ବନ୍ଧୁତାର ରୋମାଞ୍ଚକ ଯାତ୍ରା ‘ମଞ୍ଜୁମେଲ୍‌ ବଏଜ୍‌’

Advertisment
ବନ୍ଧୁତାର ରୋମାଞ୍ଚକ ଯାତ୍ରା ‘ମଞ୍ଜୁମେଲ୍‌ ବଏଜ୍‌’

ଗୋଟିଏ ବହୁଚର୍ଚ୍ଚିତ ସତ ଘଟଣାକୁ ଏକ ରୋମାଞ୍ଚକ ତଥା ହୃଦୟସ୍ପର୍ଶୀ ସିନେମାର ରୂପ ଦେବା ସହଜ କାମ ନୁହେଁ। କିନ୍ତୁ ୨୦୦୬ରେ ତାମିଲନାଡୁର ଗୁଣା- ଗୁମ୍ଫାରେ ଘଟିଥିବା ଏକ ଦୁର୍ଘଟଣା ଓ ତା’ ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟକୁ ମଲୟାଲମ୍‌ ନିର୍ଦେଶକ ଚିଦାମ୍ବରମ୍‌ ବନ୍ଧୁତା ଓ ଅଲୌକିକତାର ମାପଚୁପ ସ୍ପର୍ଶ ଦେଇ ଏକ ପ୍ରାୟ-ନିଖୁଣ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି। ଲୋକଙ୍କ ଜୀବନରେ ସିନେମାର ପ୍ରଭାବକୁ ଏଥିରେ ଚମତ୍କାର ଢଙ୍ଗରେ ଦେଖାଯାଇଛି। ଆରମ୍ଭରେ କେରଳର ଏକ ଯୁବକ ଗୋଷ୍ଠୀ ତାମିଲନାଡୁର କୋଡ଼ାଇକାନାଲ ବୁଲିବାକୁ ବାହାରନ୍ତି। କମଲ ହାସନଙ୍କ ‘ଗୁଣା’ ଶୀର୍ଷକ ସିନେମାଟି ସେମାନଙ୍କୁ ଏତେ ପ୍ରଭାବିତ କରିଛି ଯେ ସେମାନେ ସେହି ନାମଧାରୀ ବିପଜ୍ଜନକ ଗୁମ୍ଫା ଭିତରକୁ ଯିବାର ନିଷ୍ପତ୍ତି ନିଅନ୍ତି। ବାସ୍ତବରେ ଏହି ଗୁମ୍ଫାର ନାମ ‘ଡେଭିଲ୍‌ସ କିଚେନ୍‌’ ବା ‘ସଇତାନର ରୋଷେଇଘର’। ‘ଗୁଣା’ ସିନେମାର ଲୋକପ୍ରିୟତା ଯୋଗୁଁ ଏହା ଗୁଣା ଗୁମ୍ଫା ଭାବରେ ପରିଚିତ। ୨୦୧୬ ସୁଦ୍ଧା ଏ ଗୁମ୍ଫା ଭିତରେ ୧୬ ଜଣ ଅନ୍ତର୍ଦ୍ଧାନ ହୋଇସାରିଛନ୍ତି। ତେଣୁ ଯେତେବେଳେ ଉକ୍ତ ଗୋଷ୍ଠୀର ଜଣେ, ସୁଭାଷ (ଶ୍ରୀନାଥ ଭସି) ଏକ ଗର୍ତ୍ତ ଭିତରେ ଖସିପଡ଼ିଛନ୍ତି ସ୍ଥାନୀୟ ଲୋକେ ଓ ପୁଲିସ କହିଛନ୍ତି ଯେ ସୁଭାଷଙ୍କ ମୃତ୍ୟୁ ସୁନିଶ୍ଚିତ। କିନ୍ତୁ ତାଙ୍କ ବନ୍ଧୁମାନେ ତାଙ୍କୁ ଛାଡ଼ି ଫେରିଯିବାକୁ ପ୍ରସ୍ତୁତ ନୁହନ୍ତି। ଦୀର୍ଘ ସମୟ ପରେ ଗୁମ୍ଫା ଭିତରୁ ସୁଭାଷଙ୍କ ଚିତ୍କାର ଶୁଭୁଛି ଏବଂ ତାଙ୍କ ବନ୍ଧୁମାନେ ତାଙ୍କୁ ଉଦ୍ଧାର କରିବାକୁ ପୁଲିସ ଓ ଦମ୍‌କଳ ବାହିନୀ ପାଖରେ ନେହୁରା ହେଉଛନ୍ତି। କିନ୍ତୁ ଅତ୍ୟନ୍ତ ବିପଜ୍ଜନକ ଗୁମ୍ଫା ଭିତରକୁ ଯିବାକୁ ଦମ୍‌କଳ କର୍ମଚାରୀ ପ୍ରସ୍ତୁତ ହେଉ ନାହାନ୍ତି। ଶେଷରେ ସେହି ଗୋଷ୍ଠୀର ସିଜୁ ଡେଭିଡ୍‌ (ସୌବିନ ଶାହିର) ନିଜ ବନ୍ଧୁକୁ ବଞ୍ଚାଇବା ଲାଗି ଗୁମ୍ଫା ଭିତରକୁ ପଶିବାର ନିଷ୍ପତ୍ତି ନେଇଛନ୍ତି। ଏ ନିଷ୍ପତ୍ତିକୁ ଦୃଢ଼ ଭିତ୍ତି ଦେବା ପାଇଁ ନିର୍ଦେଶକ କେତେକ ‘ଫ୍ଲାସ୍‌ବ୍ୟାକ୍‌’ ଦୃଶ୍ୟର ସାହାଯ୍ୟ ନେଇଛନ୍ତି। ବାଲ୍ୟାବସ୍ଥାରୁ ଏହି ଗୋଷ୍ଠୀ କିପରି ପରସ୍ପରଙ୍କର ଘନିଷ୍ଠ ହୋଇଛନ୍ତି, ଜଣେ ଅନ୍ୟଜଣଙ୍କ ଜୀବନ ବଞ୍ଚାଇଛନ୍ତି ତାହା ଦର୍ଶକ ମନରେ ଗଭୀର ରେଖାପାତ କରିବା ସୁନିଶ୍ଚିତ। ଏମାନଙ୍କ ନିଃସ୍ବାର୍ଥପର ବନ୍ଧୁତା ଦର୍ଶକ ମନରେ ଏତେ ପ୍ରଭାବ ପକାଇଛି ଯେ ଅନେକେ ଫିଲ୍ମଟି ଦେଖିବା ପରେ ପୁରୁଣା ବନ୍ଧୁମାନଙ୍କ ସହ କଥା ହୋଇଥିବା ଓ ଦେଖା କରିଥିବାର ପ୍ରକାଶ କରିଛନ୍ତି।

ଏହି ସିନେମାର ଏଡିଟିଂ ବିଭାଗ ବିଶେଷ ଉଲ୍ଲେଖ ଦାବି କରେ। ଏହି ବିଭାଗର ପାରଦର୍ଶିତା ଯୋଗୁଁ ଚଳଚ୍ଚିତ୍ରଟି ଦର୍ଶକକୁ ଶେଷ ପର୍ଯ୍ୟନ୍ତ ପରଦା ସହିତ ବାନ୍ଧିରଖେ। ପ୍ରାୟ ଦୁଇଘଣ୍ଟାର ସିନେମାଟିରେ କୌଣସି ଦୃଶ୍ୟ ବା ମୁହୂର୍ତ୍ତ ଅଯଥା ମନେହୁଏ ନାହିଁ। ଗୋଟିଏ ‘ଫ୍ଲାସ୍‌ବ୍ୟାକ୍’ ଦୃଶ୍ୟରେ ବାଳକ ସୁଭାଷ ପାଣିକୁ ଡେଇଁବା ଓ ଯୁବକ ସୁଭାଷ ଗୁମ୍ଫା ଗର୍ତ୍ତରେ ଗଳିପଡ଼ିବାର ଦୃଶ୍ୟ ଯେଉଁ ଢଙ୍ଗରେ ଯୋଡ଼ାଯାଇଛି ତାହା ଭାରତୀୟ ସିନେମା ଇତିହାସର ଅନ୍ୟତମ ରୋମାଞ୍ଚକର ‘ଟ୍ରାଞ୍ଜିସନ୍’ ଭାବେ ସ୍ମରଣୀୟ ହୋଇ ରହିବ। ସେହିପରି ଏହାର ଚିତ୍ରନାଟ୍ୟରେ ସୂକ୍ଷ୍ମ ଜିନିଷଗୁଡ଼ିକୁ ଯଥେଷ୍ଟ ଗୁରୁତ୍ବ ଦିଆଯାଇଛି। ସିନେମାର ଅଧିକାଂଶ ଦୃଶ୍ୟରେ ପ୍ରାୟ ଦଶଜଣ ଅଭିନେତା ସବୁବେଳେ ଉପସ୍ଥିତ ରହିଛନ୍ତି। ନିର୍ଦେଶକଙ୍କ ଆତ୍ମବିଶ୍ବାସ ତଥା ଅଭିନେତାମାନଙ୍କ ଦକ୍ଷତା ବିନା ଏଭଳି ଦୃଶ୍ୟମାନ ବିଶ୍ବସନୀୟ ହେବା ଅସମ୍ଭବ। ଅସଲ ‘ମଞ୍ଜୁମେଲ୍ ବଏଜ୍’ଙ୍କ ଏକ ସାକ୍ଷାତ୍‌କାରରୁ ଜଣାପଡ଼ିଥାଏ ଯେ ନିର୍ଦେଶକ ସମସ୍ତ ଚରିତ୍ରଙ୍କ ପୋଷାକପତ୍ର ଓ ହାବଭାବକୁ ସିନେମା ନିର୍ମାଣ ପୂର୍ବରୁ ଯଥେଷ୍ଟ ଅଧ୍ୟୟନ କରିଛନ୍ତି। ଏହାର କେତେକ ଦୁର୍ବଳ ଦିଗ ହେଉଛି ଅସଲ ଗୋଷ୍ଠୀ ଓ ଅଭିନେତାମାନଙ୍କର ବୟସରେ ତାରତମ୍ୟ, ଗଭୀର ଗୁମ୍ଫାରେ ପଡ଼ିବା ବେଳେ ସୁଭାଷଙ୍କର ଦେହ ପଥରରେ ମାଡ଼ ହେବା ସତ୍ତ୍ବେ ତାଙ୍କୁ ଗୁରୁତର ଆଘାତ ନ ଲାଗିବା ପ୍ରମୁଖ। କେତେକ ଲୋମଟାଙ୍କୁରା ଦୃଶ୍ୟରେ ଅଦରକାରୀ ଭାବେ ଭୌତିକ ଶବ୍ଦ ଦିଆଯାଇଛି ଯାହା ବିନା ମଧ୍ୟ ସେଗୁଡ଼ିକ ପ୍ରଭାବଶାଳୀ ହୋଇପାରନ୍ତା। ୨୦୨୪ ଫେବ୍ରୁଆରିରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ୨୩୪ କୋଟି ଟଙ୍କା ଆୟ କରି ରେକର୍ଡ କରିଛି। ନିକଟରେ ‘ହଟ୍‌ଷ୍ଟାର୍‌’ରେ ମୁକ୍ତିଲାଭ କରିବା ପରେ ଏହା ଦେଶବିଦେଶରେ ବ୍ୟାପକ ଆଦୃତିଲାଭ କଲାଣି। ସର୍ବବ୍ୟାପୀ ମାନବିକ ଆବେଦନ ଯୋଗୁଁ ଏହି ସିନେମାଟି ଭାଷାର ପାଚେରିକୁ ସହଜରେ ଲଂଘିଯାଇଛି। ଭାଷା ଓ ଅାଞ୍ଚଳିକତା ଯେ ଉତ୍ତମ କଳାତ୍ମକ ପରିପ୍ରକାଶର ବାଧକ ନୁହେଁ, ‘ମଞ୍ଜୁମେଲ୍‌ ବଏଜ୍‌’ ହେଉଛି ତାହାର ଜ୍ବଳନ୍ତ ଉଦାହରଣ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe