ଗୋଟିଏ ଟ୍ବିଟରୁ ଆରମ୍ଭ ହୋଇଥିଲା ସମ୍ପର୍କ, ମାତୃ ଦିବସର ଇଡଲି ଅମ୍ମାଙ୍କୁ ଉପହାରରେ ଘର ଦେଲେ ଆନନ୍ଦ ମହିନ୍ଦ୍ରା

ଦେଖନ୍ତୁ ଭିଡିଓ

ଗୋଟିଏ ଟ୍ବିଟରୁ ଆରମ୍ଭ ହୋଇଥିଲା ସମ୍ପର୍କ, ମାତୃ ଦିବସର ଇଡଲି ଅମ୍ମାଙ୍କୁ ଉପହାରରେ ଘର ଦେଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ: ଅନ୍ୟକୁ ସାହାଯ୍ୟ କରିବା ପାଇଁ ସୋସିଆଲ ମିଡିଆ ଏବେ ଏକ ବଡ଼ ମାଧ୍ୟମ ପାଲଟିଛି। ବିଶେଷ କରି ଟ୍ବିଟ ସାହାଯ୍ୟରେ ଅନେକ ହୃଦୟବାନ ଲୋକ ଅସହାୟଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁଥିବା ଦେଖାଯାଉଛି। କରୋନା କାଳରେ ଟ୍ବିଟର ମାଧ୍ୟମରେ ବଲିଉଡ ଅଭିନେତା ସୋନୁ ସୁଦଙ୍କ ସମେତ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ମଧ୍ୟ ଅନେକଙ୍କୁ ସାହାଯ୍ୟ କରିଥିବା ଅନେକ ଥର ଦେଖାଯାଇଛି। ଏବେ ପୁଣି ଥରେ ଆନନ୍ଦ ମହିନ୍ଦ୍ରାଙ୍କ ହୃଦୟ ଜିତିବା ଭଳି କାମ ସାମ୍ନାକୁ ଆସିଛି। ଗତବର୍ଷ ସେ ଇଡଲି ଅମ୍ମ‌ାଙ୍କୁ ଘର ଉପହାରରେ ଦେବେ ବୋଲି କହିଥିବା ବେଳେ ଆଜି ମାତୃ ଦିବସ ଅବସରରେ ସେ ନିଜ ପ୍ରତିଶ୍ରୁତିକୁ ପୂରଣ କରିଛନ୍ତି।

ମାତୃ ଦିବସ ଅବସରରେ ସେ ଇଡଲି ଅମ୍ମାଙ୍କୁ ଘର ଉପହାରରେ ଦେଇଛନ୍ତି। ଏହାର ଏକ ଭିଡିଓ ଟ୍ବିଟ କରି ସେ ଲେଖିଛନ୍ତି ଯେ, 'ଆମ ଟିମ ପ୍ରଶଂସା ପାଇବାର ଯୋଗ୍ୟ, ଯିଏ ଗୃହ ନିର୍ମାଣକୁ ଠିକ ସମୟରେ ଶେଷ କରି ମାତୃ ଦିବସରେ ଇଡଲି ଅମ୍ମାଙ୍କୁ ଉପହାର ଦେଇଛନ୍ତି। ତାଙ୍କୁ ଏବଂ ତାଙ୍କ କାର୍ଯ୍ୟକୁ ସମର୍ଥନ କରିବାର ସୌଭାଗ୍ୟ ପାଇ ମୁଁ ଖୁସି। ଆପଣ ସମସ୍ତଙ୍କୁ ମାତୃ ଦିବସର ଶୁଭେଚ୍ଛା।

ତେବେ ଇଡଲି ଅମ୍ମାକୁ ଆପଣମାନେ ଜାଣିଥିବେ ନିଶ୍ଚୟ। ରହିବାକୁ ଭଲ ଘର ନଥାଇ ବି ସେ ଲୋକଙ୍କଠାରୁ ୧ଟଙ୍କା ନେଇ ଇଡଲି, ସାମ୍ବର ଓ ଚଟନୀ ଖୁଆଇ ଆସୁଛନ୍ତି। ବର୍ଷେ କି ଦୁଇ ବର୍ଷ ନୁହେଁ ୩୭ବର୍ଷ ହେଲାଣି ସେ ଏଭଳି କରିଆସୁଛନ୍ତି। ୨୦୧୯ରେ ଏକ ଟ୍ବିଟ ଜରିଆରେ ତାଙ୍କ କାହାଣୀ ଲୋକଲୋଚନକୁ ଆସିଥିଲା। ଏହା ପରେ ସେ ‌ସୋସିଆଲ ମିଡିଆରେ ଇଡଲି ଅମ୍ମା ନାଁରେ ଲୋକପ୍ରିୟ ହୋଇଥିଲେ। ତାଙ୍କର ଏଭଳି କାମ ଆନନ୍ଦ ମହିନ୍ଦ୍ରାଙ୍କ ନଜରକୁ ଆସିବା ପରେ ସେ ତାଙ୍କୁ ସାହାଯ୍ୟ କରିବେ ଏବଂ ରହିବା ପାଇଁ ଘର ଯୋଗାଇ ଦେବେ ବୋଲି କହିଥିଲେ, ଯାହା ସେ ଆଜି ପୂରଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe