକୁ ଅଧିଗ୍ରହଣ କରିବା ପାଇଁ ଉଦ୍ୟମ ଆରମ୍ଭ କଲେଣି। ଏବେ ଏଆଇ କେବଳ ଭଲ ଯୋଡ଼ି ସନ୍ଧାନ କରିବ ନାହିଁ, ବରଂ ଏଥି ସହିତ ଏହା ସମଗ୍ର ଡେଟିଂ ଆପ୍ ଶିଳ୍ପକୁ ରକ୍ଷା କରିପାରିବ ବୋଲି ସେମାନେ ଆଶା ରଖିଛନ୍ତି।
Follow Us