ଶୁଖିଲା ଜମି ପାଇଁ କେନାଲ ଖୋଳିଥିଲେ: ଟ୍ରାକ୍ଟର ଉପହାର ଭାବେ ଦେବାକୁ ଘୋଷଣା କଲେ ଆନନ୍ଦ ମହିନ୍ଦ୍ରା

Advertisment
ଶୁଖିଲା ଜମି ପାଇଁ କେନାଲ ଖୋଳିଥିଲେ: ଟ୍ରାକ୍ଟର ଉପହାର ଭାବେ ଦେବାକୁ ଘୋଷଣା କଲେ ଆନନ୍ଦ ମହିନ୍ଦ୍ରା

ଗୟା: ୩୦ ବର୍ଷର ସଂଘର୍ଷ ପରେ ମିଳିଲା ଉପହାର | ଏକୁଟିଆ ଜଙ୍ଗଲରୁ ନିଜ ଗାଁକୁ ପାଣି ଆଣିଥିବା ଲାଉଙ୍ଗିଙ୍କୁ ଟ୍ରାକ୍ଟର ଉପହାର ଭାବେ ଦେବେ ମହିନ୍ଦ୍ରା ଗ୍ରୁପର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା | ବିହାରର ଗୟ‌ା ଜିଲ୍ଲା ଲାଥୁଆ ଅଞ୍ଚଳର କୋଥିଲାୱା ଗ୍ରାମର ଲାଉଙ୍ଗି ଭୂୟାଁ ଦୀର୍ଘ ୩୦ ବର୍ଷ ଧରି  ଏକୁଟିଆ ନିଜ ଗାଁର ଶୁଖିଲା କ୍ଷେତକୁ ପାଣି ଆଣିବା ପାଇଁ ୩ କି‌ଲୋମିଟର ଦୀର୍ଘ କେନାଲ ଖୋଳିଛନ୍ତି। ସେ ଗାଁର ସମସ୍ତ ଚାଷଜମିକୁ ପାଣି ଆଣିବା ପାଇଁ ପ୍ରୟାସ କରିଛନ୍ତି। କେନାଲ ଖୋଳା କାମ ଶେଷ କରିବାକୁ ତାଙ୍କୁ ୩୦ ବର୍ଷ ଲାଗିଛି ବୋଲି କହନ୍ତି ଲାଉଙ୍ଗି। ୩୦ ବର୍ଷ ଧରି ସେ ପ୍ରତିଦିନ ସକାଳୁ ନିଜ ଘରୁ ଜଙ୍ଗଲକୁ ବାହାରି ଯାଆନ୍ତି।

ଦିନତମାମ ମାଟି ଖୋଳି ଖୋଳି ସନ୍ଧ୍ୟାରେ ଘରକୁ ଫେରନ୍ତି। ଜଙ୍ଗଲର ଆର ପାର୍ଶ୍ବରେ ଥିବା ଜଳ ଉତ୍ସରୁ ନିଜ ଗାଁ ଚାଷଜମିକୁ ପାଣି ଆଣିବା ପାଇଁ ସେ ଏହି କେନାଲ ଖୋଳିଛନ୍ତି। ଏହି କାମକୁ ଆନନ୍ଦ ପ୍ରଶଂସା କରି ଟ୍ୱିଟରରେ ଲେଖିଛନ୍ତି ଯେ ତାଙ୍କୁ ଟ୍ରାକ୍ଟର ଦେବା ମୋ ପାଇଁ ଖୁସିର ବିଷୟ ହେବ। ମୁଁ ଭାବୁଛି ତାଙ୍କ କେନାଲ ତାଜମହଲ କିମ୍ବା ପିରାମିଡ ଭଳି ପ୍ରଭାବଶାଳୀ। ତାଙ୍କୁ ଟ୍ରାକ୍ଟର ଉପହାର ଦେବା ଆମ ପାଇଁ ଗର୍ବର ବିଷୟ |ସୂଚନା ଥାଉ କି ଲାଉଙ୍ଗି ୩୦ ବର୍ଷ ଧରି ନିରନ୍ତର ଭାବେ କେନାଲ ଖୋଳିଥିଲେ।


ଏଥିରେ କେହି ଜଣେ ବି ଗ୍ରାମବାସୀ ତାଙ୍କୁ ସହଯୋଗ କରିନାହାନ୍ତି।ଜୀବନଜୀବିକା ପାଇଁ ଗାଁର ଅନ୍ୟ ଲୋକମାନେ ନିୟମିତ ଜଙ୍ଗଲକୁ ଯାଉଥିବାବେଳେ ସେ କେନାଲ ଖୋଳିଥିଲେ ବୋଲି କହନ୍ତି ଲାଉଙ୍ଗି। କୋଥିଲାୱା ଗାଁକୁ ଚାରିପଟୁ ଜଙ୍ଗଲ ଘେରି ରହିଛି ଏବଂ ପାହାଡ଼ପର୍ବତ ଘେରା ଏ ଅଞ୍ଚଳରେ ମାଓବାଦୀ କାର୍ଯ୍ୟକଳାପ ମଧ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛି। ମାତ୍ର ଏସବୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଲାଉଙ୍ଗି ନିଜ ଲକ୍ଷ୍ୟପଥରୁ ଭ୍ରଷ୍ଟ ହୋଇ ନାହାନ୍ତି। କେନାଲ ଖୋଳିବା କାମରେ ନିଜ ଜୀବନକୁ ଉତ୍ସର୍ଗ କରିଦେଇଛନ୍ତି। ଲାଉଙ୍ଗିଙ୍କ ୩୦ ବର୍ଷର ପରିଶ୍ରମ ଫଳରେ ଏବେ ତାଙ୍କ ଗାଁର କ୍ଷେତକୁ ପାଣି ଆସିପାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe