ବିଶାଖାପାଟଣା: ପୂର୍ବରୁ ବି ଅନେକ ଥର ଏପରି ଘଟିଛି। ଦୂରକୁ ଚାଲି ଯାଇଥିବା ଅନେକ ସଂପର୍କକୁ ଫେସ୍ବୁକ୍ ନିକଟତର କରାଇଛି। ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମଗୁଡ଼ିକ ନା କି କେବଳ ବ୍ୟବସାୟରେ ସଫଳତା ଓ ଲୋକପ୍ରିୟତା ପାଇବାରେ ସାହାଯ୍ୟ କରୁଛି, ବରଂ ଏହା ଅନେକ ସମୟରେ ଲୋକଙ୍କ ଜୀବନର ମୋଡ଼ ବି ବଦଳାଇ ଦେଉଥିବା ଦେଖିବାକୁ ମିଳୁଛି।
ନିକଟରେ ଜାଣିବାକୁ ମିଳିଛି ଯେ ଜଣେ ଯୁବତୀ ଦୀର୍ଘ ୧୨ ବର୍ଷ ପରେ ଫେସ୍ବୁକ୍ ପାଇଁ ନିଜ ବାପାମାଆଙ୍କୁ ଫେରି ପାଇବାରେ ସମର୍ଥ ହୋଇଛନ୍ତି। ଭବାନୀ ନାମ୍ନୀ ଏହି ଯୁବତୀ ଜଣକ ୨୦୦୭ ମସିହାରେ ହଜି ଯାଇଥିଲେ। ଶେଷରେ ସେ ଫେସ୍ବୁକ୍ରେ ତାଙ୍କ ବାପାମାଆ ଓ ଭାଇଙ୍କୁ ଖୋଜିବା ପରେ ନିଜ ପରିବାର ଲୋକଙ୍କ ସନ୍ଧାନ ପାଇବାରେ ସମର୍ଥ ହୋଇଛନ୍ତି।
ରିପୋର୍ଟ ମୁତାବକ, ୨୦୦୭ ମସିହାରେ ଭବାନୀ ନିଜ ବାପାମାଆଙ୍କଠାରୁ ବିଜୟନଗରମ୍ ଜିଲ୍ଲାର ଚିପୁରୁପାଲିରୁ ଅଲଗା ହୋଇ ଯାଇଥିଲେ। ସେତେବେଳେ ତାଙ୍କୁ ୪ ବର୍ଷ ବୟସ ହୋଇଥିଲା। ସେ ସମୟରେ ଜଣେ ମହିଳା ତାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରି ଆଣି ବିଜୟୱାଡ଼ାରେ ରଖିଥିଲେ।
Photo Credit: ANIଭବାନୀ ଯାହାଙ୍କ ଘରେ କାମ କରିବାକୁ ଆସିଥିଲେ ସେ ଭଦ୍ର ମହିଳା ଜଣକ ଭବାନୀଙ୍କ କାହାଣୀ ଶୁଣିବା ପରେ ତାଙ୍କୁ ସାହାଯ୍ୟ କରିବାକୁ ଭାବି ଫେସ୍ବୁକ୍ରେ ତାଙ୍କ ଘର ଲୋକଙ୍କୁ ଖୋଜିବାକୁ ଲାଗିଲେ। ଅଳ୍ପ ପରିଶ୍ରମରେ ଭବାନୀଙ୍କ ଭାଇ ତାଙ୍କୁ ଫେସ୍ବୁକ୍ରେ ମିଳିଗଲେ। ସେ ଫେସ୍ବୁକ୍ରେ ମିଳିବା ପରେ ମହିଳା ଜଣକ ଭବାନୀଙ୍କୁ ତାଙ୍କ ବାପାମାଆଙ୍କ ସହ ମିଳାଇବାକୁ ଚେଷ୍ଟା କରିଥିଲେ।
ମହିଳା ଜଣକ ଭବାନୀଙ୍କ ଭାଇଙ୍କ ସହ ପ୍ରଥମେ ଚାଟିଂ କରି ସବୁ ପ୍ରକାରର ତଥ୍ୟ ମାଗିଥିଲେ। ଭବାନୀ କହିଥିବା କଥା ସହ ତଥ୍ୟ ସବୁ ମିଶି ଯିବାକୁ ସେ ତାଙ୍କ ଭାଇଙ୍କୁ ଭିଡିଓ କଲିଂ କରି ଯୁବତୀଙ୍କୁ ତାଙ୍କ ଘରଲୋକଙ୍କ ସହ କଥା କରାଇଥିଲେ। ଘରଲୋକ ନିଜ ଝିଅକୁ ଦେଖି ଚିହ୍ନି ପାରିଛନ୍ତି।
Follow Us