ପାଗ ପରିବର୍ତ୍ତନ ଜନିତ ବୈଶ୍ବିକ ତାପମାତ୍ରା ବୃଦ୍ଧି ଯୋଗୁଁ ବିଭିନ୍ନ ହିମଶୈଳ ତରଳିବାରେ ଲାଗିଛନ୍ତି। ଏହି କ୍ରମରେ ଦକ୍ଷିଣ ଆମେରିକାର ଆଣ୍ଡିଜ୍ ପର୍ବତମାଳାରେ ରହିଥିବା ହିମଶୈଳଗୁଡ଼ିକ ମଧ୍ୟ ଦିନକୁ ଦିନ ସଂକୁଚିତ ହେବାରେ ଲାଗିଛି। ଫଳରେ ୧୧,୭୦୦ ବର୍ଷର ‘ହଲୋସିନ୍ ଯୁଗ’ ଇତିହାସରେ ଏହି ହିମଶୈଳର ସବୁଠୁ କ୍ଷୁଦ୍ରକାୟ ଆକାର ନିକଟରେ ଦେଖିବାକୁ ମିଳିଛି।
ଆଣ୍ଡିଜ୍ ପର୍ବତମାଳାରେ ଥିବା ଚାରିଟି ହିମଶୈଳକୁ ଲାଗି ରହିଥିବା ପ୍ରସ୍ତରକୁ ଅନୁଧ୍ୟାନ କରି ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ ଏହି ହିମଶୈଳଗୁଡ଼ିକ ନିୟମିତ ଧାରା ଠାରୁ କଳ୍ପନାତୀତ ତୀବ୍ର ବେଗରେ ତରଳିବାରେ ଲାଗିଛନ୍ତି।
ଏପରିକି ଆକଳନ କରାଯାଉଥିବା ଜଳବାୟୁଜନିତ ସ୍ଥିତିଠାରୁ ବହୁ ଦଶନ୍ଧିର ଆଗୁଆ ସ୍ଥିତି ଦେଖିବାକୁ ମିଳିଥିବା ପରିବେଶ ବିଜ୍ଞାନୀମାନଙ୍କୁ ଚିନ୍ତାରେ ପକାଇଛି। ଗଲୱେ ବିଶ୍ବବିଦ୍ୟାଳୟ, ବର୍କଲେ ବିଶ୍ବବିଦ୍ୟାଳୟ ଓ ଵିସ୍କନସିନ୍ ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନଙ୍କ ଅନୁଧ୍ୟାନ ଅନୁଯାୟୀ, ମନୁଷ୍ୟକୃତ ବିଶ୍ବ ଉତ୍ତପ୍ତୀକରଣର ଜ୍ବଳନ୍ତ ପ୍ରମାଣ ହେଉଛି ହିମଶୈଳ। ବିଶେଷ କରି କ୍ରାନ୍ତିମଣ୍ଡଳର ଅତ୍ୟୁଚ୍ଚ ପର୍ବତମାଳାରେ ରହିଥିବା ହିମଶୈଳଗୁଡ଼ିକ ଉତ୍ତପ୍ତୀକରଣ ଦ୍ବାରା ବେଶୀ ପ୍ରଭାବିତ ହୋଇଛନ୍ତି। କଲମ୍ବିଆ, ପେରୁ ଓ ବଲିଭିଆ ସ୍ଥିତ ଏହି ଆଣ୍ଡିଜ୍ ହିମଶୈଳଗୁଡ଼ିକ ଯେଉଁ ହାରରେ ତରଳିବାରେ ଲାଗିଛନ୍ତି, ତାହା ଅଭୂତପୂର୍ବ। ସୁତରାଂ, ହିମଶୈଳଗୁଡ଼ିକର ଏପ୍ରକାର ଆକାର ହ୍ରାସକୁ ବିଚାର କଲେ ସେଗୁଡ଼ିକୁ ବିଗତ ୧୧,୭୦୦ ବର୍ଷର ହଲୋସିନ୍ ଯୁଗରେ ଶ୍ରେଣୀଭୁକ୍ତ କରିବା ସମ୍ଭବ ନୁହେଁ। ପୃଥିବୀର ଅତ୍ୟୁଚ୍ଚ କ୍ରାନ୍ତିମଣ୍ଡଳୀୟ ପର୍ବତଗୁଡ଼ିକ ବୈଶ୍ବିକ ତାପମାତ୍ରା ବୃଦ୍ଧି ପ୍ରତି ବେଶୀ ସମ୍ବେଦନଶୀଳ ବୋଲି ସ୍ପଷ୍ଟ ହୋଇଛି।
Follow Us