ସ୍ବପ୍ନର ଘରକୁ ବାସ୍ତବତାର ରୂପ ଦେଉଛି ଏଆଇ

ସ୍ବପ୍ନର ଘରକୁ ବାସ୍ତବତାର ରୂପ ଦେଉଛି  ଏଆଇ

ବିଶ୍ବବିଦିତ ନିବେଶକ ୱାରେନ୍‌ ବଫେଟ୍ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)କୁ ମାନବ ସମାଜର ଅଶେଷ କ୍ଷତି ସାଧନ କରିଥିବା ପରମାଣୁ ବୋମା ସହ ତୁଳନା କରିଛନ୍ତି। କିନ୍ତୁ ଘଟଣାଚକ୍ରରେ ଜୀବନର ଅଧିକାଂଶ କ୍ଷେତ୍ରରେ ଖୁବ୍ ତୀବ୍ରତାର ସହ ଏଆଇ ଧସେଇ ପଶୁଛି। ବ୍ୟକ୍ତିଗତ ଜୀବନର ସୁଖସ୍ବାଚ୍ଛନ୍ଦ୍ୟରୁ ନେଇ ବୃତ୍ତିଗତ ଜୀବନରେ ଏଆଇର ଉପଯୋଗ ଏବେ ଆଧୁନିକତା ଓ ପାରଙ୍ଗମତାର ପ୍ରତୀକ ବୋଲି ବିବେଚନା କରାଯାଉଛି। ଆସନ୍ତୁ ଜାଣିବା ଘର ତିଆରି ଓ ଏହାର ସଜ୍ଜୀକରଣରେ କିଭଳି ଏଆଇ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛି।

ବର୍ତ୍ତମାନ ସମୟ ବଦଳିଛି, ବଦଳିଛି ଲୋକଙ୍କ ଜୀବନଧାରଣ ‌ମାନ ଓ ପସନ୍ଦ। ଏଥିପାଇଁ କୃତ୍ରିମ ବୁଦ୍ଧିମତ୍ତା ଜ୍ଞାନକୌଶଳ ଆଧାରରେ ଘରର ଆର୍କିଟେକ୍ଟର ଏବଂ ଇଣ୍ଟିରିୟର୍‌ ଡିଜାଇନ୍‌ କରାଯାଉଛି। ଅନ୍ୟାନ୍ୟ କ୍ଷେତ୍ର ପରି ଘରର ନିର୍ମାଣ ଶୈଳୀ ଓ  ସାଜସଜ୍ଜା ଲାଗି ପ୍ରଯୁକ୍ତିର ବହୁଳ ବ୍ୟବହାର ଯୋଗୁଁ ଏଥିରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି।
F ସ୍ପେସ୍ ପ୍ଲାନିଂ:  ଗୃହ ନିର୍ମାଣ ସମୟରେ ନିର୍ଦ୍ଦିଷ୍ଟ ପରିସୀମା ଭିତରେ କିଭଳି  ସ୍ଥାନର ସର୍ବୋତ୍କୃଷ୍ଟ ଉପଯୋଗ କରି ନକ୍ସା କରାଯାଇପାରିବ ତାହା ଏବେ କୃତ୍ରିମ ବୁଦ୍ଧିମତ୍ତା ପରିଚାଳିତ ଆପ୍‌ଲିକେସନ୍ କରିଦେଉଛି। ଘରର ସର୍ବୋତ୍କୃଷ୍ଟ ଲେଆଉଟ୍‌ ପାଇଁ କୃତ୍ରିମ ବୁଦ୍ଧିମତ୍ତା ଏବେ ସ୍ଥପତିଙ୍କୁ ପରାମର୍ଶ ଦେଉଛି।
F ଡିଜାଇନ୍‌ ସହାୟତା: କୃତ୍ରିମ ବୁଦ୍ଧିମତ୍ତା ଚାଳିତ ଉପକରଣଗୁଡ଼ିକ ସ୍ବୟଂକ୍ରିୟ ଭାବେ ରେଣ୍ଡରିଂ, ସାମଗ୍ରୀ ଚୟନ ଓ ଥ୍ରିଡି ମଡେଲିଂ ପରି କାର୍ଯ୍ୟଗୁଡ଼ିକୁ ସହସା ସମ୍ପନ୍ନ କରି ଘର ନକ୍ସା ଡିଜାଇନ୍‌ କରିବାରେ ଆର୍କିଟେକ୍ଟମାନଙ୍କୁ ସାହାଯ୍ୟ କରୁଛି। ଏକଦା ଯାହା କରିବାକୁ ସେମାନଙ୍କୁ କାଗଜ-ପେନ୍‌ସିଲ୍ ଓ ପରେ ଅଟୋକାଡ୍‌ ଭଳି ସଫ୍ଟୱେର୍‌ ବ୍ୟବହାର କରିବାକୁ ପଡୁଥିଲା, ତାହା ଏବେ ଅତି ସହଜ ହୋଇଛି।
F ବ୍ୟକ୍ତିଗତ ଚାହିଦା: କୃତ୍ରିମ ବୁଦ୍ଧିମତା ସହାୟତାରେ ସ୍ଥପତି ଗ୍ରାହକଙ୍କ ନିଜସ୍ବ ପସନ୍ଦ ଏବଂ ଆବଶ୍ୟକତାକୁ ଚାହିଁ ବରାଦ ମୁତାବକ ଉନ୍ନତ ଓ ସ୍ବତନ୍ତ୍ର ଡିଜାଇନ୍‌ କରିପାରୁଛନ୍ତି। ଏହାକୁ ପର୍ସନାଲାଇଜ୍‌ଡ୍‌/ କଷ୍ଟମାଇଜ୍‌ଡ୍‌ ଡିଜାଇନ୍ କହାଯାଉଛି।
ବର୍ତ୍ତମାନ କୃତ୍ରିମ ବୁଦ୍ଧିମତ୍ତା ଗୃହ ନିର୍ମାଣ ଓ ଆଭ୍ୟନ୍ତରୀଣ ସାଜସଜ୍ଜା ପ୍ରକ୍ରିୟାରେ ସୃଜନଶୀଳତା ଓ ଦକ୍ଷତା ବୃଦ୍ଧି କରିବାରେ ବେଶ୍‌ ସହାୟକ ହେଉଛି। ଓଡ଼ିଶାରେ ମଧ୍ୟ କୃତ୍ରିମ ବୁଦ୍ଧିମତ୍ତା ଆର୍କିଟେକ୍ଚର ଓ ଇଣ୍ଟିରିୟର୍‌ ଡ‌ିଜାଇନିଂ କ୍ଷେତ୍ରରେ ସ୍ବତନ୍ତ୍ର ସ୍ଥାନ ଦଖଲ କଲାଣି ବୋଲି କହନ୍ତି ‘ଏଡିଜାଇନ୍‌ସ୍’ର ପ୍ରତିଷ୍ଠାତା ଅର୍ଣ୍ଣବ କୁମାର।
F ଶକ୍ତି ସଞ୍ଚୟ: କୃତ୍ରିମ ବୁଦ୍ଧିମତା ଦ୍ବାରା କରାଯାଉଥିବା ବିଶେଷ ଡିଜାଇନ୍‌ କୋଠରିରେ ସୂର୍ଯ୍ୟକିରଣ ପଡ଼ିବା, ଉତ୍ତାପ ନିୟନ୍ତ୍ରଣରେ ରହିବା ଓ ସ୍ବାଭାବିକ ବାୟୁ ଆଦି ଦିଗ ଉପରେ ଗୁରୁତ୍ବ ଦେଉଛି। ଫଳରେ ଏଭଳି ଡିଜାଇନ୍‌ର ଘରେ  ବିଜୁଳି ବ୍ୟୟ କମ୍‌ ରହୁଛି ଓ ଶକ୍ତି ସଂଚୟ କରାଯାଇ ପାରୁଛି।
F ଭର୍ଚୁଆଲ୍ ରିଅଲିଟି ଏବଂ ଅଗ୍‌ମେଣ୍ଟେଡ୍‌ ରିଅଲିଟି: ଗୃହ ନିର୍ମାଣ ପୂର୍ବରୁ ଡିଜାଇନ୍‌ର ଭର୍ଚୁଆଲ୍ ରିଅଲିଟି (ଆଭାସୀ ବାସ୍ତବିକତା) ଏବଂ ଅଗ୍‌ମେଣ୍ଟେଡ୍‌ ରିଅଲିଟି (ସଂବର୍ଦ୍ଧିତ ବାସ୍ତବତା) ଗ୍ରାହକ ଦେଖିପାରୁଛନ୍ତି। କୃତ୍ରିମ ବୁଦ୍ଧିମତା ସାହାଯ୍ୟରେ ଘର ଭିତର ଓ ବାହାର କିଭଳି ଦେଖାଯିବ ଓ ବ୍ୟବହାର୍ଯ୍ୟ ଅନୁଭୂତି କିଭଳି ରହିବ ତାହା କମ୍ପ୍ୟୁଟର୍‌ ଜରିଆରେ ପ୍ର‌ତ୍ୟକ୍ଷ କରିହେଉଛି। ତେଣୁ ଗ୍ରାହକ ସଂପୂର୍ଣ୍ଣ ସନ୍ତୁଷ୍ଟ ହେବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନେଉଛନ୍ତି। ଏହା  ନୂତନ  ବୈଷୟିକ ପ୍ରଯୁକ୍ତି ଦ୍ବାରା ସମ୍ଭବ ହେଉଛି।
F ସ୍ମାର୍ଟ ବିଲ୍‌ଡିଂ: ସ୍ମାର୍ଟ ହୋମ୍ ଓ ବିଲ୍‌ଡିଂ ପାଇଁ ଇଣ୍ଟର୍‌ନେଟ୍‌ ଅଫ୍‌ ଥିଙ୍ଗ୍‌ସ ଉପକରଣ ମାଧ୍ୟମରେ କୃତ୍ରିମ ବୁଦ୍ଧିମତ୍ତା ଆଲୋକ, ତାପମାତ୍ରା, ସୁରକ୍ଷା ଓ ଅନ୍ୟାନ୍ୟ କାର୍ଯ୍ୟଗୁଡ଼ିକୁ ଦକ୍ଷତାର ସହିତ ପରିଚାଳନା କରୁଛି।
F ତଥ୍ୟ ବିଶ୍ଳେଷଣ: ଭବିଷ୍ୟତର ଡିଜାଇନ୍‌ ବିଷୟରେ ସୂଚନା ଦେବା ସହିତ ପ୍ରଚଳିତ ଡିଜାଇନ୍‌, ଗ୍ରାହକଙ୍କ ବ୍ୟବହାର ସୁବିଧା ଓ ପରିବେଶ ପ୍ରଭାବ ଚିହ୍ନଟ କରିବାକୁ କୃତ୍ରିମ ବୁଦ୍ଧିମତ୍ତା ଅନେକ ତଥ୍ୟ ବିଶ୍ଳେଷଣ କରୁଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe