ବାୟୁସେନା ଦିବସ: ୬୦ ବର୍ଷରେ ୧୯୬୫ର ଭାରତ-ପାକ୍‌ ଯୁଦ୍ଧ

ଚଳିତବର୍ଷ ୧୯୬୫ ମସିହାରେ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧକୁ ୬୦ ବର୍ଷ ପୂରଣ ହେଉଛି। ଭାରତୀୟ ବାୟୁସେନା ଏହି ଯୁଦ୍ଧରେ ଅପୂର୍ବ ବୀରତ୍ବ ପ୍ରଦର୍ଶନ କରିଥିଲା। ଦୁଇ ଦେଶର ବାୟୁସେନା ମଧ୍ୟରେ ଏହା ଥିଲା ପ୍ରଥମ ଆକାଶୀ ଯୁଦ୍ଧ।

ggadgadadgzcv

ଚଳିତବର୍ଷ ୧୯୬୫ ମସିହାରେ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧକୁ ୬୦ ବର୍ଷ ପୂରଣ ହେଉଛି। ଭାରତୀୟ ବାୟୁସେନା ଏହି ଯୁଦ୍ଧରେ ଅପୂର୍ବ ବୀରତ୍ବ ପ୍ରଦର୍ଶନ କରିଥିଲା। ଦୁଇ ଦେଶର ବାୟୁସେନା ମଧ୍ୟରେ ଏହା ଥିଲା ପ୍ରଥମ ଆକାଶୀ ଯୁଦ୍ଧ। ସେତେବେଳେ ଭାରତୀୟ ବାୟୁସେନା ନିକଟରେ ପାକିସ୍ତାନ ଅପେକ୍ଷା ଅଧିକସଂଖ୍ୟକ ଯୁଦ୍ଧବିମାନ ଥିଲା। କିନ୍ତୁ, ସ୍ବଳ୍ପସଂଖ୍ୟକ ହେଲେ ବି ପାକିସ୍ତାନର ଯୁଦ୍ଧବିମାନଗୁଡ଼ିକ ଥିଲା ଉନ୍ନତ।

ପାକିସ୍ତାନ ପ୍ରଥମେ ‘ଅପରେସନ୍‌ ଜିବ୍ରାଲ୍‌ଟର୍‌’ କାର୍ଯ୍ୟକାରୀ କରି ଭାରତ ଆକ୍ରମଣ କରିଥିଲା। ପରେ ‘ଅପରେସନ୍‌ ଗ୍ରାଣ୍ଡ୍ ସ୍ଲାମ୍’ ଦ୍ବାରା ପାକିସ୍ତାନ ଏହି ଆକ୍ରମଣ ତୀବ୍ରତର କଲା। କିନ୍ତୁ, ପାକିସ୍ତାନୀ ଆକ୍ରମଣକୁ ଭାରତ ବାୟୁସେନା ଦ୍ବାରା ପ୍ରତିହତ କରିଥିଲା। ଭାରତୀୟ ବାୟୁସେନା କେବଳ ଯୁଦ୍ଧ ରୋକି ନ ଥିଲା, ବରଂ ଦୃଢ଼, ଫଳପ୍ରଦ ଏବଂ କୌଶଳଗତ ଚମତ୍କାରିତା ପ୍ରୟୋଗ କରି ଯୁଦ୍ଧର ଗତି ବଦଳାଇ ଦେଇଥିଲା। ଗତ ୬୦ ବର୍ଷରେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଘଟିଛି। ସମ୍ପ୍ରତି ଭାରତୀୟ ବାୟୁସେନା ଅତ୍ୟନ୍ତ ଶକ୍ତିଶାଳୀ ହୋଇପାରିଛି। ସବୁ ସତ୍ତ୍ବେ ୧୯୬୫ ଯୁଦ୍ଧରୁ ଆହରିତ ଶିକ୍ଷା ଏବେ ବି ଆକାଶୀ ଯୁଦ୍ଧ କ୍ଷେତ୍ରରେ ପ୍ରଯୁଜ୍ୟ ବୋଲି କହନ୍ତି ଅବସରପ୍ରାପ୍ତ ଏୟାର୍‌ ମାର୍ସାଲ୍‌ ଆର୍‌. ଜି. କେ. କପୁର୍‌। ୧୯୪୭-୪୮ ଓ ୧୯୬୨ ଯୁଦ୍ଧରେ ଭାରତୀୟ ବାୟୁସେନାକୁ ଆକ୍ରାମଣାତ୍ମକ ଭାବେ ବ୍ୟବହାର କରାଯାଇ ନ ଥିଲା। କାରଣ, ସେତେବେଳେ ଆଶଙ୍କା ଥିଲା ଯେ ଯୁଦ୍ଧବିମାନ ବ୍ୟବହାର କରାଗଲେ ଯୁଦ୍ଧ ଆହୁରି ବଢ଼ିଯିବ। ୧୯୬୫ ଯୁଦ୍ଧ ବେଳେ ମଧ୍ୟ ଏହି ମାନସିକତା ବଳବତ୍ତର ରହିଥିଲା। ସେତେ‌େବଳକୁ ମିଗ୍-୨୧ ବିମାନ ଆଣି ଭାରତୀୟ ବାୟୁସେନା ଏହାର ଆଧୁନିକୀକରଣ ଆରମ୍ଭ କରିସାରିଥିଲା। ତଥାପି ଭାରତୀୟ ବାୟୁସେନା ଭାମ୍ପାୟାର୍‌, ମିଷ୍ଟେର୍‌, ହଣ୍ଟର୍‌, କାନ୍‌ବେରା ଓ ନାଟ୍ ପରି ପୁରାତନ ଯୁଦ୍ଧ ବିମାନ ଉପରେ ନିର୍ଭରଶୀଳ ଥିଲା। କିନ୍ତୁ, ପାକିସ୍ତାନ ଆମେରିକା ଯୋଗାଇ ଦେଇଥିବା ସାବର୍ ଓ ଷ୍ଟାର୍‌ଫାଇଟର୍‌ ଭଳି ଉନ୍ନତ ଯୁଦ୍ଧବିମାନ ବ୍ୟବହାର କରିଥିଲା।

ମାତ୍ର ୧୭ଦିନର ଯୁଦ୍ଧ ପରେ ଯୁଦ୍ଧବିରତି ଘୋଷଣା କରାଯିବାରୁ ବାୟୁସେନାର ନେତୃତ୍ବ ନେଉଥିବା ଏୟାର୍‌ ମାର୍ସାଲ୍‌ ଅର୍ଜନ ସିଂହ ନିରାଶ ହୋଇଗଲେ। କାରଣ, ସେତେବେଳକୁ ବାୟୁସେନା ତା’ ସମ୍ବଳର ମାତ୍ର ୧୦ ପ୍ରତିଶତରୁ କମ୍ ବ୍ୟବହାର କରିଥିଲା। ତତ୍କାଳୀନ ରାଜନୈତିକ ନେତୃତ୍ବ ଭାରତୀୟ ବାୟୁସେନା ଶକ୍ତି ବ୍ୟବହାରକୁ କଡ଼ାକଡ଼ି ନିୟନ୍ତ୍ରିତ କରିଥିଲେ। ଫଳରେ ଆମ ବାୟୁସେନା କେବଳ ମାତ୍ର ପ୍ରତିକ୍ରିୟା ପ୍ରକାଶ ବା ପ୍ରତିରକ୍ଷା କରିଥିଲା। ତତ୍କାଳୀନ ଭାରତ ସରକାର ଭାରତୀୟ ବାୟୁସେନାକୁ ପୂର୍ବ ପାକିସ୍ତାନର ଅଭ୍ୟନ୍ତରୀଣ ଅଞ୍ଚଳରେ ଆକ୍ରମଣ କରିବାକୁ ବାରଣ କରିଥିଲେ। ତେଣୁ ଭାରତର ୩୮ ପ୍ରତିଶତ ବିମାନ ପ୍ରତ୍ୟକ୍ଷ ଆକ୍ରମଣରୁ ବିରତ ରହିଥିଲା। ଏହି ଯୁଦ୍ଧରୁ ପ୍ରାପ୍ତ ବଡ଼ ଶିକ୍ଷା ଥିଲା- ବାୟୁସେନା ଶକ୍ତିର ପର୍ଯ୍ୟାପ୍ତ ପ୍ରୟୋଗ କରା ନ ଯିବାରୁ ପ୍ରାରମ୍ଭିକ ପରିଣତି ଗୁରୁତର ପ୍ରଭାବିତ ହେଲା ଓ ଭାରତ ଅଡୁଆରେ ପଡ଼ିଲା।

ଏଥର ଭାରତୀୟ ବାୟୁସେନା ଅଭିନବ ରଣନୀତି ଉପଯୋଗ କଲା ଏବଂ ସେପ୍‌ଟେମ୍ବର୍‌ ୩ରେ ସ୍କ୍ବାଡ୍ରନ୍‌ ଲିଡର୍‌ ଟେଭୋର୍‌ କିଲୋର୍‌ ଗୋଟାଏ ‘ନାଟ୍’ ବିମାନ ଦ୍ବାରା ପାକିସ୍ତାନର ଏକ ସାବର୍‌ ବିମାନକୁ ଖସାଇଦେଲେ। ଏହା ଥିଲା ଭାରତୀୟ ବାୟୁସେନାର ପ୍ରଥମ ବିମାନ ଶିକାର। ଏଥିରୁ ଶିକ୍ଷା ମିଳିଲା ଯେ ବାୟୁଶକ୍ତି ବ୍ୟବହାର ନି‌ୟନ୍ତ୍ରିତ ହେଲେ ଫଳ ବିପରୀତ ହୁଏ ଏବଂ ଅଭିନବ ରଣନୀତି ଶତ୍ରୁପକ୍ଷକୁ କିଂର୍ତ୍ତବ୍ୟବିମୂଢ଼ କରିଦେଇପାରେ। ସେପ୍‌ଟେମ୍ବର୍‌ ୬ରେ ପାକ୍ ବାୟୁସେନା ହାଲ୍‌ୱାରା, ଆଦମ୍‌ପୁର୍‌ ଓ ପଠାନ୍‌କୋଟ୍‌ରେ ଥିବା ବିମାନଘାଟି ଉପରେ ଆଗତୁରା ଆକ୍ରମଣକରି ଭୂମି ଉପରେ ଥିବା ବିମାନଗୁଡ଼ିକୁ ଧ୍ବଂସ କରିଦେଲା। ୧୯୬୫ ସେପ୍‌ଟେମ୍ବର୍‌ ୧ରେ ପାକ୍ ସାଞ୍ଜୁଆବାହିନୀ ଦ୍ବାରା ଜାମ୍ମୁ ସେକ୍ଟର୍‌ରେ କରାଯାଇଥିବା ସ୍ଥଳ ଆକ୍ରମଣ ପ୍ରତିହତ କରିବାପାଇଁ ଭାରତୀୟ ବାୟୁସେନା ଯୁଦ୍ଧରେ ଯୋଗଦେଲା। କେବଳ ଚାମ୍ବ ସେକ୍ଟର୍‌ରେ ଯୁଦ୍ଧ କରିବାକୁ ବାୟୁସେନାକୁ ଅନୁମତି ‌ଦିଆଯାଇଥିଲା। ଯୁଦ୍ଧର ପ୍ରାରମ୍ଭିକ ପର୍ଯ୍ୟାୟରେ ଭାରତୀୟ ବାୟୁସେନା ଭାମ୍ପାୟାର୍‌ ଓ ପରେ ରାତିରେ ମିଷ୍ଟେର୍ସ ବିମାନ ବ୍ୟବହାର କଲା। ପ୍ରଥମ ଦିନରେ ହିଁ ପାକିସ୍ତାନର ସାବର୍‌ ବିମାନ ଦ୍ବାରା ଭାରତୀୟ ବାୟୁସେନାର ତିନିଟି ଭାମ୍ପାୟାର୍‌ ବିମାନ ନଷ୍ଟ ହୋଇଗଲା। ଏହାପରେ ଭାରତୀୟ ବାୟୁସେନା ‘ନାଟ୍’ ବିମାନ ବ୍ୟବହାର କଲା।

ସେପ୍‌ଟେମ୍ବର୍‌ ୬ ଆକ୍ରମଣର ଜବାବରେ ଭାରତୀୟ ବାୟୁସେନା ସର୍‌ଗୋଧା, ଚକ୍‌ଲାଲା, ପେଶାୱାର୍‌, ରିସାଇୱାଲା୍‌ ଏବଂ ପାକ୍ ବାୟୁସେନା ଘାଟିଗୁଡ଼ିକ ଉପରେ ଆକ୍ରମଣ କରିଥିଲା। ପ୍ରତି ଅଭିଯାନରେ ଆକ୍ରମଣାତ୍ମକ ଓ ଚାତୁର୍ଯ୍ୟପୂର୍ଣ୍ଣ ପ୍ରୟୋଗ ଯୋଗୁଁ ଭାରତୀୟ ବାୟୁସେନାର ଗୁରୁତ୍ବ ବୃଦ୍ଧିପାଇଲା। ପ୍ରାରମ୍ଭିକ ସଂଘର୍ଷ ପରବର୍ତ୍ତୀ ଦିନଗୁଡ଼ିକରେ ନାଟ୍ ବିମାନ ପାକିସ୍ତାନ‌ର ସାତଟି ସାବର୍‌ ବିମାନ ଖସାଇଦେଲା। ଏହାପରେ ନାଟ୍ ବିମାନକୁ ‘ସାବର୍‌ ବିନାଶକ’ର କୁହାଗଲା। ଏଥିରୁ ଶିକ୍ଷା ମିଳେ ଯେ ବାସ୍ତବବାଦୀ ତାଲିମ, ପଦକ୍ଷେପ ଓ ନବସୃଜନ ଉତ୍କୃଷ୍ଟ ବାୟୁସେନାକୁ ମଧ୍ୟ ପ୍ରତିହତ କରିପାରେ। ସମୟକ୍ରମେ ଆକ୍ରମଣର ସାଧନ ବଦଳି ଡ୍ରୋନ୍‌, ସ୍ବୟଂ ଯାତ୍ରାକରି ଆକ୍ରମଣ କରୁଥିବା ଅସ୍ତ୍ରଶସ୍ତ୍ର ଏବଂ ଦୂରରୁ ସଠିକ୍ ଲକ୍ଷ୍ୟଭେଦ କରିପାରୁଥିବା କ୍ଷେପଣାସ୍ତ୍ର ଇତ୍ୟାଦି ବ୍ୟବହୃତ ହେଉଥିଲେ ମଧ୍ୟ ସାମରିକଘାଟି ଏବଂ ସମ୍ବଳ ସୁରକ୍ଷା ଏବେ ମଧ୍ୟ ପ୍ରାସଙ୍ଗିକ ହୋଇରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe