ନୂଆଦିଲ୍ଲୀ: ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡ଼ରେ ସବୁଠାରୁ ଆଗରେ ରହିଥିବା ଋଷି ସୁନକଙ୍କ କୋଟିପତି ପତ୍ନୀ ଅକ୍ଷତା ନାରାୟଣ ମୂର୍ତ୍ତିଙ୍କ ବିଷୟରେ ଆପଣ କ’ଣ ଜାଣନ୍ତି? ସେ ହେଉଛନ୍ତି ଇନ୍ଫୋସିସ୍ର ସହ-ପ୍ରତିଷ୍ଠାତା ଏନ୍ ନାରାୟଣ ମୂର୍ତ୍ତି ଓ ଅଧ୍ୟକ୍ଷା ସୂଧା ମୂର୍ତ୍ତିଙ୍କ ଝିଅ। ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡ଼ରେ ଋଷି ସୁନକ ଗୋଟାଏ ପରେ ଗୋଟାଏ ପର୍ଯ୍ୟାୟରେ ଉତ୍ତୀର୍ଣ୍ଣ ହୋଇ ସଫଳତା ଆଡ଼େ ପାଦ ରଖି ରଖି ଯାଉଥିବା ବେଳେ ଏବେ ଚର୍ଚ୍ଚାକୁ ଆସିଛନ୍ତି ତାଙ୍କ ପତ୍ନୀ ଅକ୍ଷତା।
ସେ ହେଉଛନ୍ତି ବୃତ୍ତିରେ ଜଣେ ଫେସନ୍ ଡିଜାଇନର୍। ଷ୍ଟାନ୍ଫୋର୍ଡରେ ପାଠ ପଢ଼ିବା ବେଳେ ସୁନକ ଓ ଅକ୍ଷତା ପରସ୍ପରଙ୍କୁ ଜାଣିଥିଲେ ଓ ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ସୃଷ୍ଟି ହୋଇଥିଲା। ସେମାନେ ୨୦୦୯ ମସିହାରେ ବେଙ୍ଗାଲୁରଠାରେ ଏକ ଦୁଇ ଦିନିକିଆ ଉତ୍ସବରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।
ଅକ୍ଷତା ନାରାୟଣ ମୂର୍ତ୍ତିଙ୍କର ଇନଫୋସିସରେ ୦.୯୩% ସେୟାର ରହିଛି। ଗତ କିଛି ମାସ ତଳେ ଅକ୍ଷତାଙ୍କ ଟିକସ ତଥ୍ୟ ସମ୍ବାଦପତ୍ରରେ ଲିକ୍ ହେବା ପରେ ସେ ଚର୍ଚ୍ଚାର ପରିସର ଭିତରକୁ ଆସିଥିଲେ। ‘ଦି ଇଣ୍ଡେପେଣ୍ଡେଟ୍’ ନାମକ ସମ୍ବାଦପତ୍ର ପ୍ରଥମେ ତାଙ୍କର ଟିକସ ତଥ୍ୟକୁ ଲିକ୍ କରିଥିଲା।
ଏହି ପ୍ରସଂଗ ଜୋର୍ ଧରିବା ପରେ ଅକ୍ଷତା ଏକ ଟ୍ବିଟ୍ ପୋଷ୍ଟ୍ କରି ଲେଖିଥିଲେ ଯେ, ‘ସାରା ବିଶ୍ବରୁ ମୋର ଯେଉଁ ଆୟ ହେଉଛି ତାହା ଉପରେ ଯଦି ମୁଁ ବ୍ରିଟେନ୍ରେ ଟିକସ ଦେବି ତା’ ସତ୍ତ୍ବେ ମୁଁ ଭାରତର ନାଗରିକ ହୋଇ କିପରି ରହିବି? ମୁଁ ଭାରତର ନାଗରିକ, ମୋ ଅଭିଭାବକ ସେଠାରେ ରହୁଛନ୍ତି। ଏହି ତଥ୍ୟ ବଦଳିଯିବ ନାହିଁ। ମୁଁ ବ୍ରିଟେନ୍କୁ ମଧ୍ୟ ଭଲ ପାଏ।’
Follow Us