କର୍କଟର ଆଗୁଆ ଚିହ୍ନଟରେ ସାହାଯ୍ୟ କରୁଛି ଏଆଇ

ବିଶ୍ବବ୍ୟାପୀ କର୍କଟ ରୋଗର ଭୟବହତା ଦେଖିବାକୁ ମିଳୁଛି। ଲକ୍ଷ ଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହେଉଥିବା ବେଳେ ଏଥିରେ ସୁସ୍ଥ ହେବା ପ୍ରକ୍ରିୟା ବେଶ୍‌ ଲମ୍ବା, ଅନିଶ୍ଚିତତା ଓ କଷ୍ଟଦାୟକ। କର୍କଟ ରୋଗର ଏକ ପ୍ରମୁଖ ଆହ୍ବାନ ହେଉଛି ଆଗୁଆ ଚିହ୍ନଟ।

ai

Photograph: ( The Kirby Foundation)

ଡ. ଶ୍ୟାମାଶ୍ରୀ ଘୋଷ 

ବିଶ୍ବବ୍ୟାପୀ କର୍କଟ ରୋଗର ଭୟବହତା ଦେଖିବାକୁ ମିଳୁଛି। ଲକ୍ଷ ଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହେଉଥିବା ବେଳେ ଏଥିରେ ସୁସ୍ଥ ହେବା ପ୍ରକ୍ରିୟା ବେଶ୍‌ ଲମ୍ବା, ଅନିଶ୍ଚିତତା ଓ କଷ୍ଟଦାୟକ। କର୍କଟ ରୋଗର ଏକ ପ୍ରମୁଖ ଆହ୍ବାନ ହେଉଛି ଆଗୁଆ ଚିହ୍ନଟ। ପାନକ୍ରିଆଟିକ୍, ଜରାୟୁ ଓ ଯକୃତ କର୍କଟ ଅଧିକାଂଶ ସମୟରେ ବିଳମ୍ବରେ ଚିହ୍ନଟ ହୋଇଥାଏ। ସେତେବେଳକୁ କର୍କଟ ରୋଗୀର ଶରୀରରେ କାୟା ବିସ୍ତର କରିସାରିଥାଏ। 

ତେବେ କର୍କଟ ରୋଗର ଆଗୁଆ ଚିହ୍ନଟ ପାଇଁ ବୈଜ୍ଞାନିକମାନେ ନୂଆ ପନ୍ଥା ଅବଲମ୍ବନ କରିଛନ୍ତି। ରକ୍ତ ପରୀକ୍ଷା ଦ୍ବାରା କର୍କଟ ଚିହ୍ନଟ କରାଯାଉଛି। ଯାହାକି ଲିକ୍ବିଡ୍‌ ବାୟୋପ୍ସି ଭାବେ ପରିଚିତ। ଶରୀରରେ କର୍କଟର ଲକ୍ଷଣର ପରିପ୍ରକାଶ ପୂର୍ବରୁ ଏହାର ଚିହ୍ନଟ କରିପାରୁଛି। ଡିଏନ୍‌ଏ ଫ୍ରାଗମେଣ୍ଟ, ପ୍ରୋଟିନ ଓ କେମିକାଲ ଟ୍ୟାଗ୍‌କୁ ରକ୍ତ ନମୁନାରୁ ବିଶ୍ଲେଷଣ କରାଯାଉଛି। ଜନ ହପ୍‌କିନ୍‌ସରେ ଏଆଇ(ଆର୍ଟିଫିସିଆଲ ଇଣ୍ଟେଲିଜେନ୍‌ସ) ରକ୍ତ ପରୀକ୍ଷା ଦ୍ବାରା ୫୦ ପ୍ରକାରର କର୍କଟକୁ ଆଗୁଆ ଚିହ୍ନଟ କରାଯାଇପାରୁଛି। ଏଥିରେ ବହୁତ କମ୍ ଫଲ୍‌ସ ପଜିଟିଭ୍ ଆସୁଛି। ତେଣୁ କର୍କଟକୁ ଆଗୁଆ ଚିହ୍ନଟ କରାଗଲେ ହିଁ ଏହା ଭଲ ହେବାର ସମ୍ଭାବନାକୁ ବଢ଼ାଇଥାଏ। 

ଜଣେ ବ୍ୟକ୍ତିଙ୍କଠାରେ ଥରେ କର୍କଟ ଚିହ୍ନଟ ହେଲେ ଡାକ୍ତରଙ୍କ ପାଇଁ ଆଉ ଆହ୍ବାନ ସୃଷ୍ଟି କରିଥାଏ। ରୋଗୀଙ୍କୁ କେଉଁ ପ୍ରକାର ଚିକିତ୍ସା ଦିଆଯିବ ତାହା ଡାକ୍ତରଙ୍କୁ ବାଛିବାକୁ ପଡ଼ିଥାଏ। ଏଆଇ ଜରିଆରେ ଟ୍ୟୁମରର ଅନୁଶୀଳନ ସମ୍ଭବ ହୋଇପାରୁଛି। ରୋଗୀଙ୍କ ଜେନେଟିକ୍ ତଥ୍ୟ, ଟ୍ୟୁମର ମ୍ୟୁଟେସନ, ରୋଗ ପ୍ରତିରୋଧକ ଶକ୍ତି ଓ ପୂର୍ବ ଚିକିତ୍ସାକୁ ନେଇ ରୋଗୀଙ୍କୁ କେଉଁ ଔଷଧ କାମ କରିବ ତାହାର ଚୟନ କରାଯାଉଛି। ଔଷଧର ବିକାଶ ପ୍ରକ୍ରିୟା ବେଶ୍‌ ଧୀର ଓ ବ୍ୟୟବହୁଳ ମଧ୍ୟ। ଗୋଟିଏ ଔଷଧ ବାହାର କରିବା ପାଇଁ ଅତିକମ୍‌ରେ ୧୦-୧୫ବର୍ଷ ଲାଗିଥାଏ। ତହିଁରୁ ଅଧିକାଂଶ ବିଫଳ ମଧ୍ୟ ହୋଇଥାଏ। ଏଆଇ ଦ୍ବାରା ଔଷଧ ବିକଶିତ ପ୍ରକ୍ରିୟା ତ୍ବରାନ୍ବିତ ହେବା ସହ ଔଷଧର ପାର୍ଶ୍ବ ପ୍ରତିକ୍ରିୟାର ମଧ୍ୟ ଜଣାପଡ଼ୁଛି। ଆଲଫାଫୋର୍ଡ ପକ୍ଷରୁ ଡିପ୍ ମାଇଣ୍ଡ ବିକଶିତ କରାଯାଇଛି। ଏଥିରେ ପ୍ରୋଟିନ୍‌ ସଂରଚନା ଦ୍ବାରା କର୍କଟର ସଂପ୍ରସାରଣ ସଂପର୍କରେ ସୂଚନା ମିଳିପାରୁଛି। 

ବା‌ୟୋପ୍‌ସି ଜରିଆରେ ହିଁ କର୍କଟ ରୋଗର ଚିହ୍ନଟ ହୋଇଥାଏ। ପାଥୋଲୋଜିଷ୍ଟ ଏକ ଛୋଟ ମାଂସକୁ ନେଇ ସଂପୃକ୍ତ ସେଲ୍‌ ଟି ମାଲିଗ୍ନାଣ୍ଟ କି ନୁହେଁ ତାହାର ଚୟନ କରିଥାନ୍ତି। ଅନେକ ସମୟରେ ବର୍ଡରଲାଇନ୍‌ ମାମଲାକୁ ନେଇ ବିଶେଷଜ୍ଞମାନେ ଅସହମତି ପ୍ରକାଶ କରିଥାନ୍ତି। ମାତ୍ର ଏଆଇ ଦ୍ବାରା ଲକ୍ଷ ଲକ୍ଷ ହିଷ୍ଟୋଲୋଜି ଚିତ୍ର ଦ୍ବାରା ଏହା କର୍କଟଜନିତ ସେଲ୍‌, ଟ୍ୟୁମର ଗ୍ରେଡ୍‌ ଓ କର୍କଟ କେତେ ସଂକ୍ରାମକ ତାହା ସଂପର୍କରେ ସୂଚନା ମିଳିପାରୁଛି। ଗୁଗୁଲ ହେଲ୍‌ଥର ଏଆଇ ସିଷ୍ଟମ୍‌ ଏକ ରେଡିଓଲୋଜିଷ୍ଟଙ୍କଠାରୁ ବେଶ୍‌ ଠିକଣାଭାବେ କର୍କଟର ଫଲ୍‌ସ ପଜିଟିଭ୍ ସଂପର୍କରେ ସୂଚନା ଦେଇପାରୁଛି। କର୍କଟ ରୋଗୀ ଚିହ୍ନଟ ପାଇଁ ଯେଉଁ ପରୀକ୍ଷାଗାରର ଆବଶ୍ୟକ ରହିଛି ତାହା ସବୁ ହସ୍ପିଟାଲରେ ନାହିଁ। ମାତ୍ର ଏଆଇ ଦ୍ବାରା ବିଶେଷଜ୍ଞସ୍ତରୀୟ ଚିକିତ୍ସା ବିଶ୍ବସ୍ତରରେ ପହଞ୍ଚିପାରିବ। ଏକଥା ସତ ଯେ ଏଆଇ କେବେ ବି ଡାକ୍ତରଙ୍କ ସ୍ଥାନ ନେଇପାରିବ ନାହିଁ। ମାତ୍ର ଏଆଇ ପ୍ରତ୍ୟେକ ମାମଲାର ଅନୁଧ୍ୟାନ ଓ ନିର୍ଦ୍ଦିଷ୍ଟ ସମୟ ବା ରିଅଲ ଟାଇମ୍‌ରେ ଜଟିଳତାକୁ ସମ୍ଭାଳିବାର କ୍ଷମତା ରଖିଛି। ଆଗକୁ କର୍କଟ ରୋଗର ଚିକିତ୍ସା କେବଳ ଔଷଧ କିମ୍ବା ଅସ୍ତ୍ରୋପଚାର ଉପରେ ନିର୍ଭର କରିବ ନାହିଁ। ଏଆଇର ଶକ୍ତି ବଳରେ ଉପଯୁକ୍ତ ଔଷଧ ଓ ନିର୍ଦ୍ଦିଷ୍ଟ ଚିକିତ୍ସା ବେଶ ସହାୟକ ହେବ। ତେଣୁ ଆଗକୁ କେବେ ଯଦି କର୍କଟରେ ଚିକିତ୍ସା ନେଇ ଏଆଇ କଥା ଶୁଣନ୍ତି ତାହାଲେ ଏହାକୁ ରୋବୋଟ କିମ୍ବା ଚାଟ୍‌ବଟ୍‌ ଭାବି ଭ୍ରମରେ ପଡ଼ିବା ଉଚିତ ନୁହେଁ। କାରଣ ଏଆଇ ହୁଏତ ଡାକ୍ତରଙ୍କ ଆସିଷ୍ଟାଣ୍ଟଭାବେ ରୋଗକୁ ଚିହ୍ନଟ କରିବାରେ ସହାୟତା କରୁଥିବା ଦେଖିବାକୁ ମିଳିପାରେ। 
ନାଇଜର ଭୁବନେଶ୍ବର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe